ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ-ଏପ୍ରିଲ୍ ରେ ହେବାକୁ ଅଛି ଆମ ରାଜ୍ୟର ପଞ୍ଚାୟତ ଓ ପୌର ନିର୍ବାଚନ । ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି କାର୍ଯ୍ୟ ଶେଷ ହେବା ଉପରେ । ଫେବ୍ରୁଆରୀ ୧୦ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବାକୁ ଯାଉଛି । ତେବେ ଡବଲ୍ ଇଞ୍ଜିନ୍ ସରକାରଙ୍କର ଅବସ୍ଥା ଯାହା ସେଥିରେ ଯେ ପଞ୍ଚାୟତ ନିର୍ବାଚନ କରିବାକୁ ଚାହିଁବେ ତାକୁ ନେଇ ଆଶଙ୍କା ଥିଲା । ଏବେ ତାହା ଦୁଇଗୁଣା ହୋଇଯାଇଛି । କାରଣ ହେଉଛି, ରାଜସ୍ଥାନ ପଞ୍ଚାୟତ ଓ ପୌର ନିର୍ବାଚନ ରେଜଲ୍ଟ । ବିଜେପି ଶାସିତ ସେହି ରାଜ୍ୟରେ ଦଳ ଗୁରୁଣ୍ଡିଛି । ବିଜେପିକୁ ପଛରେ ପକାଇ ଦେଇଛି କଂଗ୍ରେସ । ଏପରିକି ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କଠାରୁ ଆରମ୍ଭ କରି ଅନେକ ମନ୍ତ୍ରୀଙ୍କ ପ୍ରଭାବ ଥିବା ଅଞ୍ଚଳରେ ବିଜେପି ମାଟି କାମୁଡ଼ିଛି । ଡବଲ୍ ଇଞ୍ଜିନ୍ ର ସେଠା ହାଲତ୍ ଦେଖି ଏଠା(ଓଡ଼ିଶା) ଡବଲ୍ ଇଞ୍ଜିନ୍ ର ପିଳେହି ପାଣି ହେବା ସ୍ୱାଭାବିକ । ସେଥିପାଇଁ ପଞ୍ଚାୟତ ନିର୍ବାଚନ ହେବା ନେଇ ସଂଶୟ ସୃଷ୍ଟି ହୋଇଛି । କାଦୁଅକୁ ଯିବେନି କି ଗୋଡ଼ ଧୋଇବେନି ବୋଲି ଚର୍ଚ୍ଚା ଜୋର୍ ଧରିଲାଣି ।
ରାଜସ୍ଥାନ ପଞ୍ଚାୟତ ଓ ପୌର ନିର୍ବାଚନରେ କଂଗ୍ରେସ ଶାସକ ଦଳ ବିଜେପିଠାରୁ ୧୨ ଲକ୍ଷ ୯୭ ହଜାର ଅଧିକ ଭୋଟ ପାଇଛି । ପୌର ନିର୍ବାଚନରେ ବିଜେପି କଂଗ୍ରେସଠାରୁ ୯୮ ହଜାର ଅଧିକ ଭୋଟ ପାଇଥିଲେ ମଧ୍ୟ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ୧୩.୩୦ ଲକ୍ଷ ଅଧିକ ଭୋଟ ପାଇ ନିଜର ସ୍ଥିତି ସୁଦୃଢ଼ କରିଛି । ଏହି ନିର୍ବାଚନର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଯେ ଆଞ୍ଚଳିକ ଦଳଗୁଡ଼ିକର ପ୍ରଭାବ ବିସ୍ତାର । ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି(ଆରଏଲପି) ଏବଂ ଭାରତ ଆଦିବାସୀ ପାର୍ଟି(ବିଏପି) ସପକ୍ଷରେ ଯାଇଛି ୨୫ ଲକ୍ଷ ଭୋଟ୍ ।
ପଞ୍ଚାୟତ ନିର୍ବାଚନରେ ୩୭ଟି ଜିଲ୍ଲାରୁ ୨ କୋଟି ୭୩ ଲକ୍ଷ ଭୋଟର ଭୋଟ ଦେଇଥିଲା ବେଳେ ପୌର ନିର୍ବାଚନରେ ୧ କୋଟି ୬ ଲକ୍ଷ ୮୨ ହଜାର ୨୯୪ ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିଥିଲେ । ଉଭୟ ପଞ୍ଚାୟତ ଓ ପୋ÷ର ନିର୍ବାଚନକୁ ମିଶାଇଲେ ବିଜେପିଠାରୁ କଂଗ୍ରେସ ୩.୫ ପ୍ରତିଶତ ଅଧିକ ଭୋଟ ପାଇଛି ।
