ଭୁବନେଶ୍ୱର: ଅସଲ କଥାକୁ ଭୁଲେଇ ଭିନ୍ନ ଅର୍ଥ ପ୍ରଚାର କରିବାରେ ମାନ୍ୟବର ସାଂସଦ ବୈଜୟନ୍ତ ପଣ୍ଡା କେତେ ଧୂରନ୍ଧର ଧରାପଡ଼ିଯାଇଛନ୍ତି । ବିଜେଡ଼ି ତାଙ୍କ ବିରୋଧରେ କୌଣସି ଜାଗାରେ ‘ଅଫିସ୍ ଅଫ୍ ପ୍ରଫିଟ୍’ ଅଭିଯୋଗ ଆଣିନାହିଁ । ମାତ୍ର ବୈଜୟନ୍ତ ଓ ତାଙ୍କ ମେସିନ୍ ବାରମ୍ବାର ଏହି କଥା ଉଠାଇ ଆଇନ ପାଠ ଦେଖାଉଛନ୍ତି । ବୈଜୟନ୍ତ ଅତ୍ୟନ୍ତ ଜ୍ଞାନୀ ତାହା କେହି ମନା କରୁନାହାନ୍ତି । ହେଲେ ସେଥିପାଇଁ ଅନ୍ୟମାନଙ୍କୁ ନୀଚ୍ଚ କରିବା ତାଙ୍କଭଳି ଜଣେ ପରିପୃଷ୍ଟ ବ୍ୟକ୍ତିଙ୍କଠାରେ ଶୋଭାପାାଉନି ବୋଲି ଚର୍ଚ୍ଚା ହେଉଛି । ଏହା ତାଙ୍କର ଅସହାୟତା କି ବୋଲି ପ୍ରଶ୍ନ ଉଠିଛି ।
ବିଜେଡ଼ିର ସିଧା ସିଧା ଅଭିଯୋଗ, ଇମ୍ଫାର ଉପାଧ୍ୟକ୍ଷ ବୈଜୟନ୍ତ ୨୦୧୪ ନିର୍ବାଚନୀ ସତ୍ୟପାଠରେ ତାଙ୍କର ଇମ୍ଫା ପଦବୀ ଏବଂ ଦରମା ସମ୍ପର୍କରେ ଉଲ୍ଲେଖ କରିନାହାନ୍ତି । ନିୟମିତ ଦରମା ବାବଦରେ ସେ କୋଟି କୋଟି ଟଙ୍କା ନେଇଥିଲେ ବି ସତ୍ୟପାଠରେ ଦର୍ଶାଇନାହାନ୍ତି । ମନୋନୟନପତ୍ର ଦାଖଲ ବେଳେ ଫର୍ମ ନଂ ୨୬ର କ୍ରମିକ ୯ରେ ଜଣେ ପ୍ରାର୍ଥୀ ନିଜର ବୃତ୍ତି କିମ୍ବା ନିଯୁକ୍ତି ସମ୍ପର୍କରେ ଦର୍ଶାଇବା ଅନିବାର୍ଯ୍ୟ ହୋଇଥିଲେ ମଧ୍ୟ ବୈଜୟନ୍ତ ଲୁଚାଇଛନ୍ତି । ବିଜେଡ଼ିର ନେତାମାନେ ସିଧାସଳଖ ଏହି କଥା ଉଠାଇ ବୈଜୟନ୍ତଙ୍କ ନୈତିକତାକୁ ପ୍ରଶ୍ନ କରିଛନ୍ତି । ସତ୍ୟପାଠରେ ତଥ୍ୟ ଲୁଚାଇଥିବାରୁ କେନ୍ଦ୍ରାପଡ଼ାବାସୀଙ୍କୁ ବୈଜୟନ୍ତ ପ୍ରତାରିତ କରିଥିବା କହିଛନ୍ତି ।
ମାତ୍ର ବିଜେଡ଼ି ନେତାଙ୍କ ଏହି ଖୁଲାସାକୁ ବୈଜୟନ୍ତ ଓ ତାଙ୍କ ମେସିନ୍ ‘ଅଫିସ୍ ଅଫ୍ ପ୍ରଫିଟ୍’ ଆଡକୁ ବୁଲାଇଛନ୍ତି । ସାଂସଦ ପଦରେ ଥାଇ ଘରୋଇ ବେପାର କରିବା କି ଚାକିରି କରିବା ଯେ ‘ଅଫିସ୍ ଅଫ୍ ପ୍ରଫିଟ୍’ ଭିତରେ ଆସୁନାହିଁ, ତାହା ରାଜନୀତି ବିଜ୍ଞାନ ପାଠ ପଢ଼ିଥିବା ସମସ୍ତଙ୍କୁ ଜଣା । ମାତ୍ର ବୈଜୟନ୍ତ ଶୂନ୍ୟରୁ ତୋଳି ଏହାକୁ ବାରମ୍ବାର ଦୋହରାଇ ଚାଲିଛନ୍ତି । ଖାଲିଟାରେ ଏହି କଥାକୁ ବିଳିବିଳେଇ ଲୋକଙ୍କ ସମର୍ଥନ ହାସଲର ଉଦ୍ୟମ ନୁହେଁ କି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ବୈଜୟନ୍ତ ସିଧା ସିଧା ସ୍ପଷ୍ଟ କରନ୍ତୁ, ସେ ନିଜ ସତ୍ୟପାଠରେ କାହିଁକି ନିଜର ଚାକିରି ଓ ଦରମା ଦର୍ଶାଇନାହାନ୍ତି । ବାସ୍ ସେତିକି କଥା । ପ୍ରସଙ୍ଗକୁ ବୁଲେଇ ବଙ୍କେଇ ବାଇଟ୍ ଦେବା କି ଟୁଇଟ୍ କରିବାର କିଛି ଅର୍ଥ ନାହିଁ ବୋଲି ଜଣେ ଜଣାଶୁଣା ସ୍ତମ୍ଭକାର ନିଜ ନାଁ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ।
ସୂଚନାଯୋଗ୍ୟ, ଗତକାଲି କେନ୍ଦ୍ରାପଡ଼ାରେ ବୈଜୟନ୍ତ କହିଥିଲେ ଯେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ମିଛ । ସେ ‘ଅଫିସ୍ ଅଫ ପ୍ରଫିଟ୍’ ରେ ଆସୁନାହାନ୍ତି । ଆଜି ସକାଳୁ ଟୁଇଟ୍ କରି ପୁଣିଥରେ ଜବରଦସ୍ତ ‘ଅଫିସ୍ ଅଫ୍ ପ୍ରଫିଟ୍’ କଥା ଉଠାଇ ଆଇନପାଠ ପଢ଼ାଇଛନ୍ତି । ଗତକାଲି ତାଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଜିଲ୍ଲା ବିଧାୟକଙ୍କ ଶିକ୍ଷା ଓ ଅଭିଜ୍ଞତାକୁ ଏକପ୍ରକାର ତାତ୍ସଲ୍ୟ କରିଛନ୍ତି । ସେମାନଙ୍କ ଅଭିଯୋଗକୁ ‘ବିଜାରେ’ ଅଭିଯୋଗ ବୋଲି କହିଛନ୍ତି । ଆଉ ଆଧାର ଥିବା ମିଥ୍ୟା ସତ୍ୟପାଠ ଅଭିଯୋଗକୁ ବିନା ଆଧାରରେ ‘ରିଜେକ୍ଟ’ କରିଛନ୍ତି । ଖାଲି ସେତିକି ନୁହେଁ, ଗତକାଲି କେନ୍ଦ୍ରାପଡ଼ାରେ ଦେଇଥିବା ମନ୍ତବ୍ୟରେ ତାଙ୍କ କମ୍ପାନୀର ବିମାନ/ହେଲିକପ୍ଟର ଚଢ଼ିଥିବା ସ୍ୱର୍ଗତ ବିଜୁ ବାବୁ ଓ ନବୀନ ବାବୁଙ୍କୁ ଋଣୀ କରିଦେଇଛନ୍ତି!!!
ତେବେ ବିଜେଡ଼ିରୁ ସସପେଣ୍ଡ ବୈଜୟନ୍ତଙ୍କ ତଥାକଥିତ ଧୂଆଁବାଣରେ ଆଶ୍ଚର୍ଯ୍ୟହେବାର ନାହିଁ ବୋଲି କିଛି ରାଜନୈତିକ ପର୍ଯ୍ୟବେକ୍ଷକ ମତ ଦେଇଛନ୍ତି । ବୈଜୟନ୍ତଙ୍କର ଏଭଳି କାର୍ଯ୍ୟକଳାପ ପାଇଁ ସେମାନେ ଓଲଟି ବିଜେଡ଼ି ଓ ନବୀନ ସରକାରଙ୍କୁ ଦାୟୀ କରିଛନ୍ତି । ବୈଜୟନ୍ତଙ୍କର ମିଥ୍ୟା ସତ୍ୟପାଠ ପ୍ରସଙ୍ଗକୁ ବିଜେଡ଼ି ଏ ପର୍ଯ୍ୟନ୍ତ ଜାଣି ପାରି ନ ଥିଲା କିପରି ? ଯଦି ଜାଣିଥିଲା ଚାପି ରଖିଥିଲା କାହିଁକି ? ସେହିଭଳି ଲୋକସଭା ଫାଇନାନସ୍ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ପଦ ପାଇଁ ବୈଜୟନ୍ତଙ୍କ ଲୋଭ ଏବଂ ଦଳୀୟ ନେତୃତ୍ୱର ପ୍ରତ୍ୟାଖ୍ୟାନ ପରେ ଦଳ ବିରୋଧରେ ଷଡ଼ଯନ୍ତ୍ର କରିବା କଥା ବିଜେଡ଼ିର ଏତେ ଡ଼େରିରେ ମନେପଡ଼ିଲା କାହିଁକି ? ବୈଜୟନ୍ତଙ୍କ ବିରୋଧରେ ସେତେବେଳୁ କାର୍ଯ୍ୟନୁଷ୍ଠାନ ହୋଇଥିଲେ ହୁଏତ କଥା ଏତେ ବାଟ ଯାଇ ନ ଥାଆନ୍ତା । ସୁତରାଂ ବୈଜୟନ୍ତଙ୍କୁ ନେଇ ଦଳ ଯେଉଁ ପରିସ୍ଥିତିର ସାମନା କରୁଛି ସେଥିପାଇଁ ବୈଜୟନ୍ତ ନୁହେଁ ବରଂ ବିଜେଡ଼ି ନେତୃତ୍ୱ ଦାୟୀ ବୋଲି ପର୍ଯ୍ୟବେକ୍ଷକମାନେ ମତ ଦେଇଛନ୍ତି ।