ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କର ତତ୍କାଳୀନ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନଙ୍କ ବିଦେଶ ଗସ୍ତକୁ ନେଇ ଅପପ୍ରଚାରରେ ମାତିଛନ୍ତି ତଥାକଥିତ ସାମାଜିକ କର୍ମୀ । ଉଭୟଙ୍କ ବିଦେଶ ଗସ୍ତର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରଭାବିତ କରିବା ପରେ ମଧ୍ୟ ସୋସିଆଲ୍ ମିଡିଆ ଜରିଆରେ ଅପପ୍ରଚାର ଜାରି ରଖିଛନ୍ତି ।
ତାଙ୍କ ବିଦେଶ ଗସ୍ତ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ନେଇ ଗତକାଲି ନବୀନ ପଟ୍ଟନାୟକ ପ୍ରତିକ୍ରିୟା ଦେଇଥିଲେ । ସେ ବହୁତ କମ୍ ବିଦେଶ ଗସ୍ତ କରିଥିଲେ । ଯେତେବେଳେ ବି ଯାଇଥିଲେ ଓଡ଼ିଶା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଯାଇଥିଲେ । ସେ ଓ ତାଙ୍କ ଅଫିସରମାନଙ୍କ ବିରୋଧରେ ଆସିଥିବା ମିଥ୍ୟା ଅଭିଯୋଗ ଅଣାଯାଇଛି । ଏଭଳି ମିଛ ଅଭିଯୋଗର ଉଚିତ୍ ଜବାବ ଦିଆଯିବ ବୋଲି ନବୀନ କହିଥିଲେ ।
ତେବେ ନବୀନଙ୍କୁ ମିଛୁଆ ଦର୍ଶାଇବାକୁ ତଥାକଥିତ ମୁଷ୍ଟିମେୟ ସାମାଜିକ କର୍ମୀ ସୋସିଆଲ୍ ମିଡିଆରେ ମିଛ ଅପପ୍ରଚାର ଚଳାଇଛନ୍ତି । ସେମାନଙ୍କ କହିବାନୁଯାୟୀ, ୨୦୨୨ରୁ ୨୦୨୩ ମଧ୍ୟରେ ନବୀନ-ପାଣ୍ଡିଆନ୍ ଅନେକ ଥର ବିଦେଶ ଗସ୍ତ କରିଥିଲେ । ୨୦୨୨ ଜୁନ୍ ୨୦ରୁ ୨୫ ପର୍ଯ୍ୟନ୍ତ ରୋମ୍ ଯାଇଥିଲେ । ୨୦୨୨ ଜୁନ୍ ୨୬ରୁ ୩୦ ଉଭୟ ଦୁବାଇ ଯାଇଥିଲେ । ୨୦୨୩ ଏପ୍ରିଲ୍ ୩ରେ ଭୁବନେଶ୍ୱରରୁ ସ୍ୱତନ୍ତ୍ର ବିମାନରେ ସିଙ୍ଗାପୁର ଯାଇଥିଲେ । ୨୦୨୩ ଏପ୍ରିଲ ୪ରୁ ୧୦ ଟୋକିଓ ଯାଇଥିଲେ । ୨୦୨୩ ଏପ୍ରିଲ୍ ୧୧ରେ ବ୍ୟାଙ୍ଗକକ୍ ଏବଂ ଥାଇଲାଣ୍ଡ ଯାଇଥିଲେ । ଯଦିଓ ସେଠାରେ ଇନଭେଷ୍ଟର୍ସ ମିଟ୍ ନ ଥିଲା ।
ତଥାକଥିତ ସାମାଜିକ କର୍ମୀଙ୍କର ଭାଣ୍ଡାମୀ କିନ୍ତୁ ଏଥିରେ ଜଳ ଜଳ ଦିଶୁଛି । ପ୍ରଥମତଃ- ଭୁବନେଶ୍ୱରରୁ ଜାପାନକୁ ସିଧା ଫ୍ଲାଇଟ୍ ନାହିଁ । ତେଣୁ ୨୦୨୩ ଏପ୍ରିଲ୍ ୩ରେ ନବୀନ ପଟ୍ଟନାୟକ ଏବଂ ତାଙ୍କର ସଚିବ ଭୁବନେଶ୍ୱରରୁ ସ୍ୱତନ୍ତ୍ର ବିମାନରେ ପ୍ରଥମ ସିଙ୍ଗାପୁର ଗଲେ । ସେଠାରୁ ୧୦ ଏପ୍ରିଲ୍ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଜାପାନ ଗଲେ । ସେହିଭଳି ଥାଇଲାଣ୍ଡର ବ୍ୟାଙ୍ଗକକ୍ ବୁଲିଯିବା ବି ସମ୍ପୂର୍ଣ୍ଣ ମିଥ୍ୟା । ଜାପାନରୁ ଭୁବନେଶ୍ୱର ଫେରିବା ପାଇଁ ସିଧା ଫ୍ଲାଇଟ୍ ନ ଥିବାରୁ ଏପ୍ରିଲ୍ ୧୧ରେ ବ୍ୟାଙ୍ଗକକ୍ ରେ ଷ୍ଟପ୍ ଓଭର୍ କରିବାକୁ ପଡ଼ିଥିଲା । ବ୍ୟାଙ୍କକକ୍ ରେ ଓହ୍ଲାଇ ଭୁବନେଶ୍ୱର ଫ୍ଲାଇଟ୍ ଧରିବା ପର୍ଯ୍ୟନ୍ତ ସେମାନଙ୍କୁ ଅପେକ୍ଷା କରିବାକୁ ପଡ଼ିଥିଲା । ଏହା ହିଁ ସତ୍ୟ ।
ନବୀନ-ପାଣ୍ଡିଆନଙ୍କ ରୋମ୍ ଓ ଟୋକିଓ ଗସ୍ତ ଲୁଚାଛପା ଥିଲା ବୋଲି ତଥାକଥିତ ସାମାଜିକ କର୍ମୀଙ୍କ ଅପପ୍ରଚାର ପୂର୍ବରୁ ଧରାପଡ଼ିସାରିଛି । ଭାରତର ବୈଦେଶିକ ମନ୍ତ୍ରଣାଳୟର ଅନୁମତି ଏବଂ ସରକାରୀ ଔପଚାରିକତାରେ ସେମାନେ ବିଦେଶ ଗସ୍ତ କରିଥିବା ସ୍ପଷ୍ଟ ହୋଇଛି । ଆତ୍ମଘୋଷିତ ସାମାଜିକ କର୍ମୀଙ୍କ ଭାଣ୍ଡାମୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କାହିଁକି ପଡ଼ିଲେ ତାହା ଚର୍ଚ୍ଚାର ବିଷୟ ହୋଇଛି ।