Saturday, November 7, 2026 10:47 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଦୀପାବଳି, ମୁହୂର୍ତ୍ତ ସେୟାର ଟ୍ରେଡିଂ ଓ ନୂଆ ନିବେଶର ସଂକଳ୍ପ!

by Gopal Sahu
07 Nov, 2026- 08:22 PM
in Business & Economy, Latest News, News
1 min read
0
ଦୀପାବଳି, ମୁହୂର୍ତ୍ତ ସେୟାର ଟ୍ରେଡିଂ ଓ ନୂଆ ନିବେଶର ସଂକଳ୍ପ!

ଦୀପାବଳି କେବଳ ଆଲୋକର ପର୍ବ ନୁହେଁ, ଏହା ସମୃଦ୍ଧି, ଶୁଭାରମ୍ଭ, ଆଶା ଓ ନୂତନ ସଂକଳ୍ପର ମହାପର୍ବ। ଜଗତଜନନୀ ମା’ ମହାଲକ୍ଷ୍ମୀଙ୍କ ଆରାଧନା ସହିତ ଏହି ପର୍ବ ଭାରତୀୟ ବ୍ୟବସାୟ ଓ ଅର୍ଥନୈତିକ ଜୀବନରେ ମଧ୍ୟ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଆସୁଛି। ବିଶେଷକରି ଭାରତୀୟ ସେୟାର ବଜାରରେ ଦୀପାବଳିର ମହତ୍ତ୍ୱ ଆହୁରି ନିଆରା। ଏହି ଦିନ ଆୟୋଜିତ ହେଉଥିବା ସ୍ୱତନ୍ତ୍ର ସେୟାର କାରବାର ଅଧିବେଶନକୁ ଆମେ ‘ମୁହୂର୍ତ୍ତ ଟ୍ରେଡିଂ’ ବା Muhurat Trading ଭାବେ ଜାଣୁ।

ସେୟାର ବଜାର ସହିତ ସାମାନ୍ୟ ସମ୍ପର୍କ ରଖୁଥିବା ନିବେଶକମାନେ ମଧ୍ୟ ଏହି ପରମ୍ପରା ସହିତ ପରିଚିତ ଥିବେ। ପ୍ରତିବର୍ଷ ଦୀପାବଳି ଅବସରରେ ଭାରତର ପ୍ରମୁଖ ଷ୍ଟକ୍ ଏକ୍ସଚେଞ୍ଜ BSE ଓ NSE ଏକ ସ୍ୱତନ୍ତ୍ର ସମୟ ପାଇଁ କାରବାର ନିମନ୍ତେ ଖୋଲାଯାଏ। ନିବେଶକମାନେ ଏହି ଶୁଭ ଅବସରରେ ପ୍ରତୀକାତ୍ମକ ଭାବରେ କିଛି ସେୟାର କିଣି ନୂଆ ଆର୍ଥିକ ବର୍ଷର ଶୁଭାରମ୍ଭ କରନ୍ତି। ଏହା କେବଳ କିଣାବିକାର ଏକ ଅଧିବେଶନ ନୁହେଁ, ବରଂ ଧନ ସଞ୍ଚୟ ଓ ସମୃଦ୍ଧି ପାଇଁ ଏକ ଶୁଭ ସଂକଳ୍ପର ପ୍ରତୀକ।

ଚଳିତ ୨୦୨୬ ମସିହାରେ ମଧ୍ୟ ନଭେମ୍ବର ୮ ତାରିଖ ରବିବାର ଦିନ ‘ମୁହୂର୍ତ୍ତ ଟ୍ରେଡିଂ’ ଅନୁଷ୍ଠିତ ହେବ। NSE ଓ BSEର ଘୋଷିତ ସୂଚୀ ଅନୁସାରେ ପ୍ରି-ଓପନ୍ ଅଧିବେଶନ ଅପରାହ୍ନ ୨ଟା ୦୫ରୁ ୨ଟା ୨୦ ଏବଂ ନିୟମିତ କାରବାର ଅପରାହ୍ନ ୨ଟା ୨୦ରୁ ୩ଟା ୩୦ ପର୍ଯ୍ୟନ୍ତ ଚାଲିବ। ଅର୍ଥାତ୍ ମୁଖ୍ୟ କାରବାର ପାଇଁ ନିବେଶକଙ୍କୁ ମିଳିବ ୭୦ ମିନିଟ୍ର ସ୍ୱତନ୍ତ୍ର ସୁଯୋଗ।

