ଭୁବନେଶ୍ୱର: ବିଜେଡ଼ିକୁ ଟାର୍ଗେଟ୍ କରି ଏକପାଖିଆ ଖବର ପରିବେଷଣରେ ମାତିଥିବା ଅଭିଯୋଗ କରି ବୈଜୟନ୍ତ ପଣ୍ଡାଙ୍କ ଚାନେଲ୍ ଓଟିଭିକୁ ବିଜେଡ଼ି ଏକଘରିକିଆ କରିଛି । ଓଟିଭିର କୌଣସି ରାଜନୈତିକ ଖବର ଓ ବିତର୍କରେ ଏଣିକି ବିଜେଡ଼ି ସାମିଲ ହେବନାହିଁ । ପକ୍ଷପାତିତାରୁ ନିବୃତ୍ତ ରହି ନିରପେକ୍ଷତା ଅବଲମ୍ବନ କଲେ ଓଟିଭି କାର୍ଯ୍ୟକ୍ରମକୁ ଦଳ ଫେରିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି କହିଛି ।
ବିଜେଡ଼ି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ଓଟିଭି ନିରପେକ୍ଷ ସମ୍ବାଦ ପରିବେଷଣ କରୁନି । ପକ୍ଷପାତିତା କରି ଭୁଲ ଖବରକୁ ପ୍ରସଙ୍ଗ କରୁଛି । ରାଜ୍ୟ ସରକାର ଓ ବିଜେଡ଼ିକୁ କାଠଗଡ଼ାରେ ଛିଡ଼ା କରାଇବାକୁ ଉଦ୍ୟମ କରୁଛି । ବିତର୍କ କାର୍ଯ୍ୟକ୍ରମଗୁଡ଼ିକରେ ବିଜେଡ଼ିକୁ ପକ୍ଷ ରଖିବାର ସୁଯୋଗ ଦେଉନି । ବିଜେଡ଼ି ପାନେଲିଷ୍ଟମାନଙ୍କୁ କୋଣଠେସା କରାଯାଉଛି । ବିଜେଡ଼ିରୁ ବୈଜୟନ୍ତ ପଣ୍ଡାଙ୍କ ନିଲମ୍ବନ ପରେ ଓଟିଭି ଏହି ଆଭିମୁଖ୍ୟ ଗ୍ରହଣ କରିଛି । ଓଟିଭିର ଏଭଳି ମନମାନି ଓ ପକ୍ଷପାତିତା ଯୋଗୁଁ ବିଜେଡ଼ି ସେମାନଙ୍କ ବିତର୍କ କାର୍ଯ୍ୟକ୍ରମରେ ସାମିଲ ହେବ ନାହିଁ ବୋଲି ଶ୍ରୀ ଦେବ କହିଥିଲେ । ନିରପେକ୍ଷତା ଅବଲମ୍ବନ କଲେ ଯାଇ ଓଟିଭିକୁ କାର୍ଯ୍ୟକ୍ରମକୁ ଫେରିବୁ ବୋଲି ସେ ଦଳର ନିଷ୍ପତ୍ତି ଶୁଣାଇଥିଲେ ।
ଓଟିଭି ଆଜି ନୁହେଁ ୨୦୧୫ ମସିହାରୁ ବିଜେଡ଼ି ଓ ନବୀନ ସରକାରଙ୍କ ବିରୋଧରେ ଷଡ଼ଯନ୍ତ୍ର କରି ଖବର ପରିବେଷଣ କରୁଥିବା ବିଜେଡ଼ି ସମ୍ପାଦକ ବିଜୟ ନାୟକ ଅଭିଯୋଗ କରିଥିଲେ । ଗତ ସାଧାରଣ ନିର୍ବାଚନର ମାତ୍ର ୮ ମାସ ପରେ ଓଟିଭି ଏକ ଓପନିଅନ୍ ପୋଲ୍ କରି ବୈଜୟନ୍ତ ପଣ୍ଡାଙ୍କ ସପକ୍ଷରେ ଜନସମର୍ଥନ ଯୋଗାଡ଼ କରିବାର ଷଡ଼ଯନ୍ତ୍ର କରିଥିଲା । ବୈଜୟନ୍ତଙ୍କୁ ନବୀନଙ୍କ ବିକଳ୍ପ ଭାବେ ଉପସ୍ଥାପିତ କରିବାର ଏହା ଥିଲା ସୁଚିନ୍ତିତ ଚାଲ୍ । ସେବେଠାରୁ ମୁଖ୍ୟମନ୍ତ୍ରୀ ଓ ବିଜେଡ଼ିକୁ ବଦନାମ କରିବା ଓଟିଭିର ମୁଖ୍ୟ ଏଜେଣ୍ଡା ବୋଲି ଶ୍ରୀ ନାୟକ ଅଭିଯୋଗ କରିଥିଲେ ।
ସୂଚନାଯୋଗ୍ୟ, ଗତ ଫେବୃଆରୀ ୧୨ ତାରିଖରେ ଓଟିଭି ବିରୋଧରେ ବିଜେଡ଼ି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଥିଲା । ବିଜେପୁର ଉପନିର୍ବାଚନ ପରିପ୍ରେକ୍ଷୀରେ ଓଟିଭି ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ପେଡ୍ ନ୍ୟୁଜ୍ ପରିବେଷଣ କରୁଛି ବୋଲି ଅଭିଯୋଗ କରିଥିଲା । ବିଜେପୁରରେ ଓଟିଭିର ବିତର୍କ କାର୍ଯ୍ୟକ୍ରମକୁ ବିଜେଡ଼ି ବୟକଟ୍ ମଧ୍ୟ କରିଥିଲା ।
ଅନ୍ୟପକ୍ଷରେ ଆଜି ବିଜେଡ଼ି ଆଣିଥିବା ଅଭିଯୋଗ ଉପରେ ଓଟିଭି ସେହି ପୁରୁଣା ସ୍ପଷ୍ଟୀକରଣ ରଖିଛି । ଓଟିଭି ସର୍ବଦା ନିରପେକ୍ଷ ଖବର ପରିବେଷଣ କରେ ବୋଲି ଦାବି କରିଛି । ଚାନେଲ୍ ର ବିତର୍କ କାର୍ଯ୍ୟକ୍ରମରେ ସବୁ ରାଜନୈତିକ ଦଳକୁ ପକ୍ଷ ରଖିବାର ସୁଯୋଗ ଦିଆଯାଉଛି । ମାତ୍ର ଅନେକ ସମୟରେ ବିଜେଡ଼ି ତାଙ୍କ ପକ୍ଷ ରଖିବାକୁ ଆସୁନାହିଁ । ଓଟିଭି ପ୍ଲାଟଫର୍ମକୁ ଆସି ନିଜ ପକ୍ଷ ରଖିବାକୁ କର୍ତ୍ତୃପକ୍ଷ ପାଲଟା ଆହ୍ୱାନ ଦେଇଛନ୍ତି ।