ଭୁବନେଶ୍ୱର: ଜଟିଳ ହୃଦରୋଗରେ ପୀଡ଼ିତା ଜଣେ ୭୧ ବର୍ଷୀୟା ମହିଳାଙ୍କ ଠାରେ ସମ୍ ହସ୍ପିଟାଲ୍ର ହୃଦ୍ରୋଗ ବିଶେଷଜ୍ଞ ଓ ହୃଦ୍ଶଲ୍ୟ ଚିକିତ୍ସକଙ୍କୁ ନେଇ ଗଠିତ ଏକ ଏକ ବହୁବିଭାଗୀୟ ଟିମ୍ ସଫଳତାର ସହ ଟ୍ରାନ୍ସକ୍ୟାଥେଟର ଏଓର୍ଟିକ୍ ଭାଲ୍ଭ ରିପ୍ଲେସମେଂଟ (ଟିଏଭିଆର) ପଦ୍ଧତିରେ ସଫଳ ଚିକିତ୍ସା କରିଛନ୍ତି । ଏହି ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ଓପନ୍ ହାର୍ଟ ସର୍ଜରୀ କରିବା ସମ୍ଭବ ନଥିବା ରୋଗୀଙ୍କ ପାଇଁ ଏକ ବିକଳ୍ପ ଭାବେ ସହାୟକ ହୋଇପାରେ ।
କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରମିଳା ମହାରଣାଙ୍କୁ ତିନି ସପ୍ତାହ ପୂର୍ବେ ସମ୍ ହସ୍ପିଟାଲ୍ରେ ଭର୍ତି କରାଯାଇଥିଲା । ତାଙ୍କ ଠାରେ ଅତ୍ୟନ୍ତ ଗୁରୁତର ଏଓର୍ଟିକ୍ ଷ୍ଟେନୋସିସ୍ ବା ହୃଦୟର ମୁଖ୍ୟ ଭାଲ୍ଭ ସଙ୍କୁଚିତ ହୋଇଯାଇଥିଲା ବୋଲି ଜଣାପଡ଼ିଥିଲା । ଫଳରେ ତାଙ୍କର ହୃଦୟ ମାତ୍ର ପ୍ରାୟ ୨୦ରୁ ୩୦ ପ୍ରତିଶତ କ୍ଷମତାରେ କାର୍ଯ୍ୟ କରୁଥିଲା ଏବଂ ରକ୍ତଚାପ ମଧ୍ୟ ଅତ୍ୟନ୍ତ କମ୍ ରହିଥିଲା ବୋଲି ହସ୍ପିଟାଲ୍ର ହୃଦ୍ରୋଗ ବିଭାଗ ମୁଖ୍ୟ ପ୍ରଫେସର (ଡାକ୍ତର) ସୁରେଶ କୁମାର ବେହେରା ସୋମବାର କହିଛନ୍ତି ।
ରୋଗୀଙ୍କ ଗୁରୁତର ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ପରିବାରବର୍ଗଙ୍କ ସହ ଆଲୋଚନା ପରେ ପାରମ୍ପରିକ ଓପନ୍ ହାର୍ଟ ସର୍ଜରୀ ପରିବର୍ତେ ପର୍କ୍ୟୁଟାନିଅସ୍ ଟ୍ରାନ୍ସକ୍ୟାଥେଟର ଏଓର୍ଟିକ୍ ଭାଲ୍ଭ ରିପ୍ଲେସମେଂଟ କରିବାକୁ ନିଷ୍ପତି ନିଆଯାଇଥିଲା ଡାକ୍ତର ବେହେରା ବିଶ୍ୱ ହୃଦ୍ ଦିବସ ପାଳନର ପୂର୍ବଦିନ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ।
ଚିକିତ୍ସା ପରେ ରୋଗୀ ଦୁଇରୁ ତିନି ଦିନ ମଧ୍ୟରେ ଚଲାବୁଲା କରିପାରିଥିଲେ ଏବଂ ପରେ ତାଙ୍କୁ ହସ୍ପିଟାଲ୍ରୁ ଡିସ୍ଚାର୍ଜ କରାଯାଇଥିଲା । ଏହି ପଦ୍ଧତି ପାଇଁ ସୂକ୍ଷ୍ମ ଯୋଜନା ସହ ପ୍ରି-ଅପରେଟିଭ ସିଟି ସ୍କାନ୍ ଆବଶ୍ୟକ ହୋଇଥାଏ । ପାରଂପରିକ ଓପନ୍ ହାର୍ଟ ସର୍ଜରୀ ତୁଳନାରେ ଏହା କମ୍ ବିପଦସଙ୍କୁଳ ଏବଂ ରୋଗୀଙ୍କ ଶୀଘ୍ର ସୁସ୍ଥତାରେ ସହାୟକ ହୋଇପାରେ,’ ଡାକ୍ତର ନାୟକ କହିଥିଲେ ।
ବୟସ୍କ ରୋଗ. ଏକାଧିକ ଅନ୍ୟ ରୋଗରେ ପୀଡ଼ିତ ବ୍ୟକ୍ତି ଏବଂ ପନ୍ ହାର୍ଟ ସର୍ଜରୀ ଏଡ଼ାଇବାକୁ ଚାହୁଁଥିବା ରୋଗୀଙ୍କ ପାଇଁ ଟିଏଭିଆର ଏକ ଉପଯୋଗୀ ଚିକିତ୍ସା ପଦ୍ଧତି ହୋଇପାରେ ବୋଲି ପ୍ରଫେସର (ଡାକ୍ତର) ବେହେରା କହିଥିଲେ । ଏହି ପ୍ରକ୍ରିୟା ସଫଳତାର ସହ କରିବା ପାଇଁ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ଉଚ୍ଚ ପ୍ରଶିକ୍ଷିତ, ଅଭିଜ୍ଞ ଏବଂ ବିଶେଷଜ୍ଞ ଟିମ୍ ରହିଛି ବୋଲି ସେ କହିଥିଲେ ।
ଏହି ଚିକିତ୍ସକ ଟିମ୍ରେ ସିଟିଭିଏସ୍ ବିଭାଗ ମୁଖ୍ୟ ପ୍ରଫେସର (ଡାକ୍ତର) ଆଶୁତୋଷ ସାମଲ, ହୃଦ୍ରୋଗ ବିଭାଗର ପ୍ରଫେସର ଡାକ୍ତର ସୌମ୍ୟ ରଞ୍ଜନ ମହାପାତ୍ର, ସହକାରୀ ପ୍ରଫେସର ଡାକ୍ତର ରାଜେନ୍ଦ୍ର ଶତପଥୀ ଏବଂ ବରିଷ୍ଠ ଟେକ୍ନିସିଆନ୍ ଶ୍ରୀ ତାପସ ଚଇନିଙ୍କ ସମେତ ନର୍ସ ଓ ଅନ୍ୟାନ୍ୟ କର୍ମଚାରୀ ସାମିଲ ଥିଲେ ।