ବରଗଛ ତଳୁ ଆରମ୍ଭ ହୋଇଥିବା ଏକ ଐତିହାସିକ ଯାତ୍ରା:

ଭାରତୀୟ ସେୟାର ବଜାରର ଇତିହାସ ଅତ୍ୟନ୍ତ ରୋଚକ। ୧୮୫୦ ମସିହାରେ ମୁମ୍ବାଇର ଟାଉନ୍ ହଲ୍ ସମ୍ମୁଖସ୍ଥ ଏକ ବିଶାଳ ବରଗଛ ତଳେ କେତେଜଣ ଦଲାଲ୍ ସେୟାର ଓ ସରକାରୀ ସିକ୍ୟୁରିଟି କାରବାର କରୁଥିଲେ। ଆମେରିକାର ଗୃହଯୁଦ୍ଧ (୧୮୬୧-୧୮୬୫) ଯୋଗୁଁ ଆମେରିକାରୁ ୟୁରୋପକୁ କପା ଯୋଗାଣ ବାଧାପ୍ରାପ୍ତ ହେଲା। ଏହାର ପ୍ରଭାବରେ ଭାରତୀୟ କପା ବ୍ୟବସାୟ, ବିଶେଷକରି ମୁମ୍ବାଇରେ, ଅଭୂତପୂର୍ବ ଗତି ପାଇଲା। ଫଳରେ ସେହି ବରଗଛ ତଳେ କାରବାର କରୁଥିବା ଦଲାଲଙ୍କ ସଂଖ୍ୟା ମଧ୍ୟ ବଢ଼ିଲା।

ଶେଷରେ ୧୮୭୫ ମସିହାରେ ଏହି ଦଲାଲମାନଙ୍କ ମଧ୍ୟରୁ ୨୦ରୁ ଅଧିକ ଜଣ ଏକତ୍ରିତ ହୋଇ ‘ନେଟିଭ୍ ସେୟାର ଆଣ୍ଡ ଷ୍ଟକ୍ ବ୍ରୋକର୍ସ ଆସୋସିଏସନ୍’ ଗଠନ କଲେ। ଏହା ହିଁ ପରବର୍ତ୍ତୀ ସମୟରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ବା BSE ଭାବରେ ପରିଚିତ ହେଲା। ଏହି ଐତିହାସିକ ଯାତ୍ରା ଭାରତର ଆଧୁନିକ ପୁଞ୍ଜି ବଜାରର ମୂଳଦୁଆ ପକାଇଥିଲା।

ଦୀପାବଳିରେ ଔପଚାରିକ ମୁହୂର୍ତ୍ତ ଟ୍ରେଡିଂର ପରମ୍ପରା BSEରେ ୧୯୫୨ ମସିହାରୁ ଚାଲିଆସୁଛି। ପରବର୍ତ୍ତୀ ସମୟରେ ୧୯୯୨ ମସିହାରେ NSE ମଧ୍ୟ ଏହି ପରମ୍ପରାକୁ ଆପଣାଇଥିଲା। ଆଜି ଏହା ଭାରତୀୟ ପୁଞ୍ଜି ବଜାରର ଏକ ଅବିଚ୍ଛେଦ୍ୟ ସାଂସ୍କୃତିକ ଓ ଆର୍ଥିକ ପରମ୍ପରାରେ ପରିଣତ ହୋଇଛି।

ହିସାବ ଖାତାରୁ ଡିମାଟ୍ ଆକାଉଣ୍ଟ ପର୍ଯ୍ୟନ୍ତ:

