ଭୁବନେଶ୍ୱର: ବିଜେଡ଼ିରୁ ବହିଷ୍କୃତ ନେତା ଡାକ୍ତର ଦାମୋଦର ରାଉତ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ବିଜେପିର ଧ୍ୱଜା ଉଡ଼ାଇଛନ୍ତି । ମୋଦୀଙ୍କୁ ସେ ବାଚାଳ ବୋଲି ଆକ୍ଷେପ କରିଥିବା ବେଳେ ବିଜେପିବାଲାଙ୍କର ନିଜର ଛୁଆ ନାହିଁ, ପର ଛୁଆ ଉପରେ ଆଖି ପକାଉଛନ୍ତି ବୋଲି ମନ୍ତବ୍ୟ ଦେଇଛନ୍ତି । ଅଣକଂଗ୍ରେସ ରାଜନୀତିରେ ପରିଚୟ ସୃଷ୍ଟି କରିଥିବା ଦାମ ଆଜି ପ୍ରଥମ ଥର ପାଇଁ କଂଗ୍ରେସ ଭବନ ଆସିଥିଲେ । ପ୍ରଦେଶ କଂଗ୍ରେସ ପକ୍ଷରୁ ସଂଧ୍ୟାରେ ଆୟୋଜିତ ‘ସମ୍ବିଧାନ ବଞ୍ଚାଓ’ ସମ୍ମିଳନୀରେ ଯୋଗଦେଇ ସେ ବିଜେଡ଼ିକୁ କମ ଗାଳି ଦେଇଥିଲା ବେଳେ ବିଜେପି ଓ ମୋଦୀଙ୍କ ଉପରେ କୁର୍ଚ୍ଛତ ବର୍ଷିଥିଲେ ।
ଦାମ ତାଙ୍କ ଭାଷଣରେ ବିଜେପି ଓ ପ୍ରଧାନମନ୍ତ୍ରୀଙ୍କୁ ମନଭରି ଗାଳି ଦେଇଥିଲେ । ସେ କହିଥିଲେ, ନିକଟରେ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶାକୁ ଆସିଥିବା ବେଳେ ଯେଉଁଠି ବିଜେପି ନାହିଁ ସେଠି ଶାସନ ନାହିଁ ବୋଲି କହିଥିଲେ । କିନ୍ତୁ ମୋଦୀ ଜାଣି ରଖିବା ଉଚିତ ଯେ ସେ ଦେଶର ପ୍ରଧାନମନ୍ତ୍ରୀ । ବିଜେପିର ପ୍ରଧାନମନ୍ତ୍ରୀ ନୁହଁନ୍ତି । ଗୋଟେ ଦେଶର ପ୍ରଧାନମନ୍ତ୍ରୀଙ୍କଠାରୁ ଏଭଳି ମନ୍ତବ୍ୟ ଆଶା କରାଯାଏନି । ମୋଦୀ ବାଚାଳଙ୍କ ଭଳି କଥା କହୁଛନ୍ତି ବୋଲି ଦାମ ଆକ୍ଷେପ କରିଥିଲେ । ସେହିଭଳି ମୋଦୀଙ୍କ ମନ କି ବାତ୍ କାର୍ଯ୍ୟକ୍ରମକୁ ଦାମ କଡ଼ା ଭାଷାରେ ସମାଲୋଚନା କରିଥିଲେ । କହିଥିଲେ, କା’ ମନରେ କ’ଣ ଅଛି ସେ ନିଜ ପାଖରେ ରଖନ୍ତୁ । ସେଥିରେ କାହାର ଯାଏ ଆସେ ନାହିଁ । ନିଜ ଘରଣୀ ଯେଉଁ ଦୁଃଖ ଧରିଛନ୍ତି ତାଙ୍କ କଥା ଆଗ ଶୁଣନ୍ତୁ ବୋଲି ମୋଦୀଙ୍କୁ ଆକ୍ଷେପ କରିଥିଲେ ।
ବିଜେପିକୁ ଗାଳି କରି ଦାମ କହିଥିଲେ, ଏଠି ବିଜେପିବାଲାଙ୍କ ନିଜ ଛୁଆ ନାହିଁ । ପରଛୁଆକୁ ଆଖି ପକାଇଛନ୍ତି । ନିଜର ପ୍ରଚାର ପାଇଁ ଖାଲି ଭୁବନେଶ୍ୱର ସହରର ଯେତିକି ହୋର୍ଡିଂ ଲାଗିଛି ସେଥିରେ କେତେ ଟଙ୍କା ଖର୍ଚ୍ଚ ହେଉଛି? ଏହା କାହା ବାପାର ପଇସା ନୁହେଁ । ବର୍ତ୍ତମାନ ଦେଶରେ ଗଣତନ୍ତ୍ର ନୁହେଁ, ଦଳତନ୍ତ୍ର ଚାଲିଛି ବୋଲି କହିଥିଲେ ଦାମ ।
କଂଗ୍ରେସ ମଞ୍ଚରେ ଦାମ ବିଜେପି ଓ ମୋଦୀଙ୍କୁ ମନଖୋଲା ଗାଳି କରିଥିଲେ ମଧ୍ୟ ତାଙ୍କର ନଗଦ ଶତ୍ରୁ ପାଲଟିଥିବା ବିଜେଡ଼ି ପ୍ରତି ସେଭଳି ଟାଣ ଶବ୍ଦ ନ ଥିଲା । ଭାଷଣରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ଆଦୌ ନେଇ ନ ଥିଲେ । ଓଡ଼ିଶାରେ ଜଣତନ୍ତ୍ର ଚାଲିଛି ବୋଲି କେବଳ ଆକ୍ଷେପ କରିଥିଲେ ।
ଉକ୍ତ ଆଲୋଚନାଚକ୍ରରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବାମପନ୍ଥୀ ନେତା ଜନାର୍ଦ୍ଦନ ପତି, ରାମକୃଷ୍ଣ ପଣ୍ଡା, ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରାଙ୍କ ସମେତ କଂଗ୍ରେସର ବହୁ ନେତା ଓ କର୍ମୀ ଯୋଗଦେଇଥିଲେ ।
କୌଣସି ଦଳରେ ମିଶିବିନି
କଂଗ୍ରେସ କି ବିଜେପିରେ ମିଶିବାର ନାହିଁ ବୋଲି ଆଜି ଦାମ ପୁଣି ଥରେ ସ୍ପଷ୍ଟ କରିଛନ୍ତି । ନୂଆ ଦଳ ଗଢ଼ିବା ସମ୍ପର୍କରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ ଯେ ନୂଆ ଦଳ ଗଢ଼ିବା ପାଇଁ ତାଙ୍କର ଇଚ୍ଛା । ତାହା କଷ୍ଟକର ନୁହେଁ । ହେଲେ ତାଙ୍କର ପକେଟ୍ ଖାଲି । ତେବେ ଏ ନେଇ ତାଙ୍କ ସହ ଅନେକ ନେତା ଯୋଗାଯୋଗରେ ଅଛନ୍ତି । ନୂଆ ଦଳ ଗଢ଼ିବାକୁ ତାଙ୍କ ପକ୍ଷରୁ ଉଦ୍ୟମ ହେଲାଣି କି ବୋଲି ପ୍ରଶ୍ନରେ ଦାମ କହିଛନ୍ତି, ବୈଜୟନ୍ତ ପଣ୍ଡା ରାଜି ଅଛନ୍ତି । ବିଜୟ ମହାପାତ୍ର ଧରାଛୁଆଁ ଦେଉନାହାନ୍ତି । ଦିଲ୍ଲୀପ ରାୟଙ୍କ ସହ କଥା ହୋଇନି ।