ଭୁୁବନେଶ୍ୱର: ବିଜେଡିର ରାଜ୍ୟସଭା ସାଂସଦ ଡ. ସଂତୃପ୍ତ ମିଶ୍ରଙ୍କର ଲଞ୍ଚ ପାର୍ଟିକୁ ନେଇ ଭାରି ଚର୍ଚ୍ଚା । ରବିବାର ଦିନ ହୋଟେଲ ସୂର୍ଯ୍ୟାଂଶଠାରେ ସାମ୍ବାଦିକମାନଙ୍କ ସହ ଇଣ୍ଟରାକ୍ସନ୍ ପ୍ରୋଗ୍ରାମ ଆଳରେ ଏହି ଲଞ୍ଚ ପାର୍ଟିର ଆୟୋଜନ ହୋଇଥିଲା । ସଂସଦର ମୌସୁମୀ ଅଧିବେଶନରେ ଓଡ଼ିଶାର କେଉଁ କେଉଁ ସମସ୍ୟାକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିହେବ ଏବଂ ଓଡ଼ିଶାର ସ୍ୱାର୍ଥ ପାଇଁ କ’ଣ ଉପସ୍ଥାପନ କରାଯାଇପାରିବ ସେ ନେଇ ସାମ୍ବାଦିକମାନଙ୍କଠାରୁ ପରାମର୍ଶ ଲୋଡ଼ିଥିଲେ ଡ. ମିଶ୍ର । ଏହାପରେ ସାମ୍ବାଦିକମାନଙ୍କ ସହ ଲଞ୍ଚ କରିଥିଲେ ବିଜେଡିର ଏହି ନବାଗତ ରାଜ୍ୟସଭା ସାଂସଦ ତଥା ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ।
ରୋଚକ କଥା ହେଉଛି, ସଂସଦର ମୌସୁମୀ ଅଧିବେଶନରେ ଉଠିବାକୁ ଥିବା ଓଡ଼ିଶାର ସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଇଥିଲେ ମଧ୍ୟ ରାଜ୍ୟସଭା ସଂସଦୀୟ ଦଳ ନେତା ମାନସ ମଙ୍ଗରାଜ, ଉପନେତା ଶ୍ରୀମତୀ ସୁଲତା ଦେଓ ଏବଂ ସଦସ୍ୟମାନଙ୍କୁ ସେଠାରେ ଦେଖିବାକୁ ମିଳି ନ ଥିଲା । ବରଂ ସଂତୃପ୍ତଙ୍କ ସହ ଉପସ୍ଥିତ ଥିଲେ ଦଳର ମୁଖପାତ୍ର ଡ. ଲେନିନ୍ ମହାନ୍ତି, ଡ. ପ୍ରିୟବ୍ରତ ମାଝୀ, ତୁମ୍ବନାଥ ପଣ୍ଡା, ମିହିର ରାୟ, ନାରାୟଣ ଜେନା, ବିଜୁ ଯୁବ ଜନତା ଦଳର ସଭାପତି ଚିନ୍ମୟ ସାହୁ, ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ ।
ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦମାନଙ୍କର ଉପସ୍ଥିତି ପ୍ରାସଙ୍ଗିକତା ରଖୁଥିଲା ବେଳେ ସେମାନେ ନ ରହି ସଂଗଠନ ଦାୟିତ୍ୱ ବୁଝୁଥିବା ଉପରୋକ୍ତ ନେତାମାନଙ୍କର ଉପସ୍ଥିତି ଭ୍ରୁକୁଞ୍ଚନ ସୃଷ୍ଟି କରିଛି । ରାଜ୍ୟସଭାରେ ଏମାନଙ୍କର କ’ଣ କାମ ବୋଲି ପ୍ରଶ୍ନ ଉଠିଛି ।
