ଭୁବନେଶ୍ୱର: ସେ ଚନ୍ଦୁ କିଏ ? କୁଆଡେ ଗଲା ? ପୁଲିସ ତାର କିଛି ସୁରାକ୍ ପାଇଲାଣି ନା ନାହିଁ ? ଏମିତି ଅନେକ ପ୍ରଶ୍ନ ଜନସାଧାରଣଙ୍କ ପାଇଁ ସସପେନସ୍ ରହିଯାଇଛି । ଛତ୍ରପୁର କାଉନସିଲର ଲକ୍ଷ୍ମୀଦତ୍ତ ମର୍ଡରର ଅଭିଯୁକ୍ତ ମୁଖ୍ୟ ଷଡ଼ଯନ୍ତ୍ରକାରୀ କୃଷ୍ଣ ନାୟକ ଓ ଦୁର୍ଯୋଧନ ରେଡ୍ଡିଙ୍କୁ ଏହି ଚନ୍ଦୁ ହିଁ କୋଲକତାରୁ ଡେରାଡୁନ୍ ନେବାରେ ସାହାଯ୍ୟ କରିଥିଲା । ଡେରାଡୁନ୍ ଷ୍ଟେଟ୍ ଗେଷ୍ଟ ହାଉସ୍ ରେ ସେମାନଙ୍କ ପାଇଁ ରହିବାର ବନ୍ଦୋବସ୍ତ କରିଥିଲା । କୃଷ୍ଣ ତାଙ୍କ ଭିଡ଼ିଓ ବୟାନରେ ଏହା କହିସାରିଛନ୍ତି । ଗୋଲକ ଭାଇନା(ମହାପାତ୍ର) ତାଙ୍କୁ ଚନ୍ଦୁ ମୋବାଇଲ୍ ନମ୍ବର ଦେଇ ଯୋଗାଯୋଗ କରିବାକୁ କହିଥିବା କୃଷ୍ଣ ସ୍ପଷ୍ଟ କହିଛନ୍ତି । ଅର୍ଥାତ୍ କୃଷ୍ଣଙ୍କୁ ଗୋଲକ ମହାପାତ୍ର ହିଁ ଚନ୍ଦୁ ସହ ଇଣ୍ଟ୍ରୋଡ୍ୟୁସ୍ କରିଥିଲେ । ଯାହାଫଳରେ କୃଷ୍ଣ ଓ ଦୁର୍ଯୋଧନଙ୍କୁ ଚନ୍ଦୁ ନେଇ ଡେରାଡୁନ୍ ଗେଷ୍ଟ ହାଉସ୍ ରେ ଲୁଚାଇ ରଖିଥିଲା ।
କୃଷ୍ଣଙ୍କ ବୟାନ ସତ ହୋଇଥିଲେ ଚନ୍ଦୁ ଜଣେ ସାମାନ୍ୟ ଲୋକ ନୁହଁନ୍ତି । ଖୁବ୍ ପାୱାରଫୁଲ୍ ଦଲାଲ । କାରଣ ଉତ୍ତରାଖଣ୍ଡ ରାଜ୍ୟରେ ସରକାରଙ୍କ ସମ୍ବ୍ରାନ୍ତୀୟ ଗେଷ୍ଟ ହାଉସ୍ ରେ ଦୁଇଜଣ ଫେରାର୍ ମର୍ଡର ଅଭିଯୁକ୍ତକୁ ଆଶ୍ରୟ ଦେବା ସହଜ କଥା ନୁହେଁ । ଏଭଳି ଏକ ଅସମ୍ଭବ କାର୍ଯ୍ୟକୁ ଚନ୍ଦୁ ସମ୍ଭବ କରିପାରିଥିବାରୁ ତା’ର ପାୱାର୍ ବୁଝାପଡ଼ିଯାଉଛି । ତେବେ ଏହି ଚନ୍ଦୁ କିଏ, ତାହା ତଥାକଥିତ ଯୋଗସୂତ୍ରକାରୀ ଗୋଲକ ମହାପାତ୍ରଙ୍କୁ ହିଁ ଜଣା । ଗତ ୧ ତାରିଖରେ ଛତ୍ରପୁର ପୁଲିସ ଗୋଲକଙ୍କୁ ଡାକି ଜେରା କରିଥିଲା । ଦୁଇଟି ପର୍ଯ୍ୟାୟରେ ତିନି ଘଣ୍ଟା ଧରି ଜେରା କରିଥିଲା । ଚନ୍ଦୁ ସମ୍ପର୍କରେ ପୁଲିସ ତାଙ୍କଠାରୁ କି ତଥ୍ୟ ପାଇଛି ତାହା ଜଣାପଡିନି । ଛତ୍ରପୁର ପୁଲିସ ସହ ଆମେ ଏ ସମ୍ପର୍କରେ ଯୋଗାଯୋଗ କରିଥିଲେ ମଧ୍ୟ ସେମାନେ କିଛି କହିନାହାନ୍ତି । ଏଭଳି ସ୍ଥିତିରେ ଚନ୍ଦୁଙ୍କୁ ନେଇ ସାଧାରଣରେ ଜନ୍ମିଥିବା ଉତ୍କଣ୍ଠା ବଢ଼ିବାରେ ଲାଗିଛି । ସେହି ମହାନ୍ ଦଲାଲ୍ ସମ୍ପର୍କରେ ଜାଣିବାକୁ ଲୋକଙ୍କର ଆଗ୍ରହ ବଢ଼ୁଛି । ସେହି ବ୍ୟକ୍ତିଜଣଙ୍କ ଓଡ଼ିଶାର ନା ଉତ୍ତରାଖଣ୍ଡର ତାକୁ ନେଇ ସସପେନସ୍ ଜାରି ରହିଛି ।
