-ଦେଶରେ ୨୪ ଘଣ୍ଟାରେ ୬୨,୫୩୮ ଆକ୍ରାନ୍ତ
-ରାଜ୍ୟରେ ଦିନକରେ ୧୮୩୩ ଆକ୍ରାନ୍ତ, ୧୨ ମୃତ
-ସଂକ୍ରମଣରେ ଗଞ୍ଜାମକୁ ଟପିଲା ଖୋର୍ଦ୍ଧା ଜିଲ୍ଲା
ଭୁୁବନେଶ୍ୱର: ଉଭୟ ଦେଶ ଓ ରାଜ୍ୟରେ କରୋନା ସଂକ୍ରମଣ ଆଜି ରେକର୍ଡ ଭାଙ୍ଗିଛି । ଦେଶରେ ୨୪ ଘଣ୍ଟାରେ ୬୨, ୫୩୮ ଆକ୍ରାନ୍ତ ଚିହ୍ନଟ ହେବା ସହ ୮୮୬ ଜଣ ମୃତ୍ୟୁବରଣ କରିଛନ୍ତି । ସେହିଭଳି ଓଡ଼ିଶାରେ ୨୪ ଘଣ୍ଟାରେ ୧୮୩୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୨ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ୨୯ ଜିଲ୍ଲାରୁ ଚିହ୍ନଟ ନୂଆ ୧୮୩୩ ଆକ୍ରାନ୍ତଙ୍କ ମଧ୍ୟରେ ୭୧୫ ଜଣ ସ୍ଥାନୀୟ ଅଞ୍ଚଳରୁ ସଂକ୍ରମିତ ହୋଇଛନ୍ତି ।
ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସଂକ୍ରମଣରେ ଗଞ୍ଜାମ ଜିଲ୍ଲାକୁ ଟପିଯାଇଛି ଖୋର୍ଦ୍ଧା ଜିଲ୍ଲା । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦ୍ୱିତୀୟ ସ୍ଥାନକୁ ଖସି ଆସିଥିବା ଗଞ୍ଜାମରୁ ଚିହ୍ନଟ ହୋଇଛନ୍ତି ୨୭୯ ଆକ୍ରାନ୍ତ । ଖୋର୍ଦ୍ଧା ଜିଲ୍ଲା ବିଶେଷକରି ଭୁବନେଶ୍ୱର ସହରରେ କରୋନା ସଂକ୍ରମଣ ଭୟଙ୍କର ସ୍ଥିତିରେ ପହଞ୍ଚିସାରିଥିବା ସ୍ପଷ୍ଟ ହେଲାଣି । କଟକ ଜିଲ୍ଲା ବିଶେଷକରି କଟକ ସହରରେ ମଧ୍ୟ ସଂକ୍ରମଣ ବଢ଼ିଚାଲିଛି । ଜିଲ୍ଲାରୁ ଆଜି ୧୨୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ରାୟଗଡ଼ା ଜିଲ୍ଲାରୁ ୧୫୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
କେବଳ ସଂକ୍ରମଣ ବଢ଼ୁଛି ନୁହେଁ, ମୃତ୍ୟୁ ସଂଖ୍ୟା ବି ବଢ଼ିଚାଲିଛି । ୨୪ ଘଣ୍ଟାରେ ରାଜ୍ୟରୁ ୧୨ ଜଣଙ୍କର ଜୀବନ ନେଇଛି କରୋନା । ଗଞ୍ଜାମ ଏବଂ ସୁନ୍ଦରଗଡ଼ରୁ ୩ ଜଣ ଲେଖାଏଁ ମୃତ୍ୟୁବରଣ କରିଥିବା ବେଳେ କେନ୍ଦ୍ରାପଡ଼ା, ଗଜପତି, ଢ଼େଙ୍କାନାଳ, ଭଦ୍ରକ, ସମ୍ବଲପୁର ଏବଂ ମୟୁରଭଞ୍ଜରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ଏଥିସହ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୨୪୭ କୁ ବୃଦ୍ଧିପାଇଛି ।
ମୋଟାମୋଟି ଭାବେ ଆଜିର ସଂଖ୍ୟାକୁ ମିଶାଇଲେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଲକ୍ଷ ଟପିଯାଇଛି । ମୋଟ ଆକ୍ରାନ୍ତ ହୋଇଛନ୍ତି ୨୦ ଲକ୍ଷ ୨୭ ହଜାର ୭୪ । ୧୩ ଲକ୍ଷ ୭୮ ହଜାର ୧୦୫ ସୁସ୍ଥ ହୋଇସାରିଲେଣି । ମୃତ୍ୟୁବରଣ କଲେଣି ୪୧ ହଜାର ୫୮୫ ।
ସେହିଭଳି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୨, ୫୫୦ ରେ ପହଞ୍ଚିଛି । ୨୬,୮୮୮ ସୁସ୍ଥ ହୋଇଥିବାରୁ ଆକ୍ଟିଭ୍ ଆକ୍ରାନ୍ତ ଅଛନ୍ତି ୧୫,୩୭୦ । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ୧୨,୩୫୯ ଆକ୍ରାନ୍ତ ଏବଂ ୧୨୩ ମୃତ୍ୟୁବରଣ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ୫,୮୨୯ ଆକ୍ରାନ୍ତ ଏବଂ ୩୧ ମୃତ୍ୟୁବରଣ କଲେଣି ।
ଆଜି କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ
ଅନୁଗୁଳ-୯, ବାଲେଶ୍ୱର-୬୯, ବରଗଡ଼-୮, ଭଦ୍ରକ-୫୦, ବଲାଙ୍ଗୀର-୩୭, ବୋ÷ଦ୍ଧ-୩୪, କଟକ-୧୨୪, ଢ଼େଙ୍କାନାଳ-୪୩, ଗଜପତି-୩୫, ଗଞ୍ଜାମ-୨୭୯, ଜଗତସିଂହପୁର-୧୬, ଯାଜପୁର-୬୦, ଝାରସୁଗୁଡ଼ା-୩୦, କଳାହାଣ୍ଡି-୮୪, କନ୍ଧମାଳ-୧୬, କେନ୍ଦ୍ରାପଡ଼ା-୩୪, କେଉଁଝର-୧୬, ଖୋର୍ଦ୍ଧା-୨୯୮, କୋରାପୁଟ-୪୭, ମାଲକାନଗିରି-୩୬, ମୟୁରଭଞ୍ଜ-୩୪, ନବରଙ୍ଗପୁର-୧୧, ନୟାଗଡ଼-୬୧, ନୂଆପଡ଼ା-୧, ପୁରୀ-୬୭, ରାୟଗଡ଼ା-୧୫୨, ସମ୍ବଲପୁର-୩୯, ସୋନପୁର-୩୩, ସୁନ୍ଦରଗଡ଼-୧୧୦ ।