ଭୁବନେଶ୍ୱର: ଦକ୍ଷିଣ- ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଜି ସକାଳ ସାଢ଼େ ୮ଟାରେ ଅବପାତର ରୂପ ନେଇଛି । ଅପରାହ୍ନ ସାଢ଼େ ୫ଟା ସୁଦ୍ଧା ଏହା ସାମୁଦ୍ରିକ ଝଡ଼ର ରୂପ ନେବାର ସମ୍ଭାବନା ରହିଛି । ୨୪ ଘଣ୍ଟା ମଧ୍ୟରେ ଏହା ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମ ରୂପ ନେବ । ଆସନ୍ତାକାଲି ସଂଧ୍ୟା ପରେ ଉତ୍ତର-ପୂର୍ବ ଦିଗକୁ ଗତି କରିବ ବୋଲି ଆଇଏମଡି ଆକଳନ କରିଛି ।
ପାରାଦ୍ୱୀପଠାରୁ ୧୧୦୦ କିମି, ପଶ୍ଚିମବଙ୍ଗ ଦିଘାରୁ ୧୨୫୦ କିମି ଏବଂ ବାଲାଂଦେଶଠାରୁ ୧୩୩୦ କିମି ଦୂରରେ ବର୍ତ୍ତମାନ ରହିଛି ବାତ୍ୟା । ୧୮ରୁ ୨୦ ତାରିଖ ମଧ୍ୟରେ ପଶ୍ଚିମବଙ୍ଗ ଦେଇ ଗତି କରିବ । ତେବେ କେଉଁଠି ବାତ୍ୟା ଲ୍ୟାଣ୍ଡଫଲ୍ କରିବ ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ବାଲାଂଦେଶ ଓ ପଶ୍ଚିମବଙ୍ଗ ମଧ୍ୟରେ ଏହା ଲ୍ୟାଣ୍ଡଫଲ୍ କରିପାରେ ବୋଲି ଆଇଏମଡ଼ି ଅନୁମାନ କରୁଛି । ଅନ୍ୟପକ୍ଷରେ ବୁଧବାର ଦିନ ପାରାଦ୍ୱୀପରେ ଏହା ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନାକୁ ଏଡାଯାଇ ନ ପାରେ ବୋଲି କିଛି ସଂସ୍ଥା ପୂର୍ବାନୁମାନ କରୁଛନ୍ତି ।ତେବେ ଆସନ୍ତାକାଲି ସଂଧ୍ୟା ସୁଦ୍ଧା ଏହା ସ୍ପଷ୍ଟ ହୋଇଯିବ ।
ବର୍ତ୍ତମାନ ଆଇଏମଡ଼ିର ଆକଳନ ଅନୁଯାୟୀ, ବାତ୍ୟା ‘ଅମ୍ଫାନ’ ଯୋଗୁଁ ଉତ୍ତର ଉପକୂଳ ଓଡ଼ିଶା ପ୍ରଭାବିତ ହେବ । ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାକୁ ବେଶୀ ବାତ୍ୟା ବିପଦ ରହିଛି । କାଲିଠାରୁ ଉପକୂଳବର୍ତ୍ତୀ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ଆରମ୍ଭ ହେବ । ୭୫ କିମି ପର୍ଯ୍ୟନ୍ତ ବେଗରେ ପବନ ବହିପାରେ ।