ଭୁବନେଶ୍ୱର: ବିଜୟ ସିଂ ତୋମାର ଆଜି ପୁଣି ଇସାରା ଦେଇଛନ୍ତି ‘ଖୁବ୍ ଶୀଘ୍ର’ । ଏଇ ସେପ୍ଟେମ୍ବରରେ କାମ ଆଗକୁ ବଢ଼ିଯିବ । ନିକଟରେ ମନମୋହନ ସାମଲ ଦିଲ୍ଲୀ ଗସ୍ତରୁ ଫେରି ସମାନ ଇସାରା ଦେଇଥିଲେ । ସାମ୍ବାଦିକମାନଙ୍କ ବ୍ୟସ୍ତତାରେ ପିଠି ଥାପୁଡେଇ ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ । ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, ନିଗମ/ବୋର୍ଡ ଆଦି ନିଯୁକ୍ତି ପାଇଁ ଏ ପର୍ଯ୍ୟନ୍ତ ସମୟ ହୋଇନାହିଁ । ସମୟ ପାଖେଇ ଆସୁଛି, ଏଥର ହୋଇଯିବ ବୋଲି ମନମୋହନ ବାବୁଙ୍କ ଭାଷାକୁ ଆମ ଗଣମାଧ୍ୟମ ପ୍ରାଞ୍ଜଳ ଭାବେ ବୁଝିଗଲେ । ଏହା ଉପରେ ପ୍ରଶ୍ନ ପଚାରିବା ଦରକାର ପଡ଼ିଲାନି ।
ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, ବୋର୍ଡ ଏବଂ ନିଗମରେ ନିଯୁକ୍ତି, ସରକାରୀ ଓକିଲ ନିଯୁକ୍ତି କେବେ ହେବ ବୋଲି ସାମ୍ବାଦିକମାନଙ୍କ ପ୍ରଶ୍ନରେ ବିଜେପି ମୁଣ୍ଡିଆଳମାନେ ଏହିଭଳି ଭାବେ ବର୍ଷେ ହେଲା କହୁଛନ୍ତି ‘ଖୁବ୍ ଶୀଘ୍ର’ ।
ଦେଢ଼ ମାସ ତଳେ ରାଜ୍ୟ ସଭାପତି କେଁ ର ପରିସମାପ୍ତି ହେବା ପୂର୍ବରୁ ତାହା ବି ଅନିଶ୍ଚିତତାରେ ଥିଲା । ନୂଆ ସଭାପତି ଏଇ ହେଲେ, କାଲି ହେବେ, ଆର ମାସରେ ହେବେ ଶୁଣି ଶୁଣି ଅଧା ବର୍ଷ ପଳେଇଲା । ସେହିଭଳି ଜୁଲାଇ ୭ରୁ ମନମୋହନ ସାମଲ ପୁଣି ଥରେ ସଭାପତି ଦାୟିତ୍ୱ ନେଇସାରିଥିଲେ ମଧ୍ୟ ନିଜ ଟିମ୍ ଗଠନ କରିପାରିନାହାନ୍ତି । ବିନା ସେନାରେ ସେ ହୋଇଛନ୍ତି ସେନାପତି । ମୋହନଙ୍କ ଭାଷାରେ ତାଙ୍କ ଯୋଡ଼ାକୁ କୁଆଡ଼େ ଘୋଡ଼ା ସରି ନୁହଁନ୍ତି ।
୨୦୨୪ ଜୁନ୍ ୧୨ ତାରିଖରେ ମୋହନ ମାଝୀଙ୍କ ନେତୃତ୍ୱରେ ୧୬ ଜଣିଆ ଅଭାବୀ ମନ୍ତ୍ରିମଣ୍ଡଳ ଶପଥ ନେଇଥିଲେ । ଅଭାବୀ ଏଇଥିପାଇଁ ଯେ ୨୨ ଜଣଙ୍କ ଜାଗାରେ ୧୬ ଜଣିଆ ମନ୍ତ୍ରିପରିଷଦକୁ ନେଇ ବିଜେପି ସରକାରର ଯାତ୍ରା ଚାଲିଛି । ଏହା ୧୫ ମାସ ପୂରିବାକୁ ଯାଉଛି । ତଥାପି ସମ୍ପୂର୍ଣ୍ଣ ମନ୍ତ୍ରିମଣ୍ଡଳ ଗଠନ ହୋଇପାରୁନାହିଁ । ମନ୍ତ୍ରୀ ହେବା ପାଇଁ ଲୋକ ହାଉଜାଉ, ହେଲେ ଅଭାବୀ ଦୋଷ କଟୁନି । ନଇ ମଝିରେ ଶୋଷରେ ଛଟପଟ ହେଲା ଭଳି ମନ୍ତ୍ରୀ ଆଶାୟୀଙ୍କ ଅବସ୍ଥା ।
ସେହିଭଳି ବିଭିନ୍ନ ନିଗମ, ବୋର୍ଡରେ ଅଧ୍ୟକ୍ଷ ନିଯୁକ୍ତି ହୋଇପାରିନାହିଁ । ପୂରଣ ହେବାକୁ ଥିବା ଏହି ଥଇଥାନ ପଦବୀ ସଂଖ୍ୟା ୫୦ ରୁ ଅଧିକ ହେବ । ବିଧାୟକ ହୋଇପାରି ନ ଥିବା ଦଳୀୟ ନେତାମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହା ଏକ ଭଲ ବ୍ୟବସ୍ଥା । ଅଫିସ, ଗାଡ଼ି, ଘର, ଭତ୍ତା ସୁବିଧା ଥିବାରୁ ଅଧିକ ଆଶାୟୀ ରହିବା ସ୍ୱାଭାବିକ । ୧୫ ମାସ ବିତିବାକୁ ବସିଥିଲେ ମଧ୍ୟ ଏହା ହୋଇପାରି ନ ଥିବାରୁ ସେମାନଙ୍କ କଷ୍ଟ କାହିଁରେ କ’ଣ । ଘୋଷଣାକୁ ଚାହିଁ ଚାହିଁ ଜଳକା ହୋଇଗଲେଣି ।
ସରକାରୀ ଓକିଲ ନିଯୁକ୍ତିରେ ମଧ୍ୟ ସମାନ ଅବସ୍ଥା ।
ତେବେ କାହିଁକି ଏ ଅବସ୍ଥା?
ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ, ଚିରାଚରିତ ଧାରାରେ ଏଠି ସରକାର ଚାଲିଥିଲେ ମଧ୍ୟ ପ୍ରଥମତଃ ଦଳୀୟ ବ୍ୟାପାରରେ ନିଷ୍ପତ୍ତି କ୍ଷମତା ମୁଖ୍ୟମନ୍ତ୍ରୀଙ୍କ ହାତରେ ନାହିଁ । ଯାହା ନିଷ୍ପତ୍ତି ଆସିବ ଦିଲ୍ଲୀରୁ । ମାତ୍ର ରାଜ୍ୟ ନେତାଙ୍କ ଭିତରେ ସହମତି ନ ଥିବାରୁ ହାଇକମାଣ୍ଡ ନିଷ୍ପତ୍ତି ନେଇପାରୁନାହାନ୍ତି । ଏଭଳି ଅବସ୍ଥା ପଛରେ ଏକମାତ୍ର କାରଣ ଦଳୀୟ କନ୍ଦଳ । ରାଜ୍ୟ ବିଜେପି ବହୁଧା ଗୋଷ୍ଠୀରେ ବିଭକ୍ତ ହୋଇଥିବାରୁ ସମସ୍ତେ ନିଜର ପତିଆରା ରଖିବା ପାଇଁ ଚେଷ୍ଟିତ । ମୁଖ୍ୟତଃ ଦୁଇ ପାୱାରଫୁଲ୍ ଗୋଷ୍ଠୀଙ୍କ ମଧ୍ୟରେ ଲଢ଼େଇ ଚାଲିଛି ।
ମୋହନ ମାଝୀ ଏବଂ ମନମୋହନ ସାମଲ ଏବେ ଗୋଟେ ହୋଇଥିଲା ବେଳେ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ମୁକାବିଲା ଚାଲିଛି । ଉଭୟ ଗୋଷ୍ଠୀ ମଧ୍ୟରେ ସାଂଘାତିକ ତିକ୍ତତା । କେହି କାହାର ଭଲ ଦେଖିବା ଅବସ୍ଥାରେ ନାହାନ୍ତି । ପତିଆରା ଲଢ଼େଇରେ କେହି ପଛଘୁଞ୍ଚା ଦେବାର ନାହିଁ । ମଝିରେ ବୈଜୟନ୍ତ ପଣ୍ଡା, ଅପରାଜିତା ଷଡ଼ଙ୍ଗୀଙ୍କ ଭଳି ପତିଆରା ଆଶାୟୀ ଅଛନ୍ତି । ଦିଲ୍ଲୀରୁ ସେମାନେ ବି ଗୋଟିଚାଳନା କରୁଛନ୍ତି ।
ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେଉ କି ବୋର୍ଡ, ନିଗମ ଗଠନରେ ଏହା ହିଁ ବାଧକ ସାଜିଛି । ଏସବୁରେ ନିଜ ଅନୁଗତଙ୍କୁ ରଖିବା ପାଇଁ ଉଭୟ ଗୋଷ୍ଠୀ ମଧ୍ୟରେ ଲଢ଼େଇ ଜୋରଦାର ଚାଲିଛି । ଗଣମାଧ୍ୟମ କ୍ୟାମେରା ଆଗରେ ସେମାନେ ହାତ ମିଳାଇ ହସୁଥିଲେ ମଧ୍ୟ ଭିତରେ ରାଗରେ ଜଳୁଛନ୍ତି । ସୁବିଧା ଦେଖି ଡାଉନ୍ ନଚେତ ଆଉଟ୍ କରିବା ଯୋଜନାରେ ଅଛନ୍ତି ।
ବିଶ୍ୱସ୍ତ ସୂତ୍ରର ଖବର ଅନୁଯାୟୀ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ତଥା ବୋର୍ଡ, ନିଗମ ନିଯୁକ୍ତି ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ, ସଭାପତିଙ୍କୁ ନେଇ ଦିଲ୍ଲୀରେ ଘନ ଘନ ବୈଠକ ବସୁଛି । ମନମୋହନ ସାମଲଙ୍କ ତାଲିକା ତାଲିକା ଉପରେ ବ୍ୟାପକ ବିଚାର ବିମର୍ଷ ହୋଇଛି । ମାତ୍ର ସହମତି ଅଭାବରୁ ଚୂଡ଼ାନ୍ତ ହୋଇପାରୁନାହିଁ । ହାଇକମାଣ୍ଡଙ୍କ ପାଇଁ ନିଷ୍ପତ୍ତି ନେବା କାଠିକର ହୋଇଯାଇଛି । ଯେମିତି ଚାଲିଛି ଚାଲିଥାଉ ଭାବି କେନ୍ଦ୍ରୀୟ ନେତୃତ୍ୱ ହାତ ଟେକି ବସିଛନ୍ତି । ସେମିତି ଅଲୌକିକ ଘଟିଲେ ଯାଇ ଦଶହରା ପୂର୍ବରୁ କିଛି ହୋଇପାରେ ।
ରୋଚକ କଥା ହେଉଛି, ରାଜ୍ୟ ବିଜେପି ଏହି ବିଷମ ସଙ୍କଟ ଦେଇ ଗତି କରୁଥିଲା ବେଳେ ଓଡ଼ିଶାର ପ୍ରମୁଖ ଗଣମାଧ୍ୟମ ରକ୍ଷାକବଚ ହୋଇଛନ୍ତି । କ୍ଷମତାରେ ଥିବାରୁ ଗଣମାଧ୍ୟମ ପୂରା ଆଣ୍ଠେଇ ଯାଇଛନ୍ତି, ପୂର୍ବର ନବୀନ ପଟ୍ଟନାୟକଙ୍କ ସରକାର ବେଳେ ଯେମିତି ଆଣ୍ଠେଇଥିଲେ । ଯୁଆଡ଼େ ବର୍ଷା ସିଆଡ଼େ ଛତା ନ୍ୟାୟରେ ପରିବର୍ତ୍ତିତ ଅବସ୍ଥାରେ ବିଜେପି ଅନ୍ତଃକନ୍ଦଳ ଖବରକୁ ଚାପି ଏକମାତ୍ର ବିଜେଡି ପଛରେ ପଡ଼ିଯାଇଛନ୍ତି ଏହିସବୁ ଗଣମାଧ୍ୟମ । ବିଜେଡି, ପାଣ୍ଡିଆନ୍ ହୋଇଛନ୍ତି ପ୍ରତିଦିନର ମୁଖ୍ୟ ଖବର । ବିଜେପି ସରକାର ଓ ଦଳକୁ କଷ୍ଟ ହେଲା ଭଳି ଗୋଟିଏ ବି ଖବର ଆସୁନାହିଁ । ପ୍ରମୁଖ ଗଣମାଧ୍ୟମର ଏହି ଆଭିମୁଖ୍ୟ ସହ ଓଡ଼ିଶାବାସୀ ବି ଅଭ୍ୟସ୍ତ ହୋଇଗଲେଣି ।







