ଭୁବନେଶ୍ୱର: ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା(ବୁନୁ)ଙ୍କୁ ଖୁବ୍ ଶୀଘ୍ର ହଟାଯିବ । ବହୁ ବିଳମ୍ବ ହୋଇଥିଲେ ବି ଆଉ ଅଧିକ ବିଳମ୍ବ ନ କରି ଜୁନ୍ ଶେଷ ସୁଦ୍ଧା ତାଙ୍କୁ ପଦରୁ ହଟାଇବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି । ଅନନ୍ତଙ୍କ ଜାଗାରେ କାହାକୁ ମେୟର କରାଯିବ ସେ ନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏଥିସହ ଲବିରେ ଥିବା ଆଶାୟୀ ମେୟରମାନେ ପୁଣି ଚଳଚଞ୍ଚଳ ହୋଇଛନ୍ତି ।
ସେକ୍ସ ସ୍କାଣ୍ଡାଲ୍ ଅଭିଯୁକ୍ତ ଅନନ୍ତଙ୍କୁ ନ ହଟାଇ ବିଜେଡ଼ି ମସ୍ତବଡ଼ ଭୁଲ୍ କରିଛି ଏ କଥା ଦଳର ନେତୃମଣ୍ଡଳୀ ଅନୁଭବ କରିଛନ୍ତି । ସୁପ୍ରିମୋ ଆଜି ପର୍ଯ୍ୟନ୍ତ କ’ଣ ପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି ତାହା ଅଧିକାଂଶ ନେତାଙ୍କୁ ବିସ୍ମିତ କରିଛି । ଭୁବନେଶ୍ୱରର ମେୟର ଭାବେ ଅନନ୍ତଙ୍କ ବଦନାମର ଭାର ସାରା ରାଜ୍ୟରେ ବିଜେଡ଼ି ପାଇଁ ମହଙ୍ଗା ପଡ଼ିଥିବା ସେମାନେ କହିଛନ୍ତି । ଗତ ପଞ୍ଚାୟତ ନିର୍ବାଚନରେ ଦଳକୁ ଏହା କ୍ଷତାକ୍ତ କରିଥିବା ସେମାନେ କହିଛନ୍ତି । ପଞ୍ଚାୟତ ନିର୍ବାଚନ ପୂର୍ବରୁ ତାଙ୍କୁ ହଟାଯାଇଥିଲେ ଦଳର ୧୦ ପ୍ରତିଶତ ଭୋଟ ବଞ୍ଚିଯାଇଥାଆନ୍ତା ବୋଲି ସେମାନଙ୍କ ଆକଳନ ।
ବିଶ୍ୱସ୍ତ ସୂତ୍ରର ଖବର ଅନୁଯାୟୀ, ଅନନ୍ତଙ୍କ ସେକ୍ସ ସିଡ଼ି ପଦାକୁ ଆସିଲା ପରେ ମୁଖ୍ୟମନ୍ତ୍ରୀ ଗୁଇନ୍ଦା ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କୁ ତାହାର ଯାଞ୍ଚ ନିର୍ଦ୍ଦେଶ ଦେଇଥିଲେ । ସଂପୃକ୍ତ ଅଧିକାରୀ ଯାଞ୍ଚ କରି ସିଡ଼ି ସତ ବୋଲି ରିପୋର୍ଟ ଦେଇଥିଲେ । ଖାଲି ସେତିକି ନୁହେଁ, ମେୟରଙ୍କୁ ତୁରନ୍ତ ହଟାଇବାକୁ ସେ ସୁପାରିଶ କରିଥିଲେ । ଏକଥା ବି ଜଣାଇ ଦେଇଥିଲେ ଯେ ମେୟରଙ୍କୁ ନ ହଟାଇଲେ ଦଳ ନିଶ୍ଚିତ କ୍ଷତିଗ୍ରସ୍ତ ହେବ । ବିରୋଧୀ ଦଳ ଏଥିରୁ ଫାଇଦା