ଭୁବନେଶ୍ୱର: ଏକାମ୍ରକ୍ଷେତ୍ର ପାଇଁ ବିଗ୍ ପ୍ଲାନ୍ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ରାଜ୍ୟ ସରକାର । ଶ୍ରୀଲିଙ୍ଗରାଜ ମନ୍ଦିର ସନ୍ନିକଟ ୬୬ ଏକର ପରିମିତ ଜମି ଉପରେ ଏହି ଯୋଜନା କାର୍ଯ୍ୟକାରୀ ହେବ । ଲିଙ୍ଗରାଜ ମନ୍ଦିର ଚତୁଃପାଶ୍ୱର୍ର ଭବ୍ୟ ବିକାଶ କରାଯାଇ ଏକ ଆଧ୍ୟାତ୍ମିକ, ଶାନ୍ତ ତଥା ଭକ୍ତିର ପରିବେଶ ସୃଷ୍ଟି କରାଯିବ । ପୂର୍ବରୁ ୧୦ରୁ ୧୫ ହଜାର ଲୋକ ମନ୍ଦିର ସମ୍ମୁଖରେ ସମବେତ ହେବା କଷ୍ଟକର ହେଉଥିଲା । ନୂଆ ଯୋଜନାରେ ୨ ଲକ୍ଷରୁ ଅଧିକ ଲୋକ ମନ୍ଦିର ସମ୍ମୁଖରେ ସମବେତ ହୋଇପାରିବେ । ଶିବରାତ୍ରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ମହାପ୍ରଭୁଙ୍କ ମହାଦୀପ ଦର୍ଶନ ହେଉ କି ଶ୍ରାବଣ ମାସରେ କାଉଡିଆଙ୍କ ପାଣି ଲାଗି ଓ ପୂଜା ପାଇଁ ହେଉ ଜାଗାର ସମସ୍ୟା ରହିବ ନାହିଁ ।

ଏକାମ୍ରକ୍ଷେତ୍ର ଯୋଜନାରେ ତୀର୍ଥଯାତ୍ରୀ ମାନେ ବିନ୍ଦୁସାଗରୁ ଲିଙ୍ଗରାଜ ମନ୍ଦିର ଓ ରଥଗଡା ଠାରୁ ଚନ୍ଦନ ଯାତ୍ରା ସିଧା ଦେଖିପାରିବେ। ଲିଙ୍ଗରାଜ ମନ୍ଦିର ଓ ବିନ୍ଦୁସାଗର ମଧ୍ୟରେ ଥିବା ବିନ୍ଧ୍ୟବାସିନୀ, ଭବାନୀଶଙ୍କର, ଶୁକଶାରୀ ଏବଂ ମୋହିନୀ ଆଦି ମନ୍ଦିର ମଧ୍ୟ ଯାତ୍ରୀମାନେ ଦେଖି ପାରିବେ। ଐତିହାସିକ ଦଲିଲରୁ ଜଣାଯାଏ ଯେ ୩୫୦ ବର୍ଷ ପୂର୍ବେ ଲିଙ୍ଗରାଜ ମନ୍ଦିର ରଥଗଡାଠାରୁ ବିନ୍ଦୁସାଗର ପର୍ଯ୍ୟନ୍ତ କେବଳ ମନ୍ଦିର ହିଁ ଥିଲା । ଅନ୍ୟ କୌଣସି ସ୍ଥାୟୀ ନିର୍ମାଣ ନ ଥିଲା। ୩୫୦ ବର୍ଷ ପରେ ଲିଙ୍ଗରାଜ ମନ୍ଦିର ଓ ବିନ୍ଦୁସାଗର ନୂଆ ରୂପ ନେବାକୁ ଯାଉଛି।
ଯୋଜନାରେ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ବିକାଶ, Orientation Centre, Parking, Food Plaza, ଭଜନ ମଣ୍ଡପ ସହିତ ଐତିହ୍ୟ ପୁଷ୍କରିଣୀର ପୁନରୁଦ୍ଧାର, କେଦାରଗୌରୀ ପୁଷ୍କରିଣୀର ଜଳନିଷ୍କାସନ ବ୍ୟବସ୍ଥା, ଏକାମ୍ରବାସୀଙ୍କର ସୁବିଧା, ପରିବହନ ବ୍ୟବସ୍ଥା, ଜଳ ନଷ୍କାସନ, ବର୍ଜ୍ୟବସ୍ତୁ ନିଷ୍କାସନ ଆଦି ବିଭିନ୍ନ ବିଷୟ ଉପରେ ଧ୍ୟାନ ଦିଆଯାଇ ପ୍ରସ୍ତୁତ କରାଯାଇଛି।






