ଭୁୁବନେଶ୍ୱର: ଫେରାର ହୋଇଯାଇଥିବା ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ ଅଭିଜିତ୍ ଆୟାର ମିତ୍ରଙ୍କ ଟେର୍ ପାଉନି ପୁଲିସ । ଓଡ଼ିଶାରୁ ତିନିଟି ସ୍ୱତନ୍ତ୍ର ପୁଲିସ ଟିମ୍ ଦିଲ୍ଲୀ, କୋଲକତା ଓ ଚେନ୍ନାଇରେ ଦୁଇଦିନ ହେଲା ଛାନଭିନ୍ କରୁଥିଲେ ମଧ୍ୟ କୌଣସି ଫଳ ପାଉନାହାନ୍ତି । କାଳେ ଓଡ଼ିଶା ଆସି କେଉଁଠି ଲୁଚିଥିବେ ତାହା ଉପରେ ବି ପୁରୀ ପୁଲିସ ଅନ୍ଧାରରେ ବାଡ଼ି ବୁଲଉଛି । ଆସନ୍ତାକାଲି(ଗୁରୁବାର) ଦିନ ୧୧ଟାରେ ବିଧାନସଭା ଗୃହ କମିଟି ଆଗରେ ହାଜର ହେବାକୁ ଅଭିଜିତ୍ ଙ୍କୁ ନିର୍ଦ୍ଦେଶ ଅଛି । କମିଟି ଆଗରେ ହାଜିରା ପାଇଁ ଅଭିଜିତ୍ ପୁରୀ ଏସପିଙ୍କଠାରୁ ପୂର୍ବରୁ ସୁରକ୍ଷା ମାଗି ସାରିିଥିବାରୁ ପୁଲିସ ଦ୍ୱନ୍ଦରେ ପଡ଼ିଯାଇଛି ।
ଆମ ଦିଲ୍ଲୀ ସୂତ୍ର ଖବର ଅନୁଯାୟୀ, ଏସଟିଏଫ ଏସପି ସତ୍ୟଜିତ ନାୟକଙ୍କ ନେତୃତ୍ୱରେ ୪ ଜଣିଆ ପୁଲିସ ଟିମ୍ ଅଭିଜିତ୍ ଙ୍କ ଅଫିସ, ଘର, ସମ୍ପର୍କୀୟ ଏବଂ ବନ୍ଧୁବାନ୍ଧବଙ୍କ ଘର ଉପରେ ତନାଘନା ଜାରି ରଖିଛନ୍ତି । ଜଙ୍ଗପୁରା ଏକ୍ସଟେନସନରେ ଥିବା ତାଙ୍କ ଅଫିସ ଏବଂ ସଫଦରଜଙ୍ଗ ଏକକ୍ଲେଭ୍ ରେ ଥିବା ଘରକୁ ବହୁବାର ଯାଇ ପଚରାଉଚୁରା କରୁଛନ୍ତି । ତେବେ ଅଭିଜିତ୍ ଖୋଜ ଖବର ନେଇ ଏହି ଟିମ୍ କୁ କୌଣସି ସୂଚନା ମିଳିପାରିନାହିଁ । କୋଲକତା ଓ ଚେନ୍ନାଇରୁ ବି ତାଙ୍କର ଖୋଜ ଖବର ଆଣିବାରେ ପୁଲିସକୁ ସଫଳତା ମିଳିନାହିଁ । ଆସନ୍ତକାଲି ସେ ଓଡ଼ିଶା ବିଧାନସଭା ଗୃହ କମିଟି ଆଗରେ ହାଜର ହେବାର ଥିବାରୁ ଏବେ ପୁଲିସ ସେୟାଡକୁ ଦୃଷ୍ଟି ଫେରାଇଛି ।
ଅଭିଜିତ୍ ଙ୍କ ଅନ୍ତରୀଣ ଜାମିନ୍ ମିଆଦ ଗତ ୫ ତାରିଖରୁ ଶେଷ ହୋଇଛି । ସୁପ୍ରିମକୋର୍ଟ ତାଙ୍କ ଜାମିନ୍ ଆବେଦନକୁ ନାକଚ କରିସାରିଛନ୍ତି । ଅଭିଜିତ୍ ଜେଲ୍ ରେ ରହିବାକୁ ଯୋଗ୍ୟ ଏବଂ ତାଙ୍କ ପାଇଁ ଜେଲ୍ ସର୍ବଶ୍ରେଷ୍ଠ ସୁରକ୍ଷିତ ସ୍ଥାନ ବୋଲି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ତାଙ୍କ ଜାମିନ୍ ଆବେଦନ ଶୁଣାଣି କରି ଟିପ୍ପଣୀ ଦେଇଥିଲେ । କୋର୍ଟ ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ୫ ତାରିଖରେ ଅଭିଜିତ୍ କୋଣାର୍କ ଥାନାରେ ହାଜର ହେବା କଥା । ମାତ୍ର ଅଭିଜିତ୍ ହାଜର ନ ହୋଇ ଫେରାର ହୋଇଯାଇଛନ୍ତି । ସେବେଠାରୁ ସର୍ଚ୍ଚ ୱାରେଣ୍ଟ ଧରି ପୁଲିସ ତାଙ୍କୁ ଖୋଜୁଛି ।
ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୧୫ ତାରିଖରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ତାଙ୍କର ଏହି ବନ୍ଧୁ ଅଭିଜିତ୍ ଙ୍କୁ ଓଡ଼ିଶା ବୁଲାଇ ଆଣିଥିଲେ । ମହିଳା ବାନ୍ଧବୀ ଆରତୀ ଟିକୁ ବି ସାଙ୍ଗରେ ଥିଲେ । ହେଲିକପ୍ଟରରେ ସେମାନଙ୍କୁ ଚିଲିକା, ପୁରୀ, କୋଣାର୍କ ଉପରେ ଉଡ଼ାଇଥିଲେ । ବନ୍ଧୁ ଅଭିଜିତ୍ କୋଣାର୍କ ମନ୍ଦିର ସାମନାରେ ନିଜର ଏକ ଭିଡ଼ିଓ ସୁଟ୍ କରି ସୋସିଆଲ୍ ମିଡ଼ିଆରେ ଛାଡ଼ିଥିଲେ । ସେଥିରେ କୋଣାର୍କ ମନ୍ଦିରକୁ ବେଶ୍ ତାତ୍ସଲ୍ୟ କରିଥିଲେ । ଓଡ଼ିଶାର ଐତିହ୍ୟ ଓ ସଂସ୍କୃତି ଉପରେ କୁତ୍ସିତ ଟିପ୍ପଣୀ ରଖିଥିଲେ । ଅଭିଜିତ୍ ଙ୍କ ଅରୁଚିକର ମନ୍ତବ୍ୟ ପାଇଁ ତାଙ୍କ ବିରୋଧରେ କୋଣାର୍କ ଥାନାରେ ଏତଲା ହୋଇଥିଲା । ବୈଜୟନ୍ତ ପଣ୍ଡାଙ୍କୁ ମଧ୍ୟ ସେଥିରେ ସହ ଅଭିଯୁକ୍ତ ଦର୍ଶାଯାଇଛି । ସେହିଭଳି ଓଡ଼ିଶା ବିଧାୟକମାନଙ୍କୁ ଅଭିଜିତ୍ ବୁଦ୍ଦୁ ବୋଲି ଟିପ୍ପଣୀ ଦେଇଛନ୍ତି । ଓଡ଼ିଶାର ଐତିହ୍ୟ ଓ ସଂସ୍କୃତିକୁ ଅବମାନନା କରିବା ସହ ବିଧାୟକଙ୍କୁ ବୁଦ୍ଦୁ କହିଥିବାରୁ ବିଧାନସଭାରେ ଏକ ଗୃହ କମିଟି ଗଠନ ହୋଇ ତାଙ୍କୁ ୧୧ ତାରିଖରେ ହାଜର ପାଇଁ ସମନ କରାଯାଇଛି ।