ଭୁବନେଶ୍ୱର: ବଡ଼ ବଡ଼ ମିଟିଂ, ଲମ୍ବା ଲମ୍ବା ଭାଷଣ, ଫର୍ଦ୍ଦ ଫର୍ଦ୍ଦ ପ୍ରେସ୍ ରିଲିଜ୍ । ଏ ସବୁ ଯେ ମୋହନ ସରକାରଙ୍କ ବାହାସ୍ଫୋଟ ଥିଲା ତାହାର ଆଜି ପୁଣି ପ୍ରମାଣ ମିଳିଲା । ଦୁଇବର୍ଷ ଧରି ରଥଯାତ୍ରା ତ୍ରୁଟିରୁ ସରକାର କିଛି ଶିଖିପାରିଲେନି । ଯେଉଁଥିପାଇଁ ଆଜି ରଥଯାତ୍ରାକୁ ତ୍ରୁଟିଶୂନ୍ୟ କରିବାରେ ବିଫଳ ହୋଇଛନ୍ତି । ବିନା ଟାହିଆରେ କାଳିଆ ଠାକୁର ପହଣ୍ଡି ବିଜେ ହେବା, ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ୧୦ ହାତ ଗଡ଼ି ଅଟକିବା, କର୍ଡନ ପାସ୍ ବଣ୍ଟନରେ ବିଭ୍ରାଟ ସାଙ୍ଗକୁ ଭିଡ଼ ନିୟନ୍ତ୍ରଣରେ ବ୍ୟବସ୍ଥା ସାଂଘାତିକ ଭାବରେ ଫେଲ୍ ମାରିଛି । ବଡ଼ଦାଣ୍ଡରେ ଦଳାଚକଟା ଅବସ୍ଥା ହୋଇ ଏ ପର୍ଯ୍ୟନ୍ତ ଦୁଇଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ଶତାଧିକ ଭକ୍ତ ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଯାହା ଜାତୀୟ ଗଣମାଧ୍ୟମଗୁଡ଼ିକରେ ବଡ଼ ଖବର ହୋଇଛି । ପ୍ରତ୍ୟକ୍ଷଦର୍ଶୀମାନେ ଭୟଙ୍କର ଚିତ୍ର ସାମନାକୁ ଆଣିଛନ୍ତି । ପୁରୀ ଡାକ୍ତରଖାନାରେ ୩୫୦ରୁ ଅଧିକ ଆହତ ଓ ଅସୁସ୍ଥ ଭର୍ତ୍ତି ହୋଇଥିବା ବିଜେଡିର ବରିଷ୍ଠ ନେତା ସଞ୍ଜୟ ଦାସବର୍ମା ଦାବି କରିଛନ୍ତି । ମାତ୍ର ବିଡ଼ମ୍ବନା ଯେ ରାଜ୍ୟ ସରକାର ଏହାକୁ ଫାଙ୍କି ଦେଇଛନ୍ତି । ରଥଯାତ୍ରା ସୁରୁଖୁରୁରେ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ।
ଗତକାଲିଠାରୁ ପୁରୀରେ ବର୍ଷା ଲାଗି ରହିବା ସତ୍ତ୍ୱେ ଆଜି ପବିତ୍ର ରଥଯାତ୍ରା ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ଼ ହୋଇଥିଲା । ଘଣ୍ଟାଏ ବିଳମ୍ବରେ ଅପରାହ୍ନ ୫ଟାରେ ରଥଟଣା ହୋଇଥିଲେ ମଧ୍ୟ ପ୍ରାୟ ୧୨ଟା ବେଳୁ ମରିଚିକୋଟ ଛକ ନିକଟରେ ଭିଡ଼ ନିୟନ୍ତ୍ରଣକୁ ଚାଲିଯାଇ ଦଳାଚକଟା ହୋଇଥିଲା । ଶତାଧିକ ଶ୍ରଦ୍ଧାଳୁ ଅଣନିଶ୍ୱାସୀ ହୋଇ ତଳେ ପଡ଼ିଯାଇଥିଲେ । ସେହି ଜାଗାରେ ଅନୀଲ ଦାସ ନାମକ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ।