ଦୀପାବଳିରେ ନୂଆ ହିସାବ ଖାତା ଖୋଲିବାର ପରମ୍ପରା ଭାରତୀୟ ବ୍ୟବସାୟୀ ସମାଜରେ ବହୁ ପୁରାତନ। ବିଶେଷକରି ଗୁଜରାଟୀ ବ୍ୟବସାୟୀ ସମ୍ପ୍ରଦାୟରେ ଏହାର ସ୍ୱତନ୍ତ୍ର ମହତ୍ତ୍ୱ ରହିଛି। ପୁରୁଣା ହିସାବ ଖାତାର ସମାପ୍ତି କରି ନୂଆ ଖାତା ଖୋଲିବା ସହିତ ମା’ ଲକ୍ଷ୍ମୀ ଓ ଗଣେଶଙ୍କ ପୂଜା କରାଯାଏ। ନୂଆ ଖାତାର ପ୍ରଥମ ପୃଷ୍ଠାରେ ଲେଖାଯାଏ ‘ଶୁଭ-ଲାଭ’। ଏହା କେବଳ ଅକ୍ଷର ଦୁଇଟି ନୁହେଁ, ବରଂ ନ୍ୟାୟସଙ୍ଗତ ଉପାୟରେ ଅର୍ଜିତ ସମୃଦ୍ଧିର ଏକ ମଙ୍ଗଳମୟ ଆକାଂକ୍ଷା।

ଆମ ଓଡ଼ିଶାରେ ମଧ୍ୟ କଉଳିକ ବ୍ୟବସାୟୀମାନେ ବଂଶାନୁକ୍ରମେ ଏହି ପରମ୍ପରା ପାଳନ କରିଆସୁଛନ୍ତି। ବର୍ଷକର ଆର୍ଥିକ ହିସାବ ମେଣ୍ଟାଇ ନୂଆ ଖାତା ଖୋଲିବା, ପୁରୁଣା ଦେଣନେଣର ସମୀକ୍ଷା କରିବା ଏବଂ ନୂଆ ଆର୍ଥିକ ଯୋଜନା କରିବା ଏହି ପରମ୍ପରାର ମୁଖ୍ୟ ଉଦ୍ଦେଶ୍ୟ।

ଆଜି ସମୟ ବଦଳିଛି। କାଗଜ ଖାତାର ସ୍ଥାନ ନେଇଛି କମ୍ପ୍ୟୁଟର, ମୋବାଇଲ୍ ଆପ୍ ଓ ଡିମାଟ୍ ଆକାଉଣ୍ଟ। ତଥାପି ମୂଳ ଉଦ୍ଦେଶ୍ୟ ବଦଳିନାହିଁ। ଆଜିର ନିବେଶକଙ୍କ ପାଇଁ ମଧ୍ୟ ଦୀପାବଳି ହେଉଛି ନିଜର ପୁରୁଣା ନିବେଶର ହିସାବ ନିକାଶ କରିବା, ଅଣଲାଭକାରୀ ଓ ଅନାବଶ୍ୟକ ନିବେଶର ସମୀକ୍ଷା କରିବା ଏବଂ ଆଗାମୀ ବର୍ଷ ପାଇଁ ଏକ ସୁସ୍ପଷ୍ଟ ନିବେଶ ଯୋଜନା ପ୍ରସ୍ତୁତ କରିବାର ଶୁଭ ଅବସର।

ସେୟାର ବଜାର: କେବଳ ଧନୀଙ୍କ ପାଇଁ ନୁହେଁ, ସାଧାରଣ ଲୋକଙ୍କ ପାଇଁ ମଧ୍ୟ ସୁଯୋଗ:

ଏକଦା ସେୟାର ବଜାରକୁ ଧନୀ ବ୍ୟବସାୟୀ, ବଡ଼ ଶିଳ୍ପପତି ଓ ଆର୍ଥିକ ପ୍ରତିଷ୍ଠାନମାନଙ୍କର ଏକଚାଟିଆ କ୍ଷେତ୍ର ବୋଲି ବିବେଚନା କରାଯାଉଥିଲା। କିନ୍ତୁ ଡିଜିଟାଲ୍ ଯୁଗରେ ଏହି ଧାରଣା ବଦଳିଯାଇଛି। ଆଜି ଏକ ସ୍ମାର୍ଟଫୋନ୍, ଡିମାଟ୍ ଆକାଉଣ୍ଟ ଓ ଅଳ୍ପ ପୁଞ୍ଜି ମାଧ୍ୟମରେ ଜଣେ ସାଧାରଣ ଚାକିରିଆ, ଛୋଟ ବ୍ୟବସାୟୀ, ଗୃହିଣୀ କିମ୍ବା ଯୁବକ ମଧ୍ୟ ଦେଶର ବଡ଼ ବଡ଼ କମ୍ପାନୀର ଅଂଶୀଦାର ହେବାର ସୁଯୋଗ ପାଇପାରୁଛନ୍ତି।

ଏହାର ପ୍ରମାଣ ହେଉଛି ଭାରତୀୟ ପୁଞ୍ଜି ବଜାରରେ ନିବେଶକଙ୍କ ବୃଦ୍ଧି। NSEର ଫେବୃଆରୀ ୨୦୨୬ର ତଥ୍ୟ ଅନୁସାରେ, ଏହାରେ ମୋଟ ଟ୍ରେଡିଂ ଆକାଉଣ୍ଟ ସଂଖ୍ୟା ୨୫ କୋଟି ଅତିକ୍ରମ କରିଛି ଏବଂ ସ୍ୱତନ୍ତ୍ର ପଞ୍ଜୀକୃତ ନିବେଶକଙ୍କ ସଂଖ୍ୟା ପ୍ରାୟ ୧୨.୭ କୋଟିରେ ପହଞ୍ଚିଛି। ଏହି ସଂଖ୍ୟା ପ୍ରମାଣ କରୁଛି ଯେ ଭାରତରେ ପୁଞ୍ଜି ବଜାର ଧୀରେ ଧୀରେ ସାଧାରଣ ପରିବାରର ଆର୍ଥିକ ଯୋଜନାର ଅଂଶବିଶେଷ ହେବାରେ ଲାଗିଛି।

ଏଠାରେ ଆଉ ଏକ ଉଲ୍ଲେଖନୀୟ ଦିଗ ହେଉଛି Systematic Investment Plan ବା SIP। ଯେଉଁମାନେ ସିଧାସଳଖ ସେୟାର କିଣିବାକୁ ଚାହୁଁନାହାନ୍ତି କିମ୍ବା କମ୍ପାନୀଗୁଡ଼ିକର ଆର୍ଥିକ ତଥ୍ୟ ବିଶ୍ଳେଷଣ କରିବାର ଅଭିଜ୍ଞତା ନାହିଁ, ସେମାନେ ମ୍ୟୁଚୁଆଲ୍ ଫଣ୍ଡ ମାଧ୍ୟମରେ ମଧ୍ୟ ପୁଞ୍ଜି ବଜାରରେ ପରୋକ୍ଷ ଭାବରେ ନିବେଶ କରିପାରିବେ।

NSEର ତଥ୍ୟ ଅନୁସାରେ, ୨୦୨୫-୨୬ ଆର୍ଥିକ ବର୍ଷରେ ପ୍ରାୟ ୭.୨ କୋଟି ନୂଆ SIP ଆକାଉଣ୍ଟ ଖୋଲାଯାଇଥିଲା। ମାସିକ ହାରାହାରି SIP ନିବେଶ ପରିମାଣ ମଧ୍ୟ ପ୍ରାୟ ୨୯,୧୩୨ କୋଟି ଟଙ୍କାରେ ପହଞ୍ଚିଥିଲା। ଏହା ଦର୍ଶାଉଛି ଯେ ଲୋକମାନେ ଏକକାଳୀନ ବଡ଼ ରାଶି ନିବେଶ କରିବା ପରିବର୍ତ୍ତେ ନିୟମିତ ଭାବରେ ଛୋଟ ଛୋଟ ରାଶି ସଞ୍ଚୟ ଓ ନିବେଶ କରିବାକୁ ଆଗ୍ରହୀ ହେଉଛନ୍ତି।

ଛୋଟ ନିବେଶ, ଦୀର୍ଘମିଆଦୀ ଲକ୍ଷ୍ୟ ଓ ଚକ୍ରବୃଦ୍ଧିର ଶକ୍ତି:

