ଭୁବନେଶ୍ୱର ଏମଏମଡିଆର ସଂଶୋଧନ ଆଇନରେ ଓଡ଼ିଶାର ସ୍ୱାର୍ଥ ସୁରକ୍ଷିତ ଅଛି । ବିରୋଧୀ ଦଳ ଏହାକୁ ନେଇ ଲୋକଙ୍କୁ ଭ୍ରମିତ କରୁଛନ୍ତି । ଏ ପ୍ରସଙ୍ଗରେ ବିରୋଧୀଙ୍କୁ ମୁକାବିଲା କରାଯିବ ବୋଲି ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ନିଷ୍ପତ୍ତି ହୋଇଛି । ଏଥିସହ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ସଂଗଠନକୁ ଅଧିକରୁ ଅଧିକ ଶକ୍ତିଶାଳୀ କରିବାକୁ ପ୍ରସ୍ତୁତ ହୋଇଛି ରୋଡ୍ ମ୍ୟାପ୍ । କଟକ ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମ୍ ରେ ରାଜ୍ୟ ବିଜେପିର ଦୁଇଦିନିଆ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଆଜି ଶେଷ ହୋଇଛି । ଏଥିରେ ରାଜନୈତିକ ଚିଠା ପାରିତ ହୋଇଛି ।
ସାଂସଦ ଡ. ସମ୍ବିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଦୁଇଦିନିଆ କାର୍ଯ୍ୟକାରିଣୀ ସମ୍ପର୍କରେ ସୂଚନା ଦେଇଛନ୍ତି । କାର୍ଯ୍ୟକାରିଣୀରେ ଦୁଇବର୍ଷର ବିକାଶର କଥା କହିଛନ୍ତି ମୁଖ୍ୟମନ୍ତ୍ରୀ । ଅଖିଳ ଭାରତୀୟ ସାଧାରଣ ସମ୍ପାଦକ(ସଂଗଠନ) ଭିଏଲ୍ ସନ୍ତୋଷ କର୍ମକର୍ତ୍ତାଙ୍କୁ ମାର୍ଗଦର୍ଶନ ଦେଇଛନ୍ତି । ସାଂସଦ, ବିଧାୟକ, ମନ୍ତ୍ରୀ ହେଲେ ବି ସେବାଭାବ ରଖି କାମ କରିବାକୁ କୁହାଯାଇଛି । ମହିଳା ଆରକ୍ଷଣ ବିଲ୍ କୁ ବିରୋଧୀ ସମର୍ଥନ କରି ନ ଥିବାରୁ ନିନ୍ଦା ପ୍ରସ୍ତାବ ଗୃହୀତ ହୋଇଥିଲା । ଏମଏମଡିଆର ଆକ୍ଟ ବାବଦରେ ବିସ୍ତୃତ ଆଲୋଚନା ହୋଇ ସଂଶୋଧନ ଆଇନକୁ ସ୍ୱାଗତ କରାଯାଇଥିଲା । ପୂର୍ବ ସରକାର ନିଜ ପରିବାର ଚିହ୍ନା ଲୋକଙ୍କୁ ଖଣି ଦେଉଥିଲା । ସଂଶୋଧନ ଆଇନରେ ସେହି ବ୍ୟବସ୍ଥା ନାହିଁ । ବିଜେପି ଏହି ପ୍ରସଙ୍ଗ ଲୋକଙ୍କ ପାଖକୁ ନେଇ ଯିବ ।
ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟରେ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ରିପୋର୍ଟ ଫାଇଲ ଗାଏବ, ବନେ୍ଦ ମାତରମ୍ ଇତ୍ୟାଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା ।