ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ତଥା ‘ମିଡ ଡେ ଓଡ଼ିଶା’ ର ପୁରୀ ପ୍ରତିନିଧି ପୂର୍ଣ୍ଣେନ୍ଦୁ ପଟ୍ଟନାୟକ(୫୩)ଙ୍କର ପରଲୋକ ହୋଇଯାଇଛି । ଗତ ମାସରେ ରଜ ବେଳେ ଏକ ଦୁର୍ଘଟଣାରେ ସେ ଆହତ ହୋଇଥିଲେ । କ୍ୟାପିଟାଲ୍ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ଘରକୁ ଫେରି ଆସିଥିଲେ । ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପୁଣି ଥରେ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ବଞ୍ଚାଇ ପାରିନାହାନ୍ତି । ଘରେ ମା’, ପତ୍ନୀ ଏବଂ ଏକମାତ୍ର ପୁଅକୁ ଛାଡ଼ି ଆଜି ସକାଳେ ସେ ଆଖି ବୁଜି ଦେଇଛନ୍ତି । ତାଙ୍କର ତାଙ୍କର ଅକାଳ ମୃତ୍ୟୁ ସାମ୍ବାଦିକ ମହଲକୁ ମ୍ରିୟମାଣ କରିଦେଇଛି ।
ପୁରୀର ଏଫଏମ୍ ରେଡିଓରେ ଜଣେ ଉଦଘୋଷକ ଭାବେ କ୍ୟାରିୟର ଆରମ୍ଭ କରିଥିବା ପୂର୍ଣ୍ଣେନ୍ଦୁ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ବିଭିନ୍ନ ଟିଭି ଚାନେଲରେ କାମ କରିଥିଲେ । ଇଟିଭି, ନକ୍ଷତ୍ର ନୁ୍ୟଜ୍, ଏସଟିଭି, ଫୋକସ୍ ଟିଭି, ନୁ୍ୟଜ୍ ୱାଲର୍ଡ ଓଡିଶାରେ ସେ କାମ କରିଥିଲେ । ଦୂରଦର୍ଶନର ଅନେକ କାର୍ଯ୍ୟକ୍ରମରେ ଜଣେ ଘୋଷକ ଭାବେ ମଧ୍ୟ ସେ କାମ କରିଥିଲେ । ତିନି ବର୍ଷ ହେଲା ପୁରୀ ପ୍ରତିନିଧି ଭାବେ ‘ମିଡ ଡେ ଓଡ଼ିଶା’ ପାଇଁ କାମ କରୁଥିଲେ । ଜଣେ ଉଚ୍ଚକୋଟିର ସାମ୍ବାଦିକ ଭାବେ ତାଙ୍କର ସୁନାମ ଥିଲା । ଫିଚର୍ ଏବଂ ସୃଜନାତ୍ମକ ଲେଖାରେ ତାଙ୍କର ସ୍ୱତନ୍ତ୍ର ପରିଚୟ ଥିଲା ।
କେବଳ ଜଣେ ସୃଜନଶୀଳ ଲେଖକ, ସାମ୍ବାଦିକ କି ଘୋଷକ ଭାବରେ ତାଙ୍କର ପରିଚୟ ସୀମିତ ନ ଥିଲା । ତାଙ୍କର ନମ୍ର ଓ ଭଦ୍ର ବ୍ୟବହାରରେ ସେ ସମସ୍ତଙ୍କୁ ନିଜର କରିପାରିଥିଲେ । ସରଳ ଓ ଅମାୟିକ ବ୍ୟକ୍ତିତ୍ୱ ଥିଲା ତାଙ୍କର ମୁଖ୍ୟ ଆକର୍ଷଣ ।
ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତେଷ୍ଟି କ୍ରିୟା ସମ୍ପନ୍ନ ହୋଇଛି ।
ସ୍ୱର୍ଗତ ଆତ୍ମାର ସଦଗତି ନିମନ୍ତେ ‘ମିଡ ଡେ ଓଡ଼ିଶା’ ପରିବାର ପକ୍ଷରୁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛୁ । ତାଙ୍କର ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ଏହି ଦାରୁଣ କଷ୍ଟ ସହ୍ୟ କରିବା ପାଇଁ ମହାପ୍ରଭୁ ଶକ୍ତି ଦିଅନ୍ତୁ ।