ନିବେଶ କ୍ଷେତ୍ରରେ ଅନେକଙ୍କର ଏକ ବଡ଼ ଭୁଲ୍ ଧାରଣା ହେଉଛି ଯେ ବହୁତ ଟଙ୍କା ନଥିଲେ ସେୟାର ବଜାରରେ ନିବେଶ କରିବା ସମ୍ଭବ ନୁହେଁ। ବାସ୍ତବରେ ନିବେଶର ସଫଳତା କେବଳ ପ୍ରାରମ୍ଭିକ ପୁଞ୍ଜି ଉପରେ ନୁହେଁ, ବରଂ ନିୟମିତତା, ଧୈର୍ଯ୍ୟ, ସଠିକ୍ ଯୋଜନା ଓ ଦୀର୍ଘମିଆଦୀ ଦୃଷ୍ଟିକୋଣ ଉପରେ ନିର୍ଭର କରେ।

ଧରନ୍ତୁ, ଜଣେ ବ୍ୟକ୍ତି ପ୍ରତି ମାସରେ ମାତ୍ର ୨,୦୦୦ ଟଙ୍କା ନିବେଶ କରିବାକୁ ସଂକଳ୍ପ ନେଲେ। ୨୦ ବର୍ଷରେ ତାଙ୍କର ମୋଟ ନିଜସ୍ୱ ନିବେଶ ହେବ ୪.୮୦ ଲକ୍ଷ ଟଙ୍କା। ଯଦି ଉଦାହରଣ ସ୍ୱରୂପ ବାର୍ଷିକ ୧୨ ପ୍ରତିଶତ ହାରାହାରି ରିଟର୍ଣ୍ଣ ମିଳେ, ତେବେ ଚକ୍ରବୃଦ୍ଧି ପ୍ରଭାବରେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧୯.୮ ଲକ୍ଷ ଟଙ୍କା ହୋଇପାରେ।

ଏହା କେବଳ ଏକ ଗାଣିତିକ ଉଦାହରଣ, ନିଶ୍ଚିତ ଲାଭର ପ୍ରତିଶ୍ରୁତି ନୁହେଁ। ବଜାରର ପ୍ରକୃତ ରିଟର୍ଣ୍ଣ ପରିବର୍ତ୍ତନଶୀଳ ଏବଂ ନିବେଶର ମୂଲ୍ୟ କମିବାର ଆଶଙ୍କା ମଧ୍ୟ ରହିଛି।

ତଥାପି ଏହାର ମୂଳ ଶିକ୍ଷା ହେଉଛି, ଆଜିର ଛୋଟ ସଞ୍ଚୟ ଆସନ୍ତାକାଲିର ବଡ଼ ଆର୍ଥିକ ସମ୍ପତ୍ତିର ଆଧାର ହୋଇପାରେ।

ନୂଆ ନିବେଶକ କେଉଁଠାରୁ ଆରମ୍ଭ କରିବେ?

ଯେଉଁମାନେ ଏପର୍ଯ୍ୟନ୍ତ ସେୟାର ବଜାରରେ ପାଦ ରଖିନାହାନ୍ତି, ସେମାନଙ୍କ ପାଇଁ ଦୀପାବଳି ଏକ ନୂଆ ସଂକଳ୍ପ ନେବାର ସୁଯୋଗ ହୋଇପାରେ। କିନ୍ତୁ ପ୍ରଥମ ପଦକ୍ଷେପଟି ହେବା ଉଚିତ୍ ଜ୍ଞାନ ଆହରଣ, ଅନ୍ଧାନୁକରଣ ନୁହେଁ।

