ଭୁବନେଶ୍ୱର: ବୈଜୟନ୍ତ ପଣ୍ଡାଙ୍କ ଅଣଓଡ଼ିଆ ବନ୍ଧୁ ଅଭିଜିତ୍ ଆୟାର ମିତ୍ର ଓଡ଼ିଶାର ମାନ ଇଜ୍ଜତ ଲୁଣ୍ଠନ ଉଦ୍ୟମରେ ଅଭ୍ୟସ୍ତ । ଆଜି ନୁହଁ, ବର୍ଷେ ତଳୁ ତାଙ୍କ ଟୁଇଟ୍ ରେ ସେ ଓଡ଼ିଶାର ଅସ୍ମିତ୍ କୁ ବଳାକ୍ରାର କରିଚାଲିଛନ୍ତି । ସବୁଠାରୁ ଗମ୍ଭୀର କଥା ହେଉଛି, ଏସବୁ ଚାଲିଥିଲା ଖୋଦ୍ ବୈଜୟନ୍ତ ପଣ୍ଡାଙ୍କ ଜାଣତରେ । ଅଭିଜିତ୍ ଟୁଇଟ୍ କରି ଓଡ଼ିଶା ଉପରେ ହୀନ ଓ ଅରୁଚିକର ମନ୍ତବ୍ୟ ଦେଉଥିଲେ ଆଉ ବୈଜୟନ୍ତ ତାକୁ ସାବାସି ଦେଉଥିଲେ । ଏବେ ବୈଜୟନ୍ତ ତାଙ୍କୁ ଓଡ଼ିଶା ଆଣି ହେଲିକପ୍ଟରରେ ଭ୍ରମଣ କରାଇଛନ୍ତି । ବୈଜୟନ୍ତଙ୍କ ସାଙ୍ଗରେ ଥାଇ ସେ ଓଡ଼ିଆ ଐତିହ୍ୟର ପ୍ରତୀକ କୋଣାର୍କ ସୂର୍ଯ୍ୟମନ୍ଦିର ଉପରେ ଅରୁଚିକର ଓ ସାମ୍ପ୍ରଦାୟିକ ମନ୍ତବ୍ୟ ଦେଇଛନ୍ତି ।
ଅତୀତରେ ବୈଜୟନ୍ତଙ୍କ ଏହି ଅଣଓଡ଼ିଆ ବନ୍ଧୁଙ୍କର ଓଡ଼ିଶା ପ୍ରତି ରହିଥିବା ହୀନଭାବର ଉଦାହରଣ ଏବେ ସାମନାକୁ ଆସିଛି । ଏହା ଯେତିକି ମାରାତ୍ମକ ସେତିକି ଭୟଙ୍କର । ଗତବର୍ଷ ସେପ୍ଟେମ୍ବର ୧୪ରେ ଅଭିଜିତ୍ ଏକ ଟୁଇଟ୍ ରେ ଲେଖିଥିଲେ, ଜଗନ୍ନାଥ ପ୍ରକୃତରେ କୋଲକତାର ଠାକୁର ଥିଲେ । ଜଗନ୍ନାଥ ପ୍ରତିମାଙ୍କୁ ଦୁଷ୍ଟ କଳିଙ୍ଗର ରାଜା ଚୋରାଇ ନେଇଛି । ନଭେମ୍ବର ୧୬ରେ ଅଭିଜିତ୍ ଲେଖିଥିଲେ, ଓଡ଼ିଶା ବଙ୍ଗାଳୀମାନଙ୍କ ଦ୍ୱାରା ଆବିଷ୍କୃତ । ଓରି ଶାଲା ରୁ ଓଡ଼ିଶା ନାଁ ହୋଇଛି । ଓଡ଼ିଶା ବୋଲେ କିଛି ନାହିଁ । ଅବିଭକ୍ତ ବଙ୍ଗଳାର ଏହା ଦକ୍ଷିଣ ପ୍ରଗଣା ବନ୍ୟାଞ୍ଚଳ । ସାଂଘାତିକ କଥା, ବୈଜୟନ୍ତ ଏହି ଟୁଇଟ୍ ର ଜବାବରେ ଅଭିଜିତ୍ ର ଟିପ୍ପଣୀକୁ ବିରୋଧ କରିବେ କ’ଣ ଓଲଟି ସାବାସି ଦେଇଛନ୍ତି । ଏଇ ୧୫ ତାରିଖରେ ବୈଜୟନ୍ତଙ୍କ ସହ ତାଙ୍କ ହେଲିକପ୍ଟରରେ ପୁରୀ ଓ କୋଣାର୍କ ବୁଲିଥିବା ଅଭିିଜିତ୍ କୋଣାର୍କ ଉପରେ ହୀନ ମନ୍ତବ୍ୟ ଦେଇଥିଲେ ।
ଓଡ଼ିଶା ପ୍ରତି ଅସୂୟା ଓ ହୀନଭାବର ବାରମ୍ବାର ଟିପ୍ପଣୀ ରଖୁଥିବା ଅଭିଜିତ୍ ଙ୍କ ରୂପ, ଢ଼ଙ୍ଗ ଢ଼ାଙ୍ଗ ଦେଖି ତାଙ୍କୁ ଓଡ଼ିଶାବାସୀ ପାଗଳର ଆଖ୍ୟା ଦେଇଛନ୍ତି । ଲୋକଟିର ଚରିତ୍ରକୁ ନେଇ ମଧ୍ୟ ଅନେକ ଆକ୍ଷେପ କଲେଣି । ଏଭଳି ଜଣେ ଉଦଭ୍ରାନ୍ତ ଓଡ଼ିଶା ବିରୋଧୀ ବ୍ୟକ୍ତିଙ୍କୁ ବୈଜୟନ୍ତ ଖାଲି ବନ୍ଧୁ କରିନାହାନ୍ତି, ବରଂ ତାଙ୍କ ହୀନ ଟିପ୍ପଣୀକୁ ସମର୍ଥନ ଦେଇ ଆସିବା ଅନେକଙ୍କୁ ଚକିତ କରିଛି । ଏଥିରୁ ନିଜ ଜାତି ଓ ଭାଷା ପ୍ରତି ବୈଜୟନ୍ତଙ୍କର କେତେ ଦରଦ ତାହା ଧରାପଡିଯାଇଛି ବୋଲି ଚର୍ଚ୍ଚା ହେଉଛି ।
ଗତକାଲି ବିଧାନସଭାରେ ବୈଜୟନ୍ତ ଓ ତାଙ୍କର ସେହି ଅଣଓଡ଼ିଆ ବନ୍ଧୁଙ୍କ ପ୍ରସଙ୍ଗ ଉଠିଲା । ବିଜେଡ଼ି ବିଧାୟକମାନେ ତାଙ୍କ ଗିରଫ ଦାବି କଲେ । ଏହା ସତ୍ତ୍ୱେ ଦିନ ତମାମ ଅଭିଜିତ୍ ତାଙ୍କ ଟୁଇଟର କୁ ଫୁରସତ୍ ଦେଲେ ନାହିଁ । ଓଡ଼ିଶା, ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ଯେତେ ହୀନ ଶବ୍ଦ କୁହାଯାଇପାରେ ଲେଖିଲେ । ଆଶ୍ଚର୍ଯ୍ୟର କଥା, ବନ୍ଧୁଙ୍କ ଏଭଳି ଆଚରଣ ଓ ଓଡ଼ିଶାର ସମ୍ମାନହାନୀକର ମନ୍ତବ୍ୟ ବୈଜୟନ୍ତଙ୍କୁ ବିବ୍ରତ କଲାନାହିଁ । ପଦୁଟିଏ ବି ତାଙ୍କ ଟୁଇଟରରୁ ବାହାରିଲାନି । ଗଣମାଧ୍ୟମରେ ତୀବ୍ର ସମାଲୋଚନା ହେଲା ପରେ ଯାଇ ରାତିରେ ବୈଜୟନ୍ତ ଚଳେଇଲା ଭଳି ଏକ ଟୁଇଟ୍ କରିଛନ୍ତି । ସେଥିରେ ଅଭିଜିତ୍ ଙ୍କୁ ଗାଳି କମ୍, ଓଲଟି ସୁରକ୍ଷା ବେଶୀ ବୋଲି କୁହାଯାଉଛି । ଅଭିଜିତ୍ ଥଟ୍ଟାରେ କହିଥାଇପାରନ୍ତି । ତାଙ୍କ କଥାର ହୁଏତ ଭିନ୍ନ ଅର୍ଥ ବାହାର କରାଯାଇଛି ବୋଲି ବୈଜୟନ୍ତ ସଫେଇ ଦେବାକୁ ସାହାସ କରିଛନ୍ତି ।