ଭୁବନେଶ୍ୱର: ଏମଏମଡିଆର ସଂଶୋଧନ ଯୋଗୁଁ ଓଡ଼ିଶା ଏକକାଳୀନ ୧ ଲକ୍ଷ କୋଟି ଟଙ୍କା ହରାଇବ । ଖଣିରୁ ପ୍ରତିବର୍ଷ ୧୨ ହଜାର କୋଟି ଟଙ୍କା ରାଜସ୍ୱ କ୍ଷତି ସହିବ । କେନ୍ଦ୍ର ସରକାରଙ୍କ ଖଣି ଆଇନ (ଏମଏମଡିଆର) ସଂଶୋଧନର ଏହି ଭୟଙ୍କର କୁପରିଣାମକୁ ନେଇ ରାଜ୍ୟରେ ଝଡ଼ ବୋହୁଥିଲା ବେଳେ ଏହି ତଥ୍ୟକୁ ମିଥ୍ୟା ଓ ବିଭ୍ରାନ୍ତିକର କହି ବିଜେଡି ଏବଂ କଂଗ୍ରେସକୁ ବିଜେପି ନେତାମାନେ ସମାଲୋଚନା କରୁଛନ୍ତି । ଦଳର ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ ୧ ଲକ୍ଷ କୋଟି ଟଙ୍କାର ହିସାବ କେଉଁଠୁ ଆଣିଲ ବୋଲି ବିଜେଡିକୁ ଛିଗୁଲାଇ ପ୍ରଶ୍ନ କରିଥିଲେ । ଆଜି ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ମନମୋହନ ଏବଂ ତାଙ୍କ ଦଳକୁ ହିସାବ ଧରେଇଛନ୍ତି ରାଜ୍ୟସଭା ସାଂସଦ ଡ. ସଂତୃପ୍ତ ମିଶ୍ର ।
ନଭେମ୍ୱର ୨୦୨୫ ରେ ପ୍ରକାଶିତ ଓଡିଶା ରିଭ୍ୟୁରେ କୁହାଯାଇଥିଲା ଯେ ଖଣି ବକେୟା ବାବଦକୁ ଓଡିଶା ଏକ ଲକ୍ଷ କୋଟି ଟଙ୍କା ଓ ବାର୍ଷିକ ରାଜସ୍ୱ ବାବଦକୁ ଅଧିକ ୧୨, ୦୦୦ କୋଟି ଟଙ୍କା ଓଡିଶା ପାଇବାକୁ ଯାଉଥିବା ବେଳେ ଏହା ରାଜ୍ୟର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବ । ଏହାଛଡା, ଓଡ଼ିଶା ସରକାରଙ୍କ ତରଫରୁ ଓଡିଶାର ଆଡ଼ଭୋକେଟ ଜେନେରାଲ ପିତାମ୍ୱର ଆଚାର୍ଯ୍ୟ ସର୍ବୋଚ୍ଚ ନ୍ୟାୟାଳୟ ସମ୍ମୁଖରେ ଆଫିଡେଫିଟ ମାଧ୍ୟମରେ ବକେୟା ଏକ ଲକ୍ଷ କୋଟି ଟଙ୍କା ଓଡ଼ିଶାର ନ୍ୟାର୍ଯ୍ୟ ପ୍ରାପ୍ୟ ଓ ଏହା ନମିଳିଲେ ଓଡ଼ିଶାର ବ୍ୟାପକ କ୍ଷତି ହେବ ବୋଲି କହିଥିଲେ । ଉଭୟ ଓଡିଶା ରିଭ୍ୟୁ ଓ ଆଡ଼ଭୋକେଟ ଜେନେରାଲଙ୍କ ଆଫିଡେଫିଟରେ ଖଣି ଟିକସ ଓ ବକେୟା ବାବଦକୁ ମିଳିବାକୁ ଥିବା ଟଙ୍କା ଓଡ଼ିଶାର