ଭୁବନେଶ୍ୱର: ଦୁଇବର୍ଷ ପରେ ଥାନାରେ ଏତଲା । ଏତଲାର ମାସେ ପରେ ଦୁଇ ପୂର୍ବତନ ବରିଷ୍ଠ ଅଧିକାରୀଙ୍କୁ ପୁଲିସ ନୋଟିସ୍ । ଏହାର ସପ୍ତାହ ପରେ ଭି. କେ ପାଣ୍ଡିଆନଙ୍କୁ ନୋଟିସ୍ । ତାହା ପୁଣି ଏମିତି ସମୟରେ ଯେ ସନ୍ଦେହ ସୃଷ୍ଟି କରିବା ସ୍ୱାଭାବିକ । ଏହି ସନ୍ଦେହରୁ ରାଜନୈତିକ ଷଡ଼ଯନ୍ତ୍ରର ଗନ୍ଧ ବାହାରିଛି । ବିଭିନ୍ନ ମହଲରେ ଏହାକୁ ନେଇ ଏବେ ଭୀଷଣ ଚର୍ଚ୍ଚା ।
ସିଏମଓରୁ ଫାଇଲ୍ ଗାଏବ ମାମଲାରେ କମିଶନରେଟ୍ ପୁଲିସ ପକ୍ଷରୁ ଗତକାଲି ପାଣ୍ଡିଆନଙ୍କୁ ନୋଟିସ୍ ପଠାଯାଇଛି । ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ସେ ତାଙ୍କର ବ୍ୟକ୍ତିଗତ ସଚିବ ଥିବାରୁ ଉକ୍ତ ମାମଲାରେ ତାଙ୍କୁ ତଦନ୍ତ ପରିସର କରି ନୋଟିସ୍ ପଠାଇବାରେ କୌଣସି ବ୍ୟତିକ୍ରମ ନାହିଁ । ମାତ୍ର ଯେଉଁ ସମୟରେ ନୋଟିସ୍ ପଠାଗଲା ତାହାକୁ ରାଜନୈତିକ ବ୍ୟତିକ୍ରମ ବୋଲି ବିଚାର କରାଯାଉଛି ।
ବର୍ତ୍ତମାନ ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ଦିଲ୍ଲୀ ହୁଲସ୍ତୁଲ । ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଛାତ୍ର ଆନ୍ଦୋଳନ ବ୍ୟାପକ ଆକାର ଧାରଣ କରିଛି । ୪ ଦିନ ହେଲା ସଂସଦ ଅଚଳ ହୋଇଯାଇଛି । ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସର ବର୍ବରୋଚିତ ଆକ୍ରମଣକୁ ନେଇ ସାରା ଦେଶରେ ପ୍ରତିବାଦର ନିଆଁ ଜଳୁଛି । ମୋଦୀ ସରକାରଙ୍କର ନିଦ ହଜାଇ ଦେଇଛିି ସୋନମ୍ ୱାଙ୍ଗଚୁକ୍ ଙ୍କ ଆମରଣ ଅନଶନ ଏବଂ କକ୍ରୋଚ ଜନତା ପାର୍ଟି(ସିଜେପି)ର ଆନ୍ଦୋଳନ ।
ଏହି ଛାତ୍ର ଆନ୍ଦୋଳନକୁ ନବୀନ ପଟ୍ଟନାୟକଙ୍କ ସମର୍ଥନ ବିଜେପିର ଅଙ୍କକୁ କିନ୍ତୁ ବିଗାଡ଼ି ଦେଇଛି । ମାମଲାରେ କେନ୍ଦ୍ର ବିଜେପି ସରକାରଙ୍କ ଭୂମିକାକୁ ନବୀନ ଖୋଲାଖୋଲି ନାପସନ୍ଦ କରିଛନ୍ତି । ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସ ଦମନଲୀଳାକୁ ନିନ୍ଦା କରିବା ସହ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବା ଉଚିତ୍ ବୋଲି ଦୋହରାଇ ଚାଲିଛନ୍ତି ।
ଯନ୍ତରମନ୍ତରରୁ ସଂସଦ ଭବନ ପର୍ଯ୍ୟନ୍ତ ଯେତେବେଳେ ଘଟଣା ଘଟୁଥିଲା ନବୀନ ବାବୁ ଦିଲ୍ଲୀରେ ଥାଇ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ । ତାଙ୍କ ସାଂସଦମାନଙ୍କୁ ପଠାଇ ବିଜୟଚୌକରେ ଧାରଣାରେ ବସାଇଥିଲେ । ପୁଲିସ ମାଡ଼ରେ ଆହତ ଛାତ୍ରଛାତ୍ରୀମାନଙ୍କୁ ଭେଟି ସମବେଦନା ଜଣାଇବାକୁ ରାମ ମନୋହର ଲୋହିଆ ହସ୍ପିଟାଲ ପଠାଇଥିଲେ । ବୁଧବାର ଦିନ ଭୁବନେଶ୍ୱର ଫେରିଲା ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି ଦୋହରାଇବା ସହ ଛାତ୍ରଛାତ୍ରୀଙ୍କ ସମର୍ଥନରେ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ ବୋଲି ଘୋଷଣା କରିଥିଲେ ।
ଦିଲ୍ଲୀରୁ ନବୀନଙ୍କ ପ୍ରତ୍ୟାବର୍ତ୍ତନର କିଛି ସମୟ ପରେ ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ପୁଲିସ କମିସନର ଦେବଦତ୍ତ ସିଂ ଏବଂ ଡିସିପି ଜଗମୋହନ ମୀନାଙ୍କୁ ଡକରା ଗଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଫାଇଲ୍ ଗାଏବ ତଦନ୍ତ ବିଷୟରେ କଥା ହେଲେ । ମୁଖ୍ୟମନ୍ତ୍ରୀଙ୍କର ମନ୍ତ୍ରଣା ନେଇ ଦୁଇ ଅଧିକାରୀ ଫେରି ଆସିଲେ । କିଛି ସମୟ ପରେ ପାଣ୍ଡିଆନଙ୍କୁ ଜାରି ହେଲା ନୋଟିସ୍ । ରାଜନୈତିକ ଘଡ଼ିସନ୍ଧି ମୁହୂର୍ତ୍ତରେ ଏଭଳି ଘଟଣା ହୁଏତ ସଂଯୋଗ ହୋଇପାରେ । ମାତ୍ର ସାଧାରଣରେ ଏହା ବିଶ୍ୱାସଯୋଗ୍ୟ ହେଉନାହିଁ ।
ପାଣ୍ଡିଆନଙ୍କୁ ନୋଟିସ୍ ପଛରେ ଷଡ଼ଯନ୍ତ୍ର ରହିଥିବା ପୂର୍ବତନ ବିଧାୟକ ତଥା ବିଜେଡି ନେତା ସମ୍ବିତ୍ ରାଉରରାୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ନବୀନଙ୍କ ପାଟି ଚୁପ୍ କରିବା ପାଇଁ ଉଦ୍ଦେଶ୍ୟମୂଳକ ଭାବେ ପାଣ୍ଡିଆନଙ୍କୁ ନୋଟିସ୍ ହୋଇଛି ବୋଲି ସେ କହିଛନ୍ତି ।
ତେବେ ବିଜେଡି ନେତାଙ୍କ ଏହି ଅଭିଯୋଗର ଜବାବ ଦେଇଛନ୍ତି ଏକାମ୍ର ବିଧାୟକ ବାବୁ ସିଂ । ପାଣ୍ଡିଆନଙ୍କୁ ନୋଟିସ୍ ହେଲେ ବିଜେଡି କାହିଁକି ଭୟ କରୁଛି ବୋଲି ସେ କଟାକ୍ଷ କରିଛନ୍ତି । ଯଦି ସ୍ୱଚ୍ଛ ଅଛନ୍ତି, ତେବେ ଡରିବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି ।
ଏହି ଘଟଣାରେ ବିଜେଡିର ବରିଷ୍ଠ ବିଧାୟିକା ତଥା ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ଫାଇଲ୍ ହଜିବା ମାମଲାକୁ ଏକ ପ୍ରହସନ କହି ଉଡ଼ାଇ ଦେଇଛନ୍ତି । ବିଜେଡି ସରକାର ଅମଳରେ ଫାଇଲ୍ କେଉଁଠୁ ହଜିନି କି ଚୋରି ହୋଇନି । ଯାହା ହୋଇଥିବ ଏଇ ସରକାର ଅମଳରେ । ନବୀନ ପଟ୍ଟନାୟକଙ୍କୁ ବଦନାମ କରିବା ପାଇଁ ଚେଷ୍ଟା ସଫଳ ହେବ ନାହିଁ ବୋଲି ସେ ଦୃଢ଼ତା ଦେଖାଇଛନ୍ତି ।
ସୂଚନାଥାଉକି, ୨୦୦୮ରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ଏବଂ କନ୍ଧମାଳ ଦଙ୍ଗା ମାମଲାରେ ଜଷ୍ଟିସ୍ ଏ.ଏସ୍. ନାଇଡୁ ତଦନ୍ତ କମିସନ ରିପୋର୍ଟ ଏବଂ ୨୦୧୬ରେ ସମ୍ ହସ୍ପିଟାଲ୍ ଅଗ୍ନିକାଣ୍ଡ ଘଟଣାର ଆରଡିସି ତଦନ୍ତ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି । ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଯୁଗ୍ମ ସଚିବ ଶରତ ଚନ୍ଦ୍ର ମାରାଣ୍ଡି ଜୁନ୍ ୧୦ରେ କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ । ଜୁଲାଇ ୧୬ରେ କମିଶନରେଟ୍ ପୁଲିସ ପକ୍ଷରୁ ତକ୍ରାଳୀନ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ସହ ସଂପୃକ୍ତ ଦୁଇ ପୂର୍ବତନ ବରିଷ୍ଠ ଅଧିକାରୀ ରାଜେଶ ବର୍ମା ଏବଂ ମନୋଜ ମିଶ୍ର ଙ୍କୁ ନୋଟିସ୍ ପଠାଯାଇଥିଲା ।
ଗତକାଲି ପାଣ୍ଡିଆନଙ୍କୁ ନୋଟିସ୍ ପଠାଯାଇ ୨୫ ତାରିଖ ଦିନ ୧୧ଟା ବେଳେ ହାଜର ହେବାକୁ କୁହାଯାଇଛି । ଆଜି ଅବସରପ୍ରାପ୍ତ ଆଇଏଏସ୍ ଉପେନ୍ଦ୍ର ନାଥ ବେହେରାଙ୍କୁ ନୋଟିସ୍ ଜାରି କରାଯାଇଛି । ଜୁଲାଇ ୨୬ ତାରିଖ ଦିନ ୧୧ଟା ବେଳେ କ୍ୟାପିଟାଲ୍ ଥାନା ପରିସରରେ ଥିବା ଜୋନ୍-୧ ଏସିପିଙ୍କ କାର୍ଯ୍ୟାଳୟରେ ହାଜର ହେବାକୁ ତାଙ୍କୁ ମଧ୍ୟ କୁହାଯାଇଛି । ସେହିଭଳି ୨୨ ତାରିଖରେ ହାଜର ହୋଇ ନ ଥିବା ପୂର୍ବତନ ଆଇଏଏସ୍ ରାଜେଶ ବର୍ମାଙ୍କୁ ୩୦ ତାରିଖ ପୂର୍ବାହ୍ନ ୧୧ଟାରେ ହାଜର ପାଇଁ ସାନି ନୋଟିସ୍ କରାଯାଇଛି ।
ଉପେନ୍ଦ୍ର ବେହେରା ୨୦୧୫ ନଭେମ୍ବରରୁ ୨୦୧୭ ଜାନୁଆରୀ ପର୍ଯ୍ୟନ୍ତ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅତିରିକ୍ତ ମୁଖ୍ୟ ସଚିବ ଭାବେ ଦାୟିତ୍ୱ ତୁଲାଇଥିଲେ ।