ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶେଷରେ ଇସ୍ତଫା ଦେଇଛନ୍ତି । ନିଟ୍ ପ୍ରଶ୍ନପତ୍ର ଲିକ୍ ଏବଂ ଜେନ୍-ଜି ଆନ୍ଦୋଳନ ତାଙ୍କ ମନ୍ତ୍ରୀ ପଦ ଖାଇ ଦେଇଛି । କକ୍ରୋଚ ଜନତା ପାର୍ଟି(ସିଜେପି)ର ଆନ୍ଦୋଳନ, ତାହାକୁ ବିରୋଧୀ ଦଳର ସମର୍ଥନ ଏବଂ ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କ ପ୍ରତି ସାଧାରଣ ଜନତାଙ୍କ ସହାନୁଭୂତି ଆଗରେ ଧର୍ମେନ୍ଦ୍ରଙ୍କୁ ମୁଣ୍ଡ ନୂଆଁଇବାକୁ ପଡ଼ିଛି । ସେ ତାଙ୍କର ଇସ୍ତଫାପତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖକୁ ପଠାଇଛନ୍ତି । ଦେଶର ଯୁବପୀଢ଼ିଙ୍କ ଆକାଂକ୍ଷା, ଭାବନା ଏବଂ ନ୍ୟାୟପୂର୍ଣ୍ଣ ଆଶାକୁ ସେ ଗଭୀର ଭାବରେ ସମ୍ମାନ କରନ୍ତି । ଆଗକୁ ଯୁବପୀଢ଼ି ପାଇଁ ସମର୍ପିତ ଭାବେ କାମ କରିବେ ବୋଲି ଧର୍ମେନ୍ଦ୍ର ତାଙ୍କ ସୋସିଆଲ୍ ମିଡିଆରେ ଲେଖିଛନ୍ତି ।
ମୋଦୀ ସରକାରରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅନ୍ୟତମ ଦକ୍ଷ ଓ ପ୍ରଭାବଶାଳୀ ମନ୍ତ୍ରୀ ଭାବେ ବିଚାର କରାଯାଉଥିଲା । ପ୍ରଥମରୁ ଏ ପର୍ଯ୍ୟନ୍ତ ଦୀର୍ଘ ୧୨ ବର୍ଷ ଧରି ସେ ମୋଦୀଙ୍କ କ୍ୟାବିନେଟ୍ ରେ ଗୁରୁତ୍ୱପୂର୍ଣ୍ଣ ବିଭାଗ ସମ୍ଭାଳିଥିଲେ । ତେବେ ତାଙ୍କର ଦୁର୍ଭାଗ୍ୟ ଆରମ୍ଭ ହୋଇଥିଲା ଚଳିତବର୍ଷର ନିଟ୍(ୟୁଜି)-୨୦୨୬ ପ୍ରଶ୍ନପତ୍ର ଲିକ୍ ଘଟଣାରୁ । ଗତ ମେ ୩ ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ମାତ୍ର ପରୀକ୍ଷା ସରିବା ପରେ ରାଜସ୍ଥାନରୁ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ଆସିଥିଲା । ହ୍ୱାଟସ୍ଆପ୍ ମାଧ୍ୟମରେ ପ୍ରଶ୍ନପତ୍ର ଲିକ୍ ହୋଇଥିବାର ପ୍ରମାଣ ମିଳିବା ପରେ ମେ ୧୨ ତାରିଖରେ ପରୀକ୍ଷାକୁ ବାତିଲ କରାଯାଇଥିଲା । ଏହାଦ୍ୱାରା ୨୨ ଲକ୍ଷ ୭୯ ହଜାର ଛାତ୍ରଛାତ୍ରୀ ପ୍ରଭାବିତ ହୋଇଥିଲେ । ଜୁନ୍ ୨୧ ତାରିଖରେ ପୁନଃ ପରୀକ୍ଷା ସମୟ ଧାର୍ଯ୍ୟ କରାଯାଇଥିଲା ।
ତେବେ ନିଟ୍ ପ୍ରଶ୍ନପତ୍ର ଲିକ୍ ଯୋଗୁଁ ପରୀକ୍ଷା ବାତିଲ ହେବା ପରେ ଆଶାୟୀ ଓ ଅଭିଭାବକଙ୍କ ମନରେ ବ୍ୟାପକ ଅସନ୍ତୋଷ ସୃଷ୍ଟି ହୋଇଥିଲା । ପିଲାମାନେ ଆତ୍ମବିଶ୍ୱାସ ହରାଇବା ସହ ହତୋତ୍ସାହିତ ହୋଇପଡ଼ିଥିଲେ । ପ୍ରାୟ ୨୦ ଜଣ ନିଟ୍ ଆଶାୟୀ ହତାସ ଓ ଭୟରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।
ନିଟ୍ ଆଶାୟୀଙ୍କ ଏହି ଅସନ୍ତୋଷ ବେଳେ ସୁପ୍ରିମକୋର୍ଟର ମୁଖ୍ୟ ବିଚାପତି ତାଙ୍କର ଏକ ମନ୍ତବ୍ୟରେ ଦେଶର ବେକାର ଯୁବକ ଯୁବତୀଙ୍କୁ କକ୍ରୋଚ୍ ବା ଅସରପା ବୋଲି ବ୍ୟଙ୍ଗ ଟିପ୍ପଣୀ ଦେବା ସେହି ଅସନ୍ତୋଷ ନିଆଁରେ ଘିଅ ଢ଼ାଳିଥିଲା । ଛାତ୍ର ସମାଜର ଇନଷ୍ଟାଗ୍ରାମ୍ ପ୍ରତିକ୍ରିୟାରୁ ବୋଷ୍ଟନ୍ ରେ ପାଠ ପଢ଼ୁଥିବା ମହାରାଷ୍ଟ୍ରର ଅଭିଜିତ୍ ଦୀପକେଙ୍କ ନେତୃତ୍ୱରେ ସୋସିଆଲ୍ ମିଡିଆରେ ଗଠନ ହୋଇଥିଲା କକ୍ରୋଚ ଜନତା ପାଟି ବା ସିଜେପି । ଏହି ସିଜେପି ନେତୃତ୍ୱରେ ଆରମ୍ଭ ହୋଇଥିଲା ନିଟ୍ ପ୍ରଶ୍ନପତ୍ର ପ୍ରଘଟ ବିରୋଧରେ ଛାତ୍ର ଆନ୍ଦୋଳନ ।
ନିଟ୍ ପୁନଃ ପରୀକ୍ଷା ହୋଇ ରେଜଲ୍ଟ ବାହାରି ସାରିଥିଲେ ମଧ୍ୟ ଆନ୍ଦୋଳନ ପ୍ରଶମିତ ହୋଇ ନ ଥିଲା । ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବିରେ ଯନ୍ତର ମନ୍ତରଠାରେ ସୋନମ୍ ୱାଙ୍ଗଚୁକ୍ ଙ୍କ ଆମରଣ ଅନଶନ ଏବଂ ସିଜେପିର ଜୁଲାଇ ୨୦ ଚଲୋ ସଂସଦ ଅଭିଯାନ ଏହି ଆନ୍ଦୋଳନକୁ ନିର୍ଣ୍ଣାୟକ ମୋଡ଼ ଦେଇଥିଲା । ସୋନମଙ୍କ ଆମରଣ ଅନଶନକୁ ୧୯ ଦିନରେ ପୁଲିସ ତାଙ୍କୁ ବଳପୂର୍ବକ ସଫଦରଜଙ୍ଗ ହସ୍ପିଟାଲକୁ ଉଠାଇ ନେବା ପରିସ୍ଥିତିକୁ ଅଧିକ ଜଟିଳ କରିଥିଲା ।
ଜୁଲାଇ ୨୦ ଚଲୋ ସଂସଦ ଅଭିଯାନରେ ଏହାର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ଲକ୍ଷାଧିକ ଛାତ୍ରଛାତ୍ରୀ ଏହି ଆନ୍ଦୋଳନରେ ସାମିଲ ହୋଇ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଥିଲେ । ଆନ୍ଦୋଳନକୁ ଦମନ କରିବା ପାଇଁ ସରକାର ପୁଲିସ ବଳ ପ୍ରୟୋଗ କରିଥିଲେ । ଏଥିରେ ଉଭୟ ପକ୍ଷର ଶତାଧିକ ଆହତ ହୋଇଥିଲେ ମଧ୍ୟ ଦେଶବାସୀଙ୍କ ସହାନୁଭୂତି ଛାତ୍ରଛାତ୍ରୀମାନଙ୍କ ପାଖରେ ଅଟକିଥିଲା । ଆନ୍ଦୋଳନ କମିବା ପରିବର୍ତ୍ତେ ସାରା ଦେଶକୁ ବ୍ୟାପିଥିଲା । ବିରୋଧୀମାନେ ସଂସଦକୁ ମଧ୍ୟ ଅଚଳ କରିଦେଲେ ।
କେନ୍ଦ୍ର ସରକାରଙ୍କ ଉପରେ ଚାପ ଅସମ୍ଭାଳ ହେବାରୁ ସମାଧାନର ବାଟ ଖୋଜାଗଲା । ଦୁଇମନ୍ତ୍ରୀଙ୍କୁ ପଠାଇ ସିଜେପି ପ୍ରତିନିଧିଙ୍କ ସହ ତିନି ତିନି ଥର ଆଲୋଚନା କରାଗଲା । ମାତ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା, ନିଟ୍ ପରୀକ୍ଷା ବାତିଲ ଯୋଗୁଁ ମୃତ ଛାତ୍ର/ଛାତ୍ରୀଙ୍କ ପରିବାରକୁ ୧ କୋଟି ସହାୟତା ଏବଂ ଯନ୍ତରମନ୍ତର ଆନ୍ଦୋଳନରେ ସାମିଲ ଛାତ୍ରଛାତ୍ରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନ ହେବା ଜିଦ୍ ରେ ସିଜେପି ଅଟଳ ରହିଲା ।
ପରିସ୍ଥିତି ଏମିତି ହେଲା ଯେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ବିଳମ୍ବିତ ରାତିରେ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ବଡ଼ ପଦକ୍ଷେପ ନିଆଯିବ ବୋଲି ଘୋଷଣା କଲେ । ଶିକ୍ଷା ମନ୍ତ୍ରଣାଳୟର ପ୍ରମୁଖ ସଚିବଙ୍କୁ ରାତାରାତି ଆଗ ହଟାଇ ଦିଆଗଲା । ପରଦିନ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସୀ(ଏନଟିଏ)ରୁ ୪୭ ବାବୁଙ୍କୁ ବିଦା କରାଗଲା । ସେହି ଶୁକ୍ରବାର ଅର୍ଥାତ ଗତକାଲି କ୍ୟାବିନେଟ୍ ବୈଠକ ବସି ପ୍ରଶ୍ନପତ୍ର ପ୍ରଘଟକାରୀଙ୍କ ବିରୋଧରେ କଠୋର ଦଣ୍ଡର ବ୍ୟବସ୍ଥା ଥିବା ଚିଠା ବିଲ୍ କୁ ମଞ୍ଜୁରି ଦିଆଗଲା ।
ଏ ସବୁ ସତ୍ତ୍ୱେ ସିଜେପି ଆନ୍ଦୋଳନ ଏବଂ ଏହା ପ୍ରତି ସମର୍ଥନ ବୃଦ୍ଧି ପାଇବା ସରକାରଙ୍କ ପାଇଁ ଜଟିଳ ଅବସ୍ଥା ସୃଷ୍ଟି କରିଥିଲା । ଯାହାର ପରିଣାମ ହୋଇଛି ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ।