ଭୁବନେଶ୍ୱର: ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁଙ୍କୁ ବାରମ୍ବାର ଆକ୍ରମଣ ପଛରେ ଏକ ଭୟଙ୍କର ଷଡ଼ଯନ୍ତ୍ରର ସୂଚନା ମିଳିଛି । ନବୀନ ପଟ୍ଟନାୟକଙ୍କୁ ବଦନାମ କରିବା ପାଇଁ ଏହି ଷଡ଼ଯନ୍ତ୍ରର ଜାଲ୍ ବିଛାଯାଇଛି । ବାଛି ବାଛି ଖାରବେଳ ସ୍ୱାଇଁଙ୍କୁ ତାଙ୍କ ଅଜାଣତରେ ମୋହରା ବନାଯାଇଛି । ବିଭିନ୍ନ ଜାଗାରେ ଖାରବେଳଙ୍କୁ ମାଡ଼ ମରାଯିବ ଏବଂ ବିଜେଡ଼ି ଉପରକୁ ଦୋଷ ଠେଲି ସରକାରକୁ ବଦନାମ କରାଯିବ । ଟଙ୍କା କେଇଟା ଖର୍ଚ୍ଚରେ ବିରାଟ ରାଜନୈତିକ ସଫଳତା ପାଇବାକୁ ଷଡ଼ଯନ୍ତ୍ରକାରୀ ମନେ ମନେ ଭାବିନେଇଛନ୍ତି । କାଶୀପୁର ଆକ୍ରମଣ ଘଟଣା ପରେ ପାରିପାଶ୍ୱିର୍କ ସ୍ଥିତିରୁ ଏହି ଷଡ଼ଯନ୍ତ୍ରର ସୁରାକ୍ ମିଳିସାରିସାରିଥିବା ଜନୈକ ପୁଲିସ ଅଧିକାରୀ କହିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଘଟଣାର କ୍ରାଇମବ୍ରାଞ୍ଚ ନିର୍ଦ୍ଦେଶ ଦେଇଥିବାରୁ ଏ ସମ୍ପର୍କରେ ଅଧିକ କହିବାକୁ ସେ ମନା କରିଛନ୍ତି ।
ବୁଦ୍ଧୀଜୀବୀ ମହଲରେ ବି ଏହାକୁ ନେଇ ରୋଚକ ଚର୍ଚ୍ଚା ଆରମ୍ଭ ହୋଇଛି । ଖାରବେଳ ସ୍ୱାଇଁଙ୍କୁ ଆଗରୁ କେହି ଆକ୍ରମଣ କରୁ ନ ଥିଲେ । ହଠାତ୍ ଏବେ କିନ୍ତୁ ବାରମ୍ବାର ଆକ୍ରମଣ ହେଉଛି । ବିଶେଷକରି ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ ଅଭିଜିତ୍ ଆୟାର ମିତ୍ରଙ୍କ ସପକ୍ଷରେ ଖାରବେଳ କହିବା ପରଠୁ ତାଙ୍କ ଉପରେ ଆକ୍ରମଣ ହୋଇଆସୁଛି । ଅକ୍ଟୋବର ୨୪ ତାରିଖରେ କେନ୍ଦ୍ରାପଡ଼ାର ଆଳିରେ, ନଭେମ୍ବର ୧ରେ ବାଲେଶ୍ୱରର ଖଇରାରେ ଓ ନଭେମ୍ବର ୨୪ରେ ରାୟଗଡ଼ାର କାଶୀପୁରରେ ଆକ୍ରମଣ ହୋଇଛି । ସବୁ ଆକ୍ରମଣର ତରିକା ବି ପ୍ରାୟ ଏକା । ଖାରବେଳ ପଥପ୍ରାନ୍ତ ସଭା କରିବେ । ନବୀନ ସରକାରକୁ ଗାଳିଦେବେ । ଦୁଇ ତିନି ଜଣ ଯୁବକ ତାଙ୍କୁ ବିରୋଧ କରି ହଲାପଟା କରିବେ । ତାପରେ ଘଟଣାକୁ ଟିଭି ଚାନେଲ୍ ଓ ସୋସିଆଲ୍ ମିଡ଼ିଆରେ ଘନ ଘନ ପ୍ରଚାର କରି ନବୀନ ସରକାରକୁ ଲଙ୍ଗଳା କରିବେ । ଟୁଇଟ୍ ପରେ ଟୁଇଟ୍ ବର୍ଷା ମାଡ଼ ହେବ ।