● ପ୍ରଥମେ ଶିଖନ୍ତୁ: ସେୟାର, ଡିମାଟ୍ ଆକାଉଣ୍ଟ, ମ୍ୟୁଚୁଆଲ୍ ଫଣ୍ଡ, ଇଣ୍ଡେକ୍ସ ଫଣ୍ଡ ଓ SIP ବିଷୟରେ ମୌଳିକ ଜ୍ଞାନ ହାସଲ କରନ୍ତୁ।
● ଛୋଟରୁ ଆରମ୍ଭ କରନ୍ତୁ: ନିଜର ଆୟ, ଖର୍ଚ୍ଚ ଓ ଦାୟିତ୍ୱକୁ ବିଚାର କରି ଏକ ନିର୍ଦ୍ଦିଷ୍ଟ ରାଶି ନିବେଶ ପାଇଁ ସ୍ଥିର କରନ୍ତୁ।
● ନିଜର ଲକ୍ଷ୍ୟ ନିର୍ଦ୍ଧାରଣ କରନ୍ତୁ: ସନ୍ତାନଙ୍କ ଉଚ୍ଚଶିକ୍ଷା, ନିଜ ଘର, ଅବସରକାଳୀନ ଜୀବନ କିମ୍ବା ଦୀର୍ଘମିଆଦୀ ସମ୍ପତ୍ତି ସୃଷ୍ଟି ପାଇଁ ଯୋଜନା କରନ୍ତୁ।
● ବିବିଧତା ରଖନ୍ତୁ: ସମସ୍ତ ଟଙ୍କା ଗୋଟିଏ କମ୍ପାନୀ କିମ୍ବା ଗୋଟିଏ ନିବେଶ ମାଧ୍ୟମରେ ରଖନ୍ତୁ ନାହିଁ।
● ନିୟମିତ ସମୀକ୍ଷା କରନ୍ତୁ: ନିଜର ନିବେଶ ପୋର୍ଟଫୋଲିଓକୁ ସମୟାନୁସାରେ ଯାଞ୍ଚ କରନ୍ତୁ।

ଯେଉଁମାନେ ସେୟାର ବଜାର ବିଷୟରେ ଅଧିକ ଜାଣିନାହାନ୍ତି, ସେମାନେ ନିଜ ଆବଶ୍ୟକତା ଓ ରିସ୍କ ନେବାର କ୍ଷମତା ଅନୁସାରେ ମ୍ୟୁଚୁଆଲ୍ ଫଣ୍ଡ ଭଳି ନିବେଶ ମାଧ୍ୟମକୁ ବୁଝିପାରିବେ। ଆବଶ୍ୟକତା ଅନୁସାରେ SEBI ପଞ୍ଜୀକୃତ ନିବେଶ ପରାମର୍ଶଦାତାଙ୍କ ସହାୟତା ମଧ୍ୟ ନିଆଯାଇପାରେ।

ମୁହୂର୍ତ୍ତ ଟ୍ରେଡିଂ: ଶୁଭ ମୁହୂର୍ତ୍ତ ନା ଅନ୍ଧା ନିବେଶ?

ଏଠାରେ ଏକ ବିଷୟକୁ ବିଶେଷ ଗୁରୁତ୍ୱ ଦେବା ଆବଶ୍ୟକ। ମୁହୂର୍ତ୍ତ ଟ୍ରେଡିଂ ଏକ ଶୁଭ ପରମ୍ପରା ହୋଇପାରେ, କିନ୍ତୁ ଏହା ଲାଭର କୌଣସି ଗ୍ୟାରେଣ୍ଟି ନୁହେଁ। କେବଳ ଦୀପାବଳି ବୋଲି ଯେକୌଣସି ସେୟାର କିଣିଦେବା ବୁଦ୍ଧିମାନ ନିବେଶର ପରିଚୟ ନୁହେଁ।

କେଉଁ କମ୍ପାନୀରେ ନିବେଶ କରୁଛନ୍ତି, ତାହାର ବ୍ୟବସାୟ କ’ଣ, ଆର୍ଥିକ ସ୍ଥିତି କିପରି, ଋଣ ପରିମାଣ କେତେ, ଭବିଷ୍ୟତରେ ବିକାଶର ସମ୍ଭାବନା କେତେ ଏବଂ ବର୍ତ୍ତମାନର ସେୟାର ମୂଲ୍ୟ ଯୁକ୍ତିସଙ୍ଗତ କି ନୁହେଁ, ଏସବୁ ବିଷୟରେ ଅନୁଧ୍ୟାନ କରିବା ଆବଶ୍ୟକ।

