ଭୁବନେଶ୍ୱର: ରାଜ୍ୟରେ ଅଢ଼େଇ ବର୍ଷର ଡବଲ ଇଞ୍ଜିନ୍ ସରକାର । କ୍ଷମତାକୁ ଆସିଲା ପରେ ବିଜେପିର ମୂଳ ସଂଗଠନ ବହୁଧା ଭାଗରେ ବିଭକ୍ତ ହୋଇଥିଲେ ମଧ୍ୟ ଏହାର ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) କିନ୍ତୁ ବେଶ୍ ସକ୍ରିୟ ହୋଇଯାଇଥିଲା । କଲେଜଗୁଡ଼ିକରେ ସଂଗଠନ ବିସ୍ତାର ଉପରେ ବିଶେଷ ଧ୍ୟାନ ଦେଇଥିଲା । ଯେ କୌଣସି ମୁହୂର୍ତ୍ତରେ ନିର୍ବାଚନର ସାମନା କରିବାକୁ ନିଜକୁ ପ୍ରସ୍ତୁତ କରି ରଖିଥିଲା ।
ଏପଟେ ଗତବର୍ଷ ଭଳି ଏବର୍ଷ ବି ନିର୍ବାଚନ ନ କରି ପ୍ରତିଶ୍ରୁତି ଭଣ୍ଡେଇଦେବାକୁ ସରକାର ଚିନ୍ତା କରିଥିଲେ । ରାଜ୍ୟ ଓ ଦେଶର ସାମ୍ପ୍ରତିକ ସ୍ଥିତିରେ କଲେଜ ଇଲେକ୍ସନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଶିକ୍ଷାମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀଙ୍କର ସାହାସ କି ଆଗ୍ରହ ନ ଥିବା ଚର୍ଚ୍ଚା ହୋଇଥିଲା । ହେଲେ ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ସଂଗଠନ ସମ୍ପାଦକ ମାନସ ମହାନ୍ତିଙ୍କର ଭିନ୍ନ ମତ ଥିଲା । ଆଗାମୀ ଦିନରେ ଜେନ୍- ଜି ହିଁ ଦଳ ପାଇଁ ଶକ୍ତି ହେବେ ବୋଲି ବୁଝାଇଲେ । ପାଗଯୋଗ ଅନୁକୂଳ ବାସ୍ନା ପାଇଲା ପରେ ସରକାର ଛାତ୍ର ସଂସଦ ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇଥିଲେ । ବିରୋଧୀଙ୍କୁ ଚକମା ଦେଇ ମାତ୍ର ୧୦ ଦିନର ସମୟ ରଖି ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା କରାଗଲା । ଟାର୍ଗେଟ୍ ଥିଲା ମୁଖ୍ୟ ବିରୋଧୀ ଦଳର ଛାତ୍ର ସଂଗଠନ ବିଜୁ ଛାତ୍ର ଜନତା ଦଳ(ବିସିଜେଡି)କୁ ଧୂଳି ଚଟେଇ ଜେନ୍-ଜିଙ୍କୁ ନିଜ ସପକ୍ଷକୁ ଟାଣି ଆଣିବା । ସେଥିପାଇଁ ରଣକୌଶଳ ବି ପ୍ରସ୍ତୁତ ହୋଇଥିଲା ।
ଗତକାଲି ପ୍ରକାଶ ପାଇଥିବା ଛାତ୍ର ସଂସଦ ନିର୍ବାଚନ ଫଳାଫଳ କିନ୍ତୁ ଭିନ୍ନ ଚିତ୍ର ଦେଇଛି । ସଂଖ୍ୟା ଦୃଷ୍ଟିରୁ ଅଧିକ କଲେଜରେ ଏବିଭିପି ସମର୍ଥିତ ପ୍ରାର୍ଥୀମାନେ ବିଜୟୀ ହୋଇଥିବା ଦାବି କରାଯାଇଥିଲେ ମଧ୍ୟ ଫଳାଫଳକୁ ନେଇ ବିଜେଡି ମହଲରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଛି । ସରଳରେ ବୁଝିଲେ, ଶାସକ ଦଳକୁ କଡ଼ା ଟକ୍କର ଦେବାରେ ସମର୍ଥ ହୋଇଛି ବିଜେଡି ।
