ଭୁବନେଶ୍ୱର: ଗୁରୁବାରରୁ ରବିବାର । ପୂରା ୪ ଦିନ ହୋଇଗଲା, ସେଇ ଗୋଟିଏ ଖବର ଉପରେ ରାଜ୍ୟବାସୀଙ୍କର ନଜର । ମୋବାଇଲ୍ ଖୋଲିଲା ମାତ୍ରେ ସେଇ ଚାମେଲି ଓଝା । କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବେଡ୍ ରୁ ପୁଲିସ ବାବୁମାନେ ତାଙ୍କୁ ଉଠାଇ ନେବାର ଦୃଶ୍ୟ ସମସ୍ତଙ୍କୁ ବିଚଳିତ କରିଛି । ଗୁରୁତର ଅସୁସ୍ଥତା ସତ୍ତ୍ୱେ ତାଙ୍କୁ କେମିତି ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା ସେ ପ୍ରଶ୍ନ ଆନ୍ଦୋଳିତ କରୁଛି ।
ପ୍ରବଳ ଖରାରେ ଦୀର୍ଘ ୫ ଘଣ୍ଟା କାଳ ପୁଲିସ ଭ୍ୟାନରେ ଚାମେଲିଙ୍କୁ ନଜରବନ୍ଦୀରେ ରଖିଲା ପରେ ଏସଡିଜେଏମଙ୍କ କୋର୍ଟରେ ହାଜର କରାଇଥିଲା ପୁଲିସ । ତାଙ୍କୁ ଭୀଷଣ ଅସୁସ୍ଥ ଅବସ୍ଥାରେ ଦେଖି ଖୋଦ୍ ମାଜିଷ୍ଟ୍ରେଟ୍ କୁଆଡ଼େ ଚିନ୍ତାରେ ପଡ଼ିଥିଲେ । ତେବେ ଆଇନରେ ବନ୍ଧା ହୋଇଥିବାରୁ ଜାମିନ୍ ନାମଞ୍ଜୁର କରି ତାଙ୍କୁ ଜେଲ୍ ପଠାଇବାକୁ ବାଧ୍ୟ ହୋଇଥିବେ । ମାତ୍ର ବାରିମୂଳ ଜେଲ୍ ହାଜତରେ ପଶିଲା ପରେ ତାଙ୍କ ଅବସ୍ଥା ଆହୁରି ବିଗିଡ଼ି ଯାଇଥିଲା । ଜେଲ୍ କର୍ତ୍ତୃପକ୍ଷ ତାଙ୍କୁ ପୁଣି ଡାକ୍ତରଖାନାକୁ ପଠାଇ ଦେଇଥିଲେ । କେନ୍ଦ୍ରାପଡ଼ା ଡାକ୍ତରଖାନାରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ଅବସ୍ଥା ସଙ୍କଟାପନ୍ନ ଥିବା ଡାକ୍ତର କହିଥିଲେ । ଛାତିରେ ଯନ୍ତ୍ରଣା ହେଉଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ରେଫର୍ କରାଯାଇଥିଲା । ମାତ୍ର କୌଣସି କାରଣରୁ ନିଷ୍ପତ୍ତି ବଦଳା ଯାଇ ସେହିଠାରେ ହିଁ ପୁନର୍ବାର ଚିକିତ୍ସା କରାଗଲା ।
ଅପରାହ୍ନ ପ୍ରାୟ ୫ଟାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଚାମେଲିଙ୍କୁ ବାରଣ୍ଡାରେ ପକାଇ ରଖାଗଲା । ତାଙ୍କୁ ବେଡ୍ ଦିଆଗଲା ନାହିଁ । ରାତି ପ୍ରାୟ ୧୦ଟା ବେଳେ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏବଂ ରାଜନଗର ବିଧାୟକ ଧ୍ରୁବ ସାହୁ ଡାକ୍ତରଖାନାରେ ପହଞ୍ଚି ଚାମେଲିଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଥିଲେ । ସିଡିଏମଓଙ୍କୁ ଫୋନ୍ କରି ତୁରନ୍ତ ଚାମେଲିଙ୍କୁ କ୍ୟାବିନ୍ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ । ସୋସିଆଲ୍ ମିଡିଆ ଜରିଆରେ ସାଧାରଣ ଜନତାଙ୍କଠାରୁ ମଧ୍ୟ ଚାପ ପଡ଼ିଥିଲା । ଏହାପରେ ଚାମେଲିଙ୍କୁ ୧୫ ନମ୍ବର କ୍ୟାବିନ୍ କୁ ଅଣାଯାଇଥିଲା । ଏବେ ସେଠାରେ ତାଙ୍କର ଚିକିତ୍ସା ଚାଲିଛି ଏବଂ ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ଜେଲ୍ ରୁ ଡାକ୍ତରଖାନା ଆସିବା ବେଳେ ଚାମେଲି ଭୟରେ ଥରୁଥିଲେ । ପୁଲିସ ମାରିଦେବେ, ମତେ ବଞ୍ଚାନ୍ତୁ ବୋଲି ଗଣମାଧ୍ୟମ ଆଗରେ କାନ୍ଦି କାନ୍ଦି ନେହୁରା ହୋଇଥିଲେ ।
ରବିବାର ଦିନ ଗଣମାଧ୍ୟମକୁ ପୁଣି ପ୍ରତିକ୍ରିୟା ଦେଇ ଅନ୍ୟାୟ ବିରୋଧରେ ଲଢ଼େଇ ଜାରି ରଖିବେ ବୋଲି ଚାମେଲି କହିଛନ୍ତି । ସେ କହିଛନ୍ତି, ମୁଁ ନିଦେ୍ର୍ଦାଷ । ପୁଲିସ ମୋତେ ମିଥ୍ୟା କେସ୍ ରେ ଛନ୍ଦିଛନ୍ତି । ବିଚାର ବିଭାଗୀୟ ତଦନ୍ତ ହେଲେ ସତ୍ୟ ସାମନାକୁ ଆସିପାରିବ । ବିଡିଓ, ଆଇଆଇସି, ଥାନା କର୍ମଚାରୀ ମୋତେ ଅତ୍ୟାଚାର କରିଛନ୍ତି । ମୋ ଚରିତ୍ରକୁ ନେଇ ଖରାପ କଥା କହିଛନ୍ତି । ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦରକାର । ଏହି ସବୁ ଘଟଣା ପାଇଁ ମହାକାଳପଡ଼ା ବିଧାୟକ ଦୁର୍ଗାପ୍ରସନ୍ନ ନାୟକ ଦାୟୀ । ସେ ଇସ୍ତଫା ଦିଅନ୍ତୁ । କାରଣ ସେ ବିଧାୟକ ହେବାକୁ ଯୋଗ୍ୟ ନୁହଁନ୍ତି । ତାଙ୍କ ଅଞ୍ଚଳର ଝିଅକୁ ସେ ନ୍ୟାୟ ଦେଇପାରୁନାହାନ୍ତି । କର୍ମୀଙ୍କୁ ଲଗାଇ ଅତ୍ୟାଚାର କରିଛନ୍ତି ।
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ଘଟଣାରେ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ‘ନାରୀ ଶକ୍ତି ବନ୍ଦନ’ କହି ବଡ଼ ବଡ଼ କଥା କହୁଥିବା ବିଜେପିର ବାସ୍ତବରେ ଏହା କ’ଣ ନାରୀଙ୍କୁ ସମ୍ମାନ ବୋଲି ସେ ପ୍ରଶ୍ନ କରିଛନ୍ତି । ବିଜେପି ସରକାରରେ ଜଣେ ମହିଳା ସରପଞ୍ଚ ନିଜ ପଞ୍ଚାୟତର ଦାବି ଉଠାଇ ଯଦି ଏପରି ସ୍ଥିତିର ସାମ୍ନା କରୁଛି ତେବେ ରାଜ୍ୟରେ ଅଗଣିତ ମହିଳାଙ୍କ ସ୍ଥିତି କ’ଣ ତାହା ସ୍ପଷ୍ଟ ଅନୁମେୟ ବୋଲି ନବୀନ ଉଲ୍ଲେଖ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଘଟଣା ଉପରେ ସମ୍ପୂର୍ଣ୍ଣ ଚୁପ୍ ଥିବା ବେଳେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅତି ହାଲକା ମନ୍ତବ୍ୟ ଦେଇଛନ୍ତି । ସ୍ଥାନୀୟ ଏସପି ଓ ପ୍ରଶାସନ ରିପୋର୍ଟ ଦେବା ପରେ ଘଟଣାର ସତ୍ୟତା କେତେ ଅଛି ଜଣାପଡ଼ିବ । ରିପୋର୍ଟ ଆସିବା ପରେ କିଏ ସଂପୃକ୍ତ, କାହାର ଦୋଷ ଅଛି ତାହାର ସ୍ପଷ୍ଟତା ଆସିବ ବୋଲି କହିଛନ୍ତି ।
ତିଖିରି ପଞ୍ଚାୟତ ସରପଞ୍ଚ ଚାମେଲିଙ୍କୁ ନେଇ ରାଜ୍ୟ କମ୍ପୁଥିବା ବେଳେ ତାଙ୍କ ତଥାକଥିତ ଗୁରୁ ତଥା ସ୍ଥାନୀୟ ସାଂସଦ ବୈଜୟନ୍ତ ପଣ୍ଡାଙ୍କର ଦେଖା ନାହିଁ । ତିନି ଦିନ ହେଲା ନିର୍ବାଚନମଣ୍ଡଳୀର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଉଥିଲେ ମଧ୍ୟ ଚାମେଲିଙ୍କ ପାଖ ମାଡ଼ିନାହାନ୍ତି କି ଟୁଇଟ୍ କରିନାହାନ୍ତି । ତାଙ୍କୁ ସମ୍ପୂର୍ଣ୍ଣ ପର କରିଦେଇଛନ୍ତି । ଦୁଇ ଦିନ ହେଲା ତାଙ୍କ ଟିଭିରେ ଚାମେଲିଙ୍କ ବିରୋଧରେ ଏକପାଖିଆ ଖବର ଚାଲିଥିଲା । ସମ୍ଭବତଃ ଲୋକଙ୍କର ପ୍ରବଳ ଗାଳି ପଡ଼ିବା ପରେ ଟିଭି ଆଭିମୁଖ୍ୟ ବଦଳାଇଛି ।
ଚର୍ଚ୍ଚା ଅନୁଯାୟୀ, ଚାମେଲିଙ୍କ ଘଟଣା ଏତେ ବଡ଼ ହେବା ପଛରେ ମହାକାଳପଡ଼ା ବିଡିଓ ଏବଂ ଆଇଆଇସି ସମ୍ପୂର୍ଣ୍ଣ ଦାୟୀ ହୋଇଥିଲା ବେଳେ ସରକାର ଏହାକୁ ଆୟତ୍ତ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ସରକାର ଚାହିଁଥିଲେ କଥା ଏତେ ବାଟ ଯାଇ ନ ଥାନ୍ତା । ନିଜ ଦଳର ଜଣେ ବିଧାୟକଙ୍କ ସୁରକ୍ଷା ପାଇଁ ସରକାର ଯଦି ଚାହିଁଥାନ୍ତି ତେବେ ତାହାଠାରୁ ମୂର୍ଖାମୀ କିଛି ହୋଇ ନ ପାରେ । ଏଥିରେ ସରକାର କେତେ ବଦନାମ ହେଉଛନ୍ତି ମୁଖ୍ୟମନ୍ତ୍ରୀ ବୋଧେ ତାହା ବୁଝିପାରିନାହାନ୍ତି ।
ତାଙ୍କ ସରକାରରେ ଆଇନ କାହା ପାଇଁ କେଉଁ ବାଟରେ ଯାଉଛି ତାହା ସାଧାରଣ ଲୋକ ବୁଝିଗଲେଣି । ରାଜନଗର ଲଳିତ ବେହେରା ଘଟଣା ଏବଂ ଟାଙ୍ଗୀ ଅରିନ୍ଦମ ରାୟଙ୍କ ଘଟଣା ସମସ୍ତେ ମନେ ପକାଇ ଦେଉଛନ୍ତି । ଲୋକସେବା ଭବନରେ ବରାଦୀ ସାମ୍ବାଦିକ/କର୍ମୀ ସମ୍ମିଳନୀର ଆୟୋଜନ କରି ଦୁଇବର୍ଷର ସଫଳତାର ଡିଣ୍ଡିମ୍ ପିଟିଥିବା ମୋହନ ମାଝୀଙ୍କ ସରକାରଙ୍କୁ ତାଙ୍କ ଦଳର ଜଣେ ମହିଳା ସରପଞ୍ଚ ଯେ ସମ୍ପୂର୍ଣ୍ଣ ବିବସ୍ତ୍ର କରିଦେଇଛନ୍ତି ତାହା ସରକାର ଆଜି ନହେଲେ କାଲି ବୁଝିପାରନ୍ତି!