“ମୋତେ ଅନୁଭବ ହେଲା ବିଜେପି ଏକ ନିର୍ଦ୍ଦିଷ୍ଟ ଲୋକର ଜାଗିରି ଅଟେ । ଆଉ ତାକୁ ସୁରକ୍ଷା ଦେବା ପାଇଁ ସମ୍ପୂର୍ଣ୍ଣ ସଂଘ ପରିବାରକୁ ଉପଯୋଗ କରାଯାଉଛି” :ସୁବାସ ଚୌହାନ୍
ଭୁବନେଶ୍ୱର: ମାନସିକ ଯନ୍ତ୍ରଣାରେ ଅତିଷ୍ଠ ହୋଇଯାଇଥିବା ସୁବାସ ଚୌହାନ୍ ଆଜି ଚରମ ନିଷ୍ପତ୍ତି ନେଇଛନ୍ତି । ସଂଘ ଓ ବିଜେପି ପରିବାରଠାରୁ ସମ୍ପର୍କ କାଟି ଦେଇଛନ୍ତି ସଂଘ ପରିବାରର ଆଦର୍ଶରେ ନିଜକୁ ବ୍ରତୀ କରିଥିବା ବିଜେପିର ଏହି ବରିଷ୍ଠ ନେତା । ଆଜି ଅପରାହ୍ନ ୧.୩୦ ମିନିଟ୍ ବେଳକୁ ସେ ବିଜେପି ପାର୍ଟି ଅଫିସ ଆସି ଇସ୍ତଫା ପ୍ରଦାନ କରିଥିଲେ । ସେଥିରେ ଲେଖିଛନ୍ତି, ମୋର ଅନୁଭବ ହେଲା ବିଜେପି ଏକ ନିର୍ଦ୍ଦିଷ୍ଟ ଲୋକର ଜାଗିରି ଅଟେ । ଆଉ ତାକୁ ସୁରକ୍ଷା ଦେବା ପାଇଁ ସମ୍ପୂର୍ଣ୍ଣ ସଂଘ ପରିବାରକୁ ଉପଯୋଗ କରାଯାଉଛି । ଏଭଳି ପରିସ୍ଥିତିରେ ବିଜେପିରେ ରହି କାମ କରିବା କଷ୍ଟସାଧ୍ୟ ଅଟେ । ଏଣୁ ମୁଁ ପାର୍ଟି ଛାଡ଼ିବା ପାଇଁ ବାଧ୍ୟ ହେଉଛି ।
ସଭାପତିଙ୍କ ଅନୁପସ୍ଥିତିରେ ଉପସଭାପତି ସମୀର ମହାନ୍ତି ଏବଂ ସଂଗଠନ ସମ୍ପାଦକ ମାନସ ମହାନ୍ତିଙ୍କୁ ଇସ୍ତଫାପତ୍ର ଦେଇ ବାହାରକୁ ଆସିବା ପରେ କ୍ୟାମେରା ସାମନାରେ ନିଜର କୋହ ଚାପି ପାରି ନ ଥିଲେ ସୁବାସ । କାନ୍ଦି ପକାଇଥିଲେ । ବରଗଡ଼ରୁ ତାଙ୍କ ଟିକେଟ କଟିବାରେ ସେ କେତେ ଆଘାତ ପାଇଛନ୍ତି ତାହା ତାଙ୍କ ଆଖିର ଲୁହ କହିଦେଉଥିଲା ।
ଦୁଃଖରେ ମ୍ରିୟମାଣ ସୁବାସ ତାଙ୍କ ପ୍ରତିକ୍ରିୟାରେ ଶାଳୀଳତା ଭୁଲି ନ ଥିଲେ । ସେ ଧର୍ମେନ୍ଦ୍ର ପ୍ରଧାନଙ୍କ ଆକ୍ରୋଶର ଶରବ୍ୟ ହୋଇଥିବା କଥା ଦାଣ୍ଡରେ ଗଡୁଥିଲେ ମଧ୍ୟ ସୁବାସ ତାଙ୍କ ନାଁ ନେଇ ନ ଥିଲେ କି ତାଙ୍କ ବିରୋଧରେ ଇୟାଡୁ ସିୟାଡୁ ଗପି ନ ଥିଲେ । ସୁବାସ କହିଥିଲେ, ବରଗଡ଼ରେ ତାଙ୍କୁ ଟିକେଟ ମିଳିବା ନ ମିଳିବା ମୁଖ୍ୟ ପ୍ରସଙ୍ଗ ନୁହେଁ । ସେ ଅତ୍ୟନ୍ତ ମର୍ମାହତ ଯେ ବିଜେପି ଗୋଟିଏ ବ୍ୟକ୍ତିର ପକେଟରେ ରହୁଛି ଏବଂ ସଂଘ ପରିବାର ସେହି ବ୍ୟକ୍ତିଙ୍କୁ ସୁରକ୍ଷା ଦେଉଛି । ପଣ୍ଡିତ ଦୀନଦୟାଲ୍ ଉପାଧ୍ୟାୟ, ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କଠାରୁ ଆରମ୍ଭ କରି ବାଜପେୟୀ, ଆଡଭାନୀ ଏବଂ ଏବେ ମୋଦିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଯେଉଁ ଲକ୍ଷ ଲକ୍ଷ କାର୍ଯ୍ୟକର୍ତ୍ତା ଓଡ଼ିଶା ପ୍ରଦେଶରେ କାର୍ଯ୍ୟ କରୁଥିଲେ ସେମାନଙ୍କ ନିଷ୍ଠା, ତ୍ୟାଗ, ତପସ୍ୟା ଓ ବଳିଦାନକୁ ଧୂଳିସାତ୍ କରାଯାଇଛି । ପାଦରେ ମାଡ଼ିମକଚି ଦିଆଯାଇଛି । ବିଜେପିର ନେତୃତ୍ୱ ଓ ବିଚାର ବିରୋଧରେ ମୁଁ ଇସ୍ତଫା ଦେଇଛି ।