ନେବାର ସୁଯୋଗ ପାଇବେ । ଗୁଇନ୍ଦା ଅଧିକାରୀଙ୍କ ରିପୋର୍ଟ ପାଇଲା ପରେ ମୁଖ୍ୟମନ୍ତ୍ରୀ ସେହିଦିନ ହିଁ ଅନନ୍ତଙ୍କୁ ହଟାଇବାକୁ ମନସ୍ଥିର କରିଥିଲେ ଏବଂ ତାଙ୍କର ଇସ୍ତଫା ଚାହିଁଥିଲେ । ମାତ୍ର ଚତୁର ଅନନ୍ତ ମୁଖ୍ୟମନ୍ତ୍ରୀଙ୍କ ବିଶ୍ୱସ୍ତ ଅଫିସରଙ୍କ ସହାୟତାରେ ଏହାକୁ ବ୍ରେକ୍ ଲଗାଇବାରେ ସମର୍ଥ ହୋଇଥିଲେ ।
ପଞ୍ଚାୟତ ନିର୍ବାଚନରେ ଦଳ ଏଥିପାଇଁ ବହୁମୂଲ୍ୟ ଦେଲା ବୋଲି ମୁଖ୍ୟମନ୍ତ୍ରୀ ଅନୁଭବ କଲା ପରେ ବିଗିଡ଼ି ଯାଇଥିବା ତାଙ୍କ ନିକଟତମ ମହଲରୁ ଜଣାପଡ଼ିଛି । ମନ୍ତ୍ରୀମଣ୍ଡଳ ଅଦଳବଦଳ ପରେ ଅନନ୍ତଙ୍କୁ ହଟାଇବାକୁ ଏକରକମ ନିଷ୍ପତ୍ତି ସରିଥିଲେ ମଧ୍ୟ ବିଭିନ୍ନ କାରଣରୁ ସେଥିରେ ବିଳମ୍ବ ହୋଇଛି । ଆଉ କାଳବିଳମ୍ବ ନ କରିବାକୁ ମୁଖ୍ୟମନ୍ତ୍ରୀ ଚାହିଁଛନ୍ତି । ଏଥିସହ ତାଙ୍କ ଦପ୍ତର ପକ୍ଷରୁ ସମ୍ଭାବ୍ୟ ମେୟରଙ୍କ ନାଁ ଉପରେ ବିଚାର ଆଲୋଚନା ଆରମ୍ଭ ହୋଇଛି ।
ସେପଟେ ମେୟର ଆସନ ପାଇଁ ଦାବିଦାରଙ୍କ ତାଲିକା ବି କିଛି କମ ନାହିଁ । ବିରଞ୍ଚି ନାରାୟଣ ମହାସୁପକାର(ଲିଟୁ), ଦେବାଶିଷ ସିଟ୍(ପିଣ୍ଟୁ), ମହାମାୟା ସ୍ୱାଇଁ, ଅମରେଶ ଜେନା(ବାଇଁଆ), ଏମ. ନିଜାମୁଦ୍ଦିନ ପ୍ରମୁଖ ଦାବିଦାର ଭାବେ ଉଭା ହୋଇଛନ୍ତି । ମନ୍ତ୍ରୀ ଅଶୋକ ପଣ୍ଡା ଚାହୁଁଚନ୍ତି ନିଜ ସମର୍ଥକଙ୍କୁ ଏହି ପଦରେ ବସାଇବେ । ବିବାଦୀୟ ହାଟ ବ୍ୟବସାୟୀ ଗୟାଧର ସ୍ୱାଇଁଙ୍କ ପତ୍ନୀ ମହାମାୟା ସ୍ୱାଇଁ ତାଙ୍କର ପ୍ରଥମ ପସନ୍ଦ ହୋଇଥିଲା ବେଳେ ସ୍ୱାଧୀନ କର୍ପୋରେଟର ଲିଟୁ ମହାସୁପକାର ଦ୍ୱିତୀୟ ପସନ୍ଦ ରହିଛନ୍ତି । ବିଜେପିରୁ ଆସି ପ୍ରଥମ ଥର ପାଇଁ କର୍ପୋରେଟର ହୋଇଥିବା ପିଣ୍ଟୁ ସିଟ୍ ଙ୍କ ପାଇଁ ଅରୁଣ ସାହୁ, ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମାଙ୍କ ଭଳି ପାୱାରଫୁଲ ଯୁବଗୋଷ୍ଠୀ ଅଣ୍ଟା ଭିଡ଼ିଛନ୍ତି । ତେବେ ଶେଷ ଖବର ଅନୁଯାୟୀ ସୁପ୍ରିମୋଙ୍କ ମେୟର ଚଏସ୍ ସମସ୍ତଙ୍କୁ ଚକମା ଦେଲା ଭଳି ହେବ ।