ଭୁବନେଶ୍ୱର: ସୋନି ଟିଭିର ଲୋକପ୍ରିୟ ରିଆଲିଟି ଶୋ ‘ଇଣ୍ଡିଆନ୍ ଆଇଡଲ୍’ ସିଜନ୍ ୧୬ର ଗ୍ରାଣ୍ଡ ଫିନାଲେରେ ପହଞ୍ଚିଥିବା କିଟ୍ ଛାତ୍ରୀ ତଥା ଓଡ଼ିଆ କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକଙ୍କ ହୋମ୍ କମିଂ ସେଲିବ୍ରେସନ୍ ଅବସରରେ ତାଙ୍କୁ କିଟ୍ ଓ କିସ୍ ପକ୍ଷରୁ ବୁଧବାର ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଛି। ଜ୍ୟୋତିର୍ମୟୀ ଆଜି ସକାଳେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରାଯିବା ସହ ତାଙ୍କ ବାସଭବନ ପର୍ଯ୍ୟନ୍ତ ନିଆଯାଇଥିଲା।
ଅପରାହ୍ନରେ ନିଜ ଶିକ୍ଷାନୁଷ୍ଠାନ କିଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯିବା ନିମନ୍ତେ ବ୍ୟାପକ ଆୟୋଜନ କରାଯାଇଥିଲା। ସେ କିଟ୍ କ୍ୟାମ୍ପସରେ ପହଞ୍ଚିବା ପରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ତାଙ୍କୁ ସ୍ୱାଗତ କରିବା ସହ କିଟ୍ର ଶତାଧିକ କର୍ମଚାରୀ ଓ ଛାତ୍ରଛାତ୍ରୀ ତାଙ୍କୁ ପାରମ୍ପରିକ ନୃତ୍ୟ ଓ ସଂଗୀତ ମଧ୍ୟରେ ଅଭିନନ୍ଦନ ଜଣାଇଥିଲେ। ସେ କିଟ୍ର ବିଭିନ୍ନ କ୍ୟାମ୍ପସ ପରିଦର୍ଶନ କରିବା ପରେ କିସ୍ ଶ୍ରୀବାଣୀକ୍ଷେତ୍ରସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା କରି ଆଶୀର୍ବାଦ କାମନା କରିଥିଲେ। ପରେ କିସ୍ କ୍ୟାମ୍ପସରେ କିସ୍ ଛାତ୍ରଛାତ୍ରୀ ଜନଜାତି ନୃତ୍ୟଗୀତରେ ଜ୍ୟୋତିର୍ମୟୀଙ୍କୁ ସ୍ୱାଗତ କରିଥିଲେ। ସେଠାରେ ସେ କିସ୍ ଛାତ୍ରଛାତ୍ରୀଙ୍କ ପାଇଁ ସଂଗୀତ ପରିବେଷଣ କରି ସେମାନଙ୍କୁ ଉତ୍ସାହିତ କରିଥିଲେ।