ପ୍ରଗତି ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଇଥିବା ବେଳେ ଏବେ ବିଜେପି ନେତାମାନେ ଓଡ଼ିଶାର କୌଣସି କ୍ଷତି ହେବନାହିଁ ବୋଲି ଯୁକ୍ତି ବାଢୁଛନ୍ତି । ଉଭୟରେ ଦିଆଯାଇଥିବା ତଥ୍ୟ କ’ଣ ଭୁଲ ଥିଲା କି ନା ବିଜେପି ନେତା ମାନେ ନିଜର ସ୍ଥିତିକୁ ବଞ୍ଚାଇବା ପାଇଁ ମିଛ କହୁଛନ୍ତି ବୋଲି ଡ. ମିଶ୍ର ପ୍ରଶ୍ନ କରିଛନ୍ତି ।
ଏମଏମଡିଆର ଆକ୍ଟ ମାଧ୍ୟମରେ ଖଣି ଓ ଖଣି ଥିବା ଜମି ଉପରୁ ରାଜ୍ୟ ସରକାରଙ୍କର ଅଧିକାର ସବୁଦିନ ପାଇଁ କେନ୍ଦ୍ର ସରକାର ଛଡାଇ ନେଲା । ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନଅ ଜଣିଆ ଖଣ୍ଡପୀଠ ଦ୍ୱାରା ୨୫ ଜୁଲାଇ ୨୦୨୬ରେ ପ୍ରଦାନ କରାଯାଇଥିବା ରାୟରେ ରାଜ୍ୟ ମାନେ ଖଣି ଓ ଖଣି ଥିବା ଜମି ଉପରେ ଟିକସ ଓ ଲେଭି ଲଗାଇ ପାରିବେ । ଏହାଛଡ଼ା ୨୦୦୫ ମସିହାରୁ ଟିକସ ଲେଭି ବାବଦକୁ ବାକି ଥିବା ଟିକସକୁ ମଧ୍ୟ ଆଦାୟ ହେବ ବୋଲି କହିଥିଲେ । ଏହି ରାୟ ଅନୁଯାୟୀ ବକେୟା ବାବଦକୁ ଓଡିଶା ଏକ ଲକ୍ଷ କୋଟି ଟଙ୍କାରୁ ଉଦ୍ଧ୍ୱର୍ ଟଙ୍କା ପାଇବାକୁ ହକଦାର ହୋଇଥିଲା ଓ ବାର୍ଷିକ ରାଜସ୍ୱ ବାବଦକୁ ଅଧିକ ୧୨, ୦୦୦ କୋଟି ଟଙ୍କା ମିଳିବ ବୋଲି ପଥ ପରିଷ୍କାର ହୋଇଥିଲା । ଏମଏମଡିଆର ସଂଶୋଧନ ଆକ୍ଟ ହେବା ପରେ ଖଣି ଓ ଖଣି ଥିବା ଜମି ଉପରୁ ରାଜ୍ୟ ସରକାରଙ୍କ ଅଧିକାର ସବୁଦିନ ପାଇଁ ଛଡାଇ ନିଆଗଲା । ଏହା ସହିତ ବକେୟା ବାବଦକୁ ପାଇବାକୁ ଏକ ଲକ୍ଷ କୋଟି ଟଙ୍କା ଓ ବାର୍ଷିକ ରାଜସ୍ୱ ସବୁଦିନ ପାଇଁ ହରାଇଲା । ରାଜ୍ୟମାନଙ୍କ ଠାରୁ ଖଣି ଓ ଖଣି ଥିବା ଜମି ଉପରୁ ସବୁଦିନ ପାଇଁ ଅଧିକାର ଛଡାଇ ନେବା ଦେଶର ସଂଘୀୟ ବ୍ୟବସ୍ଥା ଉପରେ ଆକ୍ରମଣ ବୋଲି କହିଛନ୍ତି ବିଜେଡି ସାଂସଦ ।