ବିଶେଷକରି ନୂଆ ନିବେଶକମାନେ ସୋସିଆଲ୍ ମିଡିଆରେ ମିଳୁଥିବା ଟିପ୍ସ, ଅବାସ୍ତବ ଲାଭର ପ୍ରତିଶ୍ରୁତି, ଅଜଣା ବ୍ୟକ୍ତିଙ୍କ ନିବେଶ ପରାମର୍ଶ ଏବଂ ଅତ୍ୟଧିକ ଲାଭଖୋର ଦେଖାଯାଉଥିବା ଇଣ୍ଟ୍ରାଡେ ଓ F&O କାରବାରରୁ ସତର୍କ ରହିବା ଆବଶ୍ୟକ। ସେୟାର ବଜାର ନିୟାମକ SEBI ମଧ୍ୟ ନିବେଶକମାନଙ୍କୁ ଋଣ କରି ନିବେଶ ନ କରିବା, ଅଣପଞ୍ଜୀକୃତ ମଧ୍ୟସ୍ଥିଙ୍କଠାରୁ ଦୂରେଇ ରହିବା ଏବଂ ଅଯାଚିତ ଷ୍ଟକ୍ ଟିପ୍ସ ଉପରେ ନିର୍ଭର ନ କରିବାକୁ ବାରମ୍ବାର ପରାମର୍ଶ ଦେଇ ଆସୁଛି।

ମନେ ରଖିବା ଉଚିତ୍, ସେୟାର ବଜାର ଏକ ଜୁଆଖେଳ ନୁହେଁ, ଏହା ହେଉଛି ଦେଶର ଶିଳ୍ପ, ବ୍ୟବସାୟ ଓ ଅର୍ଥନୈତିକ ବିକାଶରେ ଅଂଶୀଦାର ହେବାର ଏକ ବ୍ୟବସ୍ଥିତ ମାଧ୍ୟମ। ଏଠାରେ ଧୈର୍ଯ୍ୟ, ଜ୍ଞାନ ଓ ଶୃଙ୍ଖଳାର ମୂଲ୍ୟ ବହୁତ ଅଧିକ।

ଏହି ଦୀପାବଳିରେ ନିଜକୁ ଦିଅନ୍ତୁ ଏକ ନୂଆ ଆର୍ଥିକ ଉପହାର:

ପ୍ରତିବର୍ଷ ଆମେ ଦୀପାବଳିରେ ଘର ସଫା କରୁ, ନୂଆ ପୋଷାକ କିଣୁ, ଆଲୋକରେ ଘରକୁ ସଜାଉ ଏବଂ ମା’ ଲକ୍ଷ୍ମୀଙ୍କ ଆଗମନ ପାଇଁ ପ୍ରସ୍ତୁତ ହେଉ। କିନ୍ତୁ ଆମର ଆର୍ଥିକ ଜୀବନକୁ କେବେ ସେହିଭଳି ସଜାଡ଼ିବାକୁ ଚେଷ୍ଟା କରିଛେ କି?

ଏହି ଦୀପାବଳିରେ ନିଜକୁ କେତୋଟି ପ୍ରଶ୍ନ ପଚାରିବାର ସମୟ ଆସିଛି।

ଆମର ସଞ୍ଚୟ କେବଳ ବ୍ୟାଙ୍କ ଜମାରେ ସୀମିତ ରହିଛି କି? ଆମର ନିବେଶ ଭବିଷ୍ୟତର ଆର୍ଥିକ ଲକ୍ଷ୍ୟ ପୂରଣ କରିବାକୁ ସକ୍ଷମ କି? ଆମେ ମୁଦ୍ରାସ୍ଫୀତିକୁ ମୁକାବିଲା କରିବା ପାଇଁ ଯଥେଷ୍ଟ ଯୋଜନା କରିଛୁ କି? ଆମ ପରିବାରର ଆଗାମୀ ପିଢ଼ି ପାଇଁ ଆର୍ଥିକ ସୁରକ୍ଷାର ମୂଳଦୁଆ ପକାଇଛୁ କି?

