ବାପାକୁ ମଉସା ଡାକିବା ନ୍ୟାୟରେ ଜୟନାରାୟଣ ମିଶ୍ରଙ୍କ ଉପରୁ ଶେଷରେ ବିଜେପି ସସପେଣ୍ଡ ଆଦେଶ ହଟାଇବାକୁ ବାଧ୍ୟ ହୋଇଛି । ସମ୍ବଲପୁର ବିଜେପି ରାଜନୀତିରେ ଜୟନାରାୟଣ-ସୁରେଶଙ୍କ ଖେଳରେ ବିଚରା ଭୁବନେଶ୍ୱରିଆ ସମୀର ମହାନ୍ତି ବଳି ପଡ଼ି ଥିଲେ । ଜୟନାରାୟଣ ଲୋକଙ୍କ ମୁଥ ସମୀରଙ୍କ ମୁହଁ ଫଟାଇଦେଲା । ସମୀର ସିନା ମାଡ଼ ଖାଇଲେ ହେଲେ ଏହି ଜବରଦସ୍ତ ଧମାକା ମୁକୁଙ୍କ ମାର୍ଫତଦାରରେ ଥିବା ସୁରେଶ-ବସନ୍ତଙ୍କୁ ଛକା ମାରିଲା ଭଳି ଲାଗିଲା । ଜୟନାରାୟଣଙ୍କୁ ପାନେ ଦେବା ପାଇଁ ଯେଉଁ ସୁଯୋଗ ଉଣ୍ଡିଥିଲେ ତାହା ହାତପାଆନ୍ତାକୁ ଚାଲିଆସିଲା । ଚଟାପଟ ଦଳରୁ ତାଙ୍କୁ ସସପେଣ୍ଡ କରିଦିଆଗଲା । ହେଲେ ଖଣ୍ଡାରେ ଖେଳୁଥିବା ଜୟନାରାୟଣ କ’ଣ ଛାଡ଼ିବା ଲୋକ? ସେ ବି ସୁଯୋଗ ଉଣ୍ଡିଥିଲେ ମୁକୁଙ୍କ ଚେଲା ବସନ୍ତଙ୍କୁ ପାନେ ଦେବା ପାଇଁ । ନୂଆପଡ଼ା ଜିଲ୍ଲା ପରିଷଦ ଜୋନ୍ ନିର୍ବାଚନ ସେହି ସୁଯୋଗ ଆଣିଦେଲା । ସମ୍ବପୁରରେ ବସି ଏମିତି ଖେଳ ଖେଳିଲେ ଯେ ବସନ୍ତ ପୂରା ସଫା । ବିଜେପି ଜିତିବା ଦୂରେ ଥାଉ ଦ୍ୱିତୀୟ ସ୍ଥାନକୁ ବି ଉଠିପାରିଲାନି । ଜୟନାରାୟଣଙ୍କ ଏହି ଖେଳ ଆଗକୁ ଆହୁରି ଡେଞ୍ଜର ହେବ ବୋଲି ମୁକୁଙ୍କ ଚେଲା ଚାମଣ୍ଡା କାନମୁଣ୍ଡା ଆଉଁଷି ବୁଝିଗଲେ । ସମୀରଙ୍କ ମାଡ଼ ଦାଗ ନ ଲିଭୁଣୁ ବସନ୍ତଙ୍କ ଉପରକୁ ସସପେଣ୍ଡ ପ୍ରତ୍ୟାହାର ପାଇଁ ତର ସହିଲାନି । ହଁ, ମୁକୁ କ୍ୟାମ୍ପ ଭାବିଥିଲେ, ଜୟନାରାୟଣ ଦଳରୁ ଆଉଟ୍ ହେଲା ପରେ ତାଙ୍କର ସତ୍ତା ହଜିଯିବ । ହେଲେ ତାହା ତ ହେଲାନି । ଓଲଟି ଘରବାହୁଡା ହେଲା ପରେ ବି ଜୟନାରାୟଣ ତାଙ୍କର ପୁରୁଣା ଦମ୍ଭ ହରାଇନାହାନ୍ତି । ନଗଦ ଏକ ଟିଭି ଚାନେଲକୁ ସାକ୍ଷାତକାର ଦେଇ ସେ ବିଜେପି ନେତୃତ୍ୱଙ୍କ ବିରୋଧରେ ବିଷ ଓଗାଳିଛନ୍ତି । ମୁକୁ ଓରଫ୍ ଧର୍ମେନ୍ଦ୍ରଙ୍କ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀତ୍ୱ ଉପରେ ସେ ଅଙ୍ଗୁଳି ଉଠାଇଛନ୍ତି । ଯାହା କହ ମାନିବାକୁ ପଡ଼ିବ ବାବୁ ଜୟନାରାୟଣଙ୍କ ଔକାତ୍ କୁ ।