ଆହୁରି ରୋଚକ କଥାଟି ହେଉଛି, ଏହି କାର୍ଯ୍ୟକ୍ରମକୁ ବଛା ବଛା ସାମ୍ବାଦିକମାନଙ୍କୁ ବ୍ୟକ୍ତିଗତ ଭାବେ ୪ ଦିନ ଆଗରୁ ଫୋନ୍ ଯୋଗେ ଆମନ୍ତ୍ରଣ କରାଯାଇଥିଲା । ବିଜେଡି ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଲେନିନ୍ ମହାନ୍ତି ଏବଂ ମୁଖପାତ୍ର ପ୍ରିୟବ୍ରତ ମାଝୀ ଏହି ଦାୟିତ୍ୱ ବୁଝିଥିଲେ । ଶେଷରେ କ’ଣ ହେଲା କେଜାଣି ବାହାଘର ଭୋଜି ନିମନ୍ତ୍ରଣ କାର୍ଡ ଭଳି ଏକ ନିମନ୍ତ୍ରଣ କାର୍ଡ ପ୍ରସ୍ତୁତ କରାଯାଇ ବିଜେଡି ମିଡିଆ ସେଲ୍ ହ୍ୱାଟସ୍ ଆପ୍ ଗ୍ରୁପ୍ ରେ ଛାଡ଼ି ଦିଆଗଲା । ତାହା ପୁଣି ଥରେ ନୁହେଁ, ତିନି ତିନି ଥର ।
ସୁତରାଂ ଉକ୍ତ ଗ୍ରୁପ୍ ରେ ଥିବା ସମସ୍ତ ସାମ୍ବାଦିକମାନେ ସଂତୃପ୍ତ ମିଶ୍ରଙ୍କ ଇଣ୍ଟରାକ୍ସନ୍ ପ୍ରୋଗ୍ରାମରେ ଯୋଗଦେବାକୁ ନିମନ୍ତ୍ରଣ ଦିଆଯାଇଥିଲା । ଅପରାହ୍ନ ୧.୩୦ ପରଠୁ ଲଞ୍ଚ ଟାଇମ୍ ବୋଲି ଉଲ୍ଲେଖ କରିବାକୁ ମଧ୍ୟ ଭୁଲି ନ ଥିଲା ବିଜେଡି ମିଡିଆ ସେଲ୍ ।
ବିଜେଡି ମିଡିଆ ସେଲ୍ ର ଏଭଳି କାର୍ଯ୍ୟକୁ ଅନେକ ସାମ୍ବାଦିକ ଅମର୍ଯ୍ୟାଦା ଭାବି ସେଠାକୁ ଯାଇ ନ ଥିଲେ । ଏହାକୁ ଅପମାନ ଭାବି ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ ଯାହା ହେଉ, ସଂତୃପ୍ତ ମିଶ୍ରଙ୍କ ସହ କଥା ହେବାର ସୁଯୋଗ ପାଇ କିଛି ଯୁବ ସାମ୍ବାଦିକ ନିଜକୁ ଗୌରବାନ୍ୱିତ ମନେ କରିଛନ୍ତି । ସଂତୃପ୍ତଙ୍କର ଏଭଳି ନିଆରା ଉଦ୍ୟମକୁ ସେଠାରେ ଉପସ୍ଥିତ ଅନେକ ସାମ୍ବାଦିକ ଭୂୟସୀ ପ୍ରଶଂସା କରିଥିଲେ ।
ଶେଷ ରୋଚକ କଥାଟି ହେଉଛି, ବିଜେଡି ମିଡିଆ ସେଲ୍ ପକ୍ଷରୁ ଏହି କାର୍ଯ୍ୟକ୍ରମର ପ୍ରେସ୍ ରିଲିଜ୍ ଦିଆଯାଇଥିଲା । ମାତ୍ର କିଛି ସମୟ ପରେ ତାକୁ ଡିଲିଟ୍ କରିଦିଆଯାଇଛି । କାହିଁକି ଏମିତି କରାଗଲା ବୋଲି ସାମ୍ବାଦିକମାନେ ପରଷ୍ପର ଭିତରେ ପଚରା ଉଚୁରା ହେଉଛନ୍ତି ।