ଭୁବନେଶ୍ୱର: ଓଡ଼ିଶାକୁ ଅଧିକ ୟୁରିଆ ସାର ଯୋଗାଇଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର । କୃଷିମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଏହି ଦାବି ଉପସ୍ଥାପନ କରିଛନ୍ତି । ଆଜି ପୂର୍ବାହ୍ନରେ କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ମନସୁଖ ଭାଇ ମାଣ୍ଡଭିୟ ଭିଡ଼ିଓ କନଫରେନ୍ସିଂ ଯୋଗେ ସାର ଯୋଗାଣ ସ୍ଥିତି ସମ୍ପର୍କରେ ରାଜ୍ୟ କୃଷିମନ୍ତ୍ରୀମାନଙ୍କ ସହ ସମୀକ୍ଷା ବୈଠକ କରିଥିଲେ । ଏଥିରେ ଯୋଗଦେଇ କୃଷିମନ୍ତ୍ରୀ ଡ. ସାହୁ ଅଗଷ୍ଟ ମାସରେ ବାକି ୟୁରିଆ ତୁରନ୍ତ ଯୋଗାଇ ଦେବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ।
ଡ. ସାହୁ ଦର୍ଶାଇଥିଲେ ଯେ ଜୁଲାଇ ଦ୍ୱିତୀୟ ସପ୍ତାହଠାରୁ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ୟୁରିଆ ସାରର ସର୍ବୋଚ୍ଚ ଚାହିଦା ରହିଥାଏ । ଖରିଫ୍ ଚାଷର ୬୦ ପ୍ରତିଶତ ୟୁରିଆ ଏହି ସମୟରେ ବ୍ୟବହାର ହୋଇଥାଏ । ଭାରତର ପୂର୍ବାଞ୍ଚଳରେ କୌଣସି ୟୁରିଆ ଉତ୍ପାଦନ କାରଖାନା ନାହିଁ । ତେଣୁ ଓଡ଼ିଶାକୁ ଉତ୍ତରାଞ୍ଚଳ ଏବଂ ପଶ୍ଚିମାଞ୍ଚଳର କାରଖାନାରୁ ୟୁରିଆ ନିମନ୍ତେ ନିର୍ଭର କରିବାକୁ ପଡ଼ିଥାଏ । ୨୦୨୦ ଜୁନ୍ ମାସରେ ରାଜ୍ୟର ୟୁରିଆ ସାର ଚାହିଦା ୭୦ ହଜାର ମେଟ୍ରିକ ଟନ୍ ଥିବାବେଳେ ୫୬ ହଜାର ୨୨୮ ମେଟ୍ରିକ ଟନ୍ ସାର ଯୋଗାଣ ହୋଇଥିଲା ଯାହା ଚାହିଦାଠାରୁ ୧୩ ହଜାର ୭୭୨ ମେଟ୍ରିକ ଟନ୍ କମ୍ ଥିଲା । ସେହିପରି ଜୁଲାଇ ମାସରେ ୧୯ ହଜାର ୬୧୯ ମେଟ୍ରିକ ଟନ୍ କମ୍ ସାର ଓଡ଼ିଶାକୁ ଯୋଗାଣ ହୋଇଥିଲା । ଅଗଷ୍ଟ ମାସରେ ରାଜ୍ୟରେ ଏକ ଲକ୍ଷ ମେଟ୍ରିକ ଟନ୍ ୟୁରିଆ ସାରର ଆବଶ୍ୟକତା ଥିବାବେଳେ ଅଗଷ୍ଟ ୧୭ ତାରିଖ ସୁଦ୍ଧା ରାଜ୍ୟକୁ ମାତ୍ର ୩୪ ହଜାର ୧୫୦ ମେଟ୍ରିକ ଟନ୍ ଯୋଗାଣ ହୋଇଛି ।
ଜୁନ୍ ଓ ଜୁଲାଇ ମାସର ନିଅଣ୍ଟିଆ ସାର ଯୋଗାଣ ଏବଂ ଅଗଷ୍ଟ ମାସର ବାକି ଅବଧି ପାଇଁ ରାଜ୍ୟରେ ୧ ଲକ୍ଷ ୩ ହଜାର ମେଟ୍ରିକ ଟନ୍ ୟୁରିଆ ସାରର ଆବଶ୍ୟକତା ରହିଛି । ଓଡ଼ିଶାରେ ଖରିଫରେ ମୁଖ୍ୟତଃ ଧାନଚାଷ କରାଯାଉଥିବା ବେଳେ ଅଧିକ ୟୁରିଆ ସାରର ଆବଶ୍ୟକତା ରହିଛି । ରାଜ୍ୟ ସରକାରଙ୍କ ତରଫରୁ ଇଫକୋ, ଆରସିଏଫ, ଏନ୍ଏଲଏଫ ଆଦି ସାର କମ୍ପାନୀଗୁଡ଼ିକ ନିଜସ୍ୱ ଉତ୍ପାଦିତ ସାର ଯୋଗାଇଦେବା ପାଇଁ ଅନୁରୋଧ କରାଯାଇଥିବା ବେଳେ ରାଜ୍ୟକୁ ବିଦେଶରୁ ଆମଦାନୀ ହେଉଥିବା ୟୁରିଆ ସାର ଉପଲବ୍ଧ ହୋଇନାହିଁ । ଏହି ପରିପ୍ରେକ୍ଷୀରେ ରାଜ୍ୟକୁ ଇଣ୍ଡିଆନ ପଟାସ ଲିମିଟେଡ ପକ୍ଷରୁ ବିଦେଶରୁ ଆମଦାନୀ ହେଉଥିବା ୟୁରିଆ ସାର ଯୋଗାଇଦେବା ପାଇଁ କୃଷିମନ୍ତ୍ରୀ ଅନୁରୋଧ କରିଥିଲେ । ରାଜ୍ୟରେ ୟୁରିଆ ସାର ଖୁଚୁରା ବିକ୍ରୟକୁ କ୍ୟାସ୍ଲେସ୍ ଓ ଡିଜିଟାଲ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । ଅଦ୍ୟାବଧି ୧୦୦୦ଟି ଖୁଚୁରା ସାର ବିକ୍ରୟ କେନ୍ଦ୍ରକୁ ଡ଼ିଜିଟାଲ କରାଯାଇଛି ବୋଲି ସେ ଦର୍ଶାଇଥିଲେ ।