ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କୁ ଆସନ୍ତାକାଲି ପାକିସ୍ଥାନରୁ ମୁକ୍ତି ମିଳିବ । ପାକିସ୍ଥାନ ସଂସଦର ମିଳିତ ଅଧିବେସନରେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ଏହି ଘୋଷଣା କରିଛନ୍ତି । ଶାନ୍ତି ପ୍ରତିଷ୍ଠା ଲକ୍ଷ୍ୟରେ ଭାରତୀୟ ପାଇଲଟଙ୍କୁ ଛାଡ଼ିଦେବୁ ବୋଲି ସେ କାକୁତି ହୋଇଛନ୍ତି । ଭାରତ ସହ ଆମେ ଶାନ୍ତି ପ୍ରତିଷ୍ଠା ଚାହୁଁଛୁ ବୋଲି ଇମ୍ରାନ୍ ଜଣାଇଛନ୍ତି ।
ଇମ୍ରାନ୍ ଙ୍କ ଏହି ଘୋଷଣା ଆସିବା ପୂର୍ବରୁ ଅଭିନନ୍ଦନଙ୍କୁ ଛାଡ଼ିବା ପାଇଁ ପାକିସ୍ଥାନ ଟାଳଟୁଳ ନୀତି ଧରିଥିଲା । ପାକିସ୍ଥାନ ବୈଦେଶିକ ମନ୍ତ୍ରୀ ଶାହା ମହମ୍ମଦ କୁରେଶୀ ସର୍ତ୍ତ ଏବଂ ଆଲୋଚନାର ବାହାନା ରଖିଥିଲେ । ସେପଟେ ପାକିସ୍ଥାନ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତିରେ ଅଭିନନ୍ଦନଙ୍କୁ ଯୁଦ୍ଧ ବନ୍ଦୀ ଭାବେ ଘୋଷଣା କରାଯିବ ନା ନାହିଁ ବିଚାର ବିମର୍ଷ କରାଯାଉଥିବା କୁହାଯାଇଥିଲା । ତେବେ ଏହାର ଜବାବରେ ଭାରତ ରୋକଠୋକ୍ ଜଣାଇଥିଲା ଯେ କୌଣସି ଡିଲ୍ ର ପ୍ରଶ୍ନ ଉଠୁନାହିଁ । ଅଭିନନ୍ଦନଙ୍କୁ ତୁରନ୍ତ ଖଲାସ କର । ଭାରତର ଏଭଳି କଠୋର ଆଭିମୁଖ୍ୟ ଓ ବିଶ୍ୱ ସମୁଦାୟର ଚାପ ଆଗରେ ଶେଷରେ ଇମ୍ରାନ ମୁଣ୍ଡ ନୂଆଁଇବାକୁ ବାଧ୍ୟ ହୋଇଛନ୍ତି ।
ଗତକାଲି ଭାରତୀୟ ବାୟୁସେନାର ମିଗ୍ ବିମାନ ପାଇଲଟ ଅଭିନନ୍ଦନ ପାକିସ୍ଥାନ ସେନା କବଜାକୁ ଚାଲିଯାଇଥିଲେ । ପାକିସ୍ଥାନର କେତେକ ଲଢ଼ୁଆ ଏଫ୍-୧୬ ବିମାନ ଭାରତୀୟ ସୀମା ଉଲ୍ଲଂଘନ କରି ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ ଉଦ୍ୟମ କରୁଥିଲା ବେଳେ ଭାରତୀୟ ସେନା ତାହାକୁ ପଣ୍ଡ କରିଦେଇଥିଲେ । ପାକିସ୍ଥାନର ଗୋଟିଏ ଯୁଦ୍ଧ ବିମାନକୁ ଖସାଇ ଦେଇଥିଲେ । ଏହି କାର୍ଯ୍ୟାନୁଷ୍ଠାନ ବେଳେ ଭାରତୀୟ ବାୟୁସେନାର ଏକ ମିଗ୍ ବିମାନ ପାକିସ୍ଥାନରେ ଖସିପଡ଼ିଥିଲା । ଏହି ବିମାନର ପାଇଲଟ୍ ଅଭିନନ୍ଦନଙ୍କୁ ପାକିସ୍ଥାନୀ ସେନା ଧରି ନେଇଥିଲେ । ତାଙ୍କୁ ସେଠାରେ ପ୍ରବଳ ନିର୍ଯାତନା ଦିଆଯାଉଥିବାର ଏକ ଭିଡ଼ିଓ ଭାଇରାଲ୍ ହେବା ପରେ ଭାରତ ଚୁପ୍ ବସି ନ ଥିଲା । ତାଙ୍କର ତୁରନ୍ତ ମୁକ୍ତି ପାଇଁ ସବୁପ୍ରକାର ପଦକ୍ଷେପ ନେଇଥିଲା ।