ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୮ କୁ ବୃଦ୍ଧି ପାଇଛି । ବାଲେଶ୍ୱର କଣ୍ଟେନମେଣ୍ଟ ଜୋନ୍ ରୁ ଆଜି ୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୪ ମହିଳା ଓ ଜଣେ ପୁରୁଷ ଅଛନ୍ତି । ମହିଳାଙ୍କ ବୟସ ଯଥାକ୍ରମେ ୫୫ ବର୍ଷ, ୨୨ ବର୍ଷ,୨୩ ବର୍ଷ ଏବଂ ୨୯ ବର୍ଷ । ପୁରୁଷଜଣଙ୍କ ୨୭ ବର୍ଷୀୟ ଯୁବକ । ପଜିଟିଭ୍ ରିପୋର୍ଟ ଆସିଥିବା ଏହି ୫ ଜଣଙ୍କଠାରେ ସାମାନ୍ୟ ଲକ୍ଷଣ ଥିଲା ଏବଂ ହୋମ୍ କ୍ୱାରେଣ୍ଟାଇନ୍ ରେ ଥିଲେ ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ଟ୍ୱିଟ୍ କରିଛି ।
ଏହି ୫ଙ୍କୁ ମିଶାଇ ବାଲେଶ୍ୱର ଜିଲ୍ଲାରୁ ଏ ପର୍ଯ୍ୟନ୍ତ ୧୫ ଜଣ କରୋନାରେ ଆକ୍ରାନ୍ତ ହେଲେଣି । ବାଲେଶ୍ୱର ଟାଉନ୍ ନେଳିଆବାଗର ୬୧ ନଂ ଆକ୍ରାନ୍ତଙ୍କଠାରୁ ତାଙ୍କର ୭ ଜଣ ସମ୍ପର୍କୀୟ ସଂକ୍ରମିତ ହୋଇସାରିଲେଣି । ଏହି ୬୧ ନଂ ଆକ୍ରାନ୍ତ ବ୍ୟକ୍ତି ଝାଡ଼ଖଣ୍ଡରୁ ଫେରିଥିଲେ । ନୂଆ ୫ ଆକ୍ରାନ୍ତ ତାଙ୍କ ସମ୍ପର୍କୀୟ ନା ନାହିଁ ତାହା ଜଣାପଡ଼ିନାହିଁ । ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂ ଚାଲିଥିବା କୁହାଯାଇଛି ।
ଆକ୍ରାନ୍ତ ତାଲିକାର ଶୀର୍ଷରେ ଥିବା ଭୁବନେଶ୍ୱରରୁ ବହୁ ଦିନ ଧରି ଆଉ ପଜିଟିଭ୍ କେସ୍ ଆସୁ ନ ଥିବା ବେଳେ ଯାଜପୁର, ଭଦ୍ରକ ଓ ବାଲେଶ୍ୱରରୁ ପଜିଟିଭ୍ ସଂଖ୍ୟା ବଢ଼ିବାରେ ଲାଗିଛି । ଏହି ପଜିଟିଭ୍ ଙ୍କ ମଧ୍ୟରୁ ବାଲେଶ୍ୱର ୬୧ ନଂ ଆକ୍ରାନ୍ତ ସୁପର ସ୍ପ୍ରେଡର୍ ଭାବେ ଉଭା ହୋଇଥିବା ବେଳେ ଅବଶିଷ୍ଟ ପ୍ରାୟ ବ୍ୟକ୍ତିଙ୍କର କୋଲକତା ଲିଙ୍କ୍ ରହିଛି ।
ଲକ୍ ଡାଉନ୍ ସତ୍ତ୍ୱେ କୋଲକୋତାରୁ ଏମାନେ ଓଡ଼ିଶା କେମିତି ଫେରିଲେ, ପ୍ରଶାସନ ଓ ପୁଲିସ କ’ଣ କରୁଥିଲା ତାହା ବଡ଼ ପ୍ରଶ୍ନ ହୋଇଛି । ନିଜ ଦୋଷ ଘୋଡ଼ାଇବାକୁ ଯାଜପୁର ଓ ଭଦ୍ରକ ଜିଲ୍ଲାପାଳ ନାନା ବାହାନା ଦେଖାଉଥିଲେ ମଧ୍ୟ ଏଥିପାଇଁ ନିଶ୍ଚିତ ଭାବେ ସେମାନେ ଦାୟୀ । ଲକ୍ ଡାଉନ୍ ବେଳେ ଯଦି ଏଭଳି ଅବାଧ ପ୍ରବେଶ ଅନ୍ୟବେଳେ ସୀମାନ୍ତରେ କାରବାର କେଉ ଁଭଳି ହେଉଥିବ ତାହା ସ୍ପଷ୍ଟ ଅନୁମେୟ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଖାସ୍ କରି ଜିଲ୍ଲା ପ୍ରଶାସନର ବିଫଳତା ପାଇଁ ଆଜି ଏହି ଅବସ୍ଥା ବୋଲି ସମାଲୋଚନା କରିଛନ୍ତି ।
ସୂଚନା ଯୋଗ୍ୟ, ବାଲେଶ୍ୱରରୁ ୧୫ ପଜିଟିଭ୍ ବାହାରିଥିବା ବେଳେ ଯାଜପୁରରୁ ୧୮ ଏବଂ ଭଦ୍ରକରୁ ୧୬ ପଜିଟିଭ୍ ଚିହ୍ନଟ ହେଲେଣି ।