ଭୁବନେଶ୍ୱର: ଏମଏମଡିଆର ସଂଶୋଧନ ଆଇନକୁ ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । କେବଳ ବିରୋଧୀ ରାଜନୈତିକ ଦଳ ନୁହଁନ୍ତି ରାଜ୍ୟର ବୁଦ୍ଧିଜୀବୀବର୍ଗ, ଖଣି ବିଶାରଦ, ଅର୍ଥନୀତି ବିଶେଷଜ୍ଞ ଏବଂ ସାଧାରଣ ଜନତା ମଧ୍ୟ ଏହି ଆଇନର ଅପକାରିତାକୁ ନେଇ ଚର୍ଚ୍ଚା କରୁଛନ୍ତି । ଏହାର ଟେକ୍ନିକାଲିଟି ଯାହା ହେଉ ନା କାହିଁକି, ଓଡ଼ିଶା ଯେ ଏକକାଳୀନ ୧ ଲକ୍ଷ ୧୦ ହଜାର କୋଟି ଟଙ୍କା ହରାଇବ ଏବଂ ବର୍ଷକୁ ୧୫ ହଜାର କୋଟି ଟଙ୍କାର ରାଜସ୍ୱ କ୍ଷତି ସହିବ ତାହା ବୁଝିବାରେ କାହାର ଅସୁବିଧା ହେଉନି । କାରଣ ଏ ତଥ୍ୟ ଖୋଦ୍ ରାଜ୍ୟ ସରକାରଙ୍କ ଆଡଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ ଅଦାଲତକୁ ଦେଇଥିଲେ । ୨୦୨୪ ଜୁଲାଇରେ ସୁପ୍ରିମକୋର୍ଟର ୯ ଜଣିଆ ଖଣ୍ଡପୀଠରୁ ୮ ଜଣ ବିଚାରପତି ଓଡ଼ିଶା ସରକାରଙ୍କ ସପକ୍ଷରେ ସପକ୍ଷରେ ରାୟ ଦେଇଛନ୍ତି ।
ମାତ୍ର ଏମଏମଡିଆର ସଂଶୋଧନ ଆଇନ ଆସିବା ପରେ ସୁପ୍ରିମକୋର୍ଟଙ୍କ ରାୟ ଅକାମୀ ହୋଇଯାଇଛି । ଓଡ଼ିଶା ପାଇବାକୁ ଥିବା ବକେୟା ୧ ଲକ୍ଷ ୧୦ ହଜାର କୋଟି ଟଙ୍କା ପାଣିରେ ପଡ଼ିଛି । ଏହା ଖଣି ମାଲିକମାନଙ୍କଠାରୁ ଆଦାୟ ହୋଇଥାନ୍ତା । ସୁପ୍ରିମକୋର୍ଟ ଯେବେଠାରୁ ରାୟ ଦେଲେଣି ଓଡ଼ିଶା ସରକାର ଚାହିଁଥିଲେ ବକେୟା ୧ ଲକ୍ଷ କୋଟି ଟଙ୍କା ଆଦାୟ ସରନ୍ତାଣି । ମାତ୍ର ଡବଲ ଇଞ୍ଜିନ୍ ସରକାର ତାହା କଲେନି । ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ କିନ୍ତୁ ଖଣି ମାଲିକଙ୍କଠାରୁ ପାଇବାକୁ ଥିବା ବକେୟା ଅର୍ଥ ଆଦାୟ କରିବାରେ ସମର୍ଥ ହୋଇଛନ୍ତି ।
ସରଳ ଭାଷାରେ ବୁଝିଲେ, ଦିଲ୍ଲୀ ‘ବସ୍’ ଙ୍କ ନିର୍ଦ୍ଦେଶରେ ଡବଲ୍ ଇଞ୍ଜିନ ସରକାର ଜାଣିଶୁଣି ବକେୟା ରାଶି ଆଦାୟ କରିନାହାନ୍ତି । ଯାହାକୁ ଏକ ଷଡ଼ଯନ୍ତ୍ର ବୋଲି ବିରୋଧୀ ଦଳ ଅଭିଯୋଗ କରୁଛନ୍ତି ।
ଖଣିଜ ସମ୍ପଦଭରା ଓଡ଼ିଶାର ସ୍ୱାର୍ଥରକ୍ଷା ପାଇଁ ଏମଏମଡିଆର ସଂଶୋଧନ ଆଇନର ପ୍ରତ୍ୟାହାର ଦାବିରେ ବିଜେଡି, କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳ ରାଜରାସ୍ତାରେ ଆନେ୍ଦାଳନ ଆରମ୍ଭ କରିଛନ୍ତି । ଯାହାକୁ ଜନସାଧାରଣଙ୍କଠାରୁ ପ୍ରବଳ ସମର୍ଥନ ମିଳୁଛି । ଗତକାଲି ଭୁବନେଶ୍ୱରରେ ବିଜେଡି ପକ୍ଷରୁ ବିଶାଳ ବିକ୍ଷୋଭ ହୋଇଥିଲା ବେଳେ ଆଜି କଂଗ୍ରେସ ନେତୃତ୍ୱରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ସଫଳ ବିକ୍ଷୋଭ ହୋଇଥିଲା ।
ଏହି ପ୍ରସଙ୍ଗରେ ପ୍ରଥମେ ସ୍ୱର ଉଠାଇଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗତକାଲି ବିକ୍ଷୋଭ ସମାବେଶକୁ ସମ୍ବୋଧିତ କରି ଏହି କଳା ଆଇନ ବିରୋଧରେ ଯୁଦ୍ଧ ଡାକରା ଦେଇଛନ୍ତି । ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଲଢ଼ିବି ବୋଲି କହି ଏହି ଲଢ଼େଇରେ ସବୁ ଦଳର ସହଯୋଗ କାମନା କରିଥିଲେ ।
ସେହିଭଳି ପୂର୍ବତନ ପ୍ରଶାସିକା ତଥା ବିଜେଡି ନେତ୍ରୀ ସୁଜାତା ରାଉତ କାର୍ତ୍ତିକେୟନ୍ ଅଗ୍ନିବର୍ଷି ଭାଷଣ ଜରିଆରେ ଏମଏମଡିଆର ପ୍ରସଙ୍ଗରେ ବିଜେପିର ପୋଲ୍ ଖୋଲିଦେଇଥିଲେ । ପ୍ରଶ୍ନବାଣରେ କମ୍ପମାନ କରିଥିଲେ । ୧ ଲକ୍ଷ ୧୦ ହଜାର କୋଟି ଓଡ଼ିଶା କାହିଁକି ହରାଇଲା ଏବଂ ସଂସଦରେ ଓଡ଼ିଶାର ୨୦ ଜଣ ଯାକ ବିଜେପି ସାଂସଦ ଏହି କଳା ବିଲ୍ କୁ କେମିତି ସମର୍ଥନ କଲେ ତାହାର ଜବାବ ମାଗିଥିଲେ ।
ତେବେ ସୁଜାତାଙ୍କୁ ଜବାବ ଦେବାକୁ ଦୁଇ ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ସମ୍ବିତ ପାତ୍ର ସାମ୍ବାଦିକ ସମ୍ମିଳନୀ କରିଥିଲେ ମଧ୍ୟ ଲୋକହସା ହୋଇଛନ୍ତି । କାରଣ ସେମାନଙ୍କ ପାଖରେ ସେହି ନିର୍ଦ୍ଦିଷ୍ଟ ପ୍ରଶ୍ନର ଉତ୍ତର ନାହିଁ । ସୁଜାତାଙ୍କ ପ୍ରଶ୍ନକୁ ହାସ୍ୟାସ୍ପଦ ବୋଲି କହି ଅପରାଜିତା ନିଜେ ହାସ୍ୟାସ୍ପଦ ହୋଇଛନ୍ତି ।
