ନୂଆଦିଲ୍ଲୀ: ଭେଙ୍କେୟା ନାଇଡୁଙ୍କୁ ବିଜେପି ନେତୃତ୍ୱାଧୀନ ଏନଡିଏ କରିଛି ଉପରାଷ୍ଟ୍ରପତି ପ୍ରାର୍ଥୀ । ଆଜି ରାଷ୍ଟ୍ରପତି ମତଦାନ ଶେଷରେ ପ୍ରଧାନମନ୍ତ୍ରୀଙ୍କ ସଭାପତିତ୍ୱରେ ବିଜେପି ସଂସଦୀୟ ଦଳର ଅଚାନକ ବୈଠକ ଡକାଯାଇଥିଲା । ସେଥିରେ ଦଳର ବରିଷ୍ଠ ନେତା ତଥା କେନ୍ଦ୍ର ସହରାଞ୍ଚଳ ଓ ବିକାଶ ମନ୍ତ୍ରୀ ଭେଙ୍କେୟା ନାଇଡୁଙ୍କ ନାଁ ଉପରେ ସର୍ବସମ୍ମତ ମୋହର ଲଗାଯାଇଥିଲା । ଏନଡିଏ ଉପରାଷ୍ଟ୍ରପତି ପଦ ଲାଗି ଭେଙ୍କେୟାଙ୍କ ନାଁ ଆଦୌ ଚର୍ଚ୍ଚାରେ ନ ଥିଲା । ଓଡ଼ିଶା ରାଜ୍ୟପାଳ ଡ. ଏସ.ସି. ଜମିର୍ କିମ୍ବା ଝାଡ଼ଖଣ୍ଡ ରାଜ୍ୟପାଳ ଦ୍ରୈାପଦୀ ମୁର୍ମୁଙ୍କ ନାଁ ଏହି ପଦ ଲାଗି ବେଶୀ ଚର୍ଚ୍ଚା ହେଉଥିଲା । ତେବେ ଆସନ୍ତାକାଲି ଉପରାଷ୍ଟ୍ରପତି ପଦ ଲାଗି ମନୋନୟନ ଦାଖଲର ପୂର୍ବ ସଂଧ୍ୟାରେ ଅଚାନକ ଭେଙ୍କେୟାଙ୍କ ନାଁ ଘୋଷଣା କରି ବିଜେପି ସମସ୍ତଙ୍କୁ ଚମକାଇ ଦେଇଛି ।
ପୂର୍ବରୁ କଂଗ୍ରେସ ନେତୃତ୍ୱରେ ୧୮ ଟି ମିଳିତ ବିରୋଧୀ ଦଳ ପକ୍ଷରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମହାତ୍ମା ଗାନ୍ଧୀଙ୍କ ନାତି ତଥା ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଗୋପାଳକୃଷ୍ଣ ଗାନ୍ଧୀଙ୍କ ନାଁ ଘୋଷଣା କରାଯାଇଛି । ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ସମର୍ଥନ ଦେଇଥିବା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ୟୁପିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଗାନ୍ଧୀଙ୍କୁ ସମର୍ଥନ ଘୋଷଣା କରିଛନ୍ତି । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିନ୍ତୁ ଏ ପର୍ଯ୍ୟନ୍ତ ବିଜେଡ଼ିର ଆଭିମୁଖ୍ୟ ଘୋଷଣା କରିନାହାନ୍ତି । ଗୋପାଳକୃଷ୍ଣ ଗାନ୍ଧୀ ତାଙ୍କର ଜଣେ ଉତ୍ତମ ବନ୍ଧୁ ହୋଇଥିବାରୁ ସେ ତାଙ୍କୁ ସମର୍ଥନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ନୀତିଶ କୁମାରଙ୍କ ରାସ୍ତାରେ ନବୀନ ଯିବେ ନା ନାହିଁ ତାହା ଉପରେ ଜାତୀୟ ରାଜନୀତି ଦୃଷ୍ଟିପଟର ନଜର ରହିଛି ।