ଭୁବନେଶ୍ୱର: ଆଖିଦୃଶିଆ ବିକାଶ ଅଭାବରୁ ପର୍ଯ୍ୟଟକଙ୍କ ଦୃଷ୍ଟି ଆଢ଼ୁଆଳରେ ଥିବା ତଳସରି ଓ ଉଦୟପୁର ଏବେ ନୂଆ ରୂପରେ ଶୋଭା ପାଇବ । ବଙ୍ଗୋପସାଗର ଉପକୂଳରେ ଥିବା ବାଲେଶର ଜିଲ୍ଲାର ଏହି ଦୁଇଟି ରମଣୀୟ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ମୁଖ୍ୟଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ, ୫-ଟି ସଚିବ ଭି.କେ. ପାଣ୍ଡିଆନ୍ ଏବଂ ପୂର୍ତ୍ତ ସଚିବ ଡ. କ୍ରିଷନ୍ କୁମାର ଆଜି ବଡ଼ି ଭୋର୍ ରୁ ସେଠାରେ ପହଞ୍ଚି ଅଞ୍ଚଳର ବିକାଶ ପାଇଁ ସମସ୍ତ ସମ୍ଭାବନାର ଅନୁଧ୍ୟାନ କରିଥିଲେ ।
ତଳସରି ଓ ଉଦୟପୁରରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି । ଏହାର ପ୍ରାକୃତିକ ଭିତ୍ତିଭୂମି ପଡ଼ୋଶୀ ପଶ୍ଚିମବଙ୍ଗର ଦୀଘା ଠାରୁ ଅଧିକ ଆକର୍ଷଣୀୟ । ଏହି ଦୁଇ ବେଳାଭୂମିକୁ ଆକର୍ଷଣୀୟ କରିବା ଲକ୍ଷ୍ୟରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ପାଇଁ ସଂପୃକ୍ତ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ତିନି ଉଚ୍ଚପଦାଧିକାରୀ । ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଆନୁସଙ୍ଗିକ ସମସ୍ତ ବ୍ୟବସ୍ଥା ଉପରେ ବୈଠକରେ ଆଲୋଚନା ହୋଇଥିଲା । ଉତ୍ତର ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ଏହାକୁ ସ୍ୱତନ୍ତ୍ର ସ୍ଥାନ ଦେବାକୁ ଲକ୍ଷ୍ୟ ରଖାଯାଇଛି । ବ୍ୟାପକ କର୍ମନିଯୁକ୍ତି ଏବଂ ଅଞ୍ଚଳର ଆର୍ଥିକ ବିକାଶକୁ ଗୁରୁତ୍ୱ ଦିଆଯାଇଛି ।
ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଖୁବ୍ ଶୀଘ୍ର ତଳସରି ଓ ଉଦୟପୁର ବିକାଶ ଯୋଜନା ଘୋଷଣା ହେବ ବୋଲି ଜଣାପଡ଼ିଛି ।
ସୂଚନାଯୋଗ୍ୟ, ଶ୍ରୀମନ୍ଦିର ଓ ଶ୍ରୀ ଲିଙ୍ଗରାଜ ମନ୍ଦିର ଉନ୍ନତିକରଣ ପ୍ରକି୍ରୟା ସହ ତାଳ ଦେଇ ରାଜ୍ୟର ବିଭିନ୍ନ ଅବହଳିତ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଅଭିଯାନ ଜୋରଦାର ହୋଇଛି । ୫-ଟି ସଚିବ ଶ୍ରୀ ପାଣ୍ଡିଆନ୍ ଙ୍କ ନେତୃତ୍ୱରେ ଏସବୁର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେଉଛି । ରାତି ପାହିବା ପୂର୍ବରୁ ବିଭିନ୍ନ ସ୍ଥାନକୁ ତାଙ୍କର ତୁଫାନୀ ଗସ୍ତ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ନିଜ ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ସ୍ଥାନୀୟବାସୀଙ୍କ ମଧ୍ୟରେ ଉତ୍ସୁକତା ସୃଷ୍ଟି ହୋଇଛି ।
Continue Reading