ଭୁବନେଶ୍ୱର: ମୋହନ ମାଝୀଙ୍କ ସରକାରରେ ଦୁର୍ନୀତିର ଏକ ଭୟଙ୍କର ଚିତ୍ର ସାମନାକୁ ଆସିଛି । ସ୍ୱତନ୍ତ୍ର ଉନ୍ନୟନ ପରିଷଦ(ଏସଡିସି) ନାଁରେ କେବଳ ରାୟଗଡ଼ାରେ ଚଳୁ ହୋଇଛି ୪ କୋଟିରୁ ଅଧିକ ଟଙ୍କା । ଆରଟିଆଇ ତଥ୍ୟ ଆଧାରରେ ଏହି ଦୁର୍ନୀତି ଅଭିଯୋଗ ହୋଇଛି । ସରକାରୀ ଅର୍ଥ ଲୁଟିବାରେ ସଂପୃକ୍ତ ଅଧିକାରୀମାନଙ୍କର ବିଚକ୍ଷଣତା ଦେଖିବାକୁ ମିଳିଛି । ମୃତ ଏସଡିସି ନାଁରେ ସାମଗ୍ରୀ କିଣାରେ ବଜାର ମୂଲ୍ୟଠାରୁ କାହିଁ କେତେଗୁଣା ଅଧିକ ଖର୍ଚ୍ଚ କରଯାଇଛି । ଅଧିକରୁ ଅଧିକ ଅର୍ଥ ଲୁଟିବା ପାଇଁ ମିଶାଣ ଅଙ୍କକୁ ବି ମୋଡ଼ି ଦିଆଯାଇଛି । ସରକାରୀ ରାଜକୋଷକୁ ବାବୁମାନେ ବାପା ସମ୍ପତ୍ତି ଭଳି ବ୍ୟବହାର କରିଛନ୍ତି ।
୯ଟି ଆଦିବାସୀ ପ୍ରବଣ ଜିଲ୍ଲାକୁ ନେଇ ୧୫.୧୧.୨୦୧୯ରେ ରାଜ୍ୟ ସରକାର ଗଠନ କରିଥିଲେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ(ଏସଡିସି) । ପରବର୍ତ୍ତୀ ସମୟରେ ଆଉ ୧୪ ଟି ଜିଲ୍ଲାକୁ ଏଥିରେ ସାମିଲ କରାଯାଇଥିଲା । ବିଜେପି ସରକାର କ୍ଷମତାକୁ ଆସିଲା ପରେ ୪.୯.୨୦୨୪ରେ ଏହାକୁ ଭାଙ୍ଗି ଦିଆଗଲା । ସୁତରାଂ ସେବେଠାରୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅସ୍ତିତ୍ୱ ଚାଲିଯାଇଛି ।
ତେବେ ବିନା ମେଘରେ ବଜ୍ରାପାତ ଭଳି ଭଳି ଏସଡିସିର ଅସ୍ୱିସ୍ଥ ନ ଥାଇ ମଧ୍ୟ ୩.୨.୨୦୨୫ରେ ରାୟଗଡ଼ା ଆଇଟିଡିଏ ପକ୍ଷରୁ ଓଡ଼ିଶା କଂଜୁମର୍ସ କୋଅପରେଟିଭ ଫେଡେରେସନ(ଓସିସିଏଫ)କୁ ରାୟଗଡ଼ା ଏସଡିସି ଅଧିନସ୍ଥ ବ୍ଲକ୍ ଗୁଡ଼ିକ ପାଇଁ ୩୦୦ ସେଟ୍ କ୍ରୀଡ଼ା ସାମଗ୍ରୀ ଏବଂ ୩୦୦ ସେଟ୍ ସଙ୍ଗୀତ ଉପକରଣ ଯୋଗାଣ ପାଇଁ ଅର୍ଡର ଦିଆଗଲା । ଓସିସିଏଫ ତାହାକୁ ଗ୍ରହଣ କରି ୨୮.୨.୨୦୨୫ ଚିଠିରେ ଆଇଟମ୍ ଗୁଡ଼ିକର ମୂଲ୍ୟ ତାଲିକା ଏବଂ ୮୦ ପ୍ରତିଶତ ଅଗ୍ରୀମ ଟଙ୍କା ମଗାଇଲା ।
