ଭୁୁବନେଶ୍ୱର: କାଲି ହବ, ଆସନ୍ତା ମାସରେ ହବ କହି କହି ୨୭ ମାସ ହୋଇଗଲା । କିନ୍ତୁ ହେଲା ନାହିଁ । ୫ ମାସ ପରେ ପଞ୍ଚାୟତ ଓ ପୌର ନିର୍ବାଚନ । ତା’ ପରେ ଆରମ୍ଭ ହୋଇଯିବ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି । ଅଧାପୂରା ମନ୍ତ୍ରିମଣ୍ଡଳ ପୂରା ହବାର ଆଶା ଆଉ ଦିଶୁନି । ନିଗମ ଓ ବୋର୍ଡରେ ନିଯୁକ୍ତି ଆଶା ବି ମରିଗଲାଣି । ୨୦୨୪ ସାଧାରଣ ନିର୍ବାଚନ ଫଳାଫଳ ଆସିଲା ପରେ ମସଗୁଲ୍ ହୋଇପଡ଼ିଥିବା ବିଜେପିର ବହୁ ଆଗଧାଡ଼ିର ନେତା ଏବଂ କର୍ମୀଙ୍କର ଆଶାରେ ଭାଙ୍ଗ ପଡ଼ିଗଲାଣି । ଅପେକ୍ଷା କରିବାକୁ ସେମାନଙ୍କର ଆଉ ଧୈର୍ଯ୍ୟ ନାହିଁ । ହାତଗଣତି ନେତା ଏବଂ କିଛି ବୋଲକରା କ୍ଷମତା ରସ ପିଉଥିବା ବେଳେ ଅନ୍ୟମାନେ ଜଳକା ହୋଇ ଚାହିଁ ବସିଛନ୍ତି । ଯେଉଁ ଗୋଷ୍ଠୀକନ୍ଦଳ କାରଣରୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଏବଂ ନିଗମ ନିଯୁକ୍ତି ଅଟକିଛି, ତାହା ହିଁ ଭୟଙ୍କର ଗୋଷ୍ଠୀ କନ୍ଦଳର କାରଣ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ରାଜ୍ୟ ସଭାପତି ମନମୋହନ ସାମଲ ଏହାକୁ ବାଆଁରେଇ ଅଧିକ ଲୋକହସା ହୋଇଛନ୍ତି ।
କଟକରେ ଗତ ୫ ଓ ୬ ତାରିଖରେ ବିଜେପିର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବି.ଏଲ୍. ସନ୍ତୋଷ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ସହପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡିଙ୍କ ସମେତ ମୁଖ୍ୟମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀ, ରାଜ୍ୟ ସଭାପତି, ରାଜ୍ୟ ସାଧାରଣ ସମ୍ପାଦକ(ସଂଗଠନ) ମାନସ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ମଧ୍ୟ ଦୁଇ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ, ଅଶ୍ୱିନୀ ବୈଷ୍ଣବ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ, କେନ୍ଦ୍ରାପଡ଼ା ସାଂସଦ ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଏବଂ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅନୁପସ୍ଥିତି ଚର୍ଚ୍ଚାର ବିଷୟ ହୋଇଛି ।
