ଭୁବନେଶ୍ୱର: ବଙ୍ଗୋପସାଗର ଦେଇ ମାଡି ଆସୁଥିବା ଅତି ଭୀଷଣ ସାମୁଦ୍ରିକ ଝଡ଼ ‘ଅମ୍ପନ’ ମଝିରେ ମଝିରେ ଟ୍ରାକ୍ ବଦଳାଉଛି । ତେଣୁ ତାର ନିର୍ଦ୍ଦିଷ୍ଟ ଗତିପଥ ନେଇ ସଠିକ ଆକଳନ ଲଗାଇ ହେବ ନାହିଁ । ଏମିତି ବି ହୋଇପାରେ ମାଡ଼ି ଆସୁଥିବା ଏହି ମହାବାତ୍ୟା ସୁନ୍ଦରବନରେ ଲ୍ୟାଣ୍ଡଫଲ୍ ନ କରି ଓଡ଼ିଶାର କେଉଁ ଜାଗାରେ ମାଡ଼ ହେବ ନଚେତ୍ ଘଷି ହୋଇ ଚାଲିଯିବ । ତେବେ ବର୍ତ୍ତମାନ ଯେଉଁ ଟ୍ରାକ୍ ରେ ରହିଛି ତାହା ସ୍ଥିର ରହିଲେ ଓଡ଼ିଶାକୁ ବିଶେଷ କ୍ଷତି ପହଞ୍ଚାଇବ ନାହିଁ । ଆଉ ଟ୍ରାକ୍ ବଦଳାଇଲେ ଓଡ଼ିଶା ମହାବାତ୍ୟା ମୁହଁରେ ପଡ଼ିବା ଆଶଙ୍କାକୁ ଏଡାଇ ହେବ ନାହିଁ ।
ବିଶିଷ୍ଟ ପାଣିପାଗ ବିଜ୍ଞାନୀ ତଥା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ଶରତ ସାହୁ ‘ଅମ୍ପନ’ ଉପରେ ଏହି ଆକଳନ ଲଗାଇଛନ୍ତି । ସମୁଦ୍ର ଉପରେ ବର୍ତ୍ତମାନ ୨୮୦ କିମି ଝଡର ତୀବ୍ରତା ଦେଖାଉଥିବାରୁ ଏହାର ଗତିପଥ ନେଇ ସେ ସ୍ଥିର ନିଶ୍ଚିତ ନୁହଁନ୍ତି । ଏହା ନିର୍ଦ୍ଦିଷ୍ଟ ଭାବେ ସୁନ୍ଦରବନରେ ମାଡ଼ ହେବ ବୋଲି ଏବେଠୁ କହିହେବ ନାହିଁ ବୋଲି ସେ ସ୍ପଷ୍ଟ ମତ ରଖିଛନ୍ତି । ବର୍ତ୍ତମାନର ଟ୍ରାକ୍ ବିଚାର କରି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର କରିଥିବା ଆକଳନ ଠିକ୍ ବୋଲି ବି କହିଛନ୍ତି ।
ତେବେ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ତଥ୍ୟ କହୁଛି, ପୂର୍ବ ନିର୍ଦ୍ଧାରିତ ଟ୍ରାକ୍ ରେ ଚାଲିଛି ‘ଅମ୍ପନ’ । ସଂଧ୍ୟା ସୁଦ୍ଧା ପାରାଦ୍ୱୀପଠାରୁ ୭୩୦ କିମି ଦୂରରେ ଅଛି । ଘଣ୍ଟାକୁ ୪ କିମି ବେଗରେ ବଢ଼ୁଛି । ୨୦ ତାରିଖ ଅପରାହ୍ନରୁ ସଂଧ୍ୟା ଭିତରେ ଏହା ପଶ୍ଚିମବଙ୍ଗର ଦୀଘା ଏବଂ ବାଲାଂଦେଶର ହାତିଆ ମଝିରେ ସୁନ୍ଦରବନ ପାଖରେ ଲ୍ୟାଣ୍ଡଫଲ୍ କରିବ । ଅତି ଭୟଙ୍କର ଝଡ଼ବାତ୍ୟା ରୂପରେ ଏହା ସ୍ଥଳଭାଗ ଛୁଇଁବ । ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୧୬୫ ରୁ ୧୭୫ କିମି ରହିବ ।
ଉତ୍ତର ଓଡ଼ିଶା ଉପକୂଳରେ ଏହାର ବିଶେଷ ପ୍ରଭାବ ଅନୁଭୂତ ହେବ । ୧୯ ତାରିଖ ଅପରାହ୍ନରୁ ଘଣ୍ଟା ପ୍ରତି ୫୫ରୁ ୬୫ କିମି ବେଗରେ ପବନ ସହ ବର୍ଷା ଆରମ୍ଭ ହେବ । ପବନର ବେଗ ୭୫ କିମିରୁ ଅଧିକ ବଢ଼ିପାରେ । ୨୦ ତାରିଖରେ ପବନର ବେଗ ରହିବ ୧୧୦ ରୁ ୧୨୦ କିମି । ୧୯ ଓ ୨୦ ରେ ୬ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଆଇଏମଡ଼ି ପକ୍ଷରୁ ସୂଚନା ଦିଆଯାଇଛି ।
ଆଇଏମଡ଼ି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁଯାୟୀ ଲ୍ୟାଣ୍ଡଫଲ୍ ବେଳେ ଉପକୂଳରେ ୬ ମିଟର ଉଚ୍ଚ ଜୁଆର ଉଠିବ । ମହାବାତ୍ୟା ପ୍ରଭାବରେ କଚ୍ଚା ଘର ସମ୍ପୂର୍ଣ୍ଣ ଧୂଳିସାତ୍ ହୋଇଯିବ ।
ଓଡ଼ିଶାର ୧୨ ଟି ଜିଲ୍ଲାରେ ମହାବାତ୍ୟାର ପ୍ରଭାବ ପଡ଼ିବାର ଆଶଙ୍କା ଥିବାରୁ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ଏନଡିଆରଏଫ୍, ଓଡ୍ରାଫ୍, ଅଗ୍ନିଶମ ଟିମ୍ କୁ ସେଠାକୁ ପଠାଯାଇଥିବା ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ରାସ୍ତାଘାଟରେ ହୋଡିଂ ଯୋଗୁଁ ଲୋକଙ୍କ ଜୀବନ ପ୍ରତି ବିପଦ ଥିବାରୁ ସେଗୁଡ଼ିକୁ ହଟାଇ ଦିଆଯାଇଛି । ବିପଦପୂର୍ଣ୍ଣ ଅଞ୍ଚଳରେ ଥିବା ଲୋକଙ୍କୁ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତାକାଲି ଦ୍ୱିପ୍ରହର ସୁଦ୍ଧା ସ୍ଥାନାନ୍ତରଣ ପ୍ରକ୍ରିୟା ସାରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଥିବା ଶ୍ରୀ ଜେନା କହିଛନ୍ତି ।
ତେବେ ଯେ କୌଣସି ପରିସ୍ଥିତିର ସାମନା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଯୁଦ୍ଧକାଳୀନ ପ୍ରସ୍ତୁତି ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଜିରୋ କାଜୁଆଲିଟି ନିଦେ୍ର୍ଦଶକୁ ଅକ୍ଷରେ ଅକ୍ଷରେ ପାଳନ କରାଯାଉଥିବା ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ କହିଛନ୍ତି । ସେ କହିଛନ୍ତି, ଆମେ ଏହାକୁ ଆଦୌ ହାଲୁକା ଭାବେ ନେଇନାହୁଁ । ସବୁ ଜିଲ୍ଲାପାଳମାନଙ୍କ ସହ ଅହରହ ଯୋଗାଯୋଗରେ ଅଛୁ । ମୁଖ୍ୟମନ୍ତ୍ରୀ ୧୨ ଜିଲ୍ଲାର ଜିଲ୍ଲାପାଳଙ୍କ ସହ କଥା ହୋଇଛନ୍ତି । ପୁରୁଣା ଅଭିଜ୍ଞତା ଥିବା ୪ ଆଇଏଏସ୍ ଙ୍କୁୁ ୪ଟି ଜିଲ୍ଲାକୁ ପଠାଯାଇଛି । ସବୁ ପରିସ୍ଥିତିର ସାମନା ପାଇଁ ସରକାର ସମ୍ପୂର୍ଣ୍ଣ ସଜାଗ ଏବଂ ପ୍ରଶାସନକଳ ପୂରାମାତ୍ରାରେ ପ୍ରସ୍ତୁତ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।