ଭୁବନେଶ୍ୱର: ଓଡ଼ିଶାର ଯଶସ୍ୱୀ ସାହିତ୍ୟିକ ହରପ୍ରସାଦ ଦାସଙ୍କ ବିରୋଧରେ ଆସିଥିବା ବ୍ୟଭିଚାର ଅଭିଯୋଗ ଥାନାକୁ ଯାଇଛି । ଡ. ପଲ୍ଲିଶ୍ରୀ ପଟ୍ଟନାୟକ ଭବାନୀପାଟଣା ଟାଉନ୍ ଥାନାରେ ତାଙ୍କ ବିରୋଧରେ ଏତଲା ଦେଇଛନ୍ତି । ଫେସବୁକ୍ ରେ ହରପ୍ରସାଦ ତାଙ୍କ ସହ ବନ୍ଧୁତାର ସମ୍ପର୍କ ବାନ୍ଧିଥିଲେ । ପରବର୍ତ୍ତୀ ସମୟରେ ପୁରସ୍କାରର ଲୋଭ ଦେଖାଇ ବିଭିନ୍ନ ପ୍ରକାର ଅଶ୍ଲୀଳ ଆଚରଣ କରିଥିଲେ । ଏହା ତାଙ୍କୁ ମାନସିକ ଆଘାତ ଦେବା ସହ ସାମାଜିକ ପ୍ରତିଷ୍ଠା କ୍ଷୂର୍ଣ୍ଣ କରିଛି ବୋଲି ପଲ୍ଲିଶ୍ରୀ ତାଙ୍କ ଏତଲାରେ ଦର୍ଶାଇଛନ୍ତି ।
ଭବାନୀପାଟଣା ସ୍ୱଂୟଶାସିତ କଲେଜର ଓଡ଼ିଆ ଅଧ୍ୟାପିକା ପଲ୍ଲିଶ୍ରୀ କିଛି ଦିନ ତଳେ ଫେସବୁକ୍ ରେ ହରପ୍ରସାଦଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଥିଲେ । ପ୍ରତିଷ୍ଠିତ ସାହିତ୍ୟିକ ହରପ୍ରସାଦ ତାଙ୍କୁ କୁଆଡେ ଅଶ୍ଲୀଳ ମେସେଜ୍ ଦଉଥିଲେ । ଭିଡ଼ିଓ କଲିଂ କରୁଥିଲେ । ତାଙ୍କର ହାବଭାବରେ ଅତିଷ୍ଠ ପଲ୍ଲିଶ୍ରୀ ଥାନା କିମ୍ବା କୋର୍ଟକୁ ଯିବା ପରିବର୍ତ୍ତେ କଥାଟିକୁ ଫେସବୁକ୍ ରେ ପୋଷ୍ଟ କରିଥିଲେ । ଖାଲି ସେତିକି ନୁହେଁ, ମେସେଞ୍ଜରରେ ହରପ୍ରସାଦ ଓ ତାଙ୍କ ମଧ୍ୟରେ ହୋଇଥିବା ଚାଟିଂର ଫଟୋ ମଧ୍ୟ ପୋଷ୍ଟ କରିଥିଲେ । ପଲ୍ଲିଶ୍ରୀଙ୍କ ଏହି ଫେସବୁକ୍ ପୋଷ୍ଟ ସୋସିଆଲ୍ ମିଡ଼ିଆରେ ବେଶ୍ ଚର୍ଚ୍ଚା ହୋଇଥିଲା । ତେବେ ହରପ୍ରସାଦ ଏହାକୁ ଦୃଢ଼ ଭାବରେ ଖଣ୍ଡନ କରିବା ସହ ଏହି ଖବର ପ୍ରକାଶ କରିଥିବା ନିର୍ଦ୍ଦିଷ୍ଟ ଖବରକାଗଜ ସମ୍ପାଦକଙ୍କ ସମେତ ୭ ଜଣ କର୍ମଚାରୀ ଓ ପଲ୍ଲିଶ୍ରୀଙ୍କ ବିରୋଧରେ ଗତ ୫ ତାରିଖରେ ଦୁଇଟି କୋର୍ଟରେ ମାନହାନୀ ମକଦ୍ଦମା କରିଥିଲେ । ସଂପୃକ୍ତା ମହିଳା ତାଙ୍କ ବିରୋଧରେ ଅପପ୍ରଚାର ଓ ମିଥ୍ୟା କୁତ୍ସାରଟନା କରିଛନ୍ତି । ଏ ସମ୍ପର୍କରେ ପ୍ରକାଶିତ ଖବର ତାଙ୍କର ସମ୍ମାନହାନୀ କରିଛି ବୋଲି ସେ ଦର୍ଶାଇଥିଲେ ।
ତେବେ ପଲ୍ଲିଶ୍ରୀ ଆଜି ସିଧାସଳଖ ପୁଲିସରେ ଏତଲା ଦେଇଥିବାରୁ ମାମଲାଟି ସଙ୍ଗୀନ ମୋଡ଼ ନେଇଛି । ପଲ୍ଲିଶ୍ରୀ ଏତଲା ଦେବା ସହ ହରପ୍ରସାଦଙ୍କୁ ପାଲଟା ଆକ୍ରମଣ କରିଛନ୍ତି । ହରପ୍ରସାଦ ଗଣମାଧ୍ୟମରେ ତାଙ୍କ ବିରୋଧରେ ଅପପ୍ରଚାର କରିଛନ୍ତି । ଏହା ତାଙ୍କର ସାମାଜିକ ପ୍ରତିଷ୍ଠା ଓ ପାରିବାରିକ ଜୀବନକୁ ନଷ୍ଟ କରିଛି ବୋଲି ସେ ଅଭିଯୋଗ କରିଛନ୍ତି । ଘଟଣାଟି କେବଳସାହିତ୍ୟିକ ମହଲରେ ନୁହେଁ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ସମାଜ, ସଂସ୍କୃତି, ମାନବିକତାର କଥା କହୁଥିବା ଓଡ଼ିଶାର ଜଣ ଲବ୍ଧ ପ୍ରତିଷ୍ଠିତ ସାହିତ୍ୟିକଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗକୁ ସେମାନେ ସହଜରେ ବିଶ୍ୱାସ କରିପାରୁନାହାନ୍ତି ।