ଫାୟାର୍ ମୁଡ୍ ରେ ଥିବା ଜୁଏଲ୍ ସୁନ୍ଦରଗଡ଼ରେ ଥାଇ ମଧ୍ୟ ଭୁବନେଶ୍ୱର କାର୍ଯ୍ୟକାରିଣୀ ବୈଠକକୁ ଆସି ନ ଥିଲେ । ବୈଷ୍ଣବ ଓଡ଼ିଶାରେ କୌଣସି ଦଳୀୟ ବୈଠକକୁ ଆସନ୍ତି ନାହିଁ କହିଲେ ଚଳେ । ଧର୍ମେନ୍ଦ୍ର ନିଜ ନିର୍ବାଚନମଣ୍ଡଳୀ ସମ୍ବଲପୁର ଓ ବରଗଡ଼ ବୁଲି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ମଧ୍ୟ ଭୁବନେଶ୍ୱର କାର୍ଯ୍ୟକାରିଣୀ ବୈଠକକୁ ଆସିଲେ ନାହିଁ ।
ବିଜେପି ସମର୍ଥନରେ ରାଜ୍ୟସଭାକୁ ଯାଇଥିବା ଦିଲ୍ଲୀପ ରାୟ ହାତେ ମାପି ଚାଖଣ୍ଡେ ଚାଲୁଛନ୍ତି । ତେଣୁ କ’ଣ ତ ଭାବି କାର୍ଯ୍ୟକାରିଣୀକୁ ଆସିନାହାନ୍ତି । ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦରେ ମନଉଣା କରିଥିବା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ବି ଆସିଲେ ନାହିଁ । ଅପରାଜିତା ଷଡ଼ଙ୍ଗୀ ଏକ ସଂସଦୀୟ ଦଳରେ ଭୁଟାନ୍ ଯାଇଥିବାରୁ ଖସିଗଲେ ।
ଜୁଏଲ୍, ବୈଷ୍ଣବ, ଧର୍ମେନ୍ଦ୍ର, ଦିଲ୍ଲୀପ, ବୈଜୟନ୍ତ, ଅପରାଜିତାଙ୍କର ନିଜ ନିଜ ମଧ୍ୟରେ ସମ୍ପର୍କ ଏବଂ ରାଜ୍ୟ ନେତୃତ୍ୱଙ୍କ ସହ ସେମାନଙ୍କର ସମ୍ପର୍କ ସମସ୍ତେ ଜାଣନ୍ତି ।
ଏହି ନେତାମାନଙ୍କ ଅନୁପସ୍ଥିତିକୁ ନେଇ କାର୍ଯ୍ୟକାରିଣୀରେ ଟୁପୁରୁ ଟାପର ହୋଇଥିଲା । ସେହିଭଳି ମୋହନ-ମନମୋହନଙ୍କ ନେତୃତ୍ୱକୁ ନେଇ କେହି ଖୁସି ଥିବା ଜଣାପଡ଼ି ନ ଥିଲା । ଏପରିକି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବି.ଏଲ୍ ସନ୍ତୋଷ ବୈଠକରେ ନିଜର ଅସନ୍ତୋଷ ପ୍ରକାଶ କରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ଆଗାମୀ ପଞ୍ଚାୟତ ନିର୍ବାଚନ ଫଳାଫଳ ନେତାଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିବ ବୋଲି ବାର୍ତ୍ତା ଦିଆଯାଇଛି ।
ସରକାରଙ୍କ ପ୍ରଦର୍ଶନ ଏବଂ କାର୍ଯ୍ୟକଳାପରେ ଦଳର ଅନେକ ନେତା କ୍ଷୁବ୍ଧ । ମନ୍ତ୍ରିମଣ୍ଡଳ କାହିଁକି ପୂରା ହୋଇପାରୁନାହିଁ, ନିଗମ ନିଯୁକ୍ତି କାହିଁକି ହୋଇପାରୁନି ତାହାର ଉତ୍ତର ଖୋଜି ପାଉନାହାନ୍ତି । ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଭାପତି ବାରମ୍ବାର ଦିଲ୍ଲୀ ଯାଇ କ’ଣ ଆଲୋଚନା କରୁଛନ୍ତି କେହି ବୁଝିପାରୁନାହାନ୍ତି । ଏହି ପ୍ରସଙ୍ଗରେ ବିଜୟ ସିଂହ ତୋମାର, ମନମୋହନ ସାମଲ ଶହେ ଥର ବାଇଟ୍ ଦେଇସାରିଲେଣି । କାଲି ହବ, ଆର ମାସରେ ହେବ, ଅପେକ୍ଷା କରନ୍ତୁ ଏମିତି କହି ଚାଲିଛନ୍ତି । ମାତ୍ର ସେଇ କାଲି, ସେଇ ଆର ମାସ କେବେ ଆସିବ ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।
ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ନିର୍ଦ୍ଦିଷ୍ଟ ଗୋଷ୍ଠୀ କବଜା କରିନେଇଥିବା ଅଭିଯୋଗରେ ଦଳୀୟ ଅସନ୍ତୋଷ କୁହୁଳିବାରେ ଲାଗିଛି । କିଛି ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କୁ ଭୁଲ୍ ବାଟରେ ପରିଚାଳିତ କରୁଛନ୍ତି ବୋଲି ସାଧାରଣ କର୍ମୀମାନେ ମଧ୍ୟ ଆଲୋଚନା କରୁଛନ୍ତି । ନିର୍ଦ୍ଦିଷ୍ଟ ଜଣେ ଦୁଇ ଜଣ ବ୍ୟକ୍ତି ସରକାରଙ୍କ କବାଟ ଭଳି ରହି ନିଜର ସ୍ୱାର୍ଥ ହାସଲରେ ବ୍ୟସ୍ତ ଅଛନ୍ତି ବୋଲି କୁହାଯାଉଛି । ସେମାନଙ୍କ ପ୍ରାର୍ଦୁଭାବ ଦଳ ଭିତରେ ଓ ବାହାରେ ଆଲୋଚନାର ବିଷୟ ହୋଇଛି । ଏହା କେତେବେଳେ ଯେ ବିସ୍ଫୋରଣ ହେବ ତାହା କହିହେବ ନାହିଁ । ଏହାଦ୍ୱାରା ସରକାର ସାଧାରଣରେ ବଦନାମ ଓ ନିନ୍ଦିତ ହେଉଛନ୍ତି ବୋଲି ଜଣେ ବରିଷ୍ଠ ନେତା କ୍ଷୋଭର ସହ କହିଛନ୍ତି ।
ସଂଗଠନ ଅବସ୍ଥା ନ କହିବା ଭଲ । ପ୍ରତି ଜିଲ୍ଲାରେ ଏକାଧିକ ଗୋଷ୍ଠୀ । କେହି କାହାରକୁ ଛାଡ଼ିବା ଅବସ୍ଥାରେ ନାହାନ୍ତି । କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ ତାଙ୍କ ବିରୋଧୀ ଦିଲ୍ଲୀପ ରାୟଙ୍କ ଉଦେ୍ଦଶ୍ୟରେ ଗଣମାଧ୍ୟମରେ ନିଆଁ କରିଛନ୍ତି । ତାଙ୍କୁ ଅପଦସ୍ଥ କରିବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କୁ ଜାଳିକି ସଫା କରିଦେବେ ବୋଲି ଧମକ ଦେଇଛନ୍ତି ।
ଗଞ୍ଜାମରେ ସାଂସଦ ପ୍ରଦୀପ ପାଣିଗ୍ରାହୀ ଏବଂ ମନ୍ତ୍ରୀ ବିଭୂତି ଜେନାଙ୍କ ମଧ୍ୟରେ ମୁହାଁମୁହିଁ ଅବସ୍ଥା । ରାଜ୍ୟ ସରକାରଙ୍କ କାର୍ଯ୍ୟକଳାପରେ ଅସନ୍ତୋଷ ପ୍ରକାଶ କରି ପ୍ରଦୀପ ନିକଟରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ଦକ୍ଷିଣ ଓଡ଼ିଶାର ବିକାଶ ଓ ସ୍ୱାର୍ଥକୁ ଅଣଦେଖା କରାଯାଉଛି ବୋଲି ସେ ସିଧାସଳଖ ଅଭିଯୋଗ କରି ଏହାକୁ ଆଦୋ÷ ବରଦାସ୍ତ କରାଯିବନି ବୋଲି ଜଣାଇଥିଲେ ।
ପୁରୀ ଜିଲ୍ଲା ଉପମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ନିମାପଡ଼ାରେ ଦଳୀୟ କନ୍ଦଳ ଆହୁରି ସାଂଘାତିକ । ପ୍ରଭାତୀ ପରିଡ଼ାଙ୍କ ମନମାନିକୁ ଖୋଲାଖୋଲି ଭାବରେ ଚାଲେଂଜ କରିଛନ୍ତି ସମୀର ଦାଶ । ଏମିତି ଚାଲିଲେ ସଫା ହୋଇଯିବ ବୋଲି ସତର୍କ କରାଇଛନ୍ତି । ନିମାପଡ଼ାରେ ସେ ଜଣେ ନେତା । ଏଠି ଆଉ କେହି ନେତା ନାହାନ୍ତି ବୋଲି ସମୀର ଛାତି ପିଟି କହିଛନ୍ତି ।
ଝାରସୁଗୁଡ଼ାରେ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ମଧ୍ୟରେ ଛକାଛକି ଅବସ୍ଥା । ବିଭିନ୍ନ ଜାଗାରେ ଉଭୟଙ୍କ ସମର୍ଥକ ମୂହାଁମୁହିଁ ହେଉଛନ୍ତି । ନିକଟରେ ଟଙ୍କ ସମର୍ଥକଙ୍କ ବିରୋଧ ଯୋଗୁଁ ସୁରେଶ ପୂଜାରୀଙ୍କୁ ଏକ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରୁ ଫେରି ଆସିବାକୁ ପଡ଼ିଥିଲା ।
ଭଦ୍ରକରେ ବିଜେପିରେ ମିଶିଥିବା ମଣ୍ଡଳ ଦମ୍ପତ୍ତିଙ୍କୁ ସ୍ଥାନୀୟ ନେତାମାନେ ଗ୍ରହଣ କରିପାରୁନାହାନ୍ତି । ମନ୍ତ୍ରୀ ସୂରଜ ସୂର୍ଯ୍ୟକାନ୍ତ ଏବଂ ସାଂସଦ ଅଭିମନ୍ୟୁ ସେଠୀ ତ ସେମାନଙ୍କୁ ପାଖ ପୂରୋଉ ନାହାନ୍ତି ।
ପୂର୍ବରୁ ବାଲେଶ୍ୱରରେ ରବି ଜେନାଙ୍କୁ ସମାନ ଦୁର୍ଦ୍ଦଶା ଭୋଗିବାକୁ ପଡ଼ିଛି । ସାଂସଦ ପ୍ରତାପ ଷଡ଼ଙ୍ଗୀ ତାଙ୍କୁ ଗ୍ରହଣ କରୁନାହାନ୍ତି । ନନା ସମର୍ଥକମାନଙ୍କ ମନବଳ ଆଗରେ ରବି ଜେନାଙ୍କ ଅର୍ଥବଳ କାମ କରୁନି ।
ଭୁବନେଶ୍ୱରରେ ଏକଲା ଚଲୋ ନୀତିରେ ଯାଉଥିବା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସାଥୀରେ ମୂଳ ବିଜେପି ନେତା ଓ କର୍ମୀମାନେ ନାହାନ୍ତି । ସାଂସଦଙ୍କର ସମାନ୍ତରାଳ ସଂଗଠନ ଚାଲୁଥିବା ସେମାନେ ଅଭିଯୋଗ କରୁଛନ୍ତି । ଏଥର ସାଂସଦଙ୍କୁ ହରାଇବା ପାଇଁ ଅପର ଗୋଷ୍ଠୀ ଜାଲ୍ ବିଛାଇବା କାମ ଆରମ୍ଭ କରିଦେଲେଣି ।
କଟକରେ ଭର୍ତ୍ତୃହରି ମହତାବଙ୍କର ଅବସ୍ଥା ବି ଖରାପ । ତୃଣମୂଳସ୍ତରର ବିଜେପି ନେତା ଓ କର୍ମୀମାନେ ତାଙ୍କୁ ଗ୍ରହଣ କରୁନାହାନ୍ତି ।
ଏମିତି ଦେଖିଲେ ସବୁ ଲୋକସଭା ଏବଂ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେପି ଗୋଷ୍ଠୀ କନ୍ଦଳ ତୀବ୍ର ରୂପ ନେଇସାରିଛି ।
ମୋଟାମୋଟି, ଡବଲ ଇଞ୍ଜିନ ସରକାର ଓ ସଂଗଠନରେ ଭୟଙ୍କର ଅବସ୍ଥା । କେବଳ ଯାତ୍ରା ଡାଇଲଗ୍ ରେ ଦଳ ଓ ସରକାର ଚାଲିଥିବା ଖୋଦ୍ ଦଳୀୟ ମହଲରେ ଆଲୋଚନା ହେଉଛି । ମନ୍ତ୍ରୀ ଆଶାୟୀମାନେ ଝୁଲି ରହିଥିବାରୁ ସେମାନଙ୍କ ସମର୍ଥକମାନଙ୍କର ହତାଶାଭାବ ବଢ଼ିଯାଇଛି । ଅନ୍ୟପକ୍ଷରେ ନିଗମ ଏବଂ ବୋର୍ଡରେ ଥଇଥାନ ହୋଇ ନ ପାରି ଆଶାୟୀମାନେ ପାଗଳ ପ୍ରାୟ ଅବସ୍ଥାକୁ ଚାଲିଗଲେଣି । ଦଳ ଭିତରେ ଗୋଷ୍ଠୀ କନ୍ଦଳ ବୃଦ୍ଧି ପଛରେ ଏହା ପ୍ରମୁଖ କାରଣ ବୋଲି କୁହାଯାଉଛି ।