ସୁଜାତାଙ୍କୁ ଲକ୍ଷ୍ୟ କରି ଅପରାଜିତା କହିଥିଲେ ଯେ ଆଦରଣୀୟ ପ୍ରଧାନମନ୍ତ୍ରୀ ସିଷ୍ଟମରେ ସଂସ୍କାର ଆଣିଛନ୍ତି, ତାହାକୁ କିଛି ଲୋକ ବୁଝିପାରୁନାହାନ୍ତି । ଏଇଟା ଟେକ୍ନିକାଲ୍ ବିଷୟ । ଖାଲି ପାଟିତୁଣ୍ଡ କଲେ ହେବନି । ଏମଏମଡିଆର ସଂଶୋଧନ ଆଇନକୁ ବିରୋଧ କରୁଥିବା ନେତା ଓ ନେତ୍ରୀ ଏହି ଆକ୍ଟକୁ ଭଲ ଭାବରେ ପଢ଼ନ୍ତୁ ଏବଂ ତା’ର ସ୍ପିରିଟ୍ ବୁଝନ୍ତୁ । ଏହି ଆଇନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଟା କ’ଣ ବୁଝିବାର ଅଛି । ୟୁନିଫରମିଟି ପାଇଁ ଚେଷ୍ଟା କରାଯାଉଛି । ସେଇ ଜିନିଷଟା ବୁଝିବାକୁ ପଡ଼ିବ ।
ଓଡ଼ିଶାର ସାଂସଦମାନେ ଏହାକୁ କାହିଁକି ବିରୋଧ କଲେନି ବୋଲି ପ୍ରଶ୍ନରେ ଅପରାଜିତା କହିଛନ୍ତି ଯେ ସାଂସଦମାନେ ଏହି ଆଇନକୁ ଭଲରେ ପଢ଼ିଲେ । ସ୍ପିରିଟ୍ ଟା ବୁଝିଲେ । ସେଥିପାଇଁ ପ୍ରତିିବାଦ କଲେ ନାହିଁ ।
ତେବେ ଏହି ‘ସ୍ପିରିଟ୍’ ଟା ଭୂତ ନା ପ୍ରେତ ତାହା ଅପରାଜିତା ବୁଝାଇ ପାରିନାହାନ୍ତି । ଆଇଏଏସ୍ ବାଲା ଯେତେବେଳେ ପାଠକୁ ବୁଝିବାରେ ତାଙ୍କୁ ଅସୁବିଧା ହୋଇ ନ ଥିବ । ମାତ୍ର ତାଙ୍କର ଅସହାୟତାକୁ ଓଡ଼ିଶାବାସୀ ଠିକ୍ ବୁଝିପାରୁଛନ୍ତି । ଓଡ଼ିଶା ମାଟିର ସ୍ୱାର୍ଥ ପାଇଁ ଏମାନେ ଲଢ଼େଇ କରିବାକୁ ଯାଇଛନ୍ତି ନା ପାର୍ଟିର ସୁରକ୍ଷା ପାଇଁ ଯାଇଛନ୍ତି ତାହା ଏବେ ସାଧାରଣ ଲୋକଙ୍କ ମଧ୍ୟରେ ବଢ଼ିଆ ଚର୍ଚ୍ଚା ହେଉଛି । ଯାହାଙ୍କୁ ଜବାବ ଦେଉଛନ୍ତି ସେ ବି ଆଇଏଏସ୍ । ଏମଏମଡିଆର ପାଠ ସେ ବି ପଢ଼ିଥିବେ । ଟେକନିକାଲିଟି ବୁଝିଥିବେ । ତେଣୁ ବେଶୀ ଗଭୀରକୁ ଯାଇ ଆଦରଣୀୟ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ସମ୍ମାନକୁ ସମ୍ଭବତଃ ତଳେ ପକାଇବାକୁ ଚାହିଁନାହାନ୍ତି ମ୍ୟାଡାମ୍ ଅପରାଜିତା ।
ସମ୍ବିତ ପାତ୍ରଙ୍କ କଥା ନ କହିବା ଭଲ । ତାଙ୍କ ଜବାବରେ କୌଣସି ସ୍ପଷ୍ଟତା ନ ଥିଲା । ଓଡ଼ିଶା ହରାଉଥିବା ୧ ଲକ୍ଷ କୋଟି ଟଙ୍କା ପ୍ରଶ୍ନକୁ ସେ ବାଆଁରେଇ ଭିନ୍ନ ତଥ୍ୟ ରଖିଥିଲେ । ଯାହାକି ବୁଝିବା ସମ୍ଭବ ନ ଥିଲା ।