ଭୁବନେଶ୍ୱର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଠ୍ୟପୁସ୍ତକରେ ହଜାର ହଜାର ଭୁଲ୍ । ସେଥିପାଇଁ ୧୭୫ କୋଟି ଟଙ୍କା ପାଣିରେ ତ ପଡ଼ିଲା । ଛୋଟ ପିଲାଙ୍କ ଭବିଷ୍ୟତ ଘୋର ବିପଦକୁ ବି ପଳାଇଲା । ୪୦ ଲକ୍ଷରୁ ଅଧିକ ପିଲାଙ୍କ ଭବିଷ୍ୟତ ସହ ଖେଳ ହେଲା । ଏସସିଇଆରଟିର ତତ୍କାଳୀନ ନିର୍ଦ୍ଦେଶକ ମନୋଜ ପାଢ଼ୀ ଏହି କେଳେଙ୍କାରୀର ଯେ ମୁଖ୍ୟ ଅଭିଯୁକ୍ତ ତାହା କ୍ରାଇମବ୍ରାଞ୍ଚ ତଦନ୍ତରୁ ପ୍ରମାଣ ମିଳିସାରିଛି । ସେଥିପାଇଁ ଚୌଦ୍ୱାର ଜେଲ୍ ତାଙ୍କର ନୂଆ ଠିକଣା ହୋଇଛି । ମାତ୍ର ଯାହାଙ୍କ ନେତୃତ୍ୱ ତଳେ ରହି ସେ ଏଭଳି ଗୁରୁ ଚଣ୍ଡାଳ ତ୍ରୁଟି କରିଛନ୍ତି ସେମାନେ ତାଙ୍କଠାରୁ ଯେ ଅଧିକ ଦୋଷୀ ତାହା କହିବା ଅନାବଶ୍ୟକ ।
ସିଧାସଳଖ କହିଲେ ରାଜ୍ୟର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଉପରେ ଏହାର ଉତ୍ତରଦାୟିତ୍ୱ ନ୍ୟସ୍ତ ଥିଲା ବେଳେ ସେ କେମିତି ଓ କାହିଁକି ଛାଡ଼ ପାଇବେ ତାହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି । ଏଭଳି ଏକ ସ୍ପର୍ଶକାତର ଏବଂ ଅତି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀ ନିଜକୁ ଦୋଷୀ ନ ଭାବିବା ଏବଂ ମୁଖ୍ୟମନ୍ତ୍ରୀ ତାଙ୍କୁ ସହ୍ୟ କରିଯିବା ଆଗାମୀ ଦିନର ଭବିଷ୍ୟତମାନଙ୍କ ପାଇଁ ଉପହାସ ହୋଇଛି ।
ଗିରଫ ହୋଇଥିବା ମନୋଜ ପାଢ଼ୀଙ୍କର କଳଙ୍କିତ ଇତିହାସ ଆମେ ସର୍ବପ୍ରଥମେ ଲୋକଲୋଚନକୁ ଆଣିଥିଲୁ । ତାଙ୍କ ଭଳି ଜଣେ ଉଦ୍ଧତ, ବିଶୃଙ୍ଖଳିତ ଅଧିକାରୀଙ୍କ ଦାୟିତ୍ୱରେ ପିଲାଙ୍କ ଭବିଷ୍ୟତ ଛାଡ଼ିଦେବା ଏକ ଅପରାଧିକ କାର୍ଯ୍ୟ ବୋଲି ଲେଖିଥିଲୁ । ଏହି ବାବୁ ୨୦୨୪ ଜୁନ୍ ରେ ଏସସିଇଆରଟିର ନିର୍ଦ୍ଦେଶକ ଭାବେ ଯୋଗ ଦେଇଥିଲେ । ତାଙ୍କର ଆଚାର, ବ୍ୟବହାରରେ ସମସ୍ତେ ଅତିଷ୍ଠ ହୋଇଥିଲେ । ସହକାରୀ ନିର୍ଦ୍ଦେଶକମାନଙ୍କୁ ଚାକର ବାକର ଭଳି ବ୍ୟବହାର କରୁଥିଲେ । ତାଙ୍କ ବିରୋଧରେ ଅସନ୍ତୋଷ ବ୍ୟାପିବାରୁ ୫ ମାସ ପରେ ସରକାର ତାଙ୍କୁ ବଦଳି କରିଥିଲେ । ତାଙ୍କ ଜାଗାକୁ ବରିଷ୍ଠ ଓଏଏସ୍ ଅଧିକାରୀ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଅଣାଯାଇଥିଲା । ହେଲେ ୨୬ ଦିନ ପରେ ନିଷ୍ପତ୍ତି ବଦଳିଗଲା । ୨୦୨୪ ନଭେମ୍ବର ୨୯ରେ ମନୋଜ ପାଢ଼ୀଙ୍କୁ ପୁଣି ଅଣାଗଲା । ଏସଆଇଆରଟି ନିର୍ଦ୍ଦେଶକ ଭାବେ ତାଙ୍କର ଦ୍ୱିତୀୟ ପାଳି ଆରମ୍ଭ ହେଲା । ଏହାପରେ ଇନ୍ଦ୍ରଚନ୍ଦ୍ର ମାନିଲେନି ପାଢ଼ୀ ବାବୁ ।
ସାଂଘାତିକ କଥା ହେଉଛି, ପାଢ଼ୀଙ୍କ ନିର୍ଯ୍ୟାତନା ବିରୋଧରେ ପିଅନଠାରୁ ଆରମ୍ଭ କରି ସହକାରୀ ନିର୍ଦ୍ଦେଶକ ସମସ୍ତେ ଏକଜୁଟ୍ ହୋଇଥିଲେ । ମୁଖ୍ୟମନ୍ତ୍ରୀ, ଗଣ ଶିକ୍ଷାମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଅବଗତ କରାଇଥିଲେ । ସହକାରୀ ନିର୍ଦ୍ଦେଶକମାନେ ତକ୍ରାଳୀନ ସଚିବଙ୍କୁ ସାକ୍ଷାତ କରି ଦାବିପତ୍ର ମଧ୍ୟ ଦେଇଥିଲେ । ମାତ୍ର କିଛି ଫଳ ନ ମିଳିବାରୁ ସେମାନେ ବିଧାୟକମାନଙ୍କ ସହଯୋଗ ଳୋଡ଼ିଥିଲେ । ୨୦୨୪ ଡିସେମ୍ବରରେ ୧୫ ଜଣ ବିଧାୟକ ମନୋଜ ପାଢ଼ୀଙ୍କୁ ଏସସିଇଆରଟିରୁ ବିଦା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ମାତ୍ର ମୁଖ୍ୟମନ୍ତ୍ରୀ କୌଣସି ପଦକ୍ଷେପ ନେଲେ ନାହିଁ । କୁଆଡ଼େ ମନ୍ତ୍ରୀ ଶ୍ରୀ ଗଣ୍ଡ ଥିଲେ ତାଙ୍କର ସୁରକ୍ଷାଦାତା ।
ଅତଏବ ମନୋଜ ପାଢ଼ୀଙ୍କ ନେତୃତ୍ୱରେ ୨୦୨୫ ଏପ୍ରିଲ୍ ରେ ଜାତୀୟ ଶିକ୍ଷା ନୀତି(ଏନଇପି)-୨୦୨୦ ଆଧାରରେ ନୂତନ ପାଠ୍ୟପୁସ୍ତକ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସେତେବେଳେକୁ ପାଢ଼ୀ ତାଙ୍କ ଅଫିସରେ ଏକଘରିକିଆ ହୋଇସାରିଥିଲେ । ତେଣୁ ସେ କାହାର ସହଯୋଗ ଚାହିଁଲେନି କି କେହି ତାଙ୍କୁ ସହଯୋଗ କରିବାକୁ ମନ ବଳାଇଲେନି । ଡିଟିପି ପାଖରେ ବସି ପାଠ୍ୟପୁସ୍ତକକୁ ଭଲ ଭାବେ ଯାଞ୍ଚ କରିବା, ତ୍ରୁଟି ଧରିବା, ସମୀକ୍ଷକମଣ୍ଡଳୀ କାର୍ଯ୍ୟର ତଦାରଖ କରିବା, କମିଟି ମଧ୍ୟରେ ସମନ୍ୱୟ ରଖିବା କାମ ସବୁ ତାଳିପକାରେ ହେଲା । ଏହି ତ୍ରୁଟି, ବିଭ୍ରାଟ ସମ୍ପର୍କରେ ମନୋଜ ପାଢ଼ୀ ଅବଗତ ଥିଲେ ମଧ୍ୟ ହେୟଜ୍ଞାନ କରିଥିଲେ ।
ଖାଲି ସେତିକି ନୁହେଁ, ନୂଆ ବହିରେ ହଜାର ହଜାର ଭୁଲ୍ ଥିବା ଏପ୍ରିଲ୍ ମାସରୁ ଜଣାପଡ଼ିଥିଲେ ମଧ୍ୟ ତାହାକୁ ବିଭାଗ ପକ୍ଷରୁ ଚପାଇ ରଖାଗଲା । ମନ୍ତ୍ରୀଙ୍କ ଅଜାଣତରେ ଏମିତି ହେବା ସମ୍ଭବ ନୁହେଁ । ଜୁନ୍ ମାସରେ ଭୁଲ୍ ସାର୍ବଜନୀନ ହେଲା ପରେ ମନ୍ତ୍ରୀ ଶ୍ରୀ ଗଣ୍ଡ ଏହାକୁ ସାମାନ୍ୟ ତ୍ରୁଟି ବୋଲି ହେୟଜ୍ଞାନ କରିବା ଆହୁରି ସାଂଘାତିକ କଥା । ପୁଣି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତ୍ରୁଟିଶୂନ୍ୟ ବହି ଯୋଗାଇବାକୁ ନିର୍ଦ୍ଦେଶ ଦେବା ପରେ ମଧ୍ୟ ତ୍ରୁଟିପୂର୍ଣ୍ଣ ବହିରେ ସଂଶୋଧନ କରି ପଢ଼ାଇବାକୁ ଡିଏଲଓମାନଙ୍କୁ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଭାଗୀୟ ନିର୍ଦ୍ଦେଶନାମା ଜାରି କରାଯିବା ଭଳି ମାରାତ୍ମକ ଘଟଣା ଘଟିଗଲା ।
ଶେଷରେ ଏହି ତ୍ରୁଟି ପଛରେ ବିରାଟ ଷଡ଼ଯନ୍ତ୍ରର ଗନ୍ଧ ପାଇଲେ ମୁଖ୍ୟମନ୍ତ୍ରୀ । ସେଥିପାଇଁ କ୍ରାଇମବ୍ରାଞ୍ଚ ତଦନ୍ତ କରାଇଛନ୍ତି । ଡିଏସପି ନରେନ୍ଦ୍ର କୁମାର ବେହେରାଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍ ଜୋରଦାର ଛାନଭିନ୍ ଚଳାଇଛନ୍ତି । ଗତକାଲି ମନୋଜ ପାଢ଼ୀଙ୍କୁ ଗିରଫ କରିବା ପରେ ଆଜି ଏସସିଇଆରଟି ନିର୍ଦ୍ଦେଶକ ମଧୁସ୍ମିତା ସାହୁଙ୍କୁ ପଚରା ଉଚୁରା କରିଛନ୍ତି । ତିନିଜଣ ଉପନିର୍ଦ୍ଦେଶକଙ୍କୁ ମଧ୍ୟ ଜେରା କରାଯାଇଛି । ନୂଆ ପାଠ୍ୟପୁସ୍ତକ ପ୍ରକାଶନରେ ସଂପୃକ୍ତ ଡକ୍ୟୁ ମେଣ୍ଟ ଗୁଡ଼ିକୁ ସଂଗ୍ରହ କରିଛନ୍ତି । ସେଗୁଡ଼ିକର ଯାଞ୍ଚ ପରେ ତ୍ରୁଟି ପାଇଁ ଯେଉଁମାନେ ବି ସଂପୃକ୍ତ ଥିବା ଜଣାପଡ଼ିବ, ସମସ୍ତଙ୍କୁ ଜେରା କରାଯିବ ବୋଲି ଡିଏସପି ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।
ସେ କହିଛନ୍ତି ଯେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ୧୭୦୩ ତ୍ରୁଟି ଥିବା କୁହାଯାଉଛି । ଏହାର ସତ୍ୟତା ଯାଞ୍ଚ କରାଯିବ । ଏହି ବିଭ୍ରାଟ ଗୋଟିଏ ସ୍ତରରେ ହୋଇନାହିଁ । ୫/୬ ଟି ସ୍ତରରେ ହୋଇଛି । ତେଣୁ ବିଭିନ୍ନ ସ୍ତରରେ ଯେଉଁମାନେ ଦାୟୀ ସେମାନଙ୍କୁ ପଚରା ଉଚୁରା କରାଯିବ । ନିୟମାନୁଯାୟୀ ତଦନ୍ତ ହୋଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।
ତେବେ ମନୋଜ ପାଢ଼ୀଙ୍କ ବିରୋଧରେ ଏତେ ଅଭିଯୋଗ ଥିବା ସତ୍ତ୍ୱେ ତାଙ୍କୁ କାହିଁକି ଏସସିଇଆରଟି ନିର୍ଦ୍ଦେଶକ ପଦରେ ପୁନର୍ବାର ରଖାଗଲା ଏବଂ ତାଙ୍କ ଦାୟିତ୍ୱରେ ନୂଆ ବହି ଛପାଗଲା ସେହି ପ୍ରଶ୍ନ କ୍ରାଇମବ୍ରାଞ୍ଚ ଡିଏସପି ନରେନ୍ଦ୍ର ବେହେରା ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପଚାରି ପାରିବେ ତ? ବିଭାଗୀୟ ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ତ? ଯଦି ମନୋଜ ପାଢ଼ୀଙ୍କ କାର୍ଯ୍ୟକୁ ଅପରାଧିକ କାର୍ଯ୍ୟ କୁହାଯିବ, ତାଙ୍କୁ ଦିଗଦର୍ଶନ ଦେଇଥିବା ମନ୍ତ୍ରୀ କେମିତି ନିଦେ୍ର୍ଦାଷ ହେବେ?
ସ୍ୱାଭାବିକ ଭାବରେ ଏହି ପ୍ରଶ୍ନ ସମସ୍ତଙ୍କ ମନକୁ ଆସିଛି । ପିଲାଙ୍କ ଭବିଷ୍ୟତ କେତେ ନଷ୍ଟ ହେଲା, ସରକାରଙ୍କ ପାଖରେ ତାହାର ସିନା ମାପ ନାହିଁ, ହେଲେ ସେଥିପାଇଁ ୧୭୫ କୋଟି ଟଙ୍କା ଯେ ବରବାଦ ହୋଇଛି ତାହା ସରକାର ଭୁଲିଯିବା ଉଚିତ୍ ନୁହେଁ । ସେଥିପାଇଁ ଦଣ୍ଡ ପାଇବା ପାଇଁ କିଏ ହକଦାର ତାହା ଜନସାଧାରଣ ବିଚାର କରିବେ ।