ଭୁବନେଶ୍ୱର: ଦିନକ ଆଗରୁ ଆନ୍ଧ୍ରର ଦୁଇଟି ପୁଲିଂ ବୁଥ୍ କୁ ତଡ଼ି ଦିଆଗଲା । ଆନ୍ଧ୍ରର ଚେକ୍ ପୋଷ୍ଟ ସିଲ୍ ହେଲା । କୋଟିଆକୁ ଜଗି ରହିଲେ ୯ ମାଜିଷ୍ଟ୍ରେଟ୍, ଦୁଇ ଅତିରିକ୍ତ ଏସପି, ୪ ଡିଏସପି, ୧୫ ଆଇଆଇସି, ୨୦ ଏସଆଇ, ୨୫ ଏଏସଆଇଙ୍କ ସମେତ ୧୪ ପ୍ଲାଟୁନ୍ ପୁଲିସ । ନେରେଡିୱାଲସାରେ ୪ ପ୍ଲାଟୁନ୍ ପୁଲିସ ସୀମାରେ ବସିଲେ । ଏତେ କଟକଣା ସତ୍ତ୍ୱେ ଆନ୍ଧ୍ର ଚୋରାଇ ନେଇଛି କୋଟିଆ ଭୋଟ୍ । ଏଜେଣ୍ଟଙ୍କ ଦ୍ୱାରା ଭୋଟରଙ୍କୁ ଚୋରାଇ ମତଦାନରେ ସାମିଲ୍ କରାଇବାକୁ ସକ୍ଷମ ହୋଇଛି । କୋଟିଆକୁ ଜଗିଥିବା ପ୍ରଶାସନ, ପୁଲିସ, ନେତା ଓ ଜନତାଙ୍କୁ ଚକମା ଦେଇଛି ଆନ୍ଧ୍ର ସରକାର ।
କୋଟିଆର ଭୋଟରଙ୍କୁ ଆନ୍ଧ୍ର ପ୍ରଶାସନ ପୂର୍ବରୁ ପ୍ରଲୋଭନ ଦେଇ ରଖିଥିଲା । ପଞ୍ଚାୟତ ନିର୍ବାଚନରେ ସେମାନଙ୍କୁ ସାମିଲ କରିବାର ଯୋଜନା ବହୁ ଆଗରୁ ପ୍ରସ୍ତୁତ କରିଥିଲା । ଏଜେଣ୍ଟଙ୍କୁ ଲଗାଇ ଗତକାଲିଠାରୁ କୌଶଳକ୍ରମେ ସେମାନଙ୍କୁ ନେଇଯାଇଥିଲା ଏବଂ ଆଜି ସାରିକା ବୁଥ୍ ରେ ମତଦାନ କରାଇଛି । ସେଥିପାଇଁ ନେରେଡିୱାଲସା ଏବଂ ଉପରସେମ୍ବିଠାରେ ଆନ୍ଧ୍ର ପ୍ରଶାସନ ଖୋଲିଥିବା ଦୁଇଟି ପୁଲିଂ ବୁଥ୍ କୁ ସାରିକା ସ୍ଥାନାନ୍ତର କରି ନେଇଥିଲା । କୋରାପୁଟ ଜିଲ୍ଲା ପ୍ରଶାସନ ଏବଂ କୋଟିଆ ଜଗିଥିବା ନେତାମାନେ ଏହା ଓଡ଼ିଶାର ବିଜୟ କହି ଖୁସି ମନାଉଥିଲା ବେଳେ ଆନ୍ଧ୍ର ଚକମା ଦେଖାଇଛି ।
ସୂଚନା ଅନୁଯାୟୀ, କୋଟିଆ ସୀମାନ୍ତକୁ ପ୍ରଶାସନ, ପୁଲିସ, ନେତା ଓ ଜନତା ଜଗିଥିବା ବେଳେ ଆନ୍ଧ୍ରର ଏଜେଣ୍ଟମାନଙ୍କ ଜରିଆରେ ଅନେକ ଭୋଟର ବିଭିନ୍ନ ଗଳା ବାଟ ଦେଇ ଆନ୍ଧ୍ରରେ ଭୋଟ ଦେବାକୁ ଯାଇଥିଲେ । ଗତକାଲିଠାରୁ ବିଭିନ୍ନ ଜଙ୍ଗଲ ବାଟେ କିଛି ଲୋକ ଆନ୍ଧ୍ରକୁ ଯାଇଥିଲା ବେଳେ ଆଉ କିଛି ପଟ୍ଟାଙ୍ଗୀ ରାସ୍ତାରେ ଯାଇଥିଲେ । ତେବେ ଭୋଟ ଦେଇ ସେମାନେ ମୁଖ୍ୟ ରାସ୍ତାରେ ଫେରିଥିବାରୁ ଧରାପଡ଼ିଥିଲେ । ସେହିଭଳି କିଛି ଭୋଟରଙ୍କୁ ଆନ୍ଧ୍ର ନେଲାବେଳେ ଶୁଙ୍କି ଘାଟିରେ ପୁଲିସ ସେମାନଙ୍କୁ ଅଟକ ରଖିଥିଲା । ଆନ୍ଧ୍ରରେ ଭୋଟ ଦେଇ ଫେରିଥିବା କୋଟିଆ ଭୋଟରଙ୍କୁ ବିଜେଡି ଓ କଂଗ୍ରେସ ନେତାମାନେ ଆନ୍ଧ୍ରରେ ଯାଇ ରହିବାକୁ ଚେତାବନୀ ଦେଇଛନ୍ତି । ଯଦି ଆନ୍ଧ୍ରରେ ଭୋଟ ଦେଉଛ ସେଠାକୁ ଚାଲିଯାଅ ବୋଲି କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି ଏବଂ ବିଜେଡିର ବରିଷ୍ଠ ନେତା ଭ୍ରୁଗୁ ବକ୍ସିପାତ୍ର ରୋକଠୋକ୍ ଶୁଣାଇଥିଲେ ।
ତେବେ କୋଟିଆରେ ଆଜି କୌଣସି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇନାହିଁ ବୋଲି ଉପଜିଲ୍ଲାପାଳ ଫାବି ରସିଦ କହିଛନ୍ତି ।
କେବଳ କୋଟିଆ ନୁହେଁ, ସୀମାନ୍ତ ଆଉ କିଛି ଗାଁକୁ ଆନ୍ଧ୍ର ନିଜର କହି ସେଠା ଭୋଟରଙ୍କୁ ମତଦାନରେ ସାମିତ କରାଇଥିବା ଖବର ଆସିଛି । ନନ୍ଦପୁର ବ୍ଲକ୍ ରାଏପାଡ ଗ୍ରାମରୁ ସମସ୍ତେ ଭୋଟ ଦେବାକୁ ଆନ୍ଧ୍ର ଚାଲିଯାଇଛନ୍ତି । କାଲିଠାରୁ ସେହି ଗାଁରେ ତାଟି କବାଟ ପଡ଼ିଛି । ପ୍ରଶାସନ ଏହା କେମିତି ଜାଣିପାରିଲାନି ତାକୁ ନେଇ ପ୍ରଶ୍ନ ଉଠିଛି ।