ଉଲ୍ଲେଖଥାଉକି, ଏବିଭିପି ୮୦% କଲେଜରେ ବିଜୟୀ ହୋଇଥିବା ଦାବି କରିଥିଲା ବେଳେ ବିସିଜେଡି ୬୦% କଲେଜରେ ବିଜୟୀ ହୋଇଥିବା ଦାବି କରୁଛି । କଟକ, କେନ୍ଦ୍ରାପଡ଼ା, ଯାଜପୁର, ନୟାଗଡ଼ ଆଦି ଜିଲ୍ଲାରେ ଏବିଭିପି ମାତ୍ ଦେଇଛି । ରେଭେନ୍ସା, ଜେକେବିକେଠାରୁ ଆରମ୍ଭ କରି ଭୁବନେଶ୍ୱରର ରମାଦେବୀ, ନୟାଗଡ଼ ଆଦି କଲେଜକୁ ବିଜେଡି ଅକ୍ତିଆର କରିଛି । ଉତ୍କଳ ବିଶ୍ୱବିଦ୍ୟାଳୟ, ବିଜେବି କଲେଜରେ ଏବିଭିପି ପ୍ରାର୍ଥୀଙ୍କର ବିଜୟ ହୋଇଛି ।
୧୩ଟି ବିଶ୍ୱବିଦ୍ୟାଳୟ ମଧ୍ୟରୁ ୮ଟି ରେ ଏବିଭିପି ଏବଂ ୫ଟିରେ ବିସିଜେଡି ପ୍ରାର୍ଥୀଙ୍କର ବିଜୟ ହୋଇଛି । ହେଲେ ରେଭେନସା ଏବଂ ରମାଦେବୀ ବିଶ୍ୱବିଦ୍ୟାଳୟରେ ବିସିଜେଡି ସମର୍ଥିତ ପ୍ରାର୍ଥୀଙ୍କ ବୃହତ୍ତ ବିଜୟ ସମସ୍ତଙ୍କ ଦୃଷ୍ଟିଗୋଚର ହୋଇଛି । ବିସିଜେଡି ରାଜ୍ୟ ସଭାନେତ୍ରୀ ଇପ୍ସିତା ସାହୁଙ୍କୁ କଲେଜ ଇଲେକ୍ସନ୍ ରଣାଙ୍ଗନରେ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ବୋଲି କୁହାଯାଉଛି । ରମାଦେବୀରେ ଯାହା ସବୁ ଘଟଣା ଘଟିଗଲା ତାହା ରାଜ୍ୟ ରାଜନୀତିକୁ ମଧ୍ୟ ହଲଚଲ କରିଛି ।
ପ୍ରଚାର ବେଳେ ରମାଦେବୀର ପ୍ରାଧ୍ୟାପକ ଡକ୍ଟର ସଞ୍ଜୟ ରାଉଳଙ୍କର ଏକ ଅଡିଓ କଲ୍ ରେକର୍ଡ କୁ ଧରିଥିଲେ ଇପ୍ସିତା । ଯେମିତି ହେଲେ ଆମକୁ ରମାଦେବୀରେ ଜିତିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶ ଥିବା ସଞ୍ଜୟ ସାର୍ ବିଶ୍ୱବିଦ୍ୟାଳୟର ଜଣେ କର୍ମଚାରୀଙ୍କୁ ଫୋନ୍ ରେ କହୁଥିଲେ । ଏହି ଅଡିଓ କଲ୍ ଭାଇରାଲ୍ ହୋଇଥିଲା । ଭୋଟ ଦିନ ଇପ୍ସିତାଙ୍କୁ ପୁଲିସ ଟେକିନେଇ ଅଟକ ରଖିବା, ସଂଧ୍ୟା ବେଳୁ ଫଳାଫଳ ଜଣାପଡ଼ିଥିଲେ ମଧ୍ୟ ରାତି ସାଢ଼େ ଦୁଇଟା ବେଳେ ପୁର୍ନଗଣତି ହୋଇ ଫଳାଫଳ ଘୋଷଣା ହେବା ପଛରେ କ’ଣ ଉଦେ୍ଦଶ୍ୟ ଥିଲା ତାହା ଏବେ ଦାଣ୍ଡରେ ପଡ଼ି ହାଟରେ ଗଡୁଛି ।
ସୂଚନାଥାଉକି, ରମାଦେବୀରେ ବିସିଜେଡି ସମର୍ଥିତ ସୋନାଲି ବେହେରା ୧୦୬୯ ଭୋଟ ପାଇଥିଲା ବେଳେ ଏବିଭିପି ସମର୍ଥିତ ପ୍ରତୀକ୍ଷା ଦାସ ମହାପାତ୍ରଙ୍କୁ ମିଳିଛି ୪୫୦ ଭୋଟ । ୬୦୦ ବିଜୟ ବ୍ୟବଧାନ ସତ୍ତ୍ୱେ ଫଳାଫଳ ଘୋଷଣା ହେବାକୁ ପାହାନ୍ତ ପହର ହୋଇଗଲା ।
କଲେଜ ନିର୍ବାଚନରେ ଶାସକ ଦଳର ବହୁ ହେଭିୱେଟ୍ ଙ୍କର ପତା କଟିଯିବା ଆଲୋଚନାର ବିଷୟବସ୍ତୁ ହୋଇଛି । ନିର୍ବାଚନ ରଣନୀତିକାର ତଥା ରାଜ୍ୟ ସଭାପତି ମନମୋହନ ସାମଲ ତାଙ୍କ ଗଡ଼ରେ ହାତ ଟେକିଦେଇଛନ୍ତି । ଚାନ୍ଦବାଲିରେ ବିଧାୟକ ବାପି ରାୟ ତାଙ୍କ ପତିଆରା ଦେଖାଇଛନ୍ତି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କର ହୋସ୍ ଉଡ଼ାଇ ଦେଇଛନ୍ତି ଦଳୀୟ ପ୍ରତିପକ୍ଷ ସମୀର ଦାଶ । ଡାକି ବଜେଇ ପ୍ରଭାତୀଙ୍କ ପ୍ରାର୍ଥୀଙ୍କୁ ହରାଇଛନ୍ତି । ନିମାପଡ଼ାରେ ସ୍ୱାଧୀନ ପ୍ରାର୍ଥୀ ଦେଇ ୬୦୦ରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ କରାଇଛନ୍ତି ସମୀର ।
ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସମେତ ଶାସକ ଦଳର ବହୁ ଚର୍ଚ୍ଚିତ ବିଧାୟକ ଓ ନେତା ସେମାନଙ୍କ ଅଞ୍ଚଳରେ ନିଜର ପତିଆରା ରଖିପାରିନାହାନ୍ତି । କଟକ ଓ ଚୌଦ୍ୱାରରେ ପ୍ରଭାତ ବିଶ୍ୱାଳ ଓ ତାଙ୍କ ପୁଅ ବିଧାୟକ ସୌଭିକ ବିଶ୍ୱାଳ ମାଟି କାମୁଡ଼ିଛନ୍ତି ।
ଚଳିତ ଛାତ୍ର ସଂସଦ ନିର୍ବାଚନ ଫଳାଫଳକୁ ଟ୍ରେଲର ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେଡି ଉପସଭାପତି ଅତନୁ ସବ୍ୟସାଚୀ ନାୟକ । ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡି ଆଶାତୀତ ସଫଳତା ପାଇବ ବୋଲି ସେ ଦୃଢ଼ତା ଦେଖାଇଛନ୍ତି ।
ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କିନ୍ତୁ ବିଜେଡିକୁ କଟାକ୍ଷ କରିଛନ୍ତି । ଓଡ଼ିଶାର ଯୁବବର୍ଗଙ୍କ ମତିଗତି ଏହି ନିର୍ବାଚନରୁ ସ୍ପଷ୍ଟ ହୋଇଛି । କଲେଜ ପିଲାଙ୍କ ଗଣତାନ୍ତ୍ରିକ ଅଧିକାରକୁ ପୂର୍ବ ବିଜେଡି ସରକାର ଚାପି ଦେଇଥିଲେ । ଗଣତାନ୍ତ୍ରିକ ପ୍ରକ୍ରିୟାରେ ଭାଗନେବାକୁ ଜେନ୍ ଜି ପ୍ରସ୍ତୁତ ଅଛନ୍ତି ଏବଂ ସେମାନେ ଉଚିତ୍ ଜବାବ ଦେବେ ଆଇନମନ୍ତ୍ରୀ କହିଛନ୍ତି ।
ଜେନ୍ ଜି ଏକତାର ପ୍ରତିଫଳନ: ନବୀନ
ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ସମସ୍ତ ପ୍ରାର୍ଥୀ ଓ ଛାତ୍ରଛାତ୍ରୀଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏ ବିଜୟ ଓଡ଼ିଶାର ଜେନ୍ ଜି, ଯୁବ ଓ ଛାତ୍ରଶକ୍ତିଙ୍କ ନିଷ୍ଠା ଏବଂ ଏକତାକୁ ପ୍ରତିଫଳିତ କରୁଛି ବୋଲି ସେ ତାଙ୍କର ଏକ୍ସ ହାଣ୍ଡଲରେ ପ୍ରତିକ୍ରିୟା ରଖିଛନ୍ତି । ଛାତ୍ର ସଂସଦ ନିର୍ବାଚନକୁ ଅନ୍ୟାୟ ଓ ଅସାଧୁ ଉପାୟରେ ଜିତିବା ପାଇଁ ବିଜେପି ସରକାରର ଚକ୍ରାନ୍ତ ବିରୋଧରେ ଦୃଢ଼ତାର ସହ ଲଢ଼ିଥିବା ବିସିଜେଡି ତଥା ବିଜେଡିର ସମସ୍ତ ନେତାମାନଙ୍କୁ ସାଧୁବାଦ ଜଣାଉଛି ବୋଲି ସେ ଲେଖିଛନ୍ତି । କଲେଜର ଶୈକ୍ଷିକ ବାତାବରଣକୁ ବଜାୟ ରଖି ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ ଗଠନ ପାଇଁ ସମସ୍ତେ ଏକ ହୋଇ ଆଗେଇ ଆସିବାକୁ ନବୀନ ଆହ୍ୱାନ ଜଣାଇଛନ୍ତି ।