ଭୁବନେଶ୍ୱର: ଓଡ଼ିଶାରେ ବିଜେପି ସରକାରର ପ୍ରଥମ ବର୍ଷ ପୂର୍ତ୍ତି ସମାବେଶରେ ଯୋଗ ଦେବାକୁ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଷଣକୁ ନେଇ ଏବେ ବେଶ୍ ଚର୍ଚ୍ଚା । କ’ଣ ସେ ଭାଷଣ ଦେଲେ ଯେତିକି ଚର୍ଚ୍ଚା ହେଉନି, ତାଙ୍କ ଭାଷଣରେ କ’ଣ ଛାଡ଼ିଦେଲେ ତାକୁ ନେଇ ଅଧିକ ଚର୍ଚ୍ଚା ହେଉଛି । ମୋହନ ସରକାରକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିବା ସ୍ୱାଭାବିକ ହୋଇଥିଲା ବେଳେ ମୁଖ୍ୟ ବିରୋଧୀ ଦଳ ବିଜେଡି ଏବଂ ବହୁ ପ୍ରଚାରିତ ସେହି ବିଜେଡି ସରକାରର ତଥାକଥିତ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ପ୍ରଧାନମନ୍ତ୍ରୀ ପାଟି ଖୋଲି ନାହାନ୍ତି । ପ୍ରଧାନମନ୍ତ୍ରୀଙ୍କର ଏହା ରାଜକ୍ଷମା ବୋଲି ଅନେକ ତାତ୍ସଲ୍ୟ କରିଛନ୍ତି ।
ଜନତା ମଇଦାନରେ ଆୟୋଜିତ ସମାରୋହରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଓଡ଼ିଶାରେ ବିଜେପିର ପ୍ରଥମ ସରକାର ସଫଳତାର ସହ ବର୍ଷେ ପୂରଣ କରିଛି ବୋଲି ସାର୍ଟିଫିକେଟ୍ ଦେଇଥିଲେ । ନିର୍ବାଚନ ବେଳେ ବିଜେପି ଓଡ଼ିଶାବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିଛି ବୋଲି ସୂଚୀତ କରିଥିଲେ । ଏହି ମର୍ମରେ ମାତ୍ର ଦୁଇଟି ପ୍ରତିଶ୍ରୁତିର ଅବତାରଣା କରିଥିଲେ ପ୍ରଧାନମନ୍ତ୍ରୀ । ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲାଯାଇଛି ବୋଲି କହିଥିଲେ । ଆଉ ରତ୍ନଭଣ୍ଡାର ଖୋଲାଯାଇଛି ବୋଲି କହିଥିଲେ ।
ତେବେ ରତ୍ନଭଣ୍ଡାରର ଚାବି ତାମିଲନାଡୁରୁ କେମିତି ଆସିଲା ତାହା ପ୍ରଧାନମନ୍ତ୍ରୀ କହିଲେନି । ଶ୍ରୀମନ୍ଦିର ଚାରିଦ୍ୱାର ଦୁଇଦିନ ପାଇଁ ଖୋଲାଯାଇ ପୁଣି କାହିଁକି ବନ୍ଦ କରାଗଲା, ତାହା କହିଲେନି । ବର୍ଷେ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି କାହିଁକି ଗଠନ ହୋଇପାରିଲାନି ତାହା କହିଲେନି । ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳା ଦର୍ଶନ କାହିଁକି ହୋଇପାରିନି କହିଲେନି ।
ଜଣେ ଓଡିଆ ଅଧିକାରୀଙ୍କୁ ବାଡ଼େଇବା ଏବଂ ଜୋତାରେ ଛେପ ପକାଇ ଚଟେଇଥିବା ରାଜ୍ୟପାଳଙ୍କ ପୁଅ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ ତାହା ବି ପ୍ରଧାନମନ୍ତ୍ରୀ କହିଲେନି । ଓଡ଼ିଶାରେ ବଢ଼ି ଚାଲିଥିବା ହତ୍ୟା, ଗଣଦୁଷ୍କର୍ମ କିଭଳି ରୋକାଯିବ ସେକଥା କହିଲେନି । ଆୟୁଷ୍ମାନ ଯୋଜନାରେ ଅସୁବିଧାର ସମ୍ମୁଖୀନ ହେଉଥିବା ଲୋକଙ୍କୁ କିଭଳି ସୁବିଧା ପ୍ରଦାନ କରାଯିବ ସେକଥା ବି କହିଲେନି । ୬ ମନ୍ତ୍ରୀପଦ ଖାଲି ଥାଇ, ବୋର୍ଡ, ନିଗମ ପୁନର୍ଗଠନ ନ ହୋଇ, ମହିଳା ଓ ଶିଶୁ ସୁରକ୍ଷା କମିସନ ଗଠନ ନ ହୋଇ, ସରକାରୀ ଓକିଲ ନିଯୁକ୍ତି ନ ହୋଇ ମୋହନ ସରକାରଙ୍କ ସୁଶାସନ ମ୍ୟାଜିକ୍ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଲେନି ।
ସୂଚନାଥାଉକି, ଗତ ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ଯେତେ ଥର ପ୍ରଚାରକୁ ଆସିଥିଲେ, ସବୁଥର ସେଇ ରତ୍ନଭଣ୍ଡାର ଚାବି କଥା ଉଲ୍ଲେଖ କରିଥିଲେ । ରତ୍ନଭଣ୍ଡାର ଡୁପ୍ଲିକେଟ୍ ଚାବି ତାମିଲନାଡୁକୁ ଚୋରି ହୋଇଯାଇଛି ଏବଂ ବିଜେପି କ୍ଷମତାକୁ ଆସିଲେ ଏହି ଚାବି ଖୋଜି ଅଣାଯିବ ବୋଲି ଦୃଢ଼ କଣ୍ଠରେ କହିଥିଲେ । ମାତ୍ର ସେମିତି କିଛି ହେଲା ନାହିଁ । ରତ୍ନଭଣ୍ଡାର ଚାବି କୁଆଡ଼େ ଗଲା ଏ ପର୍ଯ୍ୟନ୍ତ ଜଣାପଡ଼ିଲାନି ।
ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ, ବିଜେଡି ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ପ୍ରବଳ ବର୍ଷିଥିଲେ । ବିଭିନ୍ନ ସଭାରେ ନବୀନ ପଟ୍ଟନାୟକ ଏବଂ ଭି.କେ ପାଣ୍ଡିଆନଙ୍କୁ ନିଶାନା କରିଥିଲେ । କହିଥିଲେ, ବିଜେଡି ସରକାର ପୂରା ମାଫିଆ ଓ ଭ୍ରଷ୍ଟାଚାରୀଙ୍କ ଦ୍ୱାରା କବଳିତ ହୋଇଛି । ବିଜେପି ସରକାର ଆସିଲେ ଏମାନଙ୍କ ଅଣ୍ଟା ଭଙ୍ଗାଯିବ ।