ଦଳାଚକଟା ପରିସ୍ଥିତି ଏବଂ ଭିଡ଼ ନିୟନ୍ତ୍ରଣର ବିଫଳତାର ଚିତ୍ର ଜାତୀୟ ଗଣମାଧ୍ୟମରେ ଛାଇ ହୋଇଯାଇଛି । ସୋସିଆଲ୍ ମିଡିଆରେ ଭୟାନକ ଦୃଶ୍ୟ ଘୂରି ବୁଲୁଛି । ଆହତ ଓ ଅସୁସ୍ଥଙ୍କୁ ଡାକ୍ତରଖାନା ନେବାରେ କୌଣସି ସୁରକ୍ଷା କର୍ମୀଙ୍କୁ ଦେଖିବାକୁ ମିଳୁନାହିଁ । ସ୍ୱେଚ୍ଛାସେବୀମାନେ ସେମାନଙ୍କୁ ତଳୁ ଆମ୍ବୁଲାନ୍ସ ପାଖକୁ ଟେକି ନେଉଥିବା ଦେଖିବାକୁ ମିଳୁଛି । ଆମ୍ବୁଲାନ୍ସ ଯିବାଆସିବା ପାଇଁ ସ୍ୱତନ୍ତ୍ର କରିଡର ବ୍ୟବସ୍ଥା ଦୃଶ୍ୟମାନ ହେଉନାହିଁ । ଭିଡ଼ରେ ଆମ୍ବୁଲାନ୍ସ ପଶିବା ଓ ବାହାରିବା ପାଇଁ ନାକେଦମ ଅବସ୍ଥା ଦେଖିବାକୁ ମିଳୁଛି । ଏତେ ସବୁ ପରେ ମଧ୍ୟ ସରକାରଙ୍କ ଦାବି ଯେ ରଥଯାତ୍ରା ଶାନ୍ତିପୂର୍ଣ୍ଣ, ଶୃଙ୍ଖଳିତ ଏବଂ ସୁପରିଚାଳିତ ହୋଇଛି ।
ସୂଚନାଥାଉକି, ଏବର୍ଷ ରଥଯାତ୍ରା ପରିଚାଳନା ପାଇଁ ୨୩ ଆଇପିଏସ୍ ଙ୍କୁ ଦାୟିତ୍ୱ ଦିଆଯାଇଛି । ୧୩,୫୦୦ ସୁରକ୍ଷା କର୍ମୀ ନିୟୋଜିତ ଅଛନ୍ତି । ୪୦୦ ସିସିଟିଭି କ୍ୟାମେରା ଜଗିଛି । ଭିଡ଼ ନିୟନ୍ତ୍ରଣ ପାଇଁ ଇଣ୍ଟଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟରରୁ ସିସିଟିଭି କ୍ୟାମେରା ମାଧ୍ୟମରେ ପୁରୀ ସହରର କେଉଁ ନିର୍ଦ୍ଦିଷ୍ଟ ସ୍ଥାନରେ କେତେ ଭିଡ଼ ରହିଛି ଓ ପ୍ରତିବର୍ଗ ମିଟରରେ କେତେ ଲୋକ ରହୁଛନ୍ତି ତାହା ନିରନ୍ତର ମନିଟରିଂ ହୋଇ ଭିଡ଼ ନିୟନ୍ତ୍ରଣ କରାଯାଉଛି ବୋଲି ସରକାରଙ୍କ ପକ୍ଷରୁ ଦମ୍ଭ ମରାଯାଇଥିଲା । ବରିଷ୍ଠ ଆଇପିଏସ୍ ସୌମେନ୍ଦ୍ର ପ୍ରିୟଦର୍ଶୀ ଦୀର୍ଘ ଦିନ ଧରି ପୁରୀରେ ଡେରା ପକାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଡିଜି ୱାଇ. ବି ଖୁରାନିଆ ବୁଲି ବୁଲି ସ୍ଥିତି ସମୀକ୍ଷା କରିଛନ୍ତି ।
ତାହା ସତ୍ତ୍ୱେ ଏତେ ସବୁ ଅଘଟଣ ଘଟିଯାଇଛି । ଯାହାକୁ କି ସରକାର ମାନିବାକୁ ନାରାଜ ।
ଆଶ୍ଚର୍ଯ୍ୟର କଥା ହେଉଛି, ଦିନ ପ୍ରାୟ ୧୨ଟାରୁ ଦଳାଚକଟା ହୋଇ ଡାକ୍ତରଖାନାରେ ଭିଡ଼ ଜମିଥିଲେ ମଧ୍ୟ ଓଡ଼ିଶା ଗଣମାଧ୍ୟମରେ ଏହି ଖବର ଆସିନଥିଲା । ସଂଧ୍ୟା ବେଳକୁ ଦୁଇଜଣଙ୍କର ମୃତ୍ୟୁ ଖବର ଆସିଥିଲା । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶ୍ରଦ୍ଧାଳୁଙ୍କ ମୃତ୍ୟୁରେ ଦୁଃଖପ୍ରକାଶ କରି ଟୁଇଟ୍ କଲେ । କ’ଣ ହୋଇଛି ତାହାର ସ୍ପଷ୍ଟତା ଜାଣିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ଆଇନମନ୍ତ୍ରୀ ପୃଥୀ୍ୱରାଜ ହରିଚନ୍ଦନ ବୟାନ ଦେଲେ ।
ଆଉ ଶେଷରେ.. ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପ୍ରେସ୍ ରିଲିଜ ଜାରି କରାଯାଇ ପ୍ରତିକୂଳ ପାଗ ସତ୍ତ୍ୱେ ସୁରୁଖୁରୁରେ ରଥଯାତ୍ରା ଅନୁଷ୍ଠିତ ହେଲା ବୋଲି କୁହାଗଲା ।
ଏଥିରେ କୁହାଯାଇଛି- ଭକ୍ତଙ୍କ ବିପୁଳ ସମାଗମ ଓ ଲଗାଣ ବର୍ଷା ଯୋଗୁ କିଛି ସ୍ୱାସ୍ଥ୍ୟ ସମସ୍ୟା ନଜରକୁ ଆସିଥିଲା । ଏହି ସମୟରେ ୭ ଜଣ ବ୍ୟକ୍ତି ଅସୁସ୍ଥ ଅନୁଭବ କରିଥିଲେ ଏବଂ ସେମାନଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା । ସେମାନଙ୍କ ମଧ୍ୟରୁ ୬୦ରୁ ଅଧିକ ବୟସର ପୁରୁଷ ଭକ୍ତ ଦୁର୍ଭାଗ୍ୟବଶତଃ ମୃତ୍ୟୁବରଣ କରିଛନ୍ତି । ତେବେ ମୃତ୍ୟୁର ସଠିକ୍ କାରଣ ଜଣାପଡ଼ିନାହିଁ ।
ପୃଥକ୍ ଭାବରେ ଆଉ ଏକ ଘଟଣାରେ ଅନ୍ୟ ଜଣେ ଭକ୍ତଙ୍କର ହୃଦଘାତରେ ମୃତ୍ୟୁ ହୋଇଛି । ଲଗାଣ ବର୍ଷା ଯୋଗୁଁ ଅନେକ ଭକ୍ତ ଅସୁସ୍ଥ ହୋଇପଡ଼ିଥିଲେ, ସେମାନଙ୍କୁ ଡାକ୍ତରଖାନାରେ ଚିକିତ୍ସା ଯୋଗାଇ ଦିଆଯାଇଥିଲା ଏବଂ ଉପଯୁକ୍ତ ଚିକିତ୍ସା ପରେ ସେମାନଙ୍କୁ ଡିସଚାର୍ଜ କରାଯାଇଥିଲା ।
ଗୁଣ୍ଡିଚା ଯାତ୍ରା ଶାନ୍ତିପୂର୍ଣ୍ଣର୍, ଶୃଙ୍ଖଳିତ ଏବଂ ସୁପରିଚାଳିତ ହୋଇପାରିଛି । କୌଣସିଣସି ଦଳାଚକଟା ହୋଇନାହିଁ କିମ୍ବା ଭିଡ଼ ପରିଚାଳନାରେ କୌଣସି ଅସୁବିଧା ହୋଇନାହିଁ । ପବିତ୍ର ରଥଯାତ୍ରାରେ ଭକ୍ତମାନଙ୍କ ନିରାପତ୍ତା ଓ ସୁବିଧା ନିମନ୍ତେ ଭିତ୍ତିଭୂମି, ଜନସେବା ତଥା ନିରନ୍ତର ପ୍ରଶାସନିକ ସେବା ଯୋଗାଣରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ସୁନିଶ୍ଚିତ କରାଯାଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି ।
ସେହିଭଳି ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ମଧ୍ୟ ରଥଯାତ୍ରା ସୁରୁଖୁରୁରେ ହୋଇଥିବା ନେଇ ଖୁସିବ୍ୟକ୍ତ କରିଛନ୍ତି । ଜଗନ୍ନାଥଙ୍କ ଟାହିଆ ନ ଥିବା ସମ୍ପର୍କରେ ସେ କହିଛନ୍ତି ଯେ ତାହା ଓଜନ ହେବାରୁ କାଢ଼ି ଦିଆଯାଇଥିଲା । ପହଣ୍ଡିରେ ୪୫ ମିନିଟ୍ ବିଳମ୍ବ ମହାପ୍ରଭୁଙ୍କ ଇଚ୍ଛା ବୋଲି ସେ ସଫେଇ ଦେଇଛନ୍ତି । ଅର୍ଥାତ୍ ମହାପ୍ରଭୁଙ୍କ ଇଚ୍ଛା ବୋଲି କହି ବ୍ୟବସ୍ଥାରେ ହୋଇଥିବା ତ୍ରୁଟି, ବିଭ୍ରାଟକୁ ଘୋଡ଼ାଇ ଦେବାକୁ ଚାହିଁଛନ୍ତି ମୁଖ୍ୟ ପ୍ରଶାସକ ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ପ୍ରେସ୍ ରିଲିଜ୍ ଏବଂ ମୁଖ୍ୟ ପ୍ରଶାସକଙ୍କ ସଫେଇରୁ ଏୟା ବୁଝାପଡୁଛି ଯେ ଯାହା ହୋଇଛି ମହାପ୍ରଭୁଙ୍କ ଇଚ୍ଛାରେ । ସେଥିରେ ସରକାରଙ୍କର କିଛି ଭୁଲ୍ ନାହିଁ । ସରକାର ତାଙ୍କ କାମ ଠିକଠାକ୍ କରିଛନ୍ତି । ତେଣିକି ଯିଏ ଯାହା କହନ୍ତୁ କିଛି ଯାଏ ଆସେ ନାହିଁ!!