ନୂଆଦିଲ୍ଲୀ: ପାନାମା ପେପର୍ସରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ପୁଅ ନାଁ । ଜଳସମ୍ପଦ ମନ୍ତ୍ରୀ ବ୍ରିଜମୋହନ ଅଗ୍ରୱାଲଙ୍କ ପତ୍ନୀଙ୍କ ବିରାଟ ରିସର୍ଟ ଜଙ୍ଗଲ ଜମିରେ । ଏହି ଦୁଇ ଯୋଡି ମୋଟା ମାଲ୍ ପକାଇ ଶିଳ୍ପପତିଙ୍କ ହାତରେ ମହାନଦୀକୁ ବିକି ଦେଇଛନ୍ତି । ଏହାର ତଦନ୍ତ ହୋଇ ଦୋଷୀଙ୍କୁ ଦଣ୍ଡ ମିଳୁ । ଓଡ଼ିଶାର ଜୀବନରେଖା ମହାନଦୀକୁ ବଞ୍ଚାଯାଉ । ଦିଲ୍ଲୀର ଜନ୍ତରମନ୍ତରରେ ମହାନଦୀ ବଞ୍ଚାଓ ସତ୍ୟାଗ୍ରହୀଙ୍କ ମୁହଁରୁ ଏଭଳି ଶାଣିତ ସ୍ୱର କେନ୍ଦ୍ର ସରକାରଙ୍କୁ ଦୋହଲାଇଦେଇଛି । ଓଡ଼ିଶାର ଦାବିକୁ ଅଣଦେଖା କରୁଥିବା ବିଜେପି ସରକାରଙ୍କ ପିଳେହିପାଣି ହୋଇଛି । ଆନ୍ଦୋଳନ ଆଜି ଚତୁର୍ଥ ଦିନରେ ପହଞ୍ଚିଥିଲେ ମଧ୍ୟ ମହାନଦୀ ପାଇଁ କାନ୍ଦୁଥିବା ଓଡ଼ିଶା ବିଜେପି ନେତାଙ୍କ ଦେଖା ମିଳିନି । ସତ୍ୟାଗ୍ରହୀଙ୍କ ସାମନା କରିବାକୁ ସେମାନେ ନୈତିକ ସାହାସ ହରାଇଛନ୍ତି ବୋଲି ଆନ୍ଦୋଳନରେ ଯୋଗଦେଇଥିବା ଜଣେ ବରିଷ୍ଠ କର୍ମକର୍ତ୍ତା କହିଛନ୍ତି ।
ଆଜି ଚତୁର୍ଥ ଦିନରେ ଆନ୍ଦୋଳନସ୍ଥଳରେ ସାଂସଦ ପିନାକୀ ମିଶ୍ର ପହଞ୍ଚି ମହାନଦୀ ବଞ୍ଚାଓ ଆନ୍ଦୋଳନକୁ ଭରପୂର ସମର୍ଥନ ଦେଇଥିଲେ । ଓଡ଼ିଶାର ସ୍ୱାର୍ଥକୁ କୌଣସି ହାଲତରେ ବଳି ପଡ଼ିବାକୁ ଦିଆଯିବନି ବୋଲି ସେ ବଜ୍ରକଣ୍ଠରେ ଘୋଷଣା କରିଥିଲେ । ସୂଚନାଯୋଗ୍ୟ, ଗତକାଲି ସଂସଦର ଶୂନ୍ୟକାଳରେ ବିଜେଡ଼ି ସାଂସଦମାନେ ମହାନଦୀ ପ୍ରସଙ୍ଗ ଉଠାଇ ପ୍ରବଳ ହଟ୍ଟଗୋଳ କରିଥିଲେ । ଉଭୟ କେନ୍ଦ୍ର ସରକାର ଓ ଛତିଶଗଡ଼ ସରକାର ଓଡ଼ିଶାର ନ୍ୟାଯ୍ୟ ଦାବିକୁ ଅଣଦେଖା କରୁଥିବା ଅଭିଯୋଗ କରିଥିଲେ । ତେବେ କେନ୍ଦ୍ର ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ ସଞ୍ଜୀବ ବାଲ୍ୟାନ୍ କୌଣସି ଉତ୍ତର ଦେଇପାରି ନ ଥିଲେ । ପୂର୍ବରୁ ବିଜେଡ଼ି ସାଂସଦମାନେ ସଂସଦ ଭବନର ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିଲେ । କଂଗ୍ରେସ ସାଂସଦ ରଞ୍ଜୀବ ବିଶ୍ୱାଳ ମଧ୍ୟ ସେଥିରେ ସାମିଲ ହୋଇଥିଲେ ।
ଜନ୍ତରମନ୍ତରଠାରେ ଚାଲିଥିବା ୫ ଦିନିଆ ମହାନଦୀ ବଞ୍ଚାଓ ଆନ୍ଦୋଳନକୁ ବିଜେଡ଼ି ଓ କଂଗ୍ରେସ ନେତାଙ୍କ ସମେତ ସାମାଜିକ କର୍ମୀ, ଜଳବିଶେଷଜ୍ଞଙ୍କ ସମର୍ଥନର ସୁଅ ଛୁଟିଛି । ବିଭିନ୍ନ ପର୍ଯ୍ୟାୟରେ ସେମାନେ ଆନ୍ଦୋଳନସ୍ଥଳରେ ପହଞ୍ଚି ସତ୍ୟାଗ୍ରହକୁ ସମର୍ଥନ ଜଣାଉଛନ୍ତି । ଗତକାଲି ସାଂସଦ ଅହମ୍ମଦ ପଟେଲ ଆନ୍ଦୋଳନ ପ୍ରତି ସମର୍ଥନ ଜଣାଇ ଭାଷଣ ଦେଇଥିଲେ । ସାମାଜିକ ସଂଗଠକ ସୁଦର୍ଶନ ଦାସ, ଜଳମାନବ ରାଜେନ୍ଦ୍ର ସିଂଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ଆନ୍ଦୋଳନର ନେତୃତ୍ୱ ନେଇଛନ୍ତି ।