ଯେଉଁମାନେ ଏପର୍ଯ୍ୟନ୍ତ ସେୟାର ବଜାରରେ ନିବେଶ କରିନାହାନ୍ତି, ସେମାନେ ଏହି ଦୀପାବଳିରୁ ନିବେଶ ବିଷୟରେ ଶିଖିବାର ସଂକଳ୍ପ ନିଅନ୍ତୁ। ଯେଉଁମାନେ ପୂର୍ବରୁ ନିବେଶ କରୁଛନ୍ତି, ସେମାନେ ନିଜର ପୋର୍ଟଫୋଲିଓକୁ ପୁନଃସମୀକ୍ଷା କରନ୍ତୁ। ଅନାବଶ୍ୟକ ଓ ଅଯୁକ୍ତିସଙ୍ଗତ ନିବେଶରୁ ଦୂରେଇ ରହି ନୂଆ ଆର୍ଥିକ ଯୋଜନା ପ୍ରସ୍ତୁତ କରନ୍ତୁ।

ପୁଞ୍ଜି ବଜାରରେ ନିବେଶର ଉଦ୍ଦେଶ୍ୟ କେବଳ ଆଜିର ଲାଭ ନୁହେଁ, ବରଂ ଆସନ୍ତାକାଲିର ଆର୍ଥିକ ସ୍ୱାଧୀନତା ଓ ସୁରକ୍ଷିତ ଭବିଷ୍ୟତ ଗଠନ ହେବା ଉଚିତ୍।

ଶେଷରେ, ଦୀପାବଳିରେ ମା’ ମହାଲକ୍ଷ୍ମୀଙ୍କ ନିକଟରେ କେବଳ ଧନ ଓ ସମ୍ପତ୍ତି ପାଇଁ ନୁହେଁ, ବରଂ ସଠିକ୍ ଆର୍ଥିକ ନିଷ୍ପତ୍ତି ନେବାର ଜ୍ଞାନ, ବିବେକ ଓ ଧୈର୍ଯ୍ୟ ପାଇଁ ମଧ୍ୟ ପ୍ରାର୍ଥନା କରିବା।

କାରଣ ସମ୍ପତ୍ତି ଅର୍ଜନ କରିବା ଯେତିକି ଗୁରୁତ୍ୱପୂର୍ଣ୍ଣ, ତାହାର ସୁରକ୍ଷା ଓ ସୁବିନିଯୋଗ କରିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ।

ଏହି ଆଲେଖ୍ୟର ଆଭିମୁଖ୍ୟ ସମସ୍ତଙ୍କୁ ନିବେଶ ସମ୍ପର୍କରେ ସଚେତନ କରିବା ଏବଂ ଅନ୍ତତଃ ବ୍ୟକ୍ତିଗତ ଭାବେ ଦୀପାବଳିରେ ସଭିଏଁ ନିଜ ଜୀବନର ଆର୍ଥିକ ଯୋଜନା ଓ ସମୃଦ୍ଧ ଆର୍ଥିକ ଭବିଷ୍ୟତ ନିମନ୍ତେ ଗୋଟିଏ ନୂଆ ଖାତାରେ ‘ଶୁଭ-ଲାଭ’ ଲେଖିବା ସହିତ, ଏକ ନୂଆ ସଞ୍ଚୟ ଓ ନିବେଶ ଅଧ୍ୟାୟ ଯୋଡ଼ିବା ପାଇଁ ଉତ୍ସାହିତ କରିବା।

ଶୁଭ ଦୀପାବଳି। ଶୁଭ ନିବେଶ। ସମୃଦ୍ଧ ଭବିଷ୍ୟତ।

ଗୋପାଳ ଚନ୍ଦ୍ର ସାହୁ
ଫୋନ୍ – ୯୩୩୭୨୨୫୫୭୭

Previous Post

ଓଡିଶାକୁ ନିଶାମୁକ୍ତ କରିବୁ : ହେମନ୍ତ ରଥ

Next Post

ଜନ୍ମମାଟି ରାଇକଳାରେ ମୁଖ୍ୟମନ୍ତ୍ରୀ

Next Post
ଜନ୍ମମାଟି ରାଇକଳାରେ ମୁଖ୍ୟମନ୍ତ୍ରୀ

ଜନ୍ମମାଟି ରାଇକଳାରେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA