ଭୁବନେଶ୍ୱର: ଭାବବିହ୍ୱଳ ଲକ୍ଷ ଲକ୍ଷ ଭକ୍ତ । ଝିପି ଝିପି ବର୍ଷାରେ ଭକ୍ତ ଓ ଭଗବାନ । ଘଣ୍ଟନାଦରେ ପ୍ରକମ୍ପିତ ବଡ଼ଦାଣ୍ଡ । ରତ୍ନବେଦୀରୁ ରଥ ଅଭିମୁଖେ ଆସିଥିଲେ ଚତୁର୍ଦ୍ଧାମୂର୍ତ୍ତି । ତେବେ ସବା ଶେଷରେ ବହୁ ବିଳମ୍ବରେ ପହଣ୍ଡି ବିଜେ କରିଥିଲେ ମହାପ୍ରଭୁ ଜଗନ୍ନାଥ । ଆଶ୍ଚର୍ଯ୍ୟଜନକ ଭାବରେ ବିନା ଟାହିଆରେ ରଥକୁ ଆସଥିଲେ ମହାପ୍ରଭୁ । ଅପୂର୍ବ ସୌନ୍ଦର୍ଯ୍ୟରେ ଭରା ଜଗତର ନାଥ କାଳିଆ ଠାକୁରଙ୍କୁ ବିନା ଟାହିଆରେ ଦେଖି କୋଟି କୋଟି ଭକ୍ତଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି ।
ସେ ଅଝଟିଆ ଠାକୁର । ତେବେ ମହାପ୍ରଭୁ କ’ଣ ପାଇଁ ଅଝଟ ହେଲେ ତାହା ସମସ୍ତଙ୍କୁ ଆନ୍ଦୋଳିତ କରିଛି । ଆଜି ଧାଡ଼ି ପହଣ୍ଡିରେ ପ୍ରଥମେ ଚକ୍ରରାଜ ସୁଦର୍ଶନ, ତାଙ୍କ ପରେ ପରେ ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରା ପହଣ୍ଡି ହୋଇ ରଥାରୁଢ଼ ହୋଇଥିଲେ । ଶେଷରେ ବଡ଼ଦେଉଳରୁ ବଡ଼ଦାଣ୍ଡକୁ ଜଗନ୍ନାଥ ପହଣ୍ଡିରେ ଆସିଲା ବେଳେ ସାତ ପାହାଚରେ ଟାହିଆ ଲାଗି ହୋଇଥିଲା । ୨୨ ପାହାଚ ଅତିକ୍ରମ କରି ସିଂହଦ୍ୱାର କୁମୁଟରେ ପହଞ୍ଚିଲା ବେଳକୁ କିନ୍ତୁ ଟାହିଆ ନ ଥିଲା । ଟାହିଆ କେଉଁ ପରିସ୍ଥିତିରେ କୁୁମୁଟ ବାଜି ଖସି ପଡ଼ିଲା ନା ମନୁଷ୍ୟକୃତ ତାହା ଜଣାପଡ଼ି ନ ଥିଲା ।
ଏହି ଅଘଟଣ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଡିଜି, ଏସପି, ଜିଲ୍ଲାପାଳ ବିବ୍ରତ ହୋଇପଡ଼ିଥିଲେ । ମହାପ୍ରଭୁଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ । ସେବକମାନଙ୍କର ଭୁଲ୍ ଥିଲେ କ୍ଷମା ପ୍ରାର୍ଥନା କରାଯାଇଥିଲା । ଏହି ଅଘଟଣ ପାଇଁ ସମସ୍ତେ ଚିନ୍ତିତ ଥିଲା ବେଳେ ଅନ୍ୟ ବିଭ୍ରାଟ ଦେଖିବାକୁ ମିଳିଥିଲା । ଘଣ୍ଟୁଆମାନେ ଘଣ୍ଟ ବନ୍ଦ କରି ବାରମ୍ବାର ପଳାଉଥିଲେ । ଶେଷକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେମାନଙ୍କୁ ମୁଣ୍ଡିଆ ଜୁହାର ମାରିବାକୁ ପଡ଼ିଥିଲା ।
ତିନିବର୍ଷ ଧରି ଲଗାତର ଭାବରେ ରଥଯାତ୍ରାରେ ଏମିତିକା ଅଘଟଣ ଘଟିବା ପଛରେ ପରିଚାଳନାଗତ ତ୍ରୁଟି ନା ଅନ୍ୟ କିଛି ତାହା ଜଣାପଡ଼ିନାହିଁ । ମାତ୍ର ଏବର୍ଷ ରଥଯାତ୍ରାକୁ ସମ୍ପୂର୍ଣ୍ଣ ତ୍ରୁଟିହୀନ କରିବାକୁ ରାଜ୍ୟ ସରକାର ଘନ ଘନ ବୈଠକ କରିଥିଲେ ।
ଯଦି ବର୍ଷାରେ ଟାହିଆ ନଷ୍ଟ ହୋଇଯିବା କଥା କୁହାଯାଉଛି, ତେବେ ସେଥିପାଇଁ ପୂର୍ବରୁ ବିକଳ୍ପ କାହିଁକି କରାଗଲାନି? ୫ ଦିନ ଆଗରୁ ଲଘୁଚାପ ବର୍ଷାର ସୂଚନା ଥିଲେ ମଧ୍ୟ ବିକଳ୍ପ ପ୍ରସ୍ତୁତି ନ କରି କାଳିଆ ଠାକୁରଙ୍କୁ ଏମିତି କରାଯିବା ଭକ୍ତମାନଙ୍କୁ ଦାରୁଣ ଆଘାତ ଦେଇଛି । ଯାହା ଜଣାପଡ଼ିଛି, ଟାହିଆ ଖସିଯିବା ପରେ ଭିଡ଼ିବାକୁ ଦୁଇ ଘଣ୍ଟା ଚେଷ୍ଟା କରାଯାଇଥିଲେ ମଧ୍ୟ ହୋଇପାରିଲାନି । ତେଣୁ ପହଣ୍ଡି ବିଳମ୍ବ ହେଲା । ବିକଳ୍ପ ବ୍ୟବସ୍ଥା ହୋଇଥିଲେ ଏହି ଅଘଟଣା ଘଟି ନ ଥାନ୍ତା ।
ମହାସୁଆର ନିଯୋଗ ସମ୍ପାଦକ ଗଣେଶ୍ୱର ମହାସୁଆରଙ୍କ କହିବାନୁଯାୟୀ, ସାତପାହାଚ ନିକଟରେ ବର୍ଷା ଯୋଗୁଁ ଟାହିଆ ନଷ୍ଟ ହୋଇଯାଇଥିଲା । ସେଥିପାଇଁ ଏହାକୁ ଖୋଲି ଦିଆଯାଇଥିଲା । ପୂର୍ବରୁ ଏମିତି ଘଟଣା ଘଟିଛି ବୋଲି ତାଙ୍କର ଦାବି ।
ସେହିପରି ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ କହିଛନ୍ତି ଏହା ପ୍ରଭୁଙ୍କ ଇଚ୍ଛା । ଟାହିଆ ଖୋଲିବା ପରେ ମହାପ୍ରଭୁ ଆରାମରେ ରଥାରୁଢ଼ ହେଲେ । ବର୍ଷା ଯୋଗୁଁ ସମସ୍ୟା ହୋଇଥିଲା ।
ଅନ୍ୟପକ୍ଷରେ ଟାହିଆ ନ ରହିବା ଅଶୁଭ ସୂଚନା ବୋଲି ବରିଷ୍ଠ ସେବାୟତ ଦାମୋଦର ପାଧାନି କହିଛନ୍ତି । ମହାପ୍ରଭୁ ରଥ ଉପରକୁ ଯିବା ପର୍ଯ୍ୟନ୍ତ ଟାହିଆ ଥାଏ । ହେଲେ ଅଧାରୁ ନ ରହିବା ଅଶୁଭ ସୂଚନା । ପ୍ରଭୁ କ’ଣ ଚାହୁଁଛନ୍ତି ସେ କେବଳ ଜାଣିଥିବେ!!