କରୋନା ମାଡ଼ରେ ଭୟଙ୍କର ହେବ ବିଶ୍ୱର ଆର୍ଥିକ ଦୁସ୍ଥିତି । ଦାରିଦ୍ର୍ୟ ଅତି ମାତ୍ରାରେ ଉତ୍କଟ ହେବ । ଭୋକ ଉପାସରେ ଡହଳ ବିକଳ ହେବେ ଲୋକେ । 2030 ବେଳକୁ ବିଶ୍ୱର 130 ନିୟୂତ ଲୋକ, ଦାରିଦ୍ର୍ୟର ସର୍ବନିମ୍ନ ସୀମାରେଖା ତଳକୁ ଚାଲି ଯାଇଥିବେ । କେବଳ 2020ରେ 34.3 ନିୟୂତ ଲୋକଙ୍କର ଏମିତି ଭୟଙ୍କର ଅବସ୍ଥା ହୋଇଯିବ । ଆଫ୍ରିକୀୟ ଦେଶରେ 56 ପ୍ରତିଶତ ଦାରିଦ୍ର୍ୟ ବୃଦ୍ଧି ପାଇବ । କରୋନା ପ୍ରଭାବରେ ହ୍ରାସ ପାଉଥିବା ବିଭିନ୍ନ ଦେଶର ଅଭିବୃଦ୍ଧି ହାରକୁ ଅନୁଶୀଳନ ପରେ ଏମିତି ରିପୋର୍ଟ ଦେଇଛନ୍ତି ଜାତିସଂଘ ।
କରୋନା ପ୍ରଭାବରେ ବିଶ୍ୱ ଅର୍ଥନୀତିର 4 ବର୍ଷର ଅଭିବୃଦ୍ଧି ବା ଜିଡିପି, ପୋଛି ହୋଇଯିବ, ଯାହାକି 8.5 ଟ୍ରଲିଅନ୍ ଡଲାର୍ । ଏପ୍ରିଲ ମାସ ସୁଦ୍ଧା ବିଶ୍ୱ ଅର୍ଥନୀତିରେ 3 ପ୍ରତିଶତ ହ୍ରାସ ହୋଇଥିବା ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ବା IMF କହିଥିଲେ । କିନ୍ତୁ ଏବେ World Economic Situation and Prospects reportରେ କୁହାଗଲାଣି ଯେ, କେବଳ 2020ରେ ବିଶ୍ୱ ଆର୍ଥିକ ଅଭିବୃଦ୍ଧି ହାରରେ 3.2 ପ୍ରତିଶତ ହ୍ରାସ ହେବ । ଆଗକୁ ଏହା ଆହୁରି କମ୍ ହୋଇପାରେ ବୋଲି ମଧ୍ୟ କହିଛନ୍ତି IMF ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିଆନା ଜର୍ଜିଏଭା ।
କରୋନା ମାଡ଼ରେ ଅଧିକାଂଶ କ୍ଷେତ୍ର ଡିଜିଟାଲ୍ ଏବଂ ଅଟୋମେସନ୍ ମୋଡ୍ କୁ ଚାଲି ଆସିଲାଣି । ଯାହା ଆଗକୁ ଆହୁରି ତ୍ୱରାନ୍ୱିତ ହେବ । ଫଳରେ ଅଧିକରୁ ଅଧିକ ଲୋକେ ସେମାନଙ୍କ ଜୀବୀକା ହରାଇବେ । ପ୍ରକାରାନ୍ତରେ ଏହା ମଧ୍ୟ ନିଯୁକ୍ତିକୁ ସିଧାସଳଖ ଏବଂ ଦରମାକୁ ପରୋକ୍ଷରେ ପ୍ରଭାବିତ କରିବ । ଯାହା ସମାଜରେ ଆର୍ଥିକ ଅସମାନତା ବଢ଼ାଇବ ।
ଜାତିସମଘ ପକ୍ଷରୁ ଏହି ଅନୁଶୀଳନ ରିପୋର୍ଟ ପ୍ରସ୍ତୁତ କରିଥିବା ହମିଦ୍ ରସିଦଙ୍କ ମତରେ, ଅତୀତରେ ସଙ୍କଟ ସମୟରେ, ଆର୍ଥିକ ପ୍ୟାକେଜ୍ ବା ସହାୟତା, ନିବେଶକୁ ସେଭଳି ଆକୃଷ୍ଟ କରିପାରିନି । ତେଣୁ ଏଭଳି ସ୍ଥିତିରେ ଲୋକଙ୍କ ନିଯୁକ୍ତି ବା ଜୀବୀକା ଯେମିତି ସୁରକ୍ଷିତ ରହିପାରିବ, ସେନେଇ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ରୋଜଗାରରେ ବୃଦ୍ଧି ହେବାକୁ ଯାଉଥିବା ଅସମାନତାକୁ ରୋକିବାକୁ ପଡ଼ିବ । କାରଣ, ମହାମାରୀ ଭଳି ଦୀର୍ଘକାଳୀନ ବିପର୍ଯ୍ୟୟ, କମ୍ କୁଶଳୀ ଏବଂ କମ୍ ରୋଜଗାର କରୁଥିବା ବର୍ଗର ଲୋକଙ୍କୁ ହିଁ ଅଧିକ ପ୍ରଭାବିତ କରିଥାଏ ।
(ବରେନ୍ଦ୍ର କୃଷ୍ଣ ସାହୁଙ୍କ ରିପୋର୍ଟ)