ସୂଚନାଥାଉକି, ସାମଗ୍ରୀ କିଣାରେ ସ୍ୱଚ୍ଛତା ରଖିବା କଥା ଦୁଇମାସ ପରେ ଯାଇ ମନେ ପଡ଼ିଲା ରାୟଗଡ଼ା ଆଇଟିଡିଏ ପ୍ରକଳ୍ପ ପ୍ରଶାସକଙ୍କର । ଔପଚାରିକତା ରକ୍ଷା ପାଇଁ ବ୍ଲକ୍ ଗୁଡ଼ିକୁ ଆବଶ୍ୟକ କ୍ରୀଡ଼ା ଓ ସଙ୍ଗୀତ ଉପକରଣର ପ୍ରସ୍ତାବ ମାଗିଥିଲେ ।
କେଉଁଠି ସିନା ଆଗ ସିନା ପ୍ରସ୍ତାବ ଅଣାଯାଏ ଏବଂ ତାହା ପରେ ଯାଇ ଅର୍ଡର କରାଯାଏ । ଏହି କ୍ଷେତ୍ରରେ କିନ୍ତୁ ଆଗ ଅର୍ଡର, ପଛେ ପ୍ରସ୍ତାବ ମଗାଗଲା । କୋଉ ସାମଗ୍ରୀ କିଣାଯିବ, ଏହାର ବଜେଟ୍ କେତେ ସେ ସମ୍ପର୍କରେ ଆଲୋଚନା ବି ହେଲାନି ।
ତତ୍କାଳୀନ ଏସଡିସିରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ରହିଥିବା କ୍ରୟ କମିଟି କୌଣସି ସାମଗ୍ରୀ କ୍ରୟର ନିଷ୍ପତ୍ତି ନେବା ନିୟମ ଥିଲା । ସରକାରୀ ବ୍ୟବସ୍ଥାରେ ଏହା ସାଧାରଣ କଥା । ମାତ୍ର ରାୟଗଡ଼ା ଆଇଟିଡିଏ ତାହାକୁ ମଧ୍ୟ ଆଖି ବୁଜିଦେଲା ।
ସୁତରାଂ ବିନା ଅନୁମୋଦନ, ବିନା ବାଧକରେ ସପ୍ଲାଇ ଅର୍ଡର ଏବଂ ପ୍ରାଇସ୍ ଏଷ୍ଟିମେଟ୍ କାମ ସରିଗଲା । ଆଇଟିଡିଏ, ରାୟଗଡ଼ାର ପ୍ରୋଜେକ୍ଟ ଆଡମିନିଷ୍ଟ୍ରେଟରଙ୍କ ଚିଠି ଉପରେ ଓଡ଼ିଶା ଖାଉଟୀ ସମବାୟ ମହାସଂଘ ଲିଃ(ଓସିସିଏଫ) ପ୍ରସ୍ତୁତ କରିଥିବା ଆଇଟମ୍ ୱାରୀ ମୂଲ୍ୟ ତାଲିକାକୁ ମଂଜୁର ମିଳିଗଲା ।
୩୦୦ ୟୁନିଟ୍ ଲେଖାଏଁ ୧୪ ଆଇଟମ୍ ବାଦ୍ୟଯନ୍ତ୍ର ଉପକରଣ ବାବଦରେ ୨ କୋଟି ୯୯ ଲକ୍ଷ ୮୧୪ ହଜାର ୧୨ ଟଙ୍କା ଏବଂ ୩୦୦ ୟୁନିଟ୍ ଲେଖାଏଁ ୧୫ ଆଇଟମ୍ କ୍ରୀଡ଼ା ସାମଗ୍ରୀ ବାବଦରେ ୨ କୋଟି ୪୦ ଲକ୍ଷ ୯ ହଜାର ୬୯୬ ଟଙ୍କା ଓକେ ହୋଇଗଲା ।
ତେବେ ପ୍ରକୃତ ବଜାର ମୂଲ୍ୟ ସହିତ ଓଡ଼ିଶା ଖାଉଟୀ ସମବାୟ ମହାସଂଘ ଲିଃ ପ୍ରଦତ୍ତ ସାମଗ୍ରୀ ମୂଲ୍ୟର ତୁଳନା କଲେ ଯେ କେହି ତାଜୁବ ହୋଇଯିବେ । ଯେମିତି କି ବଜାରରେ ଗୋଟିଏ ଝାଞ୍ଜର ମୂଲ୍ୟ ୧୫୦୦ ଟଙ୍କା ହୋଇଥିଲା ଓସିସିଏଫ୍ ତା’ର ମୂଲ୍ୟ ପକାଇଛି ୫୫୦୫.୨୭ ଟଙ୍କା । ଅତଏବ କେବଳ ଗୋଟିଏ ଝାଞ୍ଜରେ ୪ ହଜାର ୫ଟଙ୍କା ୨୭ ପଇସା ହିସାବରେ ୩୦୦ ଝାଞ୍ଜରେ ଚଳୁ ହୋଇଛି ୧୨୦୧୫୮୧ ଟଙ୍କା ।
