ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ନେତୃତ୍ୱ ପ୍ରସାଦ ହରିଚନ୍ଦନଙ୍କ ପାଖରେ ଥାଉ । ନିର୍ବାଚନ ପର୍ଯ୍ୟନ୍ତ ସମୟ ଗଡ଼ିଯାଉ । ଏହି ଏଜେଣ୍ଡାକୁ ଧରି କଂଗ୍ରେସ ଘର କଥାରେ ବିଜେପି ମୁଣ୍ଡ ଖେଳାଇଛି । କଂଗ୍ରେସ ନେତୃତ୍ୱକୁ ମନାଇବା ପାଇଁ ଦିଲ୍ଲୀରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଜାଲ ବିଛାଇଛି । ଦିଲ୍ଲୀରେ ଯେଝା ବାଟରେ କଂଗ୍ରେସର କେନ୍ଦ୍ରୀୟ ନେତୃବୃନ୍ଦଙ୍କୁ ମନାଇବା ଉଦ୍ୟମ କରୁଥିଲା ବେଳେ ଏଠି ଭୁବନେଶ୍ୱରରେ ଚାପ ଓ ପ୍ରଲୋଭନକୁ ଅସ୍ତ୍ର କରିଛି । ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ପ୍ରସାଦଙ୍କ ହାତରେ ନେତୃତ୍ୱ ରହିଲେ ବିଜେଡ଼ିକୁ ସହଜରେ ଧରାଶାୟୀ କରିହେବ ବୋଲି ବିଜେପି ନେତାମାନେ ଆକଳନ କରିଛନ୍ତି । ଖୋଦ୍ ଅମିତ୍ ଶାହା ଏଥିରେ ମୁଣ୍ଡ ଖେଳାଇଥିବା ଦଳର ଭିତିରି ମହଲରୁ ସୂଚନା ମିଳିଛି ।
ରାଜ୍ୟରେ ପ୍ରସାଦଙ୍କ ନେତୃତ୍ୱରେ କଂଗ୍ରେସ ସଂଗଠନ ଦୁର୍ବଳ ହୋଇଯାଇଛି । ସମସ୍ତଙ୍କୁ ଏକାଠି ଧରି ଦଳକୁ ସଂଗଠିତ କରିବାରେ ସେ ବିଫଳ ହୋଇଛନ୍ତି । କଂଗ୍ରେସର ଏହି ସ୍ଥିତିରୁ ବିଜେପି ଫାଇଦା ଉଠାଉଛି । ଗତ ପଞ୍ଚାୟତ ନିର୍ବାଚନରେ ଦଳକୁ ପ୍ରସାଦଙ୍କ ଆର୍ଶିବାଦ ମିଳିଯାଇଛି । ଆଗକୁ ଏମିତି ଚାଲିଲେ ବିଜେଡ଼ିକୁ ଟକ୍କର ଦେବାରେ ବିଜେପିକୁ ସହଜ ହୋଇଯିବ । ନିଜର ତୃଣମୂଳ ସଂଗଠନକୁ ସୁଦୃଢ଼ କରିବାରେ ଫେଲ୍ ମାରିଥିବା ବିଜେପି ପାଇଁ ଏହା ବେଷ୍ଟ୍ ବିକଳ୍ପ ହୋଇଛି । ନିଜ ବଳରେ ନୁହେଁ ବରଂ ପ୍ରସାଦଙ୍କ ନେତୃତ୍ୱ ଓ ବିଜେଡ଼ିରେ ସମ୍ଭାବ୍ୟ ବିଭାଜନକୁ ପୁଞ୍ଜି କରି ବିଜେପି କ୍ଷମତା ହାସଲର ସ୍ୱପ୍ନ ଦେଖିଛି ।
ନିରଞ୍ଜନ ପଟ୍ଟନାୟକଙ୍କୁ ପିସିସି ସଭାପତି କରିବା ପାଇଁ ଦଳର ବିଧାୟକ ଗୋଷ୍ଠୀ ଜିଦ୍ ଧରିଥିବାରୁ ବିଜେପି ଛାନିଆଁ ହୋଇଯାଇଛି । ପ୍ରଚଣ୍ଡ ଅର୍ଥବଳୀ ନିରଞ୍ଜନଙ୍କ ହାତକୁ ନେତୃତ୍ୱ ଆସିଗଲେ କଂଗ୍ରେସ ନୂଆ ଜୀବନ ପାଇବ ଏବଂ ଦଳ କ୍ରିୟାଶୀଳ ହେବ ବୋଲି ବିଜେପି କ୍ୟାମ୍ପ ଆକଳନ କରିଛି । ଏହାଦ୍ୱାରା ଏବେ ଭଳି କଂଗ୍ରେସ ଭୋଟ ବିଜେପି ଆଡକୁ ଢ଼ଳିବାରେ କଷ୍ଟ ହୋଇଯିବ । ସୁତରାଂ ବିଜେଡ଼ି, ବିଜେପି ଓ କଂଗ୍ରେସର ତ୍ରିମୁଖୀ ଲଢ଼େଇରୁ ବିଜେଡ଼ି ହିଁ ଶତପ୍ରତିଶତ ଫାଇଦାରେ ରହିବ । ବିଜେଡ଼ି ବିରୋଧୀ ଭୋଟରୁ କଂଗ୍ରେସ ସିଂହ ଭାଗ ନେଇଯିବ ବୋଲି ସେମାନେ ଆଶଙ୍କା କରୁଛନ୍ତି । ତେଣୁ ଯେନତେଣ ପ୍ରକାରେ ଏଥିରେ ଚେକ୍ ଦେବାକୁ ବିଜେପି ପ୍ରାଣମୂର୍ଚ୍ଛା ଉଦ୍ୟମ ଆରମ୍ଭ କରିଛି । ପ୍ରସାଦଙ୍କ ହାତରେ ନେତୃତ୍ୱ ଅଟକ ରଖିବା ପାଇଁ ଚାଲ୍ ଖେଳାଇଛି । ପ୍ରସାଦଙ୍କ ବିରୋଧରେ ମେଳି କରିଥିବା ବିଧାୟକଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବାକୁ ଷଡ଼ଯନ୍ତ୍ର ରଚାଯାଇଛି । କଂଗ୍ରେସ ନେତୃତ୍ୱ କନ୍ଦଳର ସମାଧାନ ପାଇଁ ଆସିଥିବା ଏଆଇସିସି ପର୍ଯ୍ୟବେକ୍ଷକଙ୍କ ପ୍ରଥମ ଦିନର ଆଲୋଚନାରୁ ଏହାର ସୁରାକ୍ ମିଳିଛି । ବିଧାୟକ କୃଷ୍ଣ ସାଗରିଆ ଗୋଠ ଭାଙ୍ଗିଛନ୍ତି । ଆଜି ଅପରାହ୍ନରେ କଂଗ୍ରେସ ବିଧାୟକ ଦଳ ପର୍ଯ୍ୟବେକ୍ଷକଙ୍କୁ ଭେଟିବାକୁ ଥିବାରୁ ସେଥିରେ କେଁ ପୂରାଇବାକୁ ମଧ୍ୟ ବିଜେପି ଜୋରଦାର ଉଦ୍ୟମ ଚଳାଇଛି ।
ସେପଟେ ନିରଞ୍ଜନ ପଟ୍ଟନାୟକଙ୍କୁ ପିସିସି ସଭାପତି ଚଉକିରେ ଦେଖିବାକୁ ବିନା ଖାତା ଖତିଆନରେ ବିଜେଡ଼ି ବ୍ୟାକୁଳ ରହିଛି । ଯୋଜନା ବନାଇ ଚାଲବାଜି କରିବାରେ କାର୍ପଟଦାର ନେତା ଅସମର୍ଥ ଥିବାରୁ ଖେଳ କିନ୍ତୁ ଖେଳିପାରିନାହାନ୍ତି । ନିଜ ନିଜ ଭିତରେ ଗୋଛି କଟାକଟିରେ ସେମାନଙ୍କ ବେଳ ଯାଉଥିବାରୁ ଦଳର ସାମୁହିକ ସ୍ୱାର୍ଥ ପାଇଁ ବେଳ ପାଉନାହାନ୍ତି । ସବଳ ନିରଞ୍ଜନଙ୍କ ହାତକୁ ଚଉକି ଆସିଲେ ବିଜେପିକୁ ମାତ୍ ମାରିବାରେ ସହଜ ହେବ, ଏହି ଅଙ୍କ ଜାଣି ବି ସେମାନେ ବଳ ଖଟାଇବାକୁ ଅକ୍ଷମ ହୋଇଛନ୍ତି । କଂଗ୍ରେସ ନେତୃତ୍ୱ ରଣକୌଶଳରେ ବିଜେପିଠାରୁ ସେମାନେ ପଛରେ ପଡ଼ିଯାଇଛନ୍ତି ।