ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ପୁଲିସକୁ ଚକମା ଦେଖାଇ ଦାମୋଦର ମହାସୁଆରଙ୍କ ସମେତ ୬ ସେବାୟତ ଆଜି କଟକ ଆସି ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିଛନ୍ତି। ସେମାନେ ହେଲେ ଜୟକୃଷ୍ଣ ମହାସୁଆର, ରବି ଦାଶ, ଇପ୍ସିତ ପ୍ରତିହାରୀ, ଭୀମସେନ ପଲଙ୍କଧାରୀ, ସାଇନା ଖୁଂଟିଆ। ନୀଳାଦ୍ରି ବିଜେ ପର୍ବରେ ପହଣ୍ଡି ବନ୍ଦ କରି ଶ୍ରୀ ସୁଦର୍ଶନଙ୍କୁ ଚାରମାଳ ଉପରେ ଘଂଟାଏ କାଳ ଛିଡ଼ା କରାଇଦେବା, ଜିଲ୍ଲାପାଳଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଦେବା ଏବଂ ସାମ୍ବାଦିକମାନଙ୍କୁ ଆକ୍ରମଣ କରିବା ଭଳି ସାଂଘାତିକ ମାମଲାରେ ପୁଲିସ ସେମାନଙ୍କୁ ଗିରଫ ପାଇଁ ଖୋଜୁଛି ।
ପୁଲିସ ଆଖିରେ ଫେରାର ଥିବା ବେଳେ ସେମାନେ ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିବା ପୁଲିସର ଅପାରଗତାକୁ ପଦାରେ ପକାଇଛି। ଅଦୃଶ୍ୟ ଶକ୍ତିର ନିର୍ଦ୍ଦେଶରେ ପୁଲିସ ଜାଣିଶୁଣି ସେମାନଙ୍କୁ ଆଗୁଆ ଜାମିନ୍ ଆବେଦନ ପାଇଁ ସୁଯୋଗ ଦେଇଛି ନା ନାହିଁ ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଆସନ୍ତାକାଲି ହାଇକୋର୍ଟରେ ସେମାନଙ୍କ ଜାମିନ୍ ଆବେଦନ ଶୁଣାଣୀ ତାଲିକାଭୁକ୍ତ ହେବ ବୋଲି ଜଣାପଡ଼ିଛି ।