ସାମଗ୍ରିକ ଭାବେ ୬୩ ଲକ୍ଷ ୫୪୦୦ ମୂଲ୍ୟର କ୍ରୀଡ଼ା ସାମଗ୍ରୀକୁ ୨ କୋଟି ୪୦ ଲକ୍ଷ ୬୯୬ ଟଙ୍କାରେ କିଣାଯାଇଥିବା ବେଳେ ୮୫ ଲକ୍ଷ ୫୦ ହଜାର ୩୦୦ ଟଙ୍କାର ବାଦ୍ୟଯନ୍ତ୍ର ଉପକରଣକୁ ୨ କୋଟି ୯୯ ଲକ୍ଷ ୭୮ ହଜାର ୧୬୩ ଟଙ୍କାରେ କିଣାଯାଇଛି ।
ଅଭିଯୋଗ ଅନୁଯାୟୀ, ୧୪ଟି ସଙ୍ଗୀତ ଉପକରଣ ଆଇଟମ୍ ରେ ୨ କୋଟି ୧୪ ଲକ୍ଷ ୨୭ ହଜାର ୮୬୩ ଟଙ୍କା ଏବଂ ୧୪ଟି କ୍ରୀଡ଼ା ଆଇଟମ୍ ରେ ଚଳୁ ହୋଇଛି ୧ କୋଟି ୭୭ ଲକ୍ଷ ୪ ହଜାର ୨୯୬ ଟଙ୍କା ।
ଆହୁରି ସାଂଘାତିକ କଥାଟି ହେଲା ମିଶାଣ ଫଳରେ ବି ହାତସଫେଇ କରାଯାଇଛି । ଯେମିତି କି ୫ କୁ ୧୫ କି ୫୦ କରି ଦିଆଯାଇଛି । କରିତକର୍ମା ବାବୁମାନେ ଜାଣିଛନ୍ତି ଯେ ଏହାକୁ ଗୋଟି ଗୋଟି କରି କେହି ଦେଖନ୍ତି ନାହିଁ । ଟୋଟାଲ୍ ଆମାଉଣ୍ଟ ଉପରେ ଆଖି ପକାଇ ହାକିମ ଦସ୍ତଖତ କରନ୍ତି । ତେଣୁ ଯାହା ଇଚ୍ଛା ହୋଇଛି ତାହା କରିଛନ୍ତି ।
ନିକଟରେ ରାୟଗଡ଼ା ଜିଲ୍ଲା ବିଜେଡି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ଦୁର୍ନୀତି ପ୍ରସଙ୍ଗ ଉଠାଯାଇଥିଲା । ଏସଡିସିର ପୂର୍ବତନ ଉପଦେଷ୍ଟା ପ୍ରଦାପ ମାଝୀ ଏବଂ ରାୟଗଡ଼ା ଆଇଟିଡିଏର ପୂର୍ବତନ ଅଧ୍ୟକ୍ଷା ଅନସୂୟା ମାଝୀ ସରକାରଙ୍କ ଦୃଷ୍ଟିକୁ ଏହି ଦୁର୍ନୀତି ଆଣିବା ସହ ତାହାର ଭିଜିଲାନ୍ସ ତଦନ୍ତ ଦାବି କରିଥିଲେ । ମାସକ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନ ହେଲେ ବିଜେଡି ରାସ୍ତାକୁ ଓହ୍ଲାଇବ ବୋଲି ସେମାନେ ଚେତାବନୀ ଦେଇଥିଲେ ।
ମାତ୍ର ସରକାର ଏ ଦିଗରେ ତତ୍ପରତା ଦେଖାଇନାହାନ୍ତି । ଓଲଟି ଅଭିଯୋଗକୁ ଭିତ୍ତହୀନ କହି ଏଡ଼ାଇ ଦେଇଛନ୍ତି ରାୟଗଡ଼ା ପିଏ ଆଇଟିଡିଏ ଚନ୍ଦ୍ରକାନ୍ତ ମାଝୀ ।
ଏହି ଦୁର୍ନୀତି ସମ୍ପର୍କରେ ଆମେ ରାୟଗଡ଼ା ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ଆଣିବାକୁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବ ହୋଇନି । ପ୍ରତିକ୍ରିୟା ମିଳିଲେ ଆମେ ଜଣାଇବୁ ।