ରାଜନୀତିରେ ରୁଚି ରଖୁଥିବା ସାଧାରଣ ଲୋକଟିଏ ଆଖିବୁଜି କହିଦେବ ଯେ ବିଜେଡ଼ି ବା କୌଣସି ନିର୍ଦ୍ଦିଷ୍ଟ ଦଳ ଉପରେ ଲଗାଯାଉଥିବା ଆରୋପ ସମ୍ପୂର୍ଣ୍ଣ ମିଛ । ବିଜେଡ଼ିବାଲା ବାଛି ବାଛି ଖାରବେଳଙ୍କୁ କାହିଁକି ଆକ୍ରମଣ କରିବେ? ଖାରବେଳ ସେଭଳି ଶକ୍ତିଶାଳୀ ନେତା ନୁହଁନ୍ତି ଯିଏ ନିଜ ଭାଷଣରେ ଲୋକଙ୍କୁ ପ୍ରଭାବିତ କରି ବିଜେଡ଼ିକୁ ଦୋହଲାଇଦେବେ । ଯେଉଁ ଦଳ ଗଢ଼ିଛନ୍ତି ତାହାର ସେଭଳି ଅସ୍ତିତ୍ୱ ନାହିଁ । ତେଣୁ ବିଜେଡ଼ି ତାଙ୍କୁ ନେଇ ଭୟଭୀତ ହେବାର କାରଣ ହିଁ ନାହିଁ । ଅନ୍ୟପକ୍ଷରେ ଖାରବେଳଙ୍କୁ ଆକ୍ରମଣ କଲେ ବିଜେଡ଼ିର ଲାଭ ପରିବର୍ତ୍ତେ କ୍ଷତି ହେବାଟା ସୁନିଶ୍ଚିତ । କାରଣ ଖାରବେଳଙ୍କ ଭଳି ଜଣେ ପ୍ରଭାବହୀନ ନେତାଙ୍କ ଦେହରେ ହାତମାରି ବିଜେଡ଼ି ନିଜ ସରକାରକୁ ବଦନାମ କରିବାକୁ କେବେ କଳ୍ପନା କରିବ କି? ଖାଲି ବିଜେଡ଼ି କାହିଁକି, ରାଜନୀତିରେ ପରିପକ୍ୱତା ଥିବା କୌଣସି ଦଳ ଏଭଳି କରିବାକୁ ସାହସ କରିବେନି । ନିଜ ଗୋଡ଼ରେ କୁରାଢ଼ୀ ମାରିବାକୁ କେହି ଚାହିଁବେନି ।
ସୁତରାଂ ଏଭଳି ଘଟଣା(ପ୍ରାୟୋଜିତ) ପଛରେ ସୁଚିନ୍ତିତ ଷଡ଼ଯନ୍ତ୍ରର ଯାହା ସୂଚନା ମିଳୁଛି ସେଥିରେ ଶତ ପ୍ରତିଶତ ସତ୍ୟତା ଥିବା ସାଧାରଣରେ ବିଶ୍ୱାସ ହେଉଛି । ରାଜନୀତିରେ ଲୋକଙ୍କ ହୃଦୟ ଜିତି ନେତା ହେବା କଷ୍ଟ । ହେଲେ ଲୋକଙ୍କ ହୃଦୟ ଜିତି ନେତା ହୋଇଥିବା ଶତ୍ରୁକୁ ବଦନାମ କରିବା ସହଜ କଥା । ଖାରବେଳଙ୍କୁ ମୋହରା କରିଥିବା ଆକ୍ରମଣକାରୀ ଏହି ସୂତ୍ରକୁ ଆପଣେଇଛନ୍ତି ଏବଂ ନବୀନ ପଟ୍ଟନାୟକଙ୍କୁ ବଦନାମ କରିବାର ସହଜ ରାସ୍ତା ପାଇଯାଇଛନ୍ତି । ଏହି ଷଡ଼ଯନ୍ତ୍ରକାରୀ କିଏ ତାହା ଲୋକ ବୁଝିଗଲେଣି । ତେବେ ସମସ୍ତଙ୍କ ଅପେକ୍ଷା ତଦନ୍ତ ରିପୋର୍ଟକୁ ।
ବେକାର କଥା ଗୁଡାକ ଲେଖି କାହିଁକି ନବୀନ ପଟ୍ଟନାୟକ ଙ୍କୁ ଘୋଡାଉଛନ୍ତି, ଏଇଟା 2018 ମସିହା ସାରିବା ଉପରେ ତଥାପି ଆପଣମାନେ ଲୋକମାନଙ୍କୁ ବୋକା ଭାବୁଛନ୍ତି
ଏ ରିପୋର୍ଟ ପଢ଼ିବା ମୁଁ ନିସନ୍ଦେହ ଯେ “ନିଦ ଡେ ଓଡ଼ିଶା” “ନିରପେକ୍ଷ” ସମ୍ବାଦ ପରିବେଷଣ କରୁଥିବା ଏକମାତ୍ର “ନିରପେକ୍ଷ” ସଂସ୍ଥା !