ସେହିଭଳି ଗୃହମନ୍ତ୍ରୀ ଅମିତ ଶାହ ଅତି କଠୋର ଭାଷାରେ ଭ୍ରଷ୍ଟାଚାରୀଙ୍କୁ ଜେଲରେ ପୂରାଯିବ ବୋଲି ଚେତାବନୀ ଦେଇଥିଲେ । ରତ୍ନଭଣ୍ଡାର ଲୁଟେରାଙ୍କୁ ସଜା ଦିଆଯିବ ବୋଲି ପାଣ୍ଡିଆନଙ୍କୁ ଲକ୍ଷ୍ୟ କରି କହିଥିଲେ । ଓଡ଼ିଶାରେ ନିର୍ଦ୍ଦିଷ୍ଟ ଅଣଓଡ଼ିଆ ଅଫିସରମାନଙ୍କ ଭ୍ରଷ୍ଟାଚାରକୁ ନେଇ ବିଜେପି ନେତାମାନେ ତମ୍ବିତୋଫାନ କରିଥିଲେ । ଯେଉଁଥିପାଇଁ ବିଜେପିର ଓଡ଼ିଆ ଅସ୍ମିତା ନାରା ବେଶ୍ ଦାନା ଧରିଥିଲା ।
ବିଡ଼ମ୍ବନା ଯେ ରାଜ୍ୟରେ ବିଜେପି କ୍ଷମତାକୁ ଆସିଥିଲେ ମଧ୍ୟ ପୂର୍ବ ବିଜେଡି ସରକାରର ତଥାକଥିତ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ଭୁଲିଯାଇଛି । ସତେ ଯେମିତି ସେଭଳି କିଛି ହୋଇନାହିଁ । ଓଡ଼ିଆ ଅସ୍ମିତା ବାହୁନି କାନ୍ଦୁଛି । ଖୋଦ୍ ପ୍ରଧାନମନ୍ତ୍ରୀ ତାଙ୍କର ପୂର୍ବ କଥା ଭୁଲିଯାଇଛନ୍ତି ।
ବରଂ ଯେଉଁମାନଙ୍କୁ ଭ୍ରଷ୍ଟାଚାରୀ ଆଖ୍ୟା ଦିଆଯାଇଥିଲା ସେମାନଙ୍କୁ ଡବଲ୍ ଇଞ୍ଜିନ ସରକାର ପୁରସ୍କୃତ କରି ଚାଲିଛନ୍ତି । ତକ୍ରାଳୀନ ବିଜେଡିର ଏଜେଣ୍ଟ କୁହାଯାଉଥିବା ଅଫିସରମାନଙ୍କୁ ପଦୋନ୍ନତି ଦିଆଯାଇ ସସମ୍ମାନେ ରଖାଯାଇଛି । ଯେଉଁ ପାଣ୍ଡିଆନଙ୍କୁ ନେଇ ବିଜେପି ହୁରି ପକଉଥିଲା, ସେହି ପାଣ୍ଡିଆନ ଏବେ ନେପଥ୍ୟରେ ରାଜ୍ୟ ବିଜେପି ସରକାରଙ୍କ ନିୟନ୍ତ୍ରଣକର୍ତ୍ତା ବୋଲି ଓଲଟି ସାଧାରଣରେ ଏକ ବିଶ୍ୱାସ ଜନ୍ମିଛି ।
ମୋହନ ସରକାରଙ୍କ ବର୍ଷ ପୂର୍ତ୍ତି ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଅତି ଚତୁରତାର ସହ ସେହି ପୁରୁଣା ପ୍ରସଙ୍ଗକୁ ଛୁଇଁନାହାନ୍ତି । ସମ୍ଭବତଃ ନିର୍ବାଚନ ପ୍ରଚାର ବେଳେ ଏମିତି କୁହାଯାଏ ବୋଲି ପ୍ରଧାନମନ୍ତ୍ରୀଙ୍କର ହୃଦବୋଧ ହୋଇଥିବ, ନଚେତ୍ ତଥାକଥିତ ମାଫିଆଙ୍କ ଅଣ୍ଟା ଭାଙ୍ଗି ଜେଲ୍ ପୂରାଇବାରେ ଡବଲ ଇଞ୍ଜିନ ସରକାରଙ୍କ ବିଫଳତାକୁ ସେ ସ୍ୱୀକାର କରିଛନ୍ତି ବୋଲି କୁହାଯିବ । ପୂର୍ବରୁ ଯାହା ମୁଁ କହିଥିଲି ସବୁ ଭୁଲି ଯା ବୋଲି ପ୍ରଧାନମନ୍ତ୍ରୀଙ୍କ ଗତକାଲିର ଭାଷଣକୁ ଲକ୍ଷ୍ୟ କରି ଅନେକ କଟାକ୍ଷ କରିଛନ୍ତି ।