ଚର୍ଚ୍ଚା ଅନୁଯାୟୀ, ଡେରାଡୁନ୍ ଗେଷ୍ଟ ହାଉସ୍ ରୁମ୍ ନଂ ୨୦୪ ଟି ବିଜେପି ଶାସିତ ଉତ୍ତରାଖଣ୍ଡର ଜଣେ ପ୍ରଭାବଶାଳୀ ମନ୍ତ୍ରୀଙ୍କ ନାଁରେ ବୁକ୍ ହୋଇଥିଲା । ଚନ୍ଦୁ ଏହି ମନ୍ତ୍ରୀଙ୍କୁ ଯୋଗାଯୋଗ କରି ତାଙ୍କ ସହଯୋଗରେ ସେହି ରୁମ୍ କୁ କୃଷ୍ଣ ଓ ଦୁର୍ଯୋଧନଙ୍କ ନାଁରେ ବୁକ୍ କରେଇଥିଲା । ଉତ୍ତରାଖଣ୍ଡର ସଂପୃକ୍ତ ମନ୍ତ୍ରୀଙ୍କର କେନ୍ଦ୍ରୀୟ ବିଜେପି ନେତାଙ୍କ ସହ ଉତ୍ତମ ସମ୍ପର୍କ ଅଛି । ଜନୈକ ପାୱାରଫୁଲ୍ କେନ୍ଦ୍ରମନ୍ତ୍ରୀଙ୍କ ସହ ଏହି ରାଜ୍ୟ ମନ୍ତ୍ରୀଙ୍କର କୁଆଡେ କ୍ଷୀର ନୀର ସମ୍ପର୍କ । ସୁତରାଂ କୃଷ୍ଣ ଓ ଦୁର୍ଯୋଧନଙ୍କୁ ଉତ୍ତରାଖଣ୍ଡ ରାଜ୍ୟ ଗେଷ୍ଟ ହାଉସ୍ ରେ ଆଶ୍ରୟ ଦେବା ପଛରେ ସଂପୃକ୍ତ କେନ୍ଦ୍ରମନ୍ତ୍ରୀଙ୍କର ଭୂମିକା ରହିଥିବା ଚର୍ଚ୍ଚା ହେଉଛି । ଯଦି କୃଷ୍ଣଙ୍କ ଭିଡ଼ିଓ ବୟାନ ସତ ହୋଇଥାଏ, ଗୋଲକ ହୁଏତ ଏହି କେନ୍ଦ୍ରମନ୍ତ୍ରୀଙ୍କ ଇସାରାରେ କୃଷ୍ଣ ଓ ଦୁର୍ଯୋଧନଙ୍କୁ ସେଠାରେ ଲୁଚାଇ ରଖିବାରେ ସମର୍ଥ ହୋଇଥିଲେ ।
ଗଂଜାମ ପୁଲିସ ଏ ଦିଗରେ ତଦନ୍ତ କରୁଥିବା ଜଣାପଡ଼ିଛି । ମାତ୍ର ମାମଲାଟି ଅତ୍ୟନ୍ତ ସମ୍ବେଦନଶୀଳ ଏବଂ କେନ୍ଦ୍ରମନ୍ତ୍ରୀଙ୍କ ଲିଙ୍କ୍ ଅଭିଯୋଗ ରହିଥିବାରୁ ପୁଲିସ ସତର୍କତାର ସହ ଆଗକୁ ବଢ଼ୁଥିବା ଜଣେ ଉଚ୍ଚପଦସ୍ଥ ପୁଲିସ ଅଧିକାରୀଙ୍କଠାରୁ ସୂଚନା ମିଳିଛି । ସେପଟେ କୃଷ୍ଣ ଓ ଦୁର୍ଯୋଧନଙ୍କୁ ଆଉ ଥରେ ରିମାଣ୍ଡରେ ନେବାକୁ ପୁଲିସ ହାଇକୋର୍ଟରେ ୭ ଦିନିଆ ରିମାଣ୍ଡ ଆବେଦନ କରିଛି । ଆସନ୍ତାକାଲି ଏହାର ଶୁଣାଣି ହେବ ବୋଲି ଜଣାପଡ଼ିଛି । ପୁଲିସ କୃଷ୍ଣଠାରୁ ଚନ୍ଦୁ ସମ୍ପର୍କରେ ଅଧିକ ତଥ୍ୟ ଉଗାଳିବାକୁ ଲକ୍ଷ୍ୟ ରଖିଥିବା ଜଣେ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି ।