ଭୁବନେଶ୍ୱର: ରାଉରକେଲା ସର୍କିଟ୍ ହାଉସରୁ ବନ୍ଧୁକ ଓ ଗୁଳି ଜବତ ଘଟଣା ବିଜେପିର ଆଭ୍ୟନ୍ତରୀଣ ରାଜନୀତିରେ ନିଆଁ ଲଗାଇ ଦେଇଛି । ହିଂସ୍ର ହୋଇ ପଡ଼ିଛନ୍ତି ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍ । ଆଜି ଗଣମାଧ୍ୟମ ଜରିଆରେ ତାଙ୍କ ଶତ୍ରୁପକ୍ଷକୁ ଖୋଲା ଚାଲେଞ୍ଜ ଦେଇଛନ୍ତି । ତାଙ୍କୁ ଅପଦସ୍ଥ କରିବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କୁ ଜାଳିକି ସଫା କରିଦେବେ ବୋଲି ଧମକ ଦେଇଛନ୍ତି । ତାଙ୍କୁ ବଦନାମ କରି କେନ୍ଦ୍ରମନ୍ତ୍ରୀ ହେବାକୁ ଚହୁଁଥିବା ଆମଦାନୀ ନେତାଙ୍କୁ ଅତି କଠୋର ଭାଷାରେ ସାବଧାନ କରାଇଛନ୍ତି ରାଜ୍ୟ ବିଜେପିର ଏହି ପୁରୁଖା ନେତା ।
ଅଗଷ୍ଟ ୧୪ ତାରିଖରେ ରାଉରକେଲା ସର୍କିଟ୍ ହାଉସରୁ ବନ୍ଧୁକ ଓ ଗୁଳି ଜବତ ଘଟଣା ପରଠୁ ଗଣମାଧ୍ୟମରେ ଚର୍ଚ୍ଚାକୁ ଆସିଥିଲେ ଜୁଏଲ୍ ଓରାମ୍ । ସର୍କିଟ୍ ହାଉସ୍ ର ଦୁଇଟି ରୁମ୍ ରେ ଦୀର୍ଘ ୨୨ ଦିନ ଧରି ଆଡ୍ଡା ଜମାଇଥିଲେ ପେଶାଦାର ଅପରାଧୀ । ୪ଟି ବନ୍ଧୁକ, ୧୧ଟି ଗୁଳି ସହ ୨ ଜଣ ପେସାଦାରଙ୍କୁ ପ୍ରଥମେ ପୁଲିସ ଗିରଫ କରିଥିଲା । ପରେ ପରେ ଆଉ ୭ ଜଣଙ୍କୁ ଗିରଫ କରାଯାଇଥିଲା । ତେବେ ବିଜେପିର ପ୍ରତିପତ୍ତିଶାଳୀ ଯୁବନେତା ତଥା ଜୁଏଲ୍ ଓରାମ୍ ଙ୍କ ପ୍ରତିନିଧି ଭାବେ କାର୍ଯ୍ୟ କରୁଥିବା ପ୍ରକାଶ ପାଶ୍ୱାନ୍ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି ଜଣାପଡ଼ିବା ପରେ ଭିନ୍ନ ଚର୍ଚ୍ଚା ହୋଇଥିଲା ।
ଜଣେ ବିଶିଷ୍ଟ ନେତାଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ରଚାଯାଇଥିଲା ଏବଂ ସର୍କିଟ୍ ହାଉସ୍ ରୁ ଏହାର ଅପରେସନ୍ ଯୋଜନା ହୋଇଥିଲା ବୋଲି ପ୍ରଥମେ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ଖବର ଆସିଥିଲା । ଏହି ଖବରଟି ନିଆଁ ଭଳି ବ୍ୟାପି ଯାଇଥିଲା । ଜୁଏଲ୍ ଓରାମ୍ ଙ୍କ ଭୂମିକା ଉପରେ ସନ୍ଦେହ ବଢ଼ିଥିଲା । ତାଙ୍କ ସମ୍ପର୍କରେ ଅନେକ ଚର୍ଚ୍ଚା ଆଲୋଚନା ଚାଲିଲା ।
ଏଭଳି ପ୍ରଚାରକୁ ନେଇ ଜୁଏଲ୍ ଉତକ୍ଷିପ୍ତ ହୋଇପଡ଼ିଲେ । ପ୍ରକାଶ ପାଶ୍ୱାନଙ୍କ ସମ୍ପର୍କରେ ପ୍ରଚାର ହେଉଥିବା ରାଉରକେଲା ସର୍କିଟ୍ ହାଉସ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ସେ ଦାବି କରିଥିଲେ । ତାଙ୍କର ଆଉ ଜଣେ କର୍ମଚାରୀ ଖୁସୁବ୍ ଯାଦବଙ୍କୁ ନେଇ ହେଉଥିବା ଅପପ୍ରଚାରର ମଧ୍ୟ ସ୍ପଷ୍ଟୀକରଣ ଦେଇଥିଲେ । ଇତିମଧ୍ୟରେ ରାଉରକେଲା ସର୍କିଟ୍ ହାଉସ ପ୍ରକାଶ ପାଶ୍ୱାନଙ୍କ ନାଁରେ ବୁକିଂ ହୋଇଥିବା ସୂଚନା ଆଧାରରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ତାଙ୍କୁ ଦଳରୁ ନିଲମ୍ବିତ କରିଥିଲେ । ଫେରାର ଥିବା ପାଶ୍ୱାନଙ୍କୁ ବୁଧବାର ରାତିରେ ରାଉରକେଲା ପୁଲିସ ବିହାର ସମସ୍ତିପୁର ଅଞ୍ଚଳରୁ କାବୁ କରି ରାଉରକେଲା ଆଣିବା ପରେ ଗୁରୁବାର ତାଙ୍କୁ କୋର୍ଟ ଚାଲାଣ କରିଥିଲା । ଜେଲ୍ ଗଲାବେଳେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପାଶ୍ୱାନ୍ କହିଥିଲେ ଯେ ମୋ’ ନେତା(ଜୁଏଲ୍)ଙ୍କୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି । ସତ ନିଶ୍ଚିତ ପଦାକୁ ଆସିବ ।
ଆଉ ଆଜି(ଶୁକ୍ରବାର)..ଗଣମାଧ୍ୟମରେ ବିସ୍ଫୋରଣ କରିଛନ୍ତି ଜୁଏଲ୍ ଓରାମ୍ । ପୂରା ଗରମ ହୋଇ ବାଇଟ୍ ଦେଇଥିଲେ । କହିଥିଲେ-
‘ବିଗତ କିଛି ଦିନ ଧରି ରାଉରକେଲାରେ କିଛି ଲୋକ ପଇସାପତ୍ର ଖର୍ଚ୍ଚ କରି ମୋତେ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି । ମୋ ବିରୋଧରେ ଅପପ୍ରଚାରରେ ଲାଗିଛନ୍ତି । ଭାବୁଛନ୍ତି ଯେ ଜୁଏଲ ଓରାମ ଡ୍ରପ୍ ହୋଇଗଲେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ତାଙ୍କୁ ସ୍ଥାନ ମିଳିଯିବ । କିନ୍ତୁ ଏଇ ପାର୍ଟିକୁ ମୁଁ ରକ୍ତ ମାଂସ ଦେଇ ଗଢ଼ିଛି, ଏ ପାର୍ଟିକୁ ଚିହ୍ନିଛି । ପାର୍ଟି ମୋତେ ଯେତିକି ସ୍ଥାନ ଦେଇଛି, ତାହା ଯଥେଷ୍ଟ । ମୋ ପ୍ରତିଷ୍ଠା ବାବଦରେ ଯଦି କେହି ହାତ ଲଗେଇବେ, ସେ ହାତକୁ କାଟି ଫିଙ୍ଗିଦେବାର ତାକତ୍ ମୁଁ ରଖୁଛି ।
ନିର୍ବାଚନ ଲଢ଼ିବିନି ବୋଲି କହିଥିଲି, ଏବେ ଚାଲେଞ୍ଜ ଦଉଛି ଆଉଥରେ ନିର୍ବାଚନ ଲଢ଼ିବି । ଆଉ ମୁଁ ଦେଖିବି କେଉଁମାନେ ମୋ ବିରୋଧରେ କାମ କରିଛନ୍ତି ଆଉ ସେମାନଙ୍କର କ’ଣ ଅବସ୍ଥା ହେବ ଏବଂ ତାଙ୍କୁ ମୁଁ କ’ଣ କରିବି । ଅନ୍ୟ ପାର୍ଟିରୁ ଆସି ପଇସା ଖର୍ଚ୍ଚ କରି ମୋତେ ଅସ୍ଥିର କରିବାକୁ ଚେଷ୍ଟା କରୁଛନ୍ତି । ତାକୁ ମୁଁ ନିନ୍ଦା କରୁଛି । ସଂଗଠନ ସମ୍ପାଦକ ମାନସ ମହାନ୍ତିଙ୍କୁ ଏ ନେଇ ସବୁ କିଛି ଅବଗତ କରିଛି । ତାଙ୍କୁ କହିଛି ଏହା ଉପରେ ଆଲୋଚନା କରି ମୋତେ ନ୍ୟାୟ ଦେବେ । ନହେଲେ କେନ୍ଦ୍ର ନେତୃତ୍ୱଙ୍କୁ ଯାଇ ଅବଗତ କରାଇବି । ମୋତେ ଯିଏ ଅପଦସ୍ଥ କରିବାକୁ ଚାହୁଁଛି ତାକୁ ଜାଳିକି ସଫା କରିଦେବି ।’
ଜୁଏଲ୍ କାହା ଉଦ୍ଦେଶ୍ୟରେ ଏହା କହିଛନ୍ତି ତାହା ପ୍ରାୟ ସମସ୍ତେ ବୁଝିଛନ୍ତି । ଜୁଏଲ୍ କାହାର ନାଁ ନେଇ ତିନୋଟି ବିନ୍ଦୁରେ ଠଉରେଇଛନ୍ତି । ପ୍ରଥମତଃ ସେ ବ୍ୟକ୍ତି ହେଉଛନ୍ତି ରାଉରକେଲାର ନେତା । ଦ୍ୱିତୀୟରେ ଅନ୍ୟ ଦଳରୁ ଆସି ବିଜେପିରେ ମିଶିଛନ୍ତି । ତୃତୀୟରେ କେନ୍ଦ୍ରମନ୍ତ୍ରୀ ହେବାକୁ ଆଶା ରଖିଛନ୍ତି । ଜୁଏଲ୍ ଙ୍କ ଏତେ ବର୍ଣ୍ଣନା ପରେ କାହାକୁ ଟାର୍ଗେଟ୍ କରିଛନ୍ତି ତାହା ଲେଖିବାର ଆବଶ୍ୟକତା ନାହିଁ ।
ଶେଷରେ.. ଏକଥା ସ୍ପଷ୍ଟ ଯେ ରାଉରକେଲା ଘଟଣାରେ ରାଜ୍ୟ ବିଜେପି କଳି ଦାଣ୍ଡରେ ପଡ଼ି ହାଟରେ ଗଡୁଛି । ଆଜି ଜୁଏଲ୍ ଙ୍କ ଗରମ ଦେଖିଲେ ଆଗକୁ ସେ ଯେ ଥଣ୍ଡା ପଡ଼ିବେ ତାହା ଜମାରୁ ବିଶ୍ୱାସ ହେଉନାହିଁ । ଏହି ନିର୍ଦ୍ଦିଷ୍ଟ ଘଟଣାରେ ରାଜ୍ୟ ବିଜେପି ଦୁଇଭାଗ ହୋଇଯାଇଛି ।
ଗୋଟେ ପଟେ କେନ୍ଦ୍ରରୁ ମନ୍ତ୍ରୀ ପଦ ହରାଇଥିବା ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାକୁ ଫୋକସ୍ କରି ତାଙ୍କର କାର୍ଯ୍ୟକ୍ରମ ଆଗକୁ ବଢ଼ାଉଥିବା ବେଳେ ରାଉରକେଲାରେ ଜୁଏଲ୍ ଓରାମ୍ ଶତ୍ରୁ ନିପାତ ପାଇଁ ନିଆଁ ଧରି ବାହାରିବା ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ଖାଲି ସେୟା ନୁହେଁ, ପ୍ରତି ନିର୍ବାଚନମଣ୍ଡଳୀରୁ ବିଜେପି କଳି ପଦାରେ ଫୁଟିବା ଆରମ୍ଭ ହେଲାଣି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ସଂଗଠନ ସମ୍ପାଦକ ମାନସ ମହାନ୍ତିଙ୍କ ହାତରେ ଏହାର ସମାଧାନ ହେବ ନା ଦିଲ୍ଲୀ ଦରବାରକୁ ଯିବ ତାହା ଭବିଷ୍ୟତ କହିବ ।