ଭୁବନେଶ୍ୱର: ଲକ୍ ଡାଉନ୍ ହେବ ସମଗ୍ର ରାଜ୍ୟ । ପୂର୍ବରୁ ୧୪ ଟି ଜିଲ୍ଲାକୁ ଲକ୍ ଡାଉନ୍ ଘୋଷଣା କରାଯାଇଥିବା ବେଳେ ବାକି ୧୬ ଜିଲ୍ଲାକୁ ଆଜି ମଧ୍ୟରାତ୍ରରୁ ଲକ୍ ଡାଉନ୍ କରିବାକୁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ୍ ବାଗଚୀ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ଆସନ୍ତା ୨୯ ତାରିଖ ରାତି ୯ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକ୍ ଡାଉନ୍ ରେ ରହିବେ ରାଜ୍ୟବାସୀ । ଅଯଥାରେ ଘରୁ କେହି ନ ବାହାରିବାକୁ ଜନସାଧାରଣଙ୍କୁ ବାରମ୍ବାର ଅନୁରୋଧ କରାଯାଉଛି ।
କରୋନା ଭାଇରସ୍ କୋଭିଡ୍-୧୯ ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ଏହି କଟକଣା ଜାରି କରିବାକୁ ବାଧ୍ୟ ହୋଇଛନ୍ତି । ଭୟାନକ କରୋନା ସଂକ୍ରମଣରୁ ମୁକ୍ତି ପାଇଁ କୌଣସି ଟୀକା କିମ୍ବା ଚିକିତ୍ସା ପାଇଁ ନିର୍ଦ୍ଦିଷ୍ଟ ଔଷଧ ନଥିବାରୁ ଖାଲି ଓଡ଼ିଶା ନୁହେଁ ସମଗ୍ର ବିଶ୍ୱ ଏହି ଲକ୍ ଡାଉନ୍ କଟକଣାରେ ରହିବାକୁ ବାଧ୍ୟ ହୋଇଛନ୍ତି । ବିଶ୍ୱର ୧୯୨ଟି ଦେଶକୁ କରୋନା ବ୍ୟାପିସାରିଲାଣି । ଭାରତରେ ଏବେ କରୋନା କାୟା ବିସ୍ତାର କରି ଚାଲିଛି । ଆକ୍ରାନ୍ତଙ୍କ ସଂଖ୍ୟା ୪୬୮ କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଛି । ଆସନ୍ତା ଦୁଇ ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିବାରୁ ୨୩ଟି ରାଜ୍ୟ ଏବଂ ୭ଟି କେନ୍ଦ୍ରଶାସିତ ଅଞ୍ଚଳ ଲକ୍ ଡାଉନ୍ ଘୋଷଣା ହୋଇସାରିଲାଣି । ପଞ୍ଜାବ ଓ ମହାରାଷ୍ଟ୍ର ସରକାର ରାଜ୍ୟରେ କର୍ଫୁ ଘୋଷଣା କରିଛନ୍ତି ।
ଗତକାଲି ସୁଦ୍ଧା ଓଡ଼ିଶା ସରକାର ୧୪ଟି ଜିଲ୍ଲା ଖୋର୍ଦ୍ଧା, କଟକ, ଗଞ୍ଜାମ, କେନ୍ଦ୍ରାପଡ଼ା, ଅନୁଗୁଳ, ପୁରୀ, ନୟାଗଡ଼, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର, ଢ଼େଙ୍କାନାଳ, ସମ୍ବଲପୁର ଏବଂ ଝାରସୁଗୁଡ଼ାକୁ ଲକ୍ ଡାଉନ୍ ଘୋଷଣା କରିଥିଲେ । ଆଜି ମଧ୍ୟରାତ୍ରରୁ ଅବଶିଷ୍ଟ ୧୬ ଜିଲ୍ଲା କୁ ମିଶାଇ ସମଗ୍ର ରାଜ୍ୟ ଲକ୍ ଡାଉନ୍ ହେବ ।
ରାତି ୮ଟାରେ ମୋଦିଙ୍କ ଉଦବୋଧନ: ଆଜି ରାତି ୮ଟାରେ ଦେଶବାସୀଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଆଉ କିଛି କଠୋର କଟକଣା ଘୋଷଣା କରିପାରନ୍ତି ।