ନୂଆଦିଲ୍ଲୀ: ଯାହାଙ୍କ ଆଗମନକୁ କଂଗ୍ରେସ ବର୍ଷ ବର୍ଷ ଧରି ଅପେକ୍ଷା କରିଥିଲା ତାହା ଏବେ ସାକାର ହୋଇଛି । ନେହେରୁ-ଗାନ୍ଧୀ ପରିବାରର ଯୁବରାଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଶେଷରେ ସକ୍ରିୟ ରାଜନୀତିକୁ ଓହ୍ଲାଇଛନ୍ତି । ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସହ ଭାଇ ରାହୁଲ ଗାନ୍ଧୀଙ୍କ ସହଯୋଗୀ ଭାବେ କଂଗ୍ରେସରେ ଉଭା ହୋଇଛନ୍ତି ପ୍ରିୟଙ୍କା । ଏଆଇସିସିର ସାଧାରଣ ସମ୍ପାଦକ ଭାବେ ସେ ନିଯୁକ୍ତି ପାଇଛନ୍ତି । ନିଜ ବିରାଦରି କ୍ଷେତ୍ର ଉତ୍ତରପ୍ରଦେଶର ପୂର୍ବାଞ୍ଚଳ ଦାୟିତ୍ୱ ବୁଝିବେ ପ୍ରିୟଙ୍କା । ବାରାଣସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ କରିବେ ମୁକାବିଲା । କଂଗ୍ରେସରେ ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରବେଶ ସମଗ୍ର ଭାରତବର୍ଷର ରାଜନୀତିକୁ ସରଗରମ କରିଦେଇଛି । ପ୍ରିୟଙ୍କାକୁ ନେଇ କଂଗ୍ରେସ ମହଲରେ ନାହିଁ ନ ଥିବା ଉତ୍ସାହ ସୃଷ୍ଟି ହୋଇଛି ।
ଭଉଣୀ ପ୍ରିୟଙ୍କାଙ୍କୁ କଂଗ୍ରେସ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦେଇଛନ୍ତି ଭାଇ ରାହୁଲ ଗାନ୍ଧୀ । ଫେବୃଆରୀ ପ୍ରଥମ ସପ୍ତାହରୁ ସେ ତାଙ୍କ କାର୍ଯ୍ୟ ଆରମ୍ଭ କରିବେ ବୋଲି କୁହାଯାଇଛି । ପ୍ରିୟଙ୍କାଙ୍କ ଦାୟିତ୍ୱରେ ପଡ଼ିଥିବା ପୂର୍ବ ଉତ୍ତରପ୍ରଦେଶ ଦେଶର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ କ୍ଷେତ୍ର । ସମୁଦାୟ ୪୦ ଟି ଲୋକସଭା କ୍ଷେତ୍ର ଏଥିରେ ଅନ୍ତର୍ଭୁକ୍ତ । ସେଥିମଧ୍ୟରେ ରହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ଷେତ୍ର ବାରାଣସୀ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କ୍ଷେତ୍ର ଗୋରଖପୁର । ଅଧଡର୍ଜନ କେନ୍ଦ୍ରମନ୍ତ୍ରୀଙ୍କ ଲୋକସଭା କ୍ଷେତ୍ର ଏହି ପୂର୍ବ ୟୁପିରେ ରହିଛି । ସୋନିଆ ଗାନ୍ଧୀଙ୍କ ରାଏବରେଲୀ ଓ ରାହୁଲ ଗାନ୍ଧୀଙ୍କ ଆମେଥି ମଧ୍ୟ ପୂର୍ବ ୟୁପିର ଇଲାକା । ପ୍ରିୟଙ୍କା ଗାନ୍ଧୀ ଏହି ଇଲାକାର ଦାୟିତ୍ୱ ଧରିଥିବାରୁ ୪୦ଟି ଯାକ ଲୋକସଭା କ୍ଷେତ୍ର ରହିବ ତାଙ୍କ ରାଡରରେ । ମୋଦି,ଯୋଗୀ ଓ ଗଣ୍ଡା ଗଣ୍ଡା କେନ୍ଦ୍ରମନ୍ତ୍ରୀଙ୍କୁ ସେ ଦେବେ ଟକ୍କର ।
ନିଜେ ରାଜନୀତିକୁ ଆସି ନ ଥିଲେ ମଧ୍ୟ ରାଜନୀତି ମଇଦାନରେ ପ୍ରିୟଙ୍କା ନୂଆ ନୁହଁନ୍ତି । ୨୦୧୪ ସାଧାରଣ ନିର୍ବାଚନ ବେଳେ ସେ ମାଆ ସୋନିଆ ଓ ଭାଇ ରାହୁଲଙ୍କ ପାଇଁ ରାଏବରେଲୀ ଓ ଆମେଥିରେ ଥିଲେ ଷ୍ଟାର୍ ପ୍ରଚାରକ । ପ୍ରଚାରର ପ୍ରଥମ ପଦାର୍ପଣରେ ସେ ସଫଳତା ପାଇଥିଲେ ।୨୦୧୭ ବିଧାନସଭା ନିର୍ବାଚନ ବେଳେ ସେ ଏହି ଦୁଇଟି ଲୋକସଭା ଅଧୀନରେ ଥିବା ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଥିଲେ । ହେଲେ ପୂର୍ବର ସଫଳତା ପାଇ ନ ଥିଲେ । ସେହି ନିର୍ବାଚନରେ ସମାଜବାଦୀ ପାର୍ଟି ସହ କଂଗ୍ରେସର ବୁଝାମଣା ଏବଂ ଆସନ ଭାଗବଣ୍ଟରାରେ ପ୍ରିୟଙ୍କାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ପ୍ରତ୍ୟକ୍ଷ ରାଜନୀତିରେ ପ୍ରିୟଙ୍କାଙ୍କୁ ପାଇବା ପାଇଁ ଉତ୍ତରପ୍ରଦେଶ ସମେତ ସାରା ଦେଶରେ କଂଗ୍ରେସ ନେତା ଓ କର୍ମୀମାନେ ଦୀର୍ଘ ଦିନ ହେଲା ଦାବି କରି ଆସୁଥିଲେ ।
ପ୍ରିୟଙ୍କା ସକ୍ରିୟ ରାଜନୀତିରେ ଆସି ସଂଗଠନ ଦାୟିତ୍ୱ ପାଇଲା ପରେ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସେ ଉତ୍ତରପ୍ରଦେଶରରେ ନିଜ ମାଆଙ୍କ ଆସନ ରାଏବରେଲୀରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି କୁହାଯାଉଛି । ସେ ନିଜେ ପ୍ରାର୍ଥୀ ହେବା ସହ ମୋଦି ଓ ଯୋଗୀଙ୍କ ସମେତ ୪୦ଟି ଯାକ ଲୋକସଭା କ୍ଷେତ୍ରରେ ବିଜେପି ପ୍ରାର୍ଥୀଙ୍କୁ ମୁକାବିଲା କରିବେ । ଉତ୍ତରପ୍ରଦେଶରେ ଆଗାମୀ ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ଏବଂ ବହୁଜନ ପାର୍ଟି ଏକ ହୋଇଛନ୍ତି ଏବଂ କଂଗ୍ରେସ ସହ ବୁଝାମଣା ସରିଯାଇଛି । ଏବେ ପ୍ରିୟଙ୍କା ଗାନ୍ଧୀଙ୍କ ଆଗମନ ବିଜେପି ପାଇଁ ଚିନ୍ତାର ବିଷୟ ହୋଇଛି ।
ପ୍ରିୟଙ୍କାଙ୍କ ରାଜନୀତି ପ୍ରବେଶକୁ ନେଇ ତାଙ୍କ ପରିବାର ବେଶ ଆନନ୍ଦିତ । ଭାଇ ରାହୁଲ କହିଛନ୍ତି, ପ୍ରିୟଙ୍କା କାଳେ ରାଜନୀତିକୁ ଆସିଯିବେ ସେଇ ଆଶଙ୍କାରେ ବିଜେପି ଥିଲା । ସେମାନେ ଏବେ କ’ଣ କରିବେ? ପ୍ରିୟଙ୍କାକୁ ସେ ସ୍ୱାଗତ କରିବା ସହ ତାଙ୍କ ଶୁଭ ମନାସିଛନ୍ତି । ସେହିଭଳି ସ୍ୱାମୀ ରବର୍ଟ ଭଦ୍ରା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ପ୍ରିୟଙ୍କାଙ୍କ ସାଙ୍ଗରେ ମୁଁ ସବୁବେଳେ ଅଛି । ପ୍ରିୟଙ୍କା ଭଲ କରନ୍ତୁ ବୋଲି ସେ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରିୟଙ୍କାଙ୍କ ସହ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଏଆଇସିସି ସାଧାରଣ ସମ୍ପାଦକ ନିଯୁକ୍ତି ମିଳିଛି । ସେ ପଶ୍ଚିମ ଉତ୍ତର ପ୍ରଦେଶ ଦାୟିତ୍ୱ ବୁଝିବେ । ଉତ୍ତରପ୍ରଦେଶକୁ ପ୍ରିୟଙ୍କା ଓ ସିନ୍ଧିଆଙ୍କ ଦାୟିତ୍ୱରେ ଛଡ଼ାଯାଇ ବରିଷ୍ଠ ନେତା ଗୁଲାମନବୀ ଆଜାଦଙ୍କୁ ସେଠାରୁ ହଟାଯାଇଛି । ଏଆଇସିସିର ସାଧାରଣ ସମ୍ପାଦକ ଭାବେ ତାଙ୍କୁ ହରିଆଣା ଦାୟିତ୍ୱ ଦିଆଯାଇଛି । ସେହିଭଳି ଅଶୋକ ଗେହେଲଟ୍ ଙ୍କ ସ୍ଥାନରେ କେ.ସି.ବେଣୁଗୋପାଳଙ୍କୁ ଏଆଇସିସି ସାଧାରଣ ସମ୍ପାଦକ(ସଂଗଠନ) ନିଯୁକ୍ତି ଦିଆଯାଇଛି । ତାଙ୍କ ହାତରେ କର୍ଣ୍ଣାଟକ ଦାୟିତ୍ୱ ଛଡ଼ାଯାଇଛି ।