ଭୁବନେଶ୍ୱର: ବହୁ ଚର୍ଚ୍ଚିତ ସରପଞ୍ଚ ଚାମେଲି ଓଝାଙ୍କୁ ଆଜି ଜାମିନ୍ ମିଳିଛି । କେନ୍ଦ୍ରାପଡ଼ା ଏସଡିଜେଏମ୍ ଙ୍କ କୋର୍ଟ ଆଜି ତାଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି । ୩୦ ହଜାର ଟଙ୍କା ଏବଂ ଦୁଇ ଜାମିନଦାରଙ୍କ ବଦଳରେ ସେ ଜାମିନ୍ ରେ ଆସିଛନ୍ତି । ଚାମେଲିଙ୍କ ପକ୍ଷରୁ ଲଢ଼ୁଥିବା ଓକିଲ ରବିନାରାୟଣ ମହାନ୍ତିଙ୍କ ସୂଚନା ଅନୁଯାୟୀ, ଚାମେଲିଙ୍କ ବିରୋଧରେ ମହାକାଳପଡ଼ା ପୁଲିସ ପକ୍ଷରୁ ଅଣାଯାଇଥିବା ଆକ୍ରମଣ ଏବଂ ହତ୍ୟା ଉଦ୍ୟମ ଅଭିଯୋଗର କୌଣସି ପ୍ରମାଣ ନାହିଁ । ସେ ସବୁ ଅଭିଯୋଗ ଭିତ୍ତିହୀନ, କପୋଳକଳ୍ପିତ ବୋଲି ଅଦାଲତ ଅନୁଭବ କଲା ପରେ ଚାମେଲିଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି । ତେବେ ପୁଲିସ ମାଡ଼ରେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କୁ ମିଥ୍ୟା ଅଭିଯୋଗରେ ଡାକ୍ତରଖାନାରୁ ଉଠାଇ ନେଇ ଗିରଫ କରାଯିବା ଘଟଣାକୁ ଚାମେଲି ବରଦାସ୍ତ କରିନାହାନ୍ତି । ପୁଲିସ ବିରୋଧରେ ନ୍ୟାୟର ଲଢ଼େଇ ଆରମ୍ଭ କରିଛନ୍ତି । ଗତ ୧୩ ତାରିଖରେ ପୁଲିସ ତାଙ୍କୁ ଗିରଫ କରିବା ବେଳେ କେନ୍ଦ୍ରାପଡ଼ା ଡାକ୍ତରଖାନାରୁ ନୋ ଇନୁଞ୍ଜିରି ସାର୍ଟିଫିକେଟ୍ ଦେଇଥିବା ଡାକ୍ତର ଏବଂ ମିଛ କେସ୍ ରେ ଫସାଇଥିବା ମହାକାଳପଡ଼ା ପୁଲିସ ବିରୋଧରେ ମକଦ୍ଦମା ରୁଜୁ ପାଇଁ ଚାମେଲିଙ୍କ ପକ୍ଷରୁ ଆଜି କୋର୍ଟରେ ଦରଖାସ୍ତ କରାଯାଇଛି ।
ଗତ ୧୧ ତାରିଖରେ ପ୍ରଥମ ଘଟଣା ଘଟିଥିଲା । ମହାକାଳପଡ଼ା ବ୍ଲକ୍ ରେ ଉନ୍ନୟନ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ହୋଇଥିବା ଏବଂ ୬ ମାସ ଧରି ବିଲ୍ ପଡ଼ି ରହିଥିବାରୁ ସେ ସମ୍ପର୍କରେ ବିଡିଓ ରବୀନ୍ଦ୍ର ଆଚାର୍ଯ୍ୟଙ୍କ ସହ ଆଲୋଚନା କରିବା ପାଇଁ ନିଜ ଭାଇ ସହ ବ୍ଲକ୍ ଅଫିସ ଆସିଥିଲେ । ତାଙ୍କ ସାଙ୍ଗରେ ଅନ୍ୟ ୩ ସରପଞ୍ଚ ମଧ୍ୟ ଥିଲେ । ବିଡିଓଙ୍କ ସହ କଥା ହେଲା ବେଳେ ସ୍ଥାନୀୟ ବିଧାୟକ ଦୁର୍ଗା ପ୍ରସନ୍ନ ନାୟକଙ୍କ ପ୍ରାୟ ୧୫ ସମର୍ଥକ ଭିତରକୁ ପଶି ତାଙ୍କୁ ଗାଳିମନ୍ଦ ଆରମ୍ଭ କରିଦେଲେ । ଏହି ଦୃଶ୍ୟକୁ ଚାମେଲି ମୋବାଇଲ୍ ରେ ରେକର୍ଡିଂ କରିବାରୁ ସେମାନେ ଅଧିକ ଉତକ୍ଷିପ୍ତ ହୋଇ ମୋବାଇଲ୍ ଛଡ଼ାଇବାକୁ ଚେଷ୍ଟା କରିଥିଲେ । ଭାଇ ବିରୋଧ କରିବାରୁ ତାକୁ ତଣ୍ଟିଆ ଧକ୍କା ମାରିଥିଲେ । ତତେ ଗ୍ୟାଙ୍ଗରେପ୍ କରିଦେବୁ ବୋଲି ଜଣେ ଧମକ ଦେଲା ବେଳେ ଆଉ ଜଣେ ତତେ ଭଡ଼ାରେ ଲଗାଇବୁ ବୋଲି କହିଥିଲେ ।
ଖବର ପାଇ ପୁଲିସ ପହଞ୍ଚିଥିଲେ ମଧ୍ୟ ଗାଳିମନ୍ଦ କରୁଥିବା ଯୁବକଙ୍କୁ ଆକଟ କରିବା ବଦଳରେ ଓଲଟି ଚାମେଲିଙ୍କଠାରୁ ମୋବାଇଲ୍ ଛଡ଼ାଇବାକୁ ଚେଷ୍ଟା କରିଥିଲେ । ମାତ୍ର ସେ ବାଧା ଦେବାରୁ ପୁଲିସ ପ୍ରତିହଂସାପରାୟଣ ହୋଇଯାଇଥିଲା । ବିଧାୟକଙ୍କ ଗୁଣ୍ଡାବାହିନୀକୁ ସାଙ୍ଗରେ ଧରି ବାଇକରେ ଭାଇ ସହ ଘରକୁ ଫେରୁଥିବା ଚାମେଲିଙ୍କୁ ଅଧା ବାଟରେ ଅଟକାଇଥିଲା । ଏହାପରେ ପୁଲିସ ତାଙ୍କୁ ଜବରଦସ୍ତ ଗାଡ଼ିରେ ବସାଇ ଥାନାକୁ ନେଇଆସିଲେ । ସେଠାରେ ଆଇଆଇସି ଖରାପ ଭାଷାରେ ଗାଳିଗୁଲଜ କରିଥିଲେ । ତୁ ବେଶ୍ୟା କାମ କରୁଛୁ, ଏସା କରୁଛୁ ତେସା କରୁଛୁ ବୋଲି କହିଥିଲେ । ବିଧାୟକଙ୍କ ପଛରେ କାହିଁକି ଲାଗିଛୁ ବୋଲି ପଚାରିବା ସହ ସହ ସାଙ୍ଗରେ ମିଶି କାମ କରିବାକୁ ଧମକାଇଥିଲେ ।
ଏହାପରେ ତାଙ୍କ ମୋବାଇଲ୍ ନେଇଯିବାକୁ ଚେଷ୍ଟା କରାଯାଇଥିଲା । ମାତ୍ର ସେ ନ ଦେବାରୁ ତିନିଜଣ ମହିଳା କନେଷ୍ଟବଳ ଚୁଟି ଧରି ଘୋଷାଡ଼ି ନେଇଥିଲେ ଏବଂ ପିଠିକୁ ବିଧା ଗୋଇଠା ମାରିଥିଲେ । ଗୋଟିଏ ବିଧା ଛାତିରେ ବସିବାରୁ ଯନ୍ତ୍ରଣାରେ ସେ ଖସିପଡ଼ିଥିଲେ । ତାଙ୍କୁ ଆହତ ଅବସ୍ଥାରେ ହସ୍ପିଟାଲ୍ ଅଣାଯାଇଥିଲା ।
ସୋସିଆଲ୍ ମିଡିଆରେ ଏହି ଘଟଣା ନିଆଁ ଭଳି ବ୍ୟାପିଲା ପରେ ବିଡିଓ ଚାମେଲିଙ୍କ ବିରୋଧରେ ପ୍ରଥମେ ଏତଲା ଦେଇଥିଲେ । ଚାମେଲି ତାଙ୍କ ଅଫିସ୍ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି କରିଛନ୍ତି ଏବଂ ତାଙ୍କର ପ୍ରାଇଭେସି ନଷ୍ଟ କରିଛନ୍ତି ବୋଲି ଏତଲାରେ ଲେଖିଥିଲେ । ସେହିଭଳି ମହାକାଳପଡ଼ା ଥାନା ଏସଆଇ ତପସ୍ୱିନୀ ବିଶ୍ୱାଳ ଚାମେଲିଙ୍କ ବିରୋଧରେ ଏତଲା ଦେଇଥିଲେ । ଚାମେଲି ତାଙ୍କୁ କାମୁଡ଼ିଛନ୍ତିି ଏବଂ ଜଣେ ମହିଳା ହୋମଗାର୍ଡଙ୍କ ଚୁଟି ଘୋଷାରିଛନ୍ତି ବୋଲି ଅଭିଯୋଗ ହୋଇଥିଲା । ମହାକାଳପଡ଼ା ପୁଲିସ ଏହି ଅଭିଯୋଗ ଉପରେ ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ଦଫାରେ ମାମଲା ରୁଜୁ କରିଥିଲା । ପରଦିନ କେନ୍ଦ୍ରାପଡ଼ା ଏସପି ସାମ୍ବାଦିକ ସମ୍ମିଳନୀରେ ଥାନାର ଏକ ସିସିଟିଭି ଫୁଟେଜ୍ ଦେଖାଇ ଚାମେଲିଙ୍କ ଅଭିଯୋଗରେ ସତ୍ୟତା ନ ଥିବା କହିଥିଲେ ।
କେନ୍ଦ୍ରାପଡ଼ା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଚାମେଲିଙ୍କର ଅବସ୍ଥା ଗୁରୁତର ଥିଲା ବେଳେ ପୁଲିସ ତାଙ୍କୁ ଡାକ୍ତରଖାନା ବେଡ୍ ରୁ ଉଠାଇ ନେଇଥିଲା । ଦୀର୍ଘ ୫ ଘଣ୍ଟା କାଳ ପୁଲିସ ଭ୍ୟାନରେ ଘୂରାଇବା ପରେ ଏସଡିଜେଏମଙ୍କ କୋର୍ଟରେ ହାଜର କରାଇଥିଲା । ସେଠାରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବାରିମୂଳ ଜେଲ୍ ହାଜତକୁ ପଠାଇ ଦିଆଯାଇଥିଲା । ମାତ୍ର ସେଠି ତାଙ୍କ ଅବସ୍ଥା ଆହୁରି ଗୁରୁତର ହୋଇପଡ଼ିବାରୁ ତୁରନ୍ତ କେନ୍ଦ୍ରାପଡ଼ା ଡାକ୍ତରଖାନାକୁ ଫେରାଇ ଅଣାଯାଇଥିଲା । ବର୍ତ୍ତମାନ ସେ ୧୫ ନମ୍ବର କ୍ୟାବିନରେ ରହି ଚିକିତ୍ସିତ ହେଉଛନ୍ତି ।