ୱାନ୍ ଷ୍ଟେଟ୍, ୱାନ୍ ଇଲେକ୍ସନ୍ ଢ଼ାଞ୍ଚାରେ ପ୍ରଥମ ଥର ପାଇଁ ୪୧ ଯାକ ଜିଲ୍ଲା ପରିଷଦ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଫଳାଫଳ ଶାସକ ଦଳକୁ ଶକ୍ତ ଧକ୍କା ଦେଇଛି । ଘୋଷଣା ହୋଇଥିବା ୩୭ ଜିଲ୍ଲା ପରିଷଦରୁ କଂଗ୍ରେସ ୨୪ ରୁ ଅଧିକ ଆସନରେ ବିଜୟୀ ହୋଇଥିଲା ବେଳେ ବିଜେପି ୬ଟି ଆସନରେ ଆଗୁଆ ଅଛି ।
ଜିଲ୍ଲା ପରିଷଦ ନିର୍ବାଚନର ୱାର୍ଡସ୍ତରୀୟ ଦେଖିଲେ ସମୁଦାୟ ୧୨୭୫ ୱାର୍ଡରୁ କଂଗ୍ରେସକୁ ୭୪୭ ଆସନ ମିଳିଥିବା ବେଳେ ବିଜେପିକୁ ୩୪୯ ଆସନ ମିଳିଛି । ସେହିଭଳି ପଞ୍ଚାୟତ ସମିତି ନିର୍ବାଚନରେ ସମୁଦାୟ ୭୫୪୩ ୱାର୍ଡରୁ କଂଗ୍ରେସକୁ ୩୭୫୮ଆସନ ମିଳିଥିବା ବେଳେ ବିଜେପିକୁ ମିଳିଛି ୨୨୧୩ ଆସନ । ଅବଶିଷ୍ଟ ଆସନରେ ଆଞ୍ଚଳିକ ଦଳ ଓ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।
ରାଜସ୍ଥାନ ପଞ୍ଚାୟତ ନିର୍ବାଚନ ଫଳାଫଳ ଉପରେ ବିଜେଡି ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ପ୍ରତିକ୍ରିୟା ରଖିଛି । ବିଜେପି ସରକାର ପ୍ରତି ଜନଅସନ୍ତୋଷ ବୃଦ୍ଧି ପାଉଥିବାର ଏହା ସଙ୍କେତ ବୋଲି ଦଳ ପକ୍ଷରୁ କୁହାଯାଇଛି ।
ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ଉପସଭାପତି ପ୍ରତାପ ଜେନା କହିଛନ୍ତି ଯେ ମିଛ କହି ଭୋଟ ନେଉଥିବାରୁ ବିଜେପି ପ୍ରତି ଭୋଟର ମୁହଁ ଫେରାଇ ନେଉଛନ୍ତି । ତେଣୁ ରାଜସ୍ଥାନ ପଞ୍ଚାୟତ ନିର୍ବାଚନରେ ବିଜେପିକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଏହି ଜନାଦେଶ ବିଜେପି ପାଇଁ ଏକ ବଡ଼ ରାଜନୈତିକ ଧକ୍କା ସଦୃଶ୍ୟ ।
ରାଜସ୍ଥାନରେ ଏଭଳି ନିର୍ବାଚନୀ ଫଳାଫଳ ଦେଖି ଓଡ଼ିଶାର ବିଜେପି ସରକାର ମଧ୍ୟ ଆଗାମୀ ପଞ୍ଚାୟତ ନିର୍ବାଚନକୁ ବିଳମ୍ୱ କରିବାକୁ ଉଦ୍ୟମ କରିପାରନ୍ତି । ବିଜେପି ସରକାର ତୁରନ୍ତ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ଠିକ୍ ସମୟରେ କରନ୍ତୁ । ଯାହାଦ୍ୱାରା ତୃଣମୂଳ ସ୍ତରରେ ଗଣତନ୍ତ୍ରର ସୁରକ୍ଷା ଓ ସୁଦୃଢ଼ୀକରଣ ହୋଇପାରିବ ବୋଲି ସେ କହିଛନ୍ତି ।