ବରଗଡ଼ ଲୋକସଭା ଆସନରୁ ଟିକେଟ ପାଇବା ପାଇଁ ସୁବାସ ଚୌହାନ୍ ଏକମାତ୍ର ହକଦାର ଥିଲେ । ମାତ୍ର ତାଙ୍କ ବଦଳରେ ସେଠାରେ ଏଥର ସୁରେଶ ପୂଜାରୀଙ୍କୁ ପ୍ରାର୍ଥୀ କରାଯାଇଛି । ଗତଥର ବରଗଡ଼ରେ ସୁବାସଙ୍କ ଟିକେଟ କଟୁ କଟୁ ଅଳ୍ପକେ ରହିଯାଇଥିଲା । ସିଧା ନାଗପୁରରୁ ସେ ଟିକେଟ ଧରି ଆସିଥିଲେ । ତେବେ ମାତ୍ର ୧୧ ହଜାର ଭୋଟ ବ୍ୟବଧାନରେ ହାରିଯାଇଥିଲେ । ଗତଥର ସୁବାସଙ୍କୁ ଟିକେଟ ନ ଦେବାର ଉଦ୍ୟମ ଏବଂ ଏଥର ତାଙ୍କ ଟିକେଟ କଟିଯିବା ପଛରେ ଧର୍ମେନ୍ଦ୍ର ପ୍ରଧାନ ହିଁ ଏକମାତ୍ର କାରଣ ବୋଲି ବିଜେପି ମହଲରେ ସମସ୍ତଙ୍କୁ ଜଣା । ଦିନକ ପୂର୍ବରୁ ନିଜେ ସୁବାସ ଚୌହାନ୍ ସୋସିଆଲ୍ ମିଡ଼ିଆରେ ଧର୍ମେନ୍ଦ୍ରଙ୍କ ବିରୋଧରେ ବିଷ ଓଗାଳିଥିଲେ । ଧର୍ମେନ୍ଦ୍ରଙ୍କ ଚକ୍ରାନ୍ତର ଶିକାର ହୋଇଥିବା ସେ ଜଣାଇବା ସହ ତାଙ୍କୁ କିଭଳି ବିଜେପୁରରେ ପ୍ରାର୍ଥୀ ହେବାକୁ ପ୍ରସ୍ତାବ ଦିଆଯାଇଥିଲା ତାହା ବି ଜଣାଇଥିଲେ । ତେବେ ସୁବାସ ଏହି ପ୍ରସ୍ତାବକୁ ପ୍ରତ୍ୟାଖାନ କରିଥିଲେ । ଧର୍ମେନ୍ଦ୍ରଙ୍କୁ ଖୋଲା ଆହ୍ୱାନ ଦେଇଥିଲେ, ଦମ୍ ଅଛି ତ ବିଜେପୁର ଯାଇ ନବୀନ ପଟ୍ଟନାୟକଙ୍କ ବିରୋଧରେ ଲଢ଼ ।
ଗତକାଲି ଦଳର ଅନ୍ୟତମ ବରିଷ୍ଠ ନେତା ତଥା ଉପସଭାପତି ରାଜକିଶୋର ଦାସ ଧର୍ମେନ୍ଦ୍ରଙ୍କ ମନମାନି ବିରୋଧରେ ବିଜେପିରୁ ଇସ୍ତଫା ଦେଇଥିଲେ । ଧର୍ମେନ୍ଦ୍ରଙ୍କୁ ସେ ବହେ ଗାଳିଦେବା ସହ ତାକତ୍ ଥିଲେ ମୋରଡ଼ାରେ ତାଙ୍କ ବିରୋଧରେ ପ୍ରାର୍ଥୀ ହେବାକୁ ଆହ୍ୱାନ ଦେଇଥିଲେ । ୱାର୍ଡମେମ୍ବର ଜିତିବାକୁ ଅସମର୍ଥ ଲୋକ ମୁଖ୍ୟମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖୁଥିବା ତାତ୍ସଲ୍ୟ କରିଥିଲେ ।
ରାଜକିଶୋର ଦାସ ବିଜେଡ଼ିରେ ଯୋଗଦେଇଥିବା ବେଳେ ସୁବାସ ଚୌହାନ ତାଙ୍କ ଭବିଷ୍ୟତ ସମ୍ପର୍କରେ କିଛି ନିଷ୍ପତ୍ତି ନେଇନାହାନ୍ତି । ବରଗଡ଼ରେ ତାଙ୍କର ଶୁଭେଚ୍ଛୁ ଓ ସମର୍ଥକଙ୍କ ସହ ଆଲୋଚନା କଲା ପରେ ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ।
ସୁବାସ ସମର୍ଥକଙ୍କ ଆତ